
ଜ୍ୟୋତି ମାଲହୋତ୍ରାେଙ୍କୁ ନେଇ ସାଂଘାତିକ ଖୁଲାସା । ଖୋଲିଲା ଜାସୁସୀ ନେଟଓ୍ବର୍କର ଗୁମର । ଦାନିଶ ଥିଲେ ମାଷ୍ଟରମାଇଣ୍ଡ । ଦାନିଶ ପରେ ପାଓ୍ବାରଫୁଲ୍ ଥିଲେ ଜ୍ୟୋତି ।
ପାକିସ୍ତାନୀ ଗୁପ୍ତଚରଗିରିକୁ ନେଇ ଖୋଲୁଛି ଗୋଟିକ ପରେ ଗୋଟିଏ ଗୁମର । ଜ୍ୟୋତିଙ୍କ ବିଦେଶ ଯାତ୍ରାର କୁଣ୍ଡଳୀ ଖୋଲିବା ପରେ ଯାଞ୍ଚ ଏଜେନ୍ସି ଏବେ ଗୁପ୍ତଚର ନେଟୱର୍କର ଭିତରକୁ ପଶିବାରେ ଲାଗିଛି । ନେଟୱର୍କର ମାଷ୍ଟରମାଇଣ୍ଡ ପାକିସ୍ତାନ ହାଇକମିଶନ୍ ଅଧିକାରୀ ଦାନିଶ ଥିବାବେଳେ ଜ୍ଯୋତିଙ୍କ ଉପରେ ମଧ୍ୟ ନ୍ୟସ୍ତ ଥିଲା ବଡ଼ ଦାୟିତ୍ବ । ସେପଟେ ନେଟୱର୍କର ମୂଳ ଧରିବାକୁ ଗଭୀର ପାଣିରେ ଅଣ୍ଡାଳି ହେଉଛି ତଦନ୍ତକାରୀ ସଂସ୍ଥା ।
ଲମ୍ବିଛି ପାକିସ୍ତାନୀ ଗୁପ୍ତଚର ଚେର । ଯେତେ ଖୋଳିଲେ ସେତେ ବାହାରୁଛି । ପହଲଗାମ୍ ଆକ୍ରମଣ ପରେ ଭାରତୀୟ ସୁରକ୍ଷାକର୍ମୀ ଆରମ୍ଭ କଲେ ଏକ ଅପରେସନ୍, ଯାହାର କୋଡ୍ନେମ୍ ହେଉଛି ଅପରେସନ୍ ମୀର୍ଜାଫର । ଏହାଦ୍ବାରା ପାକିସ୍ତାନ ସହ ଜଡ଼ିତ ଗୁପ୍ତଚର ବିଷୟରେ ତଥ୍ୟ ହାସଲ କରାଯାଉଛି । ଜାସୁସୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ କରାଯାଉଛି ଗିରଫ । ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ପାକିସ୍ତାନକୁ ନେଇ ଅନେକ କଥା ଧୀରେଧୀରେ ସାମ୍ନାକୁ ଆସୁଛି । ଜ୍ୟୋତିଙ୍କର କେମିତି ପାକିସ୍ତାନ କନେକ୍ସନ୍ ରହିଥିଲା ? କେଉଁମାନଙ୍କ ସହ ଲିଙ୍କ୍ ରଖିଥିଲେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ? କେମିତି ଚାଲୁଥିଲା ଗୁପ୍ତଚରଗିରି ନେଟୱର୍କ ? ଏ ସମସ୍ତ ଦିଗ ପ୍ରତି ଯାଞ୍ଚ କରୁଛନ୍ତି ତଦନ୍ତକାରୀ ସଂସ୍ଥା ।
ତେବେ ଜ୍ୟୋତିଙ୍କ ଗୁପ୍ତଚରଗିରି ନେଟୱର୍କ ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଜ୍ଯୋତିଙ୍କ ବିଦେଶ ଯାତ୍ରା ବିଷୟରେ ଜାଣିବା ଆବଶ୍ୟକ। ଜ୍ୟୋତି, ପାକିସ୍ତାନରେ କଟାସ ରାଜ ମନ୍ଦିର, ଲାହୋର ସମେତ ଏକାଧିକ ସ୍ଥାନ ବୁଲିଥିଲେ । ଏହାବ୍ୟତୀତ ସେ ଦୁବାଇ, ଭୂଟାନ, ଚୀନ, ନେପାଳ, ଥାଇଲାଣ୍ଡ୍ର ପଟାୟା, ଇଣ୍ଡୋନେସିଆର ଜାକର୍ତ୍ତା, ସୁରାବାୟା ଏବଂ ବାଂଲାଦେଶ ଭଳି ଦେଶଗୁଡ଼ିକ ବୁଲିଥିଲେ । ଏହି ଗସ୍ତଗୁଡ଼ିକ ସମୟରେ ସେ କେଉଁଠାରେ ରହିଥିଲେ, କ’ଣ କରୁଥିଲେ, କାହା ସହ ସାକ୍ଷାତ କରିଥିଲେ, ସେ ସବୁ ବିଷୟରେ ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁଛି । ଜ୍ୟୋତି ମାଲହୋତ୍ରାଙ୍କ ଗୋଟିକ ପରେ ଗୋଟିଏ ଲିଙ୍କ୍ର ଗୁମର ଫିଟୁଛି ।
ତେବେ କେବଳ ଜ୍ୟୋତି ଏକାକୀ ନୁହନ୍ତି, ଯିଏ ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିଲେ, ବରଂ ଏହାର ଏକ ନେଟୱର୍କ ରହିଛି । ଯେଉଁଥିରେ ସବୁଠୁ ବଡ଼ ଭୂମିକା ନିଭାଇଛି ଏହସାନ୍-ଉର୍-ରହିମ୍ ଓରଫ୍ ଦାନିଶ। ସେ ହେଉଛନ୍ତି ପାକିସ୍ତାନ ହାଇକମିଶନ୍ର ଜଣେ ଅଧିକାରୀ । ସେହିପରି ୟୁଟ୍ୟୁବର ଜ୍ଯୋତି ମାଲହୋତ୍ରା ଏହି ଯାସୁସୀ ନେଟୱର୍କର ହେଉଛନ୍ତି ଅନ୍ୟତମ ପ୍ରମୁଖ ଚରିତ୍ର । ଯିଏ ଦାନିଶଙ୍କର ଖୁବ୍ ଘନିଷ୍ଠ । ଦାନିଶ ସହ ସମ୍ପର୍କରେ ଆସିବା ପରେ ହିଁ ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନ ଏଣ୍ଟ୍ରିର ବାଟ ଫିଟିଥିଲା । ଦିଲ୍ଲୀରେ ରମଜାନ୍ ଉପଲକ୍ଷେ ହୋଇଥିବା ବିଶାଳ କାର୍ଯ୍ୟକ୍ରମରେ ଦାନିଶଙ୍କ ବ୍ୟତୀତ ଜ୍ୟୋତି ଅନ୍ୟ କେତେ ଜଣଙ୍କୁ ମଧ୍ୟ ଭେଟିଥିଲେ । ଯେଉଁମାନେ ଯାସୁସୀ ନେଟୱର୍କର ଜଣେ ଲେଖାଏ ସଦସ୍ୟ ।
ତେବେ ପାକିସ୍ତାନରେ ଜ୍ୟୋତି ଯାହାଙ୍କୁ ଭେଟିଥିଲେ, ସେ ହେଉଛନ୍ତି ସାକିର ରାଣା ଶାହବାଜ । ଭାରତରେ କାଳେ ଧରା ପଡ଼ିଯିବା ଭୟରେ ଜ୍ୟୋତି ରାଣାଙ୍କ ମୋବାଇଲ ନମ୍ବର ‘ଜାଟ୍ ରନ୍ଧାୱା’ ନାଁରେ ସେଭ୍ କରିଥିଲେ । ସେହିପରି ଏହି ନେଟୱର୍କର ଅନ୍ୟତମ ପ୍ରମୁଖ ସଦସ୍ୟ ହେଉଛନ୍ତି ଗଜାଲା । ସେ ଗୁପ୍ତଚରଗିରି ନେଟୱର୍କର କେସିୟର ଥିଲେ । ସେହିପରି ଏହି ନେଟୱର୍କର ଅନ୍ୟତମ ସଦସ୍ୟମାନେ ହେଲେ ଦେବେନ୍ଦ୍ର ସିଂହ ଢିଲୋ, ଯାହାଙ୍କୁ ହରିୟାଣାର କେଥଲ୍ରୁ ଗିରଫ କରାଯାଇଛି । ଅରମାନ, ତାଙ୍କୁ ହରିୟାଣାର ନୁହରୁ ଗିରଫ କରାଯାଇଛି । ନୋମାନ ଇଲାହି, ହରିୟାଣାର ପାନିପତ୍ରୁ ଗିରଫ ହୋଇଛନ୍ତି ସେ । ତାରିଫ,ହରିୟାଣାର
ନୁଁହରୁ
ଗିରଫ
କରିଛି
ଯାଞ୍ଚଏଜେନ୍ସି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କେତେ ଜଣଙ୍କୁ ପାକିସ୍ତାନ ସୁରକ୍ଷା ଏଜେନ୍ସିଗୁଡ଼ିକ ଅର୍ଥ ଲାଳସା ଦେଖାଇଛନ୍ତି । କେବଳ ଏତିକି ନୁହେଁ, ବିଦେଶ ଯାତ୍ରା କରାଇବା ନେଇ ମଧ୍ୟ ଆଇ,ଏସ୍,ଆଇ, ଅଧିକାରୀ ଏହି ଗୁପ୍ତଚରମାନଙ୍କୁ ପ୍ରଲୋଭନ ଦେଖାଇଛନ୍ତି । ଇଲେକ୍ଟ୍ରୋନିକ୍ସ ସର୍ଭିଲାନ୍ସରୁ ଏହା ବି ଜଣାପଡ଼ିଛି ଯେ, ଭାରତୀୟ ନମ୍ବରରୁ ପାକିସ୍ତାନ ବିଷୟରେ ଅନେକ ତଥ୍ୟ ହାସଲ କରାଯାଇଛି । ତଦନ୍ତରୁ ଜଣାପଡ଼ିଛି ଯେ, ପାକିସ୍ତାନକୁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଜାମ୍ମୁ କାଶ୍ମୀର ଏବଂ ଉତ୍ତର ପ୍ରଦେଶରୁ ଅନେକ ସୂଚନା ପଠାଯାଇଛି । ଏବେ ଯାଞ୍ଚ ଏଜେନ୍ସି ଏହି ନେଟୱର୍କର ସଦସ୍ୟମାନଙ୍କୁ ଗିରଫ କରିବା ପରେ ଖୁବଶୀଘ୍ର ପୂରା ପାକିସ୍ତାନ ମିଷ୍ଟ୍ରି ଉପରୁ ପରଦା ହଟିବ ।
ସର୍ବଶେଷ ସମ୍ଵାଦରୂ ପ୍ରକାଶ ଯେ ପାକିସ୍ତାନୀ ଗୁଇନ୍ଦା ବିଭାଗ ସହିତ ଜଡିତ ଜଣେ ପାକିସ୍ତାନୀ ନାଗରିକଙ୍କ ସହ ସମ୍ବେଦନଶୀଳ ସୂଚନା ସେୟାର କରିବା ଅଭିଯୋଗରେ ଗିରଫ ହେବା ପରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଚାରି ଦିନିଆ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।