
ସମଗ୍ର ରାଜଧାନୀ ପୋଲିସ ବଳରେ ଛାଉଣୀ। କିନ୍ତୁ ଏହାକୁ ସାମାନ୍ୟତମ ଭୃକ୍ଷେପ ନ କରି ଆଜି ସକାଳେ ଅପରାଧୀମାନେ ଘଟାଇଛନ୍ତି ଏକ ବୀଭତ୍ସ ହତ୍ୟାକାଣ୍ଡ , ଯାହା ସମଗ୍ର ରାଜଧାନୀକୁ ସ୍ତବ୍ଧ କରିଦେଇଛି। ମୃତକଙ୍କ ଗଣ୍ଡି ମୁଣ୍ଡ ଦି ଗଡ ହୋଇଯାଇଛି।
ଆଜି ସକାଳ ପ୍ରାୟ ୭ ଟା ୩୦ ମିନିଟ୍ ସମୟରେ ରସୁଲଗଡ଼ ଓଭର ବ୍ରିଜ ଉପରେ ବାଣୀବିହାର ଆଡୁ ରସୁଲଗଡ ଅଭିମୁଖେ ସ୍କୁଟିରେ ଯାଉଥିବା ଜଣେ ଯୁବକଙ୍କୁ ମଟର ସାଇକେଲରେ ଆସିଥିବା ୪ ରୁ ୫ ଜଣ ଅନ୍ୟ ଯୁବକ ଖଣ୍ଡା ଭୁଜାଲି ସହ ଗୋଡେଇ ଗୋଡେଇ ହାଣିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୁତ୍ରରୁ ଜଣାପଡିଛି ଯେ ହତ୍ୟାକାରୀମାନେ ମୃତକଙ୍କ ବେକକୁ ଖଣ୍ଡାରେ ଲଗାତାର ଚୋଟ ପରେ ଚୋଟ ପକାଇ ଗଣ୍ଡି ଆଉ ମୁଣ୍ଡକୁ ଅଲଗା କରିଦେଇଥିଲେ। ଏହାପରେ ଅପରାଧୀମାନେ ସେଠାରୁ ଖସି ପଳାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଖଣ୍ଡିତ ମୃତଦେହ ଉଦ୍ଧାର କରିବାସହ ଅପରାଧୀଙ୍କୁ ଧରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟ ମର୍ଟମ ସମୟରେ ସମ୍ପୃକ୍ତ ଅଞ୍ଚଳର ଶତାଧିକ ଲୋକ ସେଠାରେ ସମବେତ ହୋଇଥିଲେ।
ମୃତକ ଯୁବକ ହେଉଛନ୍ତି କେଦାର ପଲ୍ଲୀ ଅଞ୍ଚଳର ସହଦେବ ନାୟକ । ସେ ସଫେଇ କର୍ମଚାରୀ ସଂଘର ସଭାପତି ରହିବା ସହ ଜଣେ ପୋଲିସ ମିତ୍ର ଥିଲେ। ହତ୍ୟାକାଣ୍ଡ ସମ୍ପର୍କରେ ମୃତକଙ୍କ ପତ୍ନୀ ହତ୍ୟାକାରୀମାନଙ୍କ ନାମ ପ୍ରକାଶ କରି କହିଛନ୍ତି ଯେ ଆଜି ସକାଳ ୭ ଠାରୁ ୭ ଟା ୨୦ ମିନିଟ ମଧ୍ୟରେ ସହଦେବ ସ୍କୁଟିରେ ତାଙ୍କ ଝିଅକୁ ନେଇ ସ୍କୁଲରେ ଛାଡ଼ିବାକୁ ଯାଇଥିଲେ। ଫେରିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା।
ହତ୍ୟାକାଣ୍ଡର କାରଣ ସମ୍ପର୍କରେ ତାଙ୍କ ପତ୍ନୀ ଆଉ କିଛି ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ହତ୍ୟାକାରୀ ମାନେ ତାଙ୍କରି ଅଞ୍ଚଳର ଲୋକ। ସେମାନେ ଅନେକ ଦିନରୁ ସମ୍ପୃକ୍ତ ଅଞ୍ଚଳରେ ବ୍ରାଉନ ସୁଗାର ବେପାର ଚଳାଇଥିଲେ।ସ୍ଥାନୀୟ ପିଲାମାନେ ଏଥିଯୋଗୁ ଖରାପ ହୋଇଯାଉଥିବାରୁ ସହଦେବ ସେମାନଙ୍କୁ ସେ ଅଞ୍ଚଳରେ ବ୍ରାଉନ ସୁଗାର ବେପାର ନକରିବା
କୁ ଏକାଧିକ ଥର ବାରଣ କରିଥିଲେ।ଫଳରେ ଉତକ୍ଷିପ୍ତ ଯୁବକମାନେ ସହଦେବଙ୍କୁ ହତ୍ୟା କରିବା ଲାଗି ଧମକ ଦେଇଥିଲେ। ଯାହାର ବୀଭତ୍ସ ପରିଣାମ ଆଜି ଏହି ହତ୍ୟାକାଣ୍ଡ ରୂପେ ଦେଖିବାକୁ ମିଳିଛି।
ଭୁବନେଶ୍ବରରେ ଆଜି ପ୍ରବାସୀ ଭାରତୀୟ ଦିବସ ଉତ୍ସବ ଆରମ୍ଭ ହେବାର କେଇ ଘଣ୍ଟା ପୂର୍ବରୁ ଏହି ହତ୍ୟାକାଣ୍ଡ କମିଶନରେଟ ପୋଲିସ ଲାଗି ଏକ ଚ୍ୟାଲେଞ୍ଜ ବୋଲି କୁହାଯାଉଛି।