

ଦେଶରେ ଧନୀଙ୍କ ଧନ ବଢି ସେମାନେ ଆହୁରି ଧନୀ ହେବାରେ ଲାଗିଥିବାବେଳେ ଗରିବ ବିଚାରା ଆହୁରି ଗରିବ ହେବାରେ ଲାଗିଛି । ତେବେ ଏତେ ସତ୍ତ୍ଵେ ଆଜିକାଲି ମଧ୍ୟବିତ୍ତଙ୍କ ଉପରେ ବେଶୀ ଆଲୋଚନା ହେଉଛି । କାରଣ ଦେଶରେ ମଧ୍ୟବିତ୍ତଙ୍କ ସଂଖ୍ୟା ବହୁତ ଅଧିକ । ତେଣୁ ପ୍ରତ୍ୟେକ ବଜେଟ ସମୟରେ ଓ ନିର୍ବାଚନ ସମୟରେ ମଧ୍ୟବିତ୍ତ ବର୍ଗ ଉପରେ ଆଲୋଚନା ହେଉଛିଆଉ ଏହା ସ୍ଵାଭାବିକ ମଧ୍ୟ।
ଯେତେବେଳେ ଗୋଟିଏ ବଜେଟ୍ ଆସୁଛି, ସେତେବେଳେ ଆୟକର ଛାଡ କିମ୍ବା ଜିଏସଟି ରିହାତିକୁ ନେଇ ବହୁତ ଆଶା ମଧ୍ୟବିତ୍ତ ଶ୍ରେଣୀର ରହିଥାଏ । ଏବେ ଦିଲ୍ଲୀ ନିର୍ବାଚନ ପ୍ରଚାରରେ ବିଭିନ୍ନ ଦଳ ମଧ୍ୟବିତ୍ତଙ୍କ ଉପରେ ହିଁ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । ଦିଲ୍ଲୀରେ ପ୍ରାୟ ୩୦ ପ୍ରତିଶତ ମଧ୍ୟବିତ୍ତ ଜନସଂଖ୍ୟା ଅଛନ୍ତି । ଗତ ଦଶନ୍ଧି ମଧ୍ୟରେ ସବୁଠୁ ଅଧିକ ଚାପ ପଡିଛି ମଧ୍ୟବିତ୍ତ ଶ୍ରେଣୀ ଉପରେ। ସେମାନଙ୍କର ଖର୍ଚ୍ଚ ବଢୁଛି ଓ ଆୟ କମୁଛି । ଖାଲି ସେତିକି ନୁହେଁ, ସେମାନଙ୍କ ଉପରେ ଟିକସ ବୋଝ ମଧ୍ୟ ପଡୁଛି । ଏଭଳି ପରିସ୍ଥିତିରେ ମଧ୍ୟବିତ୍ତ ରାଜନୀତି ଓ ଅର୍ଥନୀତି ମଝିରେ ପଡିରହିଛନ୍ତି । ମଧ୍ୟବିତ୍ତଙ୍କ ପରିଭାଷା କ'ଣ ? କେମତି ଜାଣିବା କିଏ ଉଚ୍ଚ ବର୍ଗ, ମଧ୍ୟବିତ୍ତ ବର୍ଗ ଓ ନିମ୍ନ ବର୍ଗ ? ଲୋକଙ୍କ ଆୟ ଉପରେ ଏହା ନିଷ୍ପତ୍ତି କରାଯାଏ । କିଛି ରିପୋର୍ଟ ଓ ବିଶେଷଜ୍ଞଙ୍କ ଅନୁଯାୟୀ ବିଧ୍ୟବିତ୍ତ ଶ୍ରେଣୀକୁ ଆକଳନ କରିବା ପାଇଁ କୌଣସି ସ୍କେଲ ତଥା ମାପଦଣ୍ଡ ନାହିଁ । ସେମାନଙ୍କର ଆୟକୁ ନେଇ ମାପ କରାଯାଇନପାରେ
।
ଗୋଲ୍ଡମ୍ୟାନ ସୈକ୍ସଙ୍କ ଅନୁସାରେ ଭାରତରେ ୧୦ କୋଟି ଲୋକ ଉଚ୍ଚ ବର୍ଗ ଅର୍ଥାତ୍ ଧନୀ ଶ୍ରେଣୀର ଲୋକ ଅଛନ୍ତି । ଏହି ଅନୁମାନ ୨୦୨୪ ବର୍ଷକୁ ନେଇ ଆକଳନ କରାଯାଇଛି । କିଛି ଅନୁଷ୍ଠାନ ଓ ବିଶେଷଜ୍ଞ ୧୨ କୋଟି ଲୋକଙ୍କୁ ଉଚ୍ଚ ବର୍ଗରେ ସ୍ଥାନିତ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଭାରତରେ ବାର୍ଷିକ ୧୦ ହଜାର ଡଲାରରୁ ଅଧିକ ଅର୍ଥାତ୍ ଭାରତୀୟ ମୁଦ୍ରାରେ ବାର୍ଷିକ ହାରାହାରି ୮ ଲକ୍ଷ ୫୦ ହଜାର ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ଉଚ୍ଚ ବର୍ଗର ବୋଲି କୁହାଯାଏ । ସମସ୍ତ ରିପୋର୍ଟରେ ଯେଉଁମାନେ ବାର୍ଷିକ ୯-୧୨ ଲକ୍ଷରୁ ଅଧିକ ରୋଜଗାର କରନ୍ତି, ସେମାନେ ଉଚ୍ଚ ବର୍ଗରେ ଆସନ୍ତି । ଏହି ବର୍ଗକୁ ଧନୀ ବୋଲି ମଧ୍ୟ କହିପାରିବେ । ସାଧାରଣତଃ ଯେଉଁମାନେ ୩ ଲକ୍ଷରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ଆୟ କରନ୍ତି ସେମାନେ ମଧ୍ୟବିତ୍ତ ବର୍ଗରେ ରୁହନ୍ତି । ଯାହାର ମୁଣ୍ଡପିଛା ଆୟ ବାର୍ଷିକ ୨.୫ ଲକ୍ଷ ଟଙ୍କା ସେମାନେ ମଧ୍ୟବିତ୍ତ ବର୍ଗରେ ଆସନ୍ତି । ଯଦି ଗୋଟିଏ ପରିବାରରେ ଚାରିଜଣ ସଦସ୍ୟ ଅଛନ୍ତି ଏବଂ ସେମାନଙ୍କର ମୁଣ୍ଡପିଛା ଆୟ ବାର୍ଷିକ ୨ଲକ୍ଷ ୫୦ ହଜାର ଟଙ୍କା, ତେବେ ସମଗ୍ର ପରିବାରର ଆୟ ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ଅଟେ, ସେହି ଅନୁଯାୟୀ ଏହି ପରିବାରକୁ ମଧ୍ୟବିତ୍ତ ବର୍ଗର ବୋଲି କୁହାଯିବ ।
ଏଥି ସହିତ କିଛି ବର୍ଷ ପୂର୍ବେ ଏକ ଭାରତୀୟ ଥିଙ୍କ ଟ୍ୟାଙ୍କର୍ ଦ୍ୱାରା କରାଯାଇଥିବା ଏକ ସର୍ଭେରେ କୁହାଯାଇଥିଲା ଯେ ଯେଉଁ ପରିବାରଙ୍କ ବାର୍ଷିକ ଆୟ ୫-୩୦ ଲକ୍ଷ ଟଙ୍କା ମଧ୍ୟବିତ୍ତ ବର୍ଗରେ ବିବେଚନା କରାଯାଏ । ମାଷ୍ଟରକାର୍ଡ ରିପୋର୍ଟ ଅନୁଯାୟୀ, ଯେଉଁମାନେ ବାର୍ଷିକ ୧ ଲକ୍ଷ ୫୧ ହଜାର ୬ ଶହ ୫୧ ଟଙ୍କା ରୋଜଗାର କରନ୍ତି ସେମାନେ ମଧ୍ୟବିତ୍ତ ବର୍ଗକୁ ଆସନ୍ତି । ମୋଟ ଉପରେ ଏହା କୁହାଯାଇପାରେ ଯେ ଯେଉଁମାନେ ୨୫ ହଜାରରୁ ନେଇ ୧୦ ଲକ୍ଷ ଟଙ୍କା ରୋଜଗାର କରନ୍ତି ସେମାନେ ମଧ୍ୟବିତ୍ତ ବର୍ଗରେ ଆସନ୍ତି ।
କୁହାଯାଏ ଯେ ଦେଶରେ ମଧ୍ୟବିତ୍ତ ବର୍ଗର ଜନସଂଖ୍ୟା ୩୦ ପ୍ରତିଶତରୁ ଅଧିକ, ଅର୍ଥାତ୍ ଦେଶରେ ମଧ୍ୟବିତ୍ତଙ୍କ ସଂଖ୍ୟା ୪୦ କୋଟିରୁ ଅଧିକ। କେତେକ ବିଶେଷଜ୍ଞ ୫୦ କୋଟି ଲୋକଙ୍କୁ ମଧ୍ୟବିତ୍ତ ବର୍ଗର ବୋଲି ବିବେଚନା କରନ୍ତି। ମଧ୍ୟବିତ୍ତ ବର୍ଗର ଲୋକମାନେ ନିମ୍ନ ବର୍ଗକୁ ଆସନ୍ତି, ଅର୍ଥାତ୍ ଯେଉଁମାନଙ୍କର ଆୟ ୩ ଲକ୍ଷରୁ କମ୍, ସେମାନେ ସମସ୍ତେ ନିମ୍ନ ବର୍ଗରେ ଆସନ୍ତି ଏବଂ ଦେଶରେ ଏହି ବର୍ଗରେ ସର୍ବାଧିକ ସଂଖ୍ୟକ ଲୋକ ଅଛନ୍ତି । ଏକ ଆକଳନ ଅନୁଯାୟୀ ଦେଶରେ ଅତି କମରେ ୮୦ କୋଟି ଲୋକ ଏହାର ଅଧୀନରେ ଅଛନ୍ତି । ଗତବର୍ଷ ୟୁରୋପରେ ରହୁଥିବା ଜଣେ ଭାରତୀୟ ନିବେଶକ ତଥା ବ୍ୟବସାୟୀ ସୌରଭ ଦତ୍ତ ଏକ ପୋଷ୍ଟ ମାଧ୍ୟମରେ କହିଥିଲେ ଯେ, ଭାରତରେ କିଏ ଧନୀ ଏବଂ କିଏ ଗରିବ ? ତାଙ୍କର ବିଶ୍ଳେଷଣ ଅନୁଯାୟୀ, ଆଜିର ଯୁଗରେ, ଯଦି ଜଣେ ବ୍ୟକ୍ତିଙ୍କର ନଗଦ ୧୦ ଲକ୍ଷ ଟଙ୍କା ଅଛି, ତେବେ ସେ ଗରିବ ବର୍ଗରେ ଆସନ୍ତି । ଏଥି ସହିତ, ଯେଉଁ ବ୍ୟକ୍ତିଙ୍କର ନଗଦ ୫୦ ଲକ୍ଷ ଅଛି ସେ ନିମ୍ନ ମଧ୍ୟବିତ୍ତ, ଯଦି ୧ କୋଟି ଅଛି ସେ ମଧ୍ୟମ ବର୍ଗ, ଯଦି ୨ କୋଟି ଉଚ୍ଚ ମଧ୍ୟବିତ୍ତ, ଯଦି ୨ କୋଟି ଧନୀ ଏବଂ ୧୦ କୋଟି ଅଛି ତେବେ ଏନଏଚଆଇ ତଥା ଅତି ଧନୀ ଶ୍ରେଣୀର ବ୍ୟକ୍ତି ଅଟନ୍ତି ।
ତେବେ ସେ ଯାହା ହେଉ ଏହି ଆଲୋଚନାରୁ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଭାଗ୍ୟ ସୁଧୁରିଯିବନାହି । ଆଗକୁ ବୋଝ ଆହୁରି ବଢିବ ସିନା, କିନ୍ତୁ କମିବନାହିଁ। ବଜେଟ ବେଳେ ଆଉ ନିର୍ବାଚନବେଳେ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ କଥା ରାଜନେତା ଆଉ ଅର୍ଥଶାସ୍ତ୍ରୀଙ୍କ ମନେପଡେ। ଏହାପରେ ଏହି ଶ୍ରେଣୀକୁ ସମସ୍ତେ ପାଶୋରିଯାଆନ୍ତି। ଏ ଦେଶରେ ଅର୍ଥନୀତି ଉଚ୍ଚ ଶ୍ରେଣୀ କେନ୍ଦ୍ରିକ ନ ହୋଇ ମଧ୍ୟବିତ୍ତ ଆଉ ନିମ୍ନବର୍ଗ କେନ୍ଦ୍ରିକ ନ ହେବାଯାଏ ଏହି ବର୍ଗ ଏହିପରି ନିଷ୍ପେସିତ ହେଉଥିବେ।