
ନବୀନ ସରକାରର ଯୁଗ ସରିଲା, ଏବେ ଆସିଛି ମୋହନ ସରକାରର ଯୁଗ। ଏହି ଦୁଇ ଯୁଗ ମଧ୍ୟରେ ଅନେକଟା ପ୍ରଭେଦ ଆଉ ବ୍ୟତିକ୍ରମ ଥିବା ଏବେ ଠାରୁ ଲକ୍ଷଣୀୟ ହେଲାଣି। ସେଥିମଧ୍ୟରୁ ସବୁଠାରୁ ବଡ ପ୍ରଭେଦ ହେଉଛି ଦୀର୍ଘ ୨୭ ବର୍ଷ ଧରି ନବୀନ ସରକାର ଅମଳରେ ଚାଲିଆସିଥିବା ଅଫିସରରାଜର ଅନ୍ତ ଘଟି ଲୋକପ୍ରତିନିଧିରାଜର ପ୍ରତ୍ୟାବର୍ତ୍ତନ। ଏହି ପ୍ରତ୍ୟାବର୍ତ୍ତନ ଏବେ ସୁନିଶ୍ଚିତ କରିବ ଯେ ନବୀନ ସରକାର ଅମଳ ପରି ମୋହନ ସରକାରରେ ଅଣଦେଖାହେବନି ଲୋକ ପ୍ରତିନିଧିଙ୍କ ଚିଠି ଓ ସୁପାରିଶ । ବିଧାୟକ ଓ ସାଂସଦଙ୍କ ଅଭିଯୋଗର ସମାଧାନ ଲାଗି ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ସବୁ ବିଭାଗରେ ଖୋଲିବ ସ୍ପେଶାଲ୍ ସେଲ୍ । ନବୀନ ସରକାର ସମୟରେ ଅଲୋଡ଼ା ହୋଇପଡ଼ିଥିବା ବୁକ୍ ସର୍କୁଲାର-୪୭କୁ କଡ଼ାକଡ଼ି ପାଳନ କରିବାକୁ ସବୁ ବିଭାଗକୁ ଆସିଛି ନିର୍ଦ୍ଦେଶ ।
ତେବେ କଣ ଏହି ବୁକ୍ ସର୍କୁଲାର୍ ଆଉ ବିଧାୟକ ଏବଂ ସାଂସଦମାନଙ୍କୁ ଏହି ନିର୍ଦ୍ଦେଶନାମା କେତେ ଦୂର ସଶକ୍ତ କରିବ ? ଏହି ସର୍କୁଲାରର ତାକତ ପ୍ରବଳ ଯେ ବିଜେଡି ଶାସନ କାଳରୁ ଚାଲି ଆସିଥିବା ଅଫିସରରାଜ୍ ଉପରେ ଏଥର ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡ଼ିବ। ଏଣକି ଅଫିସରମାନେ ସାଂସଦ ଓ ବିଧାୟକମାନଙ୍କୁ ଆଉ ଅଣଦେଖା କରିପାରିବେ ନାହିଁ । ସମ୍ମାନ ଜଣାଇବେ, ସେମାନଙ୍କ କଥା ଶୁଣି ଆଇନର ଗଣ୍ଡି ଭିତରେ ରହି ପଦକ୍ଷେପ ମଧ୍ୟ ନେବେ । ପ୍ରତ୍ୟେକ ମାସରେ ବିଧାୟକ ଓ ସାଂସଦମାନେ କେଉଁ ବିଭାଗ ସହ କ’ଣ ପତ୍ର ବିନିୟମ କରିଛନ୍ତି ତା’ର ମଧ୍ୟ ମାସିକ ଉଚ୍ଚସ୍ତରୀୟ ସମୀକ୍ଷା ହେବ ।
ଏଭଳି କିଛି ଢଙ୍ଗରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇ ବୁକ୍ ସର୍କୁଲାର-୪୭ରେ ଥିବା ପ୍ରାବଧାନ ଆଧାରରେ ସାଂସଦ ଓ ବିଧାୟକମାନଙ୍କୁ ପ୍ରଶାସନିକ କଳ ସମ୍ମାନ ଦେବାକୁ ବାଧ୍ୟ ବୋଲି ସତର୍କ କରାଇ ଦିଆଯାଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ବିଧାୟକ ଓ ସାଂସଦମାନଙ୍କୁ ବୁକ୍ ସର୍କୁଲାର-୪୭ର ପ୍ରାବଧାନ ଆଧାରରେ ଆବଶ୍ୟକ ସମ୍ମାନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକ ଓ ସାଂସଦମାନଙ୍କ ଚିଠି ଓ ସୁପାରିଶ ଆଦି ଉପରେ ବିଚାର କରିବା ପାଇଁ ଯେଉଁ ବିଭାଗଗୁଡ଼ିକ ଏପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ସେଲ୍ ଖୋଲିନାହାନ୍ତି ସେମାନେ ମଧ୍ୟ ତୁରନ୍ତ ଏହି ସେଲ୍ ଖୋଲିବାକୁ କହିଛନ୍ତି । ଏହି ସେଲ୍ ଦାୟିତ୍ୱରେ ବିଭାଗ ପକ୍ଷରୁ ଜଣେ ନୋଡାଲ ଅଫିସର ଓ ଡିଲିଙ୍ଗ୍ ଅଫିସର ମଧ୍ୟ ନିଯୁକ୍ତି ପାଇବେ ।
ଯିଏ ସାଂସଦ ଓ ବିଧାୟକମାନଙ୍କ ଚିଠି,ସୁପାରିଶ ଓ ଅନ୍ୟାନ୍ୟ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବେ। ସମ୍ପୃକ୍ତ ବିଭାଗ ଅଧୀନରେ ଥିବା ନିର୍ଦ୍ଦେଶାଳୟ ଓ ଜିଲ୍ଲା-ବ୍ଲକସ୍ତରୀୟ ଅଫିସ୍ ମଧ୍ୟ ବିଧାୟକ ଓ ସାଂସଦମାନଙ୍କ ଚିଠି ଓ ସୁପାରିଶ ଉପରେ କ’ଣ ପଦକ୍ଷେପ ନେଇଛନ୍ତି ତାହା ପ୍ରତିମାସର ୧୦ତାରିଖରେ ନିଜ ବିଭାଗକୁ ପଠାଇବେ । ଯାହାକୁ ସମ୍ପୃକ୍ତ ବିଭାଗ ଏକ ନିର୍ଦ୍ଧାରିତ ଫର୍ମାଟରେ ପ୍ରତିମାସର ୧୫ତାରିଖରେ ସାଧାରଣ ପ୍ରଶାସନ ବିଭାଗକୁ ପଠାଇବ । ମୁଖ୍ୟ ସଚିବ ନିଜେ ପ୍ରତିମାସର ୨୦ତାରିଖରେ ଏହାର ସମୀକ୍ଷା କରିବେ ।
ଯେଉଁ ସବୁ ଚିଠି ଉପରେ କାର୍ଯାନୁଷ୍ଠାନ ନିଆଯାଇଛି ତାହା ମଧ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଏକ ସ୍ୱତନ୍ତ୍ର ରିପୋର୍ଟ ମାଧ୍ୟମରେ ବିଭାଗଗୁଡ଼ିକ ଜଣାଇବେ । ଯଦି ବୁକ ସର୍କୁଲାର-୪୭ ଉଲ୍ଲଘଂନ ହୋଇଥିବାର କୌଣସି ପ୍ରମାଣ ମିଳେ ତା’ହେଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ ଏହି ବୁକ ସର୍କୁଲାରର ରୁଲ-୧୨ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ମୋହନ ମାଝୀ ସରକାର କ୍ଷମତାକୁ ଆସିବା ପରେ ୨୦୨୪ ଅଗଷ୍ଟ ୭ତାରିଖରେ ସବୁ ବିଭାଗକୁ ଚିଠି ଲେଖି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୨୦୦୫ ଡିସେମ୍ବର ୨ତାରିଖରେ ଜାରି ବୁକ ସର୍କୁଲାର-୪୭ର ପ୍ରାବଧାନକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ବୁକ୍ ସର୍କୁଲାର-୪୭ର ପ୍ରାବଧାନ ଆଧାରରେ ବିଧାୟକ ଓ ସାଂସଦମାନଙ୍କୁ ସରକାରୀ ଅଫିସରମାନେ ଉପଯୁକ୍ତ ସମ୍ମାନ ଦେବାକୁ ବାଧ୍ୟ ।
ଯଦି କେହି ବିଧାୟକ ଓ ସାଂସଦ କୌଣସି ଅଫିସକୁ ଯାଉଛନ୍ତି ସମ୍ପୃକ୍ତ ଅଧିକାରୀ ଛିଡ଼ା ହୋଇ ତାଙ୍କୁ ସ୍ୱାଗତ ଓ ବିଦାୟ ଦେବ। ଯଦି ଫୋନ୍ କରିବେ ତାକୁ ମଧ୍ୟ ଗୁରୁତ୍ୱର ସହ ଶୁଣିବେ ଅବା ସଙ୍ଗେସଙ୍ଗେ କଲ୍ ବ୍ୟାକ୍ କରିବେ । ଯାହାକୁ ସେମାନେ ଏକ ରେଜିଷ୍ଟରରେ ପଞ୍ଜିକରଣ ମଧ୍ୟ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ବିଜେଡି ଶାସନ କାଳରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ବଳରେ ସରକାରୀ ଅଫିସରମାନେ ଧରାକୁ ସରା ମଣୁଥିଲେ । ଯେଉଁଥିପାଇଁ ବିଧାୟକ ଓ ସାଂସଦମାନଙ୍କୁ ବିଭିନ୍ନ ସମୟରେ ଅପମାନିତ ହେବାକୁ ପଡ଼ୁଥିଲା । ନିର୍ବାଚିତ ଲୋକପ୍ରତିନିଧିମାନଙ୍କ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ହଡ଼ପ କରିନିଆଯାଇଥିଲା ।
ଏହା ଖୁବ୍ ସୁଖର ବିଷୟ।ଲୋକପ୍ରତିନିଧିରାଜ ହେଉଛି ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାର ମୁଖ୍ୟ ଅଙ୍ଗ । ଲୋକତନ୍ତ୍ରରେ ଲୋକମାନେ ସେମାନଙ୍କ ସମସ୍ୟାର ଆଶୁ ସମାଧାନ ଲାଗି ସେମାନଙ୍କ ପ୍ରତିନିଧିମାନଙ୍କୁ ନିର୍ବାଚିତ କରି ବ୍ୟବସ୍ଥାପକ ସଭାଗୁଡିକୁ ପଠାଇଥାଆନ୍ତି। ଏହା ଫଳରେ ଲୋକତନ୍ତ୍ରବାଦ ତଥା ଲୋକତାନ୍ତ୍ରିକ ବା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା କାଏମ ରହିଥାଏ ଆଉ ଲୋକଙ୍କ ଅଭାବ ଅସୁବିଧା ଦୂରୀଭୂତ ହୋଇଥାଏ। କିନ୍ତୁ ଅଫିସରରାଜ ଆସିଲେ ସ୍ଵେଚ୍ଛାଚାରୀତା ଆସିଥାଏ। ଏଠାରେ ଲୋକପ୍ରତିନିଧି ଗୌଣ ଆଉ ଉପେକ୍ଷିତ ହୋଇଥାଆନ୍ତି । ଏପରି ଘଟିଲେ ଏହି ସ୍ଵେଚ୍ଛାଚାରୀତା ପରେ ଏକଛତ୍ରବାଦକୁ ଜନ୍ମ ଦେଇଥାଏ। ଏହି ଏକଛତ୍ରବାଦ ଉଭୟ ଲୋକ ଆଉ ଲୋକପ୍ରତିନିଧିଙ୍କ ସ୍ତରକୁ ଚାପିଦେଇ ନିଜର ମନମାନୀ ଚଳାଇଥାଏ। ନବୀନ ସରକାର ଅମଳରେ ଚାଲିଆସିଥିବା ଅଫିସରରାଜରେ କଣ ସ୍ଵେଚ୍ଛାଚାରୀତା ଚାଲିଥିଲା କି ନାହିଁ, ତାହା ଓଡ଼ିଶାରେ ଲୋକମାନେ ହିଁ କହିପାରିବେ। ତେବେ ସେ ଯାହା ହେଉ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ତାଙ୍କ ସରକାର ଅଫିସରରାଜର ଅନ୍ତ ଘଟାଇ ଲୋକପ୍ରତିନିଧିରାଜର ପୁନଃପ୍ରତିଷ୍ଠା କରିବା ଏକ ସୁଖର ବିଷୟ।