

କଳ୍ପନା କରାଯାଉ ଯେ ଏପରି ଏକ ବୋମା ଅଛି, ଯାହା କେବଳ ଗୋଟିଏ ସହରକୁ ନୁହେଁ; ବରଂ ଏକ ସମ୍ପୂର୍ଣ୍ଣ ଦେଶକୁ ଧ୍ୱଂସ କରିପାରିବ। ଏବେ ପୁଣି ଏକ କଳ୍ପନା କରାଯାଉ ଯେ ଏପରି ଏକ ବୋମା ଅଛି , ଯାହା କି ସମୁଦ୍ରର ଗଭୀରତାରେ, ଏକ ନିର୍ଜନ ଜଙ୍ଗଲରେ କିମ୍ବା ଏକ ତୁଷାର ଆଚ୍ଛାଦିତ ଉପତ୍ୟକାରେ ଚୁପଚାପ୍ ପଡ଼ି ରହିଛି, କାହାକୁ ଅପେକ୍ଷା କରିଛି କିମ୍ବା କିଛି ଭୁଲ କରିଥିବା କାରଣରୁ।
ଏହି କାହାଣୀଟି କାଳ୍ପନିକ ନୁହେଁ। ଏହା ହେଉଛି ସେହି ସତ୍ୟ, ଯାହାକୁ ବିଶ୍ୱର ବଡ଼ ବଡ ଶକ୍ତିମାନେ ଲୁଚାଇବାକୁ ଚାହୁଁଛନ୍ତି। ଯେତେବେଳେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ପରମାଣୁ ଶକ୍ତି ଦୌଡ଼ରେ ପରସ୍ପରକୁ ପଛରେ ପକାଇବାକୁ ପ୍ରାଣପଣେ ଚେଷ୍ଟା କରୁଥିଲେ, ସେତେବେଳେ ଏପରି ଅନେକ ପରମାଣୁ ଅସ୍ତ୍ର ତିଆରି ହୋଇଥିଲା , ଯାହା କେବେ ବ୍ୟବହୃତ ହୋଇନଥିଲା – ବରଂ, ସେଗୁଡ଼ିକ ଆପେ ଆପେ ‘ଗାଏବ୍’ ହୋଇଗଲେ।
‘ଭଙ୍ଗା ତୀର’— ବିନାଶକାରୀ ବୋମାଗୁଡ଼ିକ ଯେବେ ନିଖୋଜ ହୋଇଗଲା ବ୍ରୋକେନ୍ ଏରୋ ତଥା ଭଙ୍ଗା ତୀର'— ଯେତେବେଳେ କୈାଣସି ପରମାଣୁ ଅସ୍ତ୍ର ତଥା ଆଟମ୍ ବମ୍ ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ଏହି ଶବ୍ଦଟି ଆମେରିକୀୟ ସାମରିକ ଅଭିଧାନରେ ପ୍ରବେଶ କରାଯାଇଥିଲା। କିନ୍ତୁ ଏହି ଦୁର୍ଘଟଣାର କୈାଣସି ଯୁଦ୍ଧ ସହିତ ସମ୍ଵନ୍ଧ ନ ଥାଏ । ଏହାର ଅର୍ଥ ହେଉଛି ଯୁଦ୍ଧ ନ ହେଲେ ମଧ୍ୟ, ପରମାଣୁ ବୋମା କିମ୍ବା ଏହା ସହିତ ସଂଯୁକ୍ତ ପ୍ରଣାଳୀ ନିୟନ୍ତ୍ରଣହରା ହୋଇଯାଇପାରେ, ହଜିଯାଇପାରେ କିମ୍ବା ଦୁର୍ଘଟଣାଗ୍ରସ୍ତ ହୋଇପାରେ।
୧୯୫୦ ମସିହାରୁ ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ଏପରି ମାମଲା ସଂଖ୍ୟା ୩୦ ରୁ ଅଧିକ। ଏଗୁଡ଼ିକ ଏପରି ଘଟଣା ଯାହା ଯଦି ଆଉ ଟିକେ ଅଧିକ ଖରାପ ହୋଇଯାଇଥାଆନ୍ତା, ତେବେ ଇତିହାସରେ କେବଳ ଗୋଟିଏ ନୁହେଁ , ବରଂ ଅନେକ 'ହିରୋଶିମା-ନାଗାସାକି'ର ବିସ୍ଫୋରଣର ପୁନରାବୃତ୍ତି ହୋଇଥାଆନ୍ତା।
୧୯୫୮ ମସିହାର ୫ ଫେବୃଆରୀ ରାତିଟି ଏବେ ବି ଆମେରିକୀୟ ବାୟୁସେନା ପାଇଁ ଏକ ରହସ୍ୟ ହୋଇ ରହିଛି। ଏକ ଆମେରିକୀୟ ବି-୪୭ ବୋମାବର୍ଷୀ ବିମାନ ଏବଂ ଏକ ଏଫ୍-୮୬ ଯୁଦ୍ଧ ବିମାନ ମଝି ଆକାଶରେ ପରସ୍ପର ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବୋମା ବିସ୍ଫୋରଣକାରୀ ବିମାନକୁ ତୁରନ୍ତ ମାର୍କ- ୧୫ ଥର୍ମୋନ୍ୟୁକ୍ଲିୟର ବୋମା ପକାଇବାକୁ ପଡିଲା। ଟାଇବି ଦ୍ୱୀପ ନିକଟରେ ସମୁଦ୍ରରେ ବୋମାଟି ପକାଯାଇଥିଲା। ସରକାରୀ ଭାବରେ କୁହାଯାଇଥିଲା ଯେ ବୋମାରେ 'ପ୍ଲୁଟୋନିୟମ୍ କୋର' ନଥିଲା ଏବଂ ତେଣୁ ଏହା ନିଷ୍କ୍ରିୟ ଥିଲା। କିନ୍ତୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ବୋମାଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିଲା। ଆଜି ପର୍ଯ୍ୟନ୍ତ ସେହି ବୋମା ମିଳିନାହିଁ, ଏବଂ ଆମେରିକା ସରକାର ବହୁ ପୂର୍ବରୁ ଏହାକୁ ଖୋଜିବା ବନ୍ଦ କରିଦେଇଥିଲେ। କିନ୍ତୁ ପ୍ରଶ୍ନ ହେଉଛି, ଯଦି ସେହି ବୋମାଟି ନିଷ୍କ୍ରିୟ ଥିଲା, ତେବେ ଏତେ ଗୋପନୀୟତା କାହିଁକି ?
୧୯୬୫: ଫିଲିପାଇନ୍ସ ସମୁଦ୍ରରେ ଆତଙ୍କ ଖେଳିଗଲା
୧୯୬୫ମସିହା
ରେ ୟୁ,ଏସ୍,ଏସ୍,ଟାଇକନଡେରୋଗା ନାମକ ଏକ ଆମେରିକୀୟ ବିମାନବାହୀ ଜାହାଜରୁ A-4 ସ୍କାଏହକ୍ ଜେଟ୍ ସମୁଦ୍ରରେ ଖ
ସିପଡ଼ିଥିଲା। ଏହି ଜେଟ୍ରେ ଏକ B43 ଥର୍ମୋନ୍ୟୁକ୍ଲିୟର ବୋମା ମଧ୍ୟ ଥିଲା। ଜାପାନର ଓକିନାୱା ଦ୍ୱୀପଠାରୁ ଅଳ୍ପ ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ କେବଳ ବୋମାଟି ଗାଏବ ହୋଇଗଲା ନାହିଁ, ବରଂ ବିମାନ ଏବଂ ଏହାର ପାଇଲଟର ପତ୍ତା ମଧ୍ୟ କେବେ ମିଳିଲାନାହିଁ। ସେତେବେଳେ ଆମେରିକା ଏହି ଦୁର୍ଘଟଣାକୁ ଗୁପ୍ତ ରଖିଥିଲା ଏବଂ ଏହାର ସୂଚନା କେବଳ 1980 ଦଶକରେ ସାର୍ବଜନୀନ କରାଯାଇଥିଲା। କିନ୍ତୁ ବୋମାଟି ଏବେ ବି ଫିଲିପାଇନ୍ସ ସମୁଦ୍ରର ଗଭୀରତାରେ କେଉଁଠାରେ ଦବି ହୋଇରହିଛି - କେହି ଜାଣନ୍ତି ନାହିଁ ଯେ ବୋମାଟି ନିଷ୍କ୍ରିୟ ଅଛି କି ଏବେ ବି ସକ୍ରିୟ ଅଛି।
ଏପରି ଦୁର୍ଘଟଣାଗୁଡ଼ିକୁ କାହିଁକି ଲୁଚାଯାଏ ?
ପରମାଣୁ ଶକ୍ତିଶାଳୀ ଦେଶମାନଙ୍କର ଅହଂକାର ଏତେ ବ୍ୟାପକ ଯେ ସେମାନେ ନିଜର ଭୁଲ ସ୍ୱୀକାର କରିବାକୁ ଇଚ୍ଛା କରନ୍ତି ନାହିଁ। ସେମାନେ ଭୟ କରନ୍ତି ଯେ ଯଦି ସାଧାରଣ ଜନତା ଏହି ହଜିଯାଇଥିବା ବୋମା ବିଷୟରେ ଜାଣିବେ, ତେବେ ସାରା ବିଶ୍ୱରେ ଆତଙ୍କ ବ୍ୟାପିଯିବ। ଯଦି ଏହି ବୋମାଗୁଡ଼ିକ ଆତଙ୍କବାଦୀଙ୍କ ହାତରେ ପଡ଼ିଯାଏ, ତେବେ କ’ଣ ହୋଇପାରେ କଳ୍ପନା କରନ୍ତୁ। ଏହି କାରଣରୁ ‘ଭଙ୍ଗା ତୀର’ର ଅନେକ ଘଟଣା ଆଜି ମଧ୍ୟ ଗୋପନୀୟ ରହିଛି। ରିପୋର୍ଟରୁ ଜଣାପଡେ ଯେ ଅନେକ ଥର ଏହିପରି କେତେକ ପରମାଣୁ ବୋମା ପଡ଼ିବା ପରେ ବିସ୍ଫୋରିତ ହୋଇଛି। ସେମାନଙ୍କର ରେଡିଓଆକ୍ଟିଭ ପ୍ରଭାବ ଆଜି ମଧ୍ୟ ସେହି ଅଞ୍ଚଳଗୁଡ଼ିକରେ ଅନୁଭବ କରାଯାଇପାରେ। କିନ୍ତୁ ସମ୍ପୃକ୍ତ ଦେଶର ସରକାରମାନେ ଏହାକୁ ମିଥ୍ୟା ଘୋଷଣା କରନ୍ତି କିମ୍ବା କୌଣସି ସୂଚନା ପ୍ରଦାନ କରନ୍ତି ନାହିଁ।
ଭାରତ ଆଉ ଚୀନରେ ବି ଘଟିଛି ଏପରି ରହସ୍ୟମୟ ‘ନିଖୋଜ’
ପରମାଣୁ ବୋମା ନିଖୋଜ ହେବାର ଏପରି ଘଟଣା କେବଳ ଆମେରିକା ପର୍ଯ୍ୟନ୍ତ ସୀମିତ ନୁହେଁ। ଦଶନ୍ଧି ଦଶନ୍ଧି ଧରି ପରମାଣୁ ବିକାଶ ପାଇଁ ପ୍ରୟାସ କରୁଥିବା ଚୀନ୍ ଏବଂ ଭାରତ ଭଳି ଦେଶରେ ମଧ୍ୟ କିଛି ରିପୋର୍ଟ ଏପରି ଘଟଣା ଘଟିଥିବା ପ୍ରତି ଇଙ୍ଗିତ କରୁଛି। ୧୯୭୦ ଦଶକରେ ଲଦାଖ ଅଞ୍ଚଳରେ ଏକ ଆମେରିକୀୟ ପରମାଣୁ ଶକ୍ତି ସମ୍ପନ୍ନ ଉପକରଣ ଥିବା ରିପୋର୍ଟ ଆସିଥିଲା, ଯାହାକୁ ସିଆଇଏ ଚୀନ୍ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ନିୟୋଜିତ କରିଥିଲା। ସେହି ଉପକରଣଟି ପରେ ଗାଏବ ହୋଇଗଲା ଏବଂ ଆଜି ପର୍ଯ୍ୟନ୍ତ ଏକ ଗ୍ଲେସିୟର ତଥା ବରଫ ଗଦା ତଳେ ପୋତି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଏହି କାରଣରୁ ସେ ଅଞ୍ଚଳରେ ରେଡିଓଆକ୍ଟିଭ୍ ଲିକେଜ୍ ଭଳି ଘଟଣା ମଧ୍ୟ ଘଟିଛି।
‘ଗାଏବ୍’ ବୋମା କ’ଣ ପ୍ରକୃତରେ ଏବେ ବି ଏକ ବିପଦ?
ବିଶେଷଜ୍ଞଙ୍କ ମତରେ ପରମାଣୁ ବୋମାଗୁଡ଼ିକର ମୂଳ ଅଂଶକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ ନ କରିବା ପର୍ଯ୍ୟନ୍ତ ସେଗୁଡ଼ିକ ନିଷ୍କ୍ରିୟ ହୁଅନ୍ତି ନାହିଁ। ଯଦି ଏକ ବୋମା ସମୁଦ୍ରରେ ପଡ଼ିଯାଏ, ତେବେ ଏଥିରେ ଥିବା ପ୍ଲୁଟୋନିୟମ୍ କିମ୍ବା ୟୁରାନିୟମ୍ କିଛି ଦଶନ୍ଧି ପର୍ଯ୍ୟନ୍ତ ସକ୍ରିୟ ରହିପାରେ। ଏହାର ଅର୍ଥ ହେଉଛି ଯେ 70 ବର୍ଷ ପୂର୍ବେ ଖସିପଡିଥିବା ବୋମାଟି
ଯଦି ନିରାପଦ ନ ଥିବା ଭୁଲ୍ ହାତରେ ପଡିଯାଏ, ତେବେ ଏହା ଆଜି ମଧ୍ୟ ବିନାଶକାରୀ ହୋଇପାରେ।
ଏହି ରହସ୍ୟର କେବେ ସମାଧାନ ହେବ ?
‘ ଭଙ୍ଗା ତୀର’ ର ଏହି କାହାଣୀଗୁଡ଼ିକରେ ଏକ ଅଦ୍ଭୁତ ରୋମାଞ୍ଚ ଅଛି। କଣ ଏହି ବୋମାଗୁଡ଼ିକ କେବେ ମିଳିବ କି? ଏହି ବୋମା ଯୋଗୁ ପରବର୍ତ୍ତୀ ସମୟରେ କିଛି ବଡ଼ ଦୁର୍ଘଟଣା ଘଟିବ କି? ନା ଏହି ବୋମାଗୁଡ଼ିକ କେବଳ ଏକ ପୌରାଣିକ କାହାଣୀ ହୋଇ ଇତିହାସର ଗର୍ଭରେ ହଜିଯିବେ? ଯାହା ହେଉନା କାହିଁକି, କିନ୍ତୁ ଏହା ସତ୍ୟ ଯେ ଆଜି ମଧ୍ୟ ବିଶ୍ୱର ଅନେକ ସ୍ଥାନରେ ପ୍ରଳୟର ବୀଜ ସବୁ ପୋତି ହୋଇ ରହିଛି, ଯେଉଁ ସବୁର ଉପସ୍ଥିତି ସାଧାରଣ ଲୋକ ଜାଣି ନାହାଁନ୍ତି , ଏପରିକି ସେଗୁଡିକୁ ହରାଇଥିବା ସରକାରମାନେ ମଧ୍ୟ ଜାଣି ନାହାଁନ୍ତି। ଯଦି କେବେ ମିଳିଯାଏ...
ଯଦି ଆଗାମୀ ଦିନରେ ଏହି ବୋମାଗୁଡ଼ିକ ମଧ୍ୟରୁ କୈାଣସି ଗୋଟିଏ କିଛି ଅବହେଳା ଯୋଗୁ ସକ୍ରିୟ ହୁଏ କିମ୍ବା କୌଣସି ଆତଙ୍କବାଦୀ ଗୋଷ୍ଠୀ ହାତରେ ପଡ଼ିଯାଏ, ତେବେ ଏହାର ପରିଣାମ କଳ୍ପନାଠାରୁ ଅଧିକ ଭୟଙ୍କର ହୋଇପାରେ। ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ବିଶ୍ୱ କେବଳ ଯୁଦ୍ଧକୁ ନୁହେଁ , ବରଂ ସେହି ହଜିଯାଇଥିବା ଅସ୍ତ୍ରଗୁଡିକୁ ନେଇ ମଧ୍ୟ ଭୟଭୀତ ହେବା ଉଚିତ ଯାହା ଆମ ଆଖିରୁ ଲୁଚି ରହିପାରେ କିନ୍ତୁ ସମଗ୍ର ବିଶ୍ୱକୁ ଦୋହଲାଇ ଦେବାର କ୍ଷମତା ରଖେ। ଏହି କାହାଣୀଟି ଏକ ରୋମାଞ୍ଚକର ଚଳଚ୍ଚିତ୍ରର କାହାଣୀ ପରି ଲାଗିପାରେ , କିନ୍ତୁ ବାସ୍ତବତା ହେଉଛି ଆମେ ଏପରି ଏକ ଗ୍ରହରେ ରହୁଛୁ, ଯେଉଁଠାରେ ମୃତ୍ୟୁର ଯନ୍ତ୍ରଗୁଡ଼ିକ କେବଳ ରାଷ୍ଟ୍ରମୁଖ୍ୟମାନଙ୍କ ଟେବୁଲ ଉପରେ ରହିନାହିଁ, ବରଂ ମରୁଭୂମି ବାଲି, ସମୁଦ୍ରର ଗଭୀରତା ଏବଂ ବରଫ ଚାଦର ତଳେ କୌଣସି ସ୍ଥାନରେ ପୋତି ହୋଇ ରହିଛି – ସମ୍ପୂର୍ଣ୍ଣ ନୀରବ, କିନ୍ତୁ ଘାତକ।