
ସମ୍ପ୍ରତି କେବଳ ସୀମାରେ ନୁହେଁ , ବରଂ ଦେଶର ରାଜନୀତିର କରିଡରରେ ମଧ୍ୟ ଯୁଦ୍ଧ ଚାଲିଛି। ଗୋଟିଏ ପଟେ ଭାରତୀୟ ସେନା ‘ଅପରେସନ୍ ସିନ୍ଦୂର’ ଭଳି କାର୍ଯ୍ୟାନୁଷ୍ଠାନ ଦ୍ବାରା ଶତ୍ରୁକୁ ଉଚିତ ଜବାବ ଦେଇଥିବାବେଳେ ଅନ୍ୟପଟେ ଦେଶ ଭିତରେ ବସିଥିବା କିଛି ନେତା ସେନାର ମନୋବଳ ଉପରେ ପ୍ରଶ୍ନ ଉଠାଇ ପରୋକ୍ଷରେ ପାକିସ୍ତାନକୁ ସମର୍ଥନ କରିବାରୁ ବିରତ ହେଉନାହାଁନ୍ତି। ଏହି ଗଭୀର ରାଜନୈତିକ ଦ୍ୱନ୍ଦ୍ୱ ମଧ୍ୟରେ ଏବେ ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ଏପରି ଏକ ବୟାନ ଦେଇଛନ୍ତି, ଯାହା ତାଙ୍କ ନିଜ ଦଳର ଆଭ୍ୟନ୍ତରୀଣ କଳହକୁ ପ୍ରକାଶ କରିଛି। ଏହା ଫଳରେ କଂଗ୍ରେସ ଉପରେ ଆକ୍ରମଣ କରିବା ଲାଗି ବିଜେପିକୁ ଏକ ନୂତନ ସୁଯୋଗ ମିଳିଛି । ଏଥର ଟାର୍ଗେଟରେ ଅଛନ୍ତି ‘ଆରଆରଆର’ – ତ୍ରି ଆର୍, ଅର୍ଥାତ୍ ରାହୁଲ ଗାନ୍ଧୀ, ଜୟରାମ ରମେଶ ଏବଂ ରେବନ୍ତ ରେଡ୍ଡୀ।
କଂଗ୍ରେସ ଭିତରୁ ଜାତୀୟତାର ସ୍ୱର ଉଠିଲା – ସଲମାନ ଖୁର୍ସିଦ, ଯିଏ ଥରେ ୟୁପିଏ ସରକାରଙ୍କ ବିଶ୍ୱସ୍ତ ମନ୍ତ୍ରୀ ଥିଲେ, ଏବେ ନିଜ ଦଳର ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କର ସଦ୍ୟତମ ବିବୃତିରେ ସେ କିଛି କଂଗ୍ରେସ ନେତାଙ୍କ ପାକିସ୍ତାନ ପ୍ରେମୀ ମାନସିକତାକୁ ପରୋକ୍ଷରେ ଟାର୍ଗେଟ କରି ସ୍ପଷ୍ଟ କରିଛନ୍ତି ଯେ ‘କୌଣସି ପରିବାର ଜାତୀୟ ସ୍ୱାର୍ଥଠାରୁ ଊର୍ଦ୍ଧ୍ୱରେ ରହିପାରିବନାହିଁ।’ ଏହି ବିବୃତି ଏପରି ଏକ ସମୟରେ ଆସିଛି , ଯେତେବେଳେ ‘ଆରଆରଆର’ ଗ୍ୟାଙ୍ଗ – ରାହୁଲ ଗାନ୍ଧୀ, ଜୟରାମ ରମେଶ ଏବଂ ରେବନ୍ତ ରେଡ୍ଡୀ – ଖୋଲାଖୋଲି ଭାବରେ ‘ଅପରେସନ ସିନ୍ଦୁର’କୁ ବିଫଳତା ବୋଲି କହୁଛନ୍ତି, ଯାହା ଲାଗି କଂଗ୍ରେସକୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି।
ବିଜେପିର ତୀବ୍ର ଆକ୍ରମଣ- ବିଜେପି ନେତା ଶହଜାଦ ପୁନାୱାଲା ଖୁର୍ସିଦଙ୍କ ବିବୃତିକୁ ଆୟୁଧ କରି କଂଗ୍ରେସ ଉପରେ ଆକ୍ରମଣ କରିବା ସହ ଏହି ଦଳକୁ କାଠଗଡ଼ାରେ ଠିଆ କରାଇଛନ୍ତି। ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ, “ମୁଁ ଭୟ କରୁଛି ଯେ ଏବେ ସଲମାନ ଖୁର୍ସିଦଙ୍କ କଥା ଶୁଣିବା ପରେ ପବନ ଖେରା ଏବଂ ଉଦିତ ରାଜ ଖୁର୍ସିଦଙ୍କୁ ‘ସୁପର ପ୍ରବକ୍ତା’ ଘୋଷଣା କରିପାରନ୍ତି।” ସେ ଏହା ମଧ୍ୟ କହିଛନ୍ତି ଯେ ମନୀଷ ତିୱାରୀ ଏବଂ ଶଶି ଥରୁରଙ୍କ ପରି ଏବେ ଖୁର୍ସିଦ ମଧ୍ୟ ଦଳର ‘ଆରଆରଆର’ ଗ୍ୟାଙ୍ଗକୁ ଆଇନା ଦେଖାଇଛନ୍ତି। ପୁନାୱାଲା ଏଠାରେ ଅଟକି ନଥିଲେ। ସେ କଂଗ୍ରେସ ଉପରେ ଅଭିଯୋଗ ଆଣିଥିଲେ ଯେ ବିଦେଶ ଯାଇ ପାକିସ୍ତାନର ପର୍ଦ୍ଦାଫାସ କରିବା ପରିବର୍ତ୍ତେ ଏହାର ସାଂସଦମାନେ ଭାରତୀୟ ସେନାକୁ ଅପମାନିତ କରିବାରେ ଲାଗିଛନ୍ତି। ସେ କହିଥିଲେ ଯେ, “ଏହା ଦୁଃଖଦ ଯେ ଏହି ଲୋକମାନେ ଦେଶର ସେନା ଏବଂ ସଂସଦକୁ ଅପମାନିତ କରୁଛନ୍ତି ଏବଂ ସେମାନେ ନିଜ ଦେଶ ଅପେକ୍ଷା ଅନ୍ୟ ଦେଶକୁ ଅଧିକ ବିଶ୍ୱାସ କରନ୍ତି।”
କଂଗ୍ରେସରେ ବିବେକ ଜାଗ୍ରତ ହେଉଛି କି?- ସଲମାନ ଖୁର୍ସିଦଙ୍କ ଏହି ବକ୍ତବ୍ୟ କଂଗ୍ରେସ ଭିତରେ ଧୀରେ ଧୀରେ ସୃଷ୍ଟି ହେଉଥିବା ଗଭୀର ଅସନ୍ତୋଷ ଆଡ଼କୁ ଇଙ୍ଗିତ କରୁଛି। ଯେତେବେଳେ ଦଳର ଶୀର୍ଷ ନେତାମାନେ ପାକିସ୍ତାନ ସପକ୍ଷରେ କଥା ହୁଅନ୍ତି କିମ୍ବା ସେନାର ସଫଳତାକୁ ଅସ୍ୱୀକାର କରନ୍ତି, ସେତେବେଳେ କଂଗ୍ରେସର କିଛି ଅଭିଜ୍ଞ ନେତା ନିଜେ ଅସହଜ ହୋଇଯାଆନ୍ତି। ଏବେ ବଡ଼ ପ୍ରଶ୍ନ ହେଉଛି କଂଗ୍ରେସରେ ଜାତୀୟତାବାଦ ପାଇଁ କୌଣସି ସ୍ଥାନ ଅଛି କି? ନା ଦଳ ‘ଆର ଆର ଆର’ର ନିର୍ଦ୍ଦେଶରେ ସମ୍ପୂର୍ଣ୍ଣ ଭାବରେ କାମ କରୁଥିବା ଏକ ଅପାରଦର୍ଶୀ ସଂସ୍ଥା ପାଲଟିଯାଇଛି? ସଲମାନ ଖୁର୍ସିଦ ନିଶ୍ଚିତ ଭାବରେ ନିଆଁର ଏକ ଛୋଟ କଣିକା ଛାଡି ଦେଇଛନ୍ତି। ଏବେ ଏହା ଦେଖିବାକୁ ବାକି ଅଛି ଯେ ଏହା ନିଆଁରେ ପରିଣତ ହେବ ନା କେବଳ ଧୂଆଁ ହୋଇ ରହିଯିବ।
ତେବେ ସେ ଯାହା ହେଉ, ଏ ସବୁ ଘଟଣାବଳୀକୁ ସମୀକ୍ଷା କରି ଦେଖିଲେ ସ୍ପଷ୍ଟ ଭାବେ ବୁଝାପଡେ ଯେ କଂଗ୍ରେସରେ ଆଉ ପୂର୍ବର ସେ ତାକତ ନାହିଁ। ଅସନ୍ତୋଷ ଚରମ ସୀମାରେ ପହଞ୍ଚିଲାଣି। ଆଗେ ଏହା ବାହାରକୁ ଜଣାପଡ଼ୁନଥିଲା, ଏବେ ଧୀରେ ଧୀରେ ପଦାକୁ ଫୁଟି ବାହାରିଲାଣି । ନିକଟରେ ଶଶୀ ଥରୁର ଦଳୀୟ ନେତୃତ୍ଵକୁ ଆଇନା ଦେଖାଇ ସାରିଛନ୍ତି। ଏବେ ପି, ଚିଦାମ୍ବରମଙ୍କ ପରେ ସଲମାନ ଖୁର୍ସିଦ ଦଳୀୟ ନେତୃତ୍ଵ ବିରୋଧରେ ସ୍ଵର ଉତ୍ତୋଳନ କରିବା ଦର୍ଶାଉଛି ଯେ ରାହୁଲଙ୍କ କାର୍ଯ୍ୟ କରିବା ଶୈଳୀ ଦଳର ବରିଷ୍ଠ ନେତାମାନେ ପସନ୍ଦ କରୁନାହାଁନ୍ତି ଏବଂ ସେମାନେ ଉପେକ୍ଷିତ ହେଉଥିବା ଅନୁଭବ କରୁଛନ୍ତି। ସୋନିଆ ଗାନ୍ଧିଙ୍କୁ ବ୍ୟାକ୍ ଫୁଟ୍ କୁ ଠେଲି ରାହୁଲ ଦଳକୁ ଏକ ପ୍ରକାର ନିଜ କବଜାକୁ ନେବା ଏବଂ କନିଷ୍ଠ ନେତାମାନଙ୍କ କଥାରେ ଦଳ ପରିଚାଳନା କରିବା ଦଳର ବରିଷ୍ଠ ନେତାମାନଙ୍କୁ ଅସନ୍ତୁଷ୍ଟ ଆଉ ଉତକ୍ଷିପ୍ତ କରିଛି। ଆଗକୁ ଏହି ପ୍ରକ୍ରିୟା ବଢ଼ିଲେ ଦଳ ଲାଗି ହିତକର ହେବନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି