
ଆମେରିକାର ୪୮ ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଆଜି ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିଛନ୍ତି। ଭାରତୀୟ ସମୟ ଅନୁସାରେ ରାତି ୧୦:୩୦ ରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଛି। ତେବେ ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପ ରାଜଧାନୀ ୱାଶିଙ୍ଗଟନରେ ବିଜୟ ସମାବେଶକୁ ସମ୍ବୋଧିତ କରି ସମଗ୍ର ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଉପରେ ଜୋର୍ ଦେଇଥିଲେ।
ଏହି ମର୍ମରେ ରାଷ୍ଟ୍ରପତି ଟ୍ରମ୍ପ ପୃଥିବୀ ପୃଷ୍ଠକୁ ଯୁଦ୍ଧମୁକ୍ତ କରିବାର ଦୃପ୍ତ ଘୋଷଣା କରିଥିଲେ।ଏହି ରାଲିରେ ଟ୍ରମ୍ପ ଟିକ୍ ଟକ୍ ଠାରୁ ଆରମ୍ଭ କରି ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ପର୍ଯ୍ୟନ୍ତ ସବୁକିଛି ଉପରେ ତାଙ୍କର ମତ ସ୍ପଷ୍ଟ କରିଥିଲେ।
ମେକ ଆମେରିକା ଗ୍ରେଟ ଏଗେନ (MAGA – ମ୍ୟାଗା) ରାଲିରେ ଡୋନାଲ୍ଡ ଟ୍ରମ୍ପ କହିଲେ ଯେ, ଦେଶର ଦାୟୀତ୍ୱ ନେବା ପୂର୍ବରୁ, ଆପଣ ଏପରି କିଛି ଦେଖୁଛନ୍ତି ଯାହା କେହି ଆଶା କରିନଥିଲେ। ସମସ୍ତେ ଏହାକୁ Trump Effect ତଥା’ଟ୍ରମ୍ପ ପ୍ରଭାବ’ ବୋଲି କହୁଛନ୍ତି। ହେଲେ ଏହା ଆପଣଙ୍କମାନଙ୍କର ପ୍ରଭାବ। TikTok ଫେରି ଆସିଛି। TikTok ଠାରୁ ଆମକୁ ରକ୍ଷା କରିବାକୁ ପଡିବ । କାରଣ ଆମକୁ ବହୁତ ଚାକିରୀ ସଞ୍ଚୟ କରିବାକୁ ପଡିବ।
ସେହିପରି ଟ୍ରମ୍ପ ଆହୁରି କହିଲେ ଯେ , ଆମେ ମଧ୍ୟପ୍ରାଚ୍ୟରେ ଅରାଜକତା ଶେଷ କରିବୁ ଏବଂ ତୃତୀୟ ବିଶ୍ୱଯୁଦ୍ଧ ହେବା ରୋକିବୁ। ଆମେ ଆମେରିକାରୁ ଅବୈଧ ପ୍ରବାସୀମାନଙ୍କୁ ବାହାର କରିବୁ ଏବଂ ସୀମାରେ କଡ଼ା ନିୟନ୍ତ୍ରଣ ଲାଗୁ କରିବୁ। ଆମେ ଆମର ବ୍ୟବସାୟ ଚୀନକୁ ଦେବାକୁ ଚାହୁଁନାହୁଁ, ଆମକୁ ବହୁତ ଚାକିରୀ ସଞ୍ଚୟ କରିବାକୁ ପଡିବ। ଇସ୍ରାଏଲ-ହମାସ ଯୁଦ୍ଧବିରତି ଆମେରିକା ପାଇଁ ଏକ ଐତିହାସିକ ବିଜୟ, ଏହି ଚୁକ୍ତି ଆମ ଯୋଗୁ ହୋଇଛି। ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଟ୍ରମ୍ପ କହିଲେ ଯେ, ମୁଁ ୟୁକ୍ରେନରେ ଯୁଦ୍ଧ ଶେଷ କରିବି, ମଧ୍ୟପ୍ରାଚ୍ୟରେ ଅରାଜକତା ବନ୍ଦ କରିବି ଏବଂ ତୃତୀୟ ବିଶ୍ୱଯୁଦ୍ଧ ହେବାକୁ ଦେବି ନାହିଁ।
ଟ୍ରମ୍ପଙ୍କ ଏହି ଘୋଷଣା ବିଶ୍ଵକୁ ଯୁଦ୍ଧମୁକ୍ତ କରି ବିଶ୍ଵରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନରେ ସହାୟକ ହେବାର ଆଶାର ସଞ୍ଚାର କରିଛି।