

ଭାରତ ସମ୍ପ୍ରତି ଜାପାନକୁ ପଛରେ ପକାଇ ବିଶ୍ଵର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଛି ଏବଂ ଏବେ ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଲକ୍ଷ୍ୟ ପଥରେ ପାଦ ଥାପିଛି। ବର୍ତ୍ତମାନ କେବଳ ଜର୍ମାନୀ, ଚୀନ୍ ଏବଂ ଆମେରିକା ଭାରତର ଅର୍ଥନୀତି ଠାରୁ ଆଗରେ ଅଛନ୍ତି। ଜାପାନର ଅବସ୍ଥା କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଜାପାନ ସରକାର ଶୁକ୍ରବାର ଏକ ରିପୋର୍ଟ ପ୍ରକାଶ କରିଛନ୍ତି ଯେ ୨୦୨୫ ର ପ୍ରଥମ ତ୍ରୈମାସିକରେ ଏହାର ବାର୍ଷିକ ଅଭିବୃଦ୍ଧି ହାର ୦.୭ ପ୍ରତିଶତକୁ ହ୍ରାସ ପାଇଛି, ଯେତେବେଳେ ଭାରତ ଏବେ ବି ୬ ପ୍ରତିଶତରୁ ଅଧିକ ହାରରେ ଅଭିବୃଦ୍ଧି କରୁଛି।
ଭାରତ ଖୁବ୍ ଶୀଘ୍ର ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତ୍ ଅର୍ଥନୀତି ହେବ ବୋଲି ଆକଳନ କରାଯାଉଛି।
ଜାପାନ ସରକାରଙ୍କ ଦ୍ୱାରା ଜାରି ଏକ ବିବୃତି ଅନୁଯାୟୀ ଜାପାନର ପ୍ରକୃତ ମୋଟ ଘରୋଇ ଉତ୍ପାଦ ( ଏକ ଦେଶର ସାମଗ୍ରୀ ଏବଂ ସେବାର ମାପ) ଜାନୁଆରୀ-ମାର୍ଚ୍ଚ ମାସରେ ୦.୨ ପ୍ରତିଶତ ହ୍ରାସ ପାଇଛି, ଯାହା ଅକ୍ଟୋବର-ଡିସେମ୍ବର ୨୦୨୪(ପୂର୍ବ ତ୍ରୈମାସିକ) ତୁଳନାରେ ଆଶାଠାରୁ ଅଧିକ। ଗତ ଗୋଟିଏ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଥିରେ ସଂକୋଚନ ରେକର୍ଡ କରାଯାଇଥିଲା। ସଂକୋଚନ ଅର୍ଥ ହେଉଛି ଜାପାନର ଅଭିବୃଦ୍ଧି ହାର ଶୂନ୍ୟ ତଳକୁ ଚାଲିଯାଇଛି ଏବଂ ଅର୍ଥନୀତିର ଆକାର ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ପାଇବା ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ ଏହି ଯେଉଁ ଉପରୋକ୍ତ ଧାରାଗୁଡିକ ଗତିଶୀଳ ରହିଛି, ତାହାରି ଆଧାରରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଏହି ଆକଳନ କରିଛି। ମୁଦ୍ରା ପାଣ୍ଠି କହିଛି ଯେ ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ଭାରତ ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତ୍ତମ ଅର୍ଥନୀତି ବନିବ।
ଏହି ଆକଳନରେ କୁହାଯାଇଛି ଯେ ୨୦୨୫ ମସିହାରେ ଭାରତର ଜିଡିପି ଆକଳନ ୪.୧୮୭ ଟ୍ରିଲିୟନ ଡଲାର ଏବଂ ଏହାର ମୁଣ୍ଡପିଛା ଜିଡିପି ୨,୯୩୪ ଡଲାର ଅଟେ। ଜାପାନ ଚାରି ନମ୍ବରରୁ ଖସି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଛି, ଯାହାର ଜିଡିପି ୪.୧୮୬ ଟ୍ରିଲିୟନ ଡଲାର। ସେହିପରି ମୁଣ୍ଡପିଛା ଜିଡିପି ୩୩,୯୫୫ ଡଲାର ।
ଜାପାନ କେଉଁଠାରୁ ଆସି କେଉଁଠି ପହଞ୍ଚିଲା ?
ରିପୋର୍ଟ ଅନୁଯାୟୀ ୨୦୨୪ ମସିହାର ଶେଷ ତ୍ରୈମାସିକ (ଅକ୍ଟୋବର-ଡିସେମ୍ବର)ରେ ଜାପାନର ଅର୍ଥନୀତି ବାର୍ଷିକ ୨.୪ ପ୍ରତିଶତ ହାରରେ ଅଭିବୃଦ୍ଧି ପାଉଥିଲା। ରପ୍ତାନି ୨.୩ ପ୍ରତିଶତ ହ୍ରାସ ପାଉଛି, ଯେତେବେଳେ ଗ୍ରାହକ ଖର୍ଚ୍ଚ ସ୍ଥିର ରହିଛି ଏବଂ ପୁଞ୍ଜି ନିବେଶ ୫.୮ ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବରୁ, ଜାନୁଆରୀ-ମାର୍ଚ୍ଚ ୨୦୨୪ ତ୍ରୈମାସିକରେ ଜାପାନର ଅର୍ଥନୀତି ମଧ୍ୟ ଶୂନ୍ୟରୁ ମାଇନସ୍ ୦.୪ ପ୍ରତିଶତ ତଳକୁ ଖସିଯାଇଥିଲା। ତେଣୁ ବାର୍ଷିକ ଆଧାରରେ, ଜାପାନର ଅର୍ଥନୀତି ବର୍ତ୍ତମାନ ମାଇନସ୍ ୦.୭ ପ୍ରତିଶତ ହାରରେ ହ୍ରାସ ପାଉଛି।
ମାନ୍ଦାବସ୍ଥା ଆଡକୁ ମୁହାଁଇଛି ଜାପାନ
ଜାପାନର ସମସ୍ୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆଗକୁ ଆହୁରି ଚ୍ୟାଲେଞ୍ଜ ଆସୁଛି। ପ୍ରକୃତରେ ଆମେରିକାର ଶୁଳ୍କ ନୀତି ଜାପାନର ପ୍ରମୁଖ ରପ୍ତାନିକାରୀମାନଙ୍କୁ ବିଶେଷକରି ମୋଟର ଯାନ ନିର୍ମାତାମାନଙ୍କୁ କ୍ଷତି ପହଞ୍ଚାଇବାର ସମ୍ଭାବନା ଅଛି। ଏହି କ୍ଷତି କେବଳ ଜାପାନରୁ ପଠାଯାଉଥିବା ଉତ୍ପାଦ ପାଇଁ ନୁହେଁ, ବରଂ ମେକ୍ସିକୋ ଏବଂ କାନାଡା ପରି ଅନ୍ୟ ଦେଶରୁ ମଧ୍ୟ ପଠାଯାଉଥିବା ଉତ୍ପାଦ ପାଇଁ ମଧ୍ୟ ଲାଗୁ ଅଟେ । ଜାପାନୀ ଅଧିକାରୀମାନେ ସ୍ୱୀକାର କରିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ମତ ପରିବର୍ତ୍ତନ କରୁଥିବାରୁ ପ୍ରତିକ୍ରିୟା ଯୋଜନା କରିବା ମଧ୍ୟ ଏକ ଚ୍ୟାଲେଞ୍ଜ ହୋଇଛି। ଏପରି ପରିସ୍ଥିତିରେ, ଜାପାନ ପାଇଁ କୌଣସି ପ୍ରସ୍ତାବ ଦେବା ବହୁତ କଷ୍ଟକର। ଯଦି ଶୁଳ୍କ ପ୍ରଭାବ ପଡ଼େ, ତେବେ ୨୦୨୫ର ଦ୍ୱିତୀୟ ତ୍ରୈମାସିକରେ ମଧ୍ୟ ଜାପାନର ଅଭିବୃଦ୍ଧି ହାର ଶୂନ୍ୟ ତଳେ ରହିବ ବୋଲି ଆଶା କରାଯାଉଛି, ଯାହା ଏହାକୁ ବୈଶ୍ଵିକ ଭାବରେ ମାନ୍ଦାବସ୍ଥାରେ ପକାଇବ।
ଜାପାନ ଏବେ କେଉଁଠି ଅଛି ?
୨୦୨୫ ମସିହାରେ ଜାପାନର ଜିଡିପି ୪.୩୯ ଟ୍ରିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ, ଜାପାନର କ୍ରୟ ଶକ୍ତି ୬.୭୭ ଟ୍ରିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। ଏହି ଦୃଷ୍ଟିକୋଣରୁ ଦେଖିଲେ, ଜାପାନ ଏବେ ବି ତୃତୀୟ ଅର୍ଥନୀତି ଭାବରେ ରହିଛି। ୨୦୨୪ ମସିହାରେ ଜାପାନର କ୍ରୟ ଶକ୍ତି ୬.୩୧ ଟ୍ରିଲିୟନ ଡଲାର ଥିଲା। ଏବେ ଜାପାନର ଅର୍ଥନୈତିକ ଅଭିବୃଦ୍ଧି ଶୂନ୍ୟ ତଳକୁ ଚାଲିଯାଇଥିବାରୁ, ଏହାର ଅର୍ଥନୀତିର ଆକାର ମଧ୍ୟ ହ୍ରାସ ପାଇପାରେ।
କେଉଁଠି ଛିଡ଼ାହୋଇଛି ଭାରତ ?
ଯଦି ଭାରତୀୟ ଅର୍ଥନୀତି ବିଷୟରେ ଆଲେଚନା କରାଯାଏ, ତେବେ ବର୍ତ୍ତମାନ ଏହାର ଆକାର ୪.୩ ଟ୍ରିଲିୟନ ଡଲାର। ବିଭିନ୍ନ ମୂଲ୍ୟାଙ୍କନ ଏଜେନ୍ସି ଆକଳନ କରିଛନ୍ତି ଯେ ଭାରତ ପ୍ରତି ଦେଢ଼ ବର୍ଷରେ ଏହାର ଅର୍ଥନୀତିରେ ୧ ଟ୍ରିଲିୟନ ଡଲାର ଯୋଡ଼ିପାରିବ। ଏହିପରି ଭାବରେ ଏହା ଦେଖାଯାଇପାରେ ଯେ ଆଗାମୀ ୨ ରୁ ୩ ମାସ ମଧ୍ୟରେ ଭାରତୀୟ ଅର୍ଥନୀତି ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତ୍ ଅର୍ଥନୀତି ବନିଯିବ। ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ବର୍ତ୍ତମାନ ପ୍ରାୟ ୬.୫ ପ୍ରତିଶତ, ତେଣୁ ଭାରତ ଖୁବ୍ ଶୀଘ୍ର ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ଭାରତର ଦ୍ରୁତ ଗତି ଭାରତକୁ ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବା ପାଇଁ ୬୦ ବର୍ଷ ଲାଗିଥିଲା, ଯେତେବେଳେ ୧ ଡଲାରରୁ ୨ ଟ୍ରିଲିୟନ ଡଲାରର ଯାତ୍ରା ମାତ୍ର ୭ ବର୍ଷ ମଧ୍ୟରେ ସମାପ୍ତ ହୋଇଥିଲା। ଏହା ପରେ ୩ ଏବଂ ୪ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ପାଇଁ ମାତ୍ର ୪ ବର୍ଷ ଲାଗିଲା। ଏବେ ଅଭିବୃଦ୍ଧି ହାରଏତେ ଦ୍ରୁତ ହୋଇଛି ଯେ ଭାରତ ପ୍ରତି ଦେଢ଼ ବର୍ଷରେ ଏହାର ଅର୍ଥନୀତିକୁ ୧ ଟ୍ରିଲିୟନ ଡଲାର ବୃଦ୍ଧି କରିବାର ସମ୍ଭାବନା ରଖିଛି।
ବିଶ୍ଵର ଶ୍ରେଷ୍ଠ ୧୦ ବୃହତ୍ତମ ଅର୍ଥନୀତି
…………………………………………………………………….
“ଦେଶଗୁଡିକର ଜିଡିପି (ଡଲାର୍)
୧- ଯୁକ୍ତରାଷ୍ଟ୍ର ଆମେରିକା $୩୦.୫୦୭ ଟ୍ରିଲିୟନ
୨- ଚୀନ $୧୯.୨୩୧ ଟ୍ରିଲିୟନ
୩- ଜର୍ମାନୀ $୪.୭୪୪ ଟ୍ରିଲିୟନ
୪- ଭାରତ $୪.୧୮୭ ଟ୍ରିଲିୟନ
୫- ଜାପାନ $୪.୧୮୬ ଟ୍ରିଲିୟନ
୬- ବ୍ରିଟେନ $୩.୮୩୯ ଟ୍ରିଲିୟନ
୭- ଫ୍ରାନ୍ସ $୩.୨୧୧ ଟ୍ରିଲିୟନ
୮- ଇଟାଲୀ $୨.୪୨୨ ଟ୍ରିଲିୟନ
୯- କାନାଡା $୨.୨୨୫ ଟ୍ରିଲିୟନ
୧୦- ବ୍ରାଜିଲ $୨.୧୨୫ଟ୍ରିଲିୟନ”