
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଶବ୍ଦାବଳୀକୁ ପ୍ୟାଟେଣ୍ଟ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ଅଧିସ୍ବୀକୃତ ଅଧିକାରୀ ଓ ବିଭାଗ ନିକଟରେ ଆବେଦନ କରାଯିବ। ଏହାଫଳରେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଶ୍ରୀମନ୍ଦିର, ଜଗନ୍ନାଥଧାମ ଓ ମହାପ୍ରସାଦ ଭଳି ଅନେକ ସ୍ବତନ୍ତ୍ର ଶବ୍ଦାବଳୀକୁ ଅନ୍ୟ କେଉଁଠାରେ ବ୍ୟବହାର କରାଯାଇପାରିବ ନାହିଁ।
କେବଳ ଶ୍ରୀକ୍ଷେତ୍ରର ଅଦ୍ବିତୀୟ ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କେହି ଏହାକୁ ନିଜ ନିଜ ସ୍ଥାନରେ ଉପଯୋଗ କରିପାରିବେନି। କେବଳ ଶ୍ରୀମନ୍ଦିର ପ୍ରଶାସନକୁ ଏହାର ପ୍ୟାଟେଣ୍ଟ ବା ସତ୍ତ୍ବାଧିକାର ମିଳିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେହିଭଳି ପଶ୍ଚିମବଙ୍ଗର ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରକୁ ‘ଧାମ’ ନାମରେ ଉଚ୍ଚାରଣ କରିବା ଏବଂ ଇସ୍କନ ପକ୍ଷରୁ ବିଦେଶରେ ଅଦିନରେ କରାଯାଉଥିବା ରଥଯାତ୍ରାକୁ ନେଇ ପୁଣିଥରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଦୀଘା ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ସେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛନ୍ତି। ଏଥିସହ ଇସ୍କନ କର୍ତ୍ତୃପକ୍ଷ ଦେଶବିଦେଶରେ ଅଦିନିଆ ରଥଯାତ୍ରା କରିବାକୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି। ଏଭଳି ନିୟମ ଖିଲାପ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର କରାଯିବ ବୋଲି ଗଜପତି ମହାରାଜା କହିଛନ୍ତି।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ
ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଗତ ବର୍ଷ ସେପ୍ଟେମ୍ବରରେ ପରିଚାଳନା କମିଟି ଭଙ୍ଗ ପରେ ନୂତନ ପରିଚାଳନା କମିଟି ଗଠନ ହୋଇପାରି ନାହିଁ। ଫଳରେ ସୋମବାର ବୈଠକରେ ପୁରୁଣା ପରିଚାଳନା କମିଟିର ଅଧିକାରୀ ଓ ସଦସ୍ୟ ଉପସ୍ଥିତ ଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚିବ ମଧ୍ୟ ଏହି ବୈଠକରେ ଆଭାସି ମାଧ୍ୟମରେ ଉପସ୍ଥିତ ଥିଲେ।
ସଏବେ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଚତୁଃପାର୍ଶ୍ବରେ ଅନେକ ଅଟାଳିକା ଗଢ଼ି ଉଠିଛି। ସେମାନେ ନିଜସ୍ବ ଢଙ୍ଗରେ ସେମାନେ ନିର୍ମାଣ କରିଛନ୍ତି। ଏହା ଶ୍ରୀମନ୍ଦିର ଐତିହ୍ୟ ଏବଂ ସଂସ୍କୃତି ଉପରେ ଏହା ପ୍ରଭାବ ପକାଉଛି। ଆଗାମୀ ଦିନରେ ଐତିହ୍ୟସ୍ଥଳୀ ଥିବା ଅଞ୍ଚଳରେ କୋଠା ନିର୍ମାଣ ପାଇଁ ନିୟମ ପ୍ରଣୟନ ପାଇଁ ନଗର ଉନ୍ନୟନ ବିଭାଗ ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ଏହି ନିୟମ ଶ୍ରୀଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ବରେ ଥିବା କୋଠାଘର ପାଇଁ ଲାଗୁ କରାଯିବ। ଏହି ଅଟାଳିକାଗୁଡ଼ିକର ଉଚ୍ଚତା ନିରୂପଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ନାଟମଣ୍ଡପରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଧାଡ଼ି ଦର୍ଶନ ପାଇଁ ହୁଣ୍ଡି ସ୍ଥାନାନ୍ତର କରାଯିବାର ଆବଶ୍ୟକତା ରହିଛି। ଏନେଇ ପରିଚାଳନା କମିଟିର ଅନୁମୋଦନ ପରେ ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଡ. ପାଢ଼ୀ କହିଛନ୍ତି, ଘୋଷଯାତ୍ରା ବେଳେ ଅଣସେବାୟତମାନେ ରଥ ଉପରକୁ ଚଢ଼ି ପାରିବେନାହିଁ। କୌଣସିପ୍ରକାର ଅନଧିକୃତ କାର୍ଯ୍ୟ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ। ରଥ ଉପରକୁ କୌଣସି ବ୍ୟକ୍ତି ମୋବାଇଲ ଫୋନ୍ ନେଇପାରିବେ ନାହିଁ। ରଥ ଉପରକୁ ମୋବାଇଲ ଫୋନ୍ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଚଳିତ ବର୍ଷ କେବଳ ମୋବାଇଲ ଫୋନ୍ ଜବତରେ କାର୍ଯ୍ୟାନୁଷ୍ଠାନ ଅଟକିବ ନାହିଁ। ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି ସେ ସୂଚନା ଦେଇଛନ୍ତି।
ବିଗତ ଦିନରେ ଛତିଶା ନିଯୋଗ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଯଥା – ସ୍ନାନଯାତ୍ରା, ରଥଯାତ୍ରାକୁ ଶୃଙ୍ଖଳିତଭାବେ ଆୟୋଜନ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଗତ ବର୍ଷ ଆଡ଼ପ ମଣ୍ଡପରେ ଘଟିଥିବା ଅଘଟଣର ଯେପରି ପୁନରାବୃତ୍ତି ନଘଟେ ସେନେଇ ବିଶେଷ ଆଲୋଚନା ହୋଇଥିଲା। ପ୍ରତ୍ୟେକ ରଥ ପାଇଁ ଗୋଟିଏ ଲେଖାଏଁ ପହଣ୍ଡି ଦଳ ଗଠନ ପାଇଁ ନିଷ୍ପତ୍ତି ହୋଇଛି। ଏହାର ସଂଖ୍ୟା ନିରୂପଣ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି। ଏନେଇ ସମ୍ପୃକ୍ତ ସେବା ନିଯୋଗର ପ୍ରତିନିଧି, ବାଡ଼ଗ୍ରାହୀ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ସହିତ ଆଲୋଚନା କରାଯିବ। ଚଳିତ ବର୍ଷର ପହଣ୍ଡି କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ଚେଷ୍ଟା କରାଯିବ ବୋଲି କୁହାଯାଇଛି।
ଶ୍ରୀମନ୍ଦିର ଭୂସମ୍ପତ୍ତିର ସୁରକ୍ଷା ପାଇଁ ମାର୍ଗଦର୍ଶିକାର ଆବଶ୍ୟକତା ରହିଛି। ଭୂସମ୍ପତ୍ତିରୁ ରାଜସ୍ୱ ଆଦାୟ କରି ଶ୍ରୀମନ୍ଦିର ପାଣ୍ଠି ବୃଦ୍ଧି ପାଇଁ ଚେଷ୍ଟା କରାଯିବ। ଚଳିତ ବର୍ଷର ଶ୍ରୀମନ୍ଦିର ବଜେଟକୁ ବୈଠକରେ ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିରର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ସହ ରତ୍ନଭଣ୍ଡାର ସଂରକ୍ଷଣ ଏବଂ ମରାମତି ସମ୍ପର୍କରେ ଆଲୋଚନା ହୋଇଥିଲା। ନୂତନ ପରିଚାଳନା କମିଟି ଗଠନ ନହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସମସ୍ତ ପ୍ରକାର କାର୍ଯ୍ୟ ସମ୍ପାଦନ ପାଇଁ ଅଧିଗୃହୀତ କରାଯାଇଥିବା ସୂଚନା ମିଳିଛି।
ବୈଠକରେ ଗଜପତି ମହାରାଜା, ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥଶଙ୍କର ସ୍ୱାଇଁ, ସୁରକ୍ଷା ଅଧିକାରୀ ହେମନ୍ତ କୁମାର ପାଢ଼ୀ, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।