

ଓଡ଼ିଶାରେ ଲାଗୁ ହେଲା ଜାତୀୟ ଶିକ୍ଷା ନୀତି-୨୦୨୦ । ଉଚ୍ଚ ଶିକ୍ଷା ପରେ ଏବେ ଗଣଶିକ୍ଷା ବିଭାଗରେ ଏନଇପି ଲାଗୁ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ଗୃହୀତ ହୋଇଛି । ୧୦,+୨ ଢାଞ୍ଚାରେ ପରିବର୍ତ୍ତନ କରାଯାଇ, ୫,+୩,+୩,+୪ ଢାଞ୍ଚାରେ ପାଠ ପଢାଯିବ । ଏହା ସହିତ ରାଜ୍ଯରେ ଶୈକ୍ଷିକ ଢାଞ୍ଚାରେ ମଧ୍ଯ ପରିବର୍ତ୍ତନ ହେବାକୁଯାଉଛି ।
ପ୍ରକାଶଥାଉ ଯେ, ଏନଇପି( ଜାତୀୟ ଶିକ୍ଷା ନୀତି) ରେ ୪ ବର୍ଷିଆ ଗ୍ରାଜୁଏସନ ପାଠ୍ୟକ୍ରମ ରହିଛି । ପୂର୍ବରୁ ଏନଇପି ଲାଗୁ ହେବାକୁ ନେଇ ସରକାର କହିଥିଲେ ।
ଏହି ନୂଆ ଶିକ୍ଷା ନୀତି ଅନୁସାରେ ୩ ବର୍ଷରୁ ପିଲା ସ୍କୁଲ ଯିବେ । ୩ ବର୍ଷରୁ ଅଙ୍ଗନୱାଡି ଯାଇ ପାଠ ପଢିବେ । ୩ରୁ ୬ ବର୍ଷ ପିଲା ଅଙ୍ଗନୱାଡି, ପ୍ରି-ସ୍କୁଲ, ବାଳବାଟିକା ପଢିବେ । ୬ରୁ ୮ ବର୍ଷ ପ୍ରଥମ, ଦ୍ବିତୀୟ ଶ୍ରେଣୀରେ ପଢିବେ । ଏହାପରେ ତୃତୀୟରୁ ପଞ୍ଚମ ୩ ବର୍ଷ ପ୍ରିପେୟାରେଟୋରୀ ପାଠପଢା । ଷଷ୍ଠରୁ ଅଷ୍ଟମ, ତିନି ବର୍ଷ ମିଡିଲ୍ ସ୍କୁଲ ପାଠ ପଢା । ପରେ ନବମରୁ ଦ୍ବାଦଶ ସେକେଣ୍ଡାରୀ ଶ୍ରେଣୀରେ ପାଠ ପଢିବେ ।
ଜାତୀୟ ଶିକ୍ଷା ନୀତି ଅନୁସାରେ ୧୮ ବର୍ଷରେ ଦ୍ବାଦଶ ପାସ୍ କରିବେ ଛାତ୍ରଛାତ୍ରୀ । ସେହିପରି ଆଞ୍ଚଳିକ ଭାଷାରେ ପାଠ ପଢାଇବାକୁ ଗୁରୁତ୍ବ ଦିଆଯିବ । ଉପଯୁକ୍ତ ତାଲିମ ପ୍ରାପ୍ତ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି ।
ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଡ ଘୋଷଣା କରିଛନ୍ତି । ରାଜ୍ୟର ଶିକ୍ଷା ପ୍ରଣାଳୀରେ ଆସିବ ବଡ଼ ପରିବର୍ତ୍ତନ । ଗ୍ରାଜୁଏସନରେ ପ୍ରତି ବର୍ଷ ମିଳିବ ସାର୍ଟିଫିକେଟ । ଯାହାକି ପୂର୍ବରୁ କୋର୍ସ ଶେଷ ହେବା ପରେ ମିଳୁଥିଲା । ଏହି ପାଠ୍ଯକ୍ରମ ସହାୟତାରେ ଛାତ୍ରଛାତ୍ରୀ ଏକାଧିକ ଥର ପାଠ୍ୟକ୍ରମ ଛାଡ଼ିପାରିବେ ଓ ଆଡ୍ମିସନ ନେଇପାରିବେ ।
ଛାତ୍ରଛାତ୍ରୀ ମାନେ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସ ପୂର୍ଣ୍ଣ କରିପାରିବେ ବୋଲି ଜଣାପଡିଛି । ଦକ୍ଷତା ବିକାଶ ଓ ଇଣ୍ଟର୍ଣ୍ଣସିପ୍ ପାଇଁ ଏଥିରେ ଭରପୂର ସୁଯୋଗ ରହିବ । ପାଠ୍ୟକ୍ରମକୁ ରୋଜଗାର ଭିତ୍ତିକ କରାଯିବ । ଶିଳ୍ପ ଆବଶ୍ୟକତା ପୂରଣ ଅନୁଯାୟୀ କରାଯିବ । ଚଳିତ ବର୍ଷରୁ ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦ । ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ଆରମ୍ଭ ହେବ ବୋଲି ଏବେ ଜଣାପଡିଛି ।