

ଆଲେଖ୍ୟ – ଜବାହର ମିଶ୍ର
କଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାମକୁ ନୁହଁନ୍ତି? କଣ ସେ ତାଙ୍କ ପଦଭାର ସୁଚାରୁ ରୂପେ ସମ୍ଭାଳିପାରୁନାହାନ୍ତି ? କଣ ସେ ଦଳର କେନ୍ଦ୍ରୀୟ ମହାନେତୃତ୍ଵଙ୍କ ଗୁଡ୍ ବୁକ୍ ରେ ତଥା ସୁନଜରରେ ଆଉ ନାହାଁନ୍ତି ?
ଏଠାରେ ଏତକ ବାକ୍ ଅପଚୟ କରିବାର କାରଣ ଅଛି। ସେ କାରଣ କିଛି ମାମୁଲି କାରଣ ନୁହେଁ। କାରଣଟା ବଡ ସାଂଘାତିକ କାରଣ। କହିଲେ ସହଜେ ବିଶ୍ଵାସଯୋଗ୍ୟ ହେବନାହିଁ। ତଥାପି ଯେତେ ହେଲେ କାରଣଟା ହିଁ ତ କାରଣ। ତେଣୁ କାରଣଟା କହିବାକୁ ପଡିବ। କାରଣଟା ହେଲା ଯେ ମୁଖ୍ୟମନ୍ତ୍ରୀ ପଦରେ ମାତ୍ର ୭ ମାସ ରହିଥିବା ମୋହନ ଚରଣ ମାଝୀ ଉକ୍ତ ପଦରୁ ଖୁବ୍ ଶୀଘ୍ର ବିଦା ହେବେ ଆଉ ତାଙ୍କ ସ୍ଥାନରେ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।ଗତ କେଇ ଦିନ ହେଲା ବିଭିନ୍ନ ଗଣମାଧ୍ୟମ ବିଶେଷ କରି କେତେକ ସାମାଜିକ ଗଣମାଧ୍ୟମରେ ଏହି ଖବରଟି ବେଶ୍ ପ୍ରମୁଖତାର ସହିତ ପବନାୟିତ ହୋଇ ଭାସିବୁଲୁଛି।
ଏହି ଖବରର ସତ୍ୟତା କେତେ ସଠିକ ଆଉ ସୁଦୃଢ, ତାହା ଜଣାନଥିଲେ ବି ଏହି ଖବରରେ ଯେ ପ୍ରକାର ବାଣୀ ସଂଯୋଜନା କରାଯାଉଛି, ଯେ କେହି ତାକୁ ସତ ବୋଲି ମନେକରିପାରନ୍ତି।ଏହାର ସତ୍ୟତା ପରଖିବା ଲାଗି ଆମେ ବି ଆମ ଚ୍ୟାନେଲର ଗବେଷଣାଗାରରେ ଏହା ଉପରେ ଜବରଦସ୍ତ ଗବେଷଣା କଲୁ ଆଉ ଯାହା ନିଷ୍କର୍ଷ ପାଇଲୁ, ସେ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ପ୍ରଥମେ ଏହି ଖବରର ଉତ୍ପାଦନ, ପରିବହନ ଆଉ ଯୋଗାଣ ପକ୍ଷ ଉପରେ ଟିକେ ବିହଙ୍ଗାବଲୋକନ କଲେ ଘଟଣାଟିରେ କେତେ ଦମ୍ ଅଛି କି ନାହିଁ ତାହା ସହଜେ ଜଣାପଡିଯିବ।
ଖବରଟିର ଉତ୍ପାଦନ ଆଉ ଉତ୍ତୋଳନ କରିଥିବା ବିଶିଷ୍ଟ ଉତ୍ପାଦକ ଜଣକ କେଉଁ ଖବର ଖଣିରୁ ଏହି ଖବରଟି ଉତ୍ତୋଳନ କରିପାଇଲେ, ତାହା ସେ ହିଁ ଜାଣିଥିବେ। ତେବେ ଆମେ ସେହି ଗଣମାଧ୍ୟମର ଉତ୍ପାଦନକୁ ଦୋହନ କରିବାରୁ ଏହା ଜାଣିବାକୁ ପାଇଲୁ ଯେ କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ମହତାକାଂକ୍ଷା ଏତେ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି ଯେ ସେ ଯେମିତି ହେଲେ ୨୦୨୫ରେ ହିଁ ମୁଖ୍ୟମନ୍ତ୍ରୀ ପଦକୁ ନିଜ ନାମରେ ରେଜିଷ୍ଟ୍ରେସନ କରାଇନେବେ। ନିକଟରେ ଧର୍ମେନ୍ଦ୍ର ବିକଶିତ ଓଡ଼ିଶା ଗଠନକୁ ନେଇ ଯେଉଁ ଲିଫଲେଟ୍ ପ୍ରକାଶ କରିଛନ୍ତି, ତାହା କୁଆଡେ ଏହା ହିଁ ପରୋକ୍ଷରେ ସୂଚିତ କରୁଛି। ଉକ୍ତ ପ୍ରଚାରପତ୍ରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତଥା ତାଙ୍କ ଫଟୋଚିତ୍ର ସ୍ଥାନିତ ନ ହେବା ଏହା ଆହୁରି ସୂଚିତ କରୁଛି ଯେ ଧର୍ମେନ୍ଦ୍ରଙ୍କ ନଜରରେ ମୋହନ ମାଝୀ ଗୈାଣ ହୋଇଯାଇଛନ୍ତି ଏବଂ ଧର୍ମେନ୍ଦ୍ର ନିଜକୁ ଓଡ଼ିଶା ବିଜେପିର ଏକମାତ୍ର ତାରକା ବୋଲି ଉପସ୍ଥାପନ କରିବା ଚାହିଁଛନ୍ତି।
ଏହି ଆଧାରରେ ଉକ୍ତ ସୂତ୍ରଟିରେ ଆଶଙ୍କା ବ୍ୟକ୍ତ କରାଯାଇଛି ଯେ କାଳେ ମୋହନ ମାଝୀ କ୍ଷମତାଚ୍ୟୁତ ହୋଇପାରନ୍ତି ଏବଂ ତାଙ୍କ ସ୍ଥାନରେ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।
ଘଟଣାଟି କେବଳ ଏତିକିରେ ସୀମିତ ରହିନାହିଁ।ଗତ ୮ ତାରିଖ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ପରଦିନ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବା ଲାଗି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ତଥା କେନ୍ଦ୍ରମନ୍ତ୍ରୀମାନେ ସେଠାରେ ଉପସ୍ଥିତ ଥିଲେ। ହେଲେ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ସାକ୍ଷାତ ବେଳର ଏକ ଫଟୋକୁ ନେଇ ଏବେ ବେଶ ଗରମା ଗରମ୍ ଚର୍ଚ୍ଚା ଚାଲିଛି ଆଉ କୁହାଯାଉଛି ଯେ କୁଆଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ଅସନ୍ତୁଷ୍ଟ। ଏଣୁ ସେ ମୋଦୀଙ୍କ ସୁନଜରରେ ଆଉ ନାହାଁନ୍ତି। ଏଣୁ ଆଗାମୀ ଦିନରେ ତାଙ୍କର ଛୁଟି ହୋଇପାରେ ।
ଏହି ଫଟୋଟି ହେଉଛି ଉକ୍ତ ଦିନ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏକ ଫୁଲ ତୋଡା ପ୍ରଧାନମନ୍ତ୍ରୀଙ୍କୁ ଦେଉଛନ୍ତି। ଏହି ଫୁଲ ତୋଡାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ହସିହସି ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ କିନ୍ତୁ ବଡ ଗମ୍ଭୀର ଭାବେ ତାହାକୁ ଗ୍ରହଣ କରୁଛନ୍ତି। ସେହି ଫଟୋଟି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସମସ୍ତ ଗଣମାଧ୍ୟମକୁ ଦିଆଯାଇଛି। ଯାହାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ ଆଲୋଚନା ହେଉଛି।
କେତେକେ ଏହା ଉପରେ ଭିନ୍ନ ଭିନ୍ନ ଟିପ୍ପଣୀ ଦେଇଛନ୍ତି। କଂଗ୍ରେସ ନେତା ଅମୀୟ ପାଣ୍ଡବ ତାଙ୍କ ସାମାଜିକ ଗଣମାଧ୍ୟମରେ ଏହି ଫଟୋଟି ପୋଷ୍ଟ କରି ନିଜର ମତ ଦେଇଛନ୍ତି। ସେ ଲେଖିଛନ୍ତି, "ବାବୁ ମୋହନ ,ଦେଖ ତୁମ ମୁନିବଙ୍କ ବଦନ ! ତୁମ ଉପରେ ସେ ଅସୁଖି କି ? ଶୁଖି ଯାଇଛି ମନ !" ସେହିପରି ବହୁ ବ୍ୟକ୍ତି ସେମାନଙ୍କର ମତ ଦେଇଛନ୍ତି। କିଏ ଲେଖିଛି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଗି ଯାଇଛନ୍ତି କି ? ତାଙ୍କୁ କଣ ବାହାର କରିଦେବେ କି ? ବିଭିନ୍ନ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ହଟିବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କେତେକ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଚାଲିଛି।
ଏହିପରି ସମୟରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଏହି ଫଟୋଟି ସେହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ସତରେ କଣ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ପଦରୁ ହଟିବେ ଆଉ ତାଙ୍କ ସ୍ଥାନରେ ଧର୍ମେନ୍ଦ୍ର ପ୍ରଧାନ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ? କଥାଟା ଶୁଣିବାକୁ ରୋଚକ ଲାଗୁଛି, କିନ୍ତୁ ବାସ୍ତବରେ ଏପରି ହେବ ବୋଲି ବିଶ୍ଵାସଯୋଗ୍ୟ ହେଉନାହିଁ।
କାର୍ଦ୍ଦଞ୍ଚମାତ୍ର ୭ ମାସ ତଳେ ମୁଖ୍ୟମନ୍ତ୍ରୀ ହୋଇଥିବା ଜଣେ ବ୍ୟକ୍ତିଙ୍କୁ କଣ ବିନା କାରଣରେ ହଠାତ୍ ତାଙ୍କ ପଦରୁ କେବେ ଅନ୍ତର କରାଯାଇଥିବାର କୈାଣସି ଦୃଷ୍ଟାନ୍ତ ଏ ଦେଶର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ନାହିଁ। ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପଦରୁ ଅନ୍ତର କରିବାକୁ ହେଲେ ସେପରି ଖାସ୍ କାରଣ ଥିବା ଆବଶ୍ୟକ। ତାଙ୍କ ବିରୁଦ୍ଧରେ କୈାଣସି ଦୁର୍ନୀତି,କ୍ଷମତାର ଅପବ୍ୟବହାର କିମ୍ଵା ନିଜ ଦାୟୀତ୍ୱ ନିର୍ବାହନରେ ଅପାରଗତା ପରି ଖାସ୍ କାରଣ ଥିଲେ ଦଳର ହାଇକମାଣ୍ଡ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟେଇ ପାରିବେ। କିନ୍ତୁ ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ଏ ସବୁ କାରଣ ମଧ୍ୟରୁ ଗୋଟିଏ ହେଲେ ନାହିଁ। ତାଙ୍କ ବିରୁଦ୍ଧରେ ଦୁର୍ନୀତି, କ୍ଷମତାର ଅପବ୍ୟବହାର ଏବଂ ଅପାରଗତା ପରି କୈାଣସି କାରଣ ନାହିଁ। ମୁଖ୍ୟମନ୍ତ୍ରୀ ମାଝୀ ଆରମ୍ଭରୁ ତାଙ୍କ ପାରଗତା ପ୍ରଦର୍ଶନ କରି ଚାଲିଛନ୍ତି। ଏପରି ସ୍ଥଳେ ହାଇକମାଣ୍ଡ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଅପସାରଣର ଚିନ୍ତା କେବେ କରିପାରିବେ ନାହିଁ। ଏପରି କଲେ ଓଲଟା ହାଇକମାଣ୍ଡ ଘୋର ସମାଲୋଚନାର ଶିକାର ହେବେ । ଆଉ ଗୋଟିଏ କଥା ଯେ ବିଜେପିର ଇତିହାସରେ ଏପରି ଦୃଷ୍ଟାନ୍ତ ଗୋଟିଏ ହେଲେ ବି ନାହିଁ। ଏ ସବୁ କଥା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭଲ ଭାବେ ଜଣାଅଛି। ତେଣୁ ସେ ଏଥିନେଇ ଅଯଥା କସରତ କରି ନିଜର ରାଜନୈତିକ ଏନର୍ଜି କାହିଁକି ନଷ୍ଟ କରିବେ। ଯଦି ବି ଏହା ହୁଏ, ତେବେ ସେ ରାଜ୍ୟବାସୀଙ୍କ ଆସ୍ଥା ଆଉ ଆଦର ହରାଇବେ। ଯଦି ମାଝୀ ଅତି କମରେ ଦୁଇ ତିନି ବର୍ଷ ମୁଖ୍ୟମନ୍ତ୍ରୀ ରହି କିଛି ଆଖି ଦୃଶିଆ କାମ ନ କରନ୍ତି ଆଉ ଦଳର ହାଇକମାଣ୍ଡ ତାଙ୍କୁ ସେହି କାରଣରୁ ପଦମୁକ୍ତ କରନ୍ତି, ତେବେ ତାହା ଭିନ୍ନ କଥା। ଏବେ ସେ ଅବସ୍ଥା ଆସିନାହିଁ। ଏଣୁ ନଇରେ ପାଣି ନ ଆସୁଣୁ ନଦୀ ଗର୍ଭକୁ ଆଗୁଆ ଡେଇଁପଡିବା କାଳୀଦାସକୃତ ମୁର୍ଖାମୀ ହେବ। ନିକଟରେ ମୋହନଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ ଜଣେ ତୃଣମୂଳ ସ୍ତରର ଅଧ୍ୟବସାୟୀ ନେତା କହି ପ୍ରଶଂସା କରିଥିଲେ। ଏପରିକି ଗରିବଙ୍କୁ ସଶକ୍ତ କରିବାରେ ସେ ଜଣେ ଅଗ୍ରଣୀ ସେବକ ଭାବେ କାମ କରିବା ସହ ଓଡ଼ିଶାର ପ୍ରଗତି ପାଇଁ ଉଲ୍ଲେଖନୀୟ ଉଦ୍ୟମ କରୁଛନ୍ତି ବୋଲି କହିଥିଲେ ମୋଦି। ମୁଖ୍ୟମନ୍ତ୍ରୀ ବି ବିଭିନ୍ନ ଫୋରମରେ ପ୍ରଧାନମନ୍ତ୍ରୀଙ୍କୁ ବେଶ ପ୍ରଶଂସା କରିଥିଲେ। ବିଜେପି ଏକାକି ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଢିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟୀତ୍ୱ ନେଇଥିଲେ ମୋହନ ମାଝୀ। ଆଦିବାସୀ ନେତା ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଛାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କିନ୍ତୁ ଶପଥ ନେବା ପରଠାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ମୋହନଙ୍କୁ ପ୍ରଶଂସା କରି ଆସିଛନ୍ତି ମୋଦି। ବିଭିନ୍ନ ସମୟରେ ଦୁଇ ଶୀର୍ଷ ନେତାଙ୍କ ଆଲୋଚନା ବେଳର କିଛି ଫଟୋ ବି ଅନେକ କଥା କୁହେ। ଓଡ଼ିଶା ଗସ୍ତ ବେଳେ ଜଣେ ଭଲ ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କୁ ଉଦାହରଣ ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆଉ ନିକଟରେ ଶେଷ ହୋଇଥିବା ବିଭିନ୍ନ ମେଗା ଇଭେଣ୍ଟ ସମୟରେ ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା, ହାବଭାବ ଓ ଏଭଳି ପୋଷ୍ଟରରୁ ଲାଗୁଛି କି ମୋଦିଙ୍କ ଓଡ଼ିଶା ବ୍ରାଣ୍ଡ ହେଉଛନ୍ତି ମୋହନ। ଏ ସବୁକୁ ଭୁଲିଯାଇ କଣ ଗୋଟାଏ କାରଣରୁ ପ୍ରଧାନମନ୍ତ୍ରୀ ମୋହନଙ୍କ ପ୍ରତି ଯଥୋଚିତ ଧ୍ୟାନ ଦେଲେନି ବୋଲି ତାଙ୍କୁ ପଦମୁକ୍ତ କରାଯିବା ନେଇ ଯଦି କେହି ଏପରି ମନେ କରୁଥାଆନ୍ତି, ତେବେ ତାଙ୍କର ଦିବା ସ୍ଵପ୍ନ ଦେଖିବାର ନିର୍ଘାତ ଅଭ୍ୟାସ ଅଛି ବୋଲି କୁହାଯାଇପାରେ। ଏଥିରୁ ଯିଏ ଯାହା ବୁଝିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳ ରାଜକୁମାରଙ୍କ ପରି ଏତେ ନିର୍ବୁଦ୍ଧିଆ- ଅପରିପକ୍ଵ ହୋଇନାହାନ୍ତି ଯେ ମାତ୍ର ୭ ମାସ ତଳେ ଯାହାଙ୍କୁ ଅପ୍ରତ୍ୟାଶିତ ଭାବେ ମୁଖ୍ୟମନ୍ତ୍ରୀ କରି ସମସ୍ତଙ୍କୁ ଚକିତ କରିଥିଲେ, ତାଙ୍କୁ ହିଁ ବିନା କାରଣରେ ପଦଚ୍ୟୁତ କରି ଲୋକହସା ହେବେ। ଯଦି ସେ ଏପରି କରନ୍ତି, ଏହାର ନକାରାତ୍ମକ ବାର୍ତ୍ତା ଓଡ଼ିଶାବାସୀଙ୍କ ପାଖକୁ ଯିବ ଏବଂ ମୋଦି ନିନ୍ଦିତ ହେବେ।ଏପରି ହେଲେ ଏହାର ଦୁଷ୍ପରିଣାମ ବିଜେପି ଭୋଗିବ। ୨୦୨୯ ବିଜେପିକୁ ବାହାରର ରାସ୍ତା ବି ଦେଖାଇଦେଇପାରେ। ପ୍ରଧାନମନ୍ତ୍ରୀ କଂଗ୍ରେସୀ ସଂସ୍କୃତି କେବେ ହେଲେ ଅନୁକରଣ କରିବେ ନାହିଁ। ମୋଦିଙ୍କ ପରି ଅତି ଦୂରଦର୍ଶୀ ରାଜନେତା ଏ କଥା ନିଶ୍ଚିତ ରୂପେ ଜାଣିଥିବେ। ଏଣୁ ସେ ପ୍ରସଙ୍ଗର ଏଠାରେ ଆଲୋଚନା କରିବାର କିଛି ଆବଶ୍ୟକତା ପଡୁନାହିଁ। ଏହା କେବଳ ବିଜେପି ବିରୋଧୀ ଏବଂ ମୋହନ ବିରୋଧୀଙ୍କ ଏକ ଦୁଷ୍ପ୍ରଚାର ବ୍ୟତୀତ ଆଉ କିଛି ନୁହଁ। ଏ କଥା ମନେ ରଖିବା ଉଚିତ୍ ଯେ ସମୁଦ୍ରକୁ ଟେକା ପକାଇଲେ ଫଳ ଶୂନ ମିଳେ।