

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଦଳଚକଟା କାରଣରୁ ପ୍ରାୟ ୩୦ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇବା ସହିତ ଶତାଧିକ ଆହତ ହୋଇଛନ୍ତି।ଏହି ଅଘଟଣ ଅପ୍ରତ୍ୟାଶିତ ଥିଲା ନା ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ଏହା ଘଟିଲା, ସେଥିନେଇ ଆଲୋଚନା ଆରମ୍ଭ ହୋଇଛି। ତେବେ ଭିନ୍ନ ଏକ ସୂତ୍ରରୁ ଯେଉଁ କାରଣଟି ପଦାକୁ ଆସିଛି, ତାହା ଭି,ଆଇ,ପି, ସଂସ୍କୃତି କାରଣରୁ ହେଲା ବୋଲି କୁହାଯାଉଛି। ତେବେ କେବଳ ଭିଆଇପି ସଂସ୍କୃତିକୁ ଦାୟୀ କଲେ ହେବନାହିଁ। ଏହା ସାଙ୍ଗକୁ ଅନ୍ୟ କେତେକ କାରଣ ରହିଛି ଯଥା ପ୍ରାଶାସନିକ ଅବ୍ୟବସ୍ଥା, ପୋଲିସର ବଳ ପ୍ରୟୋଗ ଏବଂ ପରିଚାଳନାଗତ ତ୍ରୁଟି। ତେବେ ଭିଆଇପି ସଂସ୍କୃତି ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।
ମୌନି ଅମାବାସ୍ୟାରେ ପ୍ରାୟ ୧୦ କୋଟି ଲୋକ ଅମୃତ ସ୍ନାନ କରିବେ ବୋଲି ପ୍ରଶାସନ ଆକଳନ କରିଥିଲା। ସେହିପରି ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହା କୁମ୍ଭରେ ଏ ଯାଏ ୧୨ କୋଟି ଲୋକ ବୁଡ଼ ପକାଇ ସାରିଥିବା ବେଳେ କୌଣସି ଅଘଟଣ ଘଟି ନଥିବାରୁ ପ୍ରଶାସନ ସବୁ ଶ୍ରେୟ ନେବାକୁ ଚାହିଁଥିଲା। ହେଲେ ଜାନୁଆରୀ ୨୯ ଦଳାଚକଟା ଘଟଣା ପ୍ରଶାସନିକ ବିଫଳତାକୁ ପଦାରେ ପକାଇ ଦେଇଛି।
ଭିଆଇପିଙ୍କ ଲାଗି ଭାସମାନ ପୋଲ ସବୁ ସଂରକ୍ଷିତ ରଖାଗଲା
……………………………………………………………
ପୁଲିସ୍ ଓ କୁମ୍ଭ ପ୍ରଶାସନ ୨୮ଟି ପୋଣ୍ଟୁନ ବ୍ରିଜ ବା ଭାସମାନ ପୋଲକୁ ଭିଆଇପିମାନଙ୍କ ପାଇଁ ବ୍ଲକ କରିବା ପରେ ମହାକୁମ୍ଭ ମେଳାରେ ଭିଡ଼ ଓ ଦଳାଚକଟାର ଆଶଙ୍କା ସୃଷ୍ଟି ହୋଇଥିଲା। ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଛୋଟ ଛୋଟ ରାସ୍ତା ଓ ଗଳି ରାସ୍ତା ଦେଇ ବୁଡ଼ ପକାଇବାକୁ ଯାଇଥିଲେ। ମଧ୍ୟାହ୍ନ ଯାଏ ଗୋଟିଏ ବୋଣ୍ଟୁନ୍ ବ୍ରିଜ ଖୋଲା ରହିବ ବୋଲି ଘୋଷଣା କରାଯିବାରୁ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ଯଥାଶୀଘ୍ର ସେହି ବାଟରେ ଗଙ୍ଗା ଅତିକ୍ରମ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଥିଲେ ବୋଲି ଜଣାପଡ଼ିଛି। ଜାନୁଆରୀ ୨୮ରେ ହିଁ ସଙ୍ଗମ ଘାଟରେ ଦଳଚକଟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପାଇଥିଲା। କାରଣ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ବଳପ୍ରୟୋଗ କରିଥିଲା। ତେଣୁ ଲୋକମାନେ ପୁଲିସ୍ ଠାରୁ ବର୍ତ୍ତିବାକୁ ଠେଲାପେଲା ହୋଇଥିଲେ। କିନ୍ତୁ ସୌଭାଗ୍ୟବଶତଃ କୌଣସି ଅଘଟଣ ଘଟି ନଥିଲା।
ଅଯଥା ଲାଉଡ୍ ସ୍ପିକରରେ ଘୋଷଣା
………………………………………………………………
ଅଘଟଣ ସନ୍ଧ୍ୟାରେ ଟଳିଥିଲେ ହେଁ ବିପର୍ଯ୍ୟୟ ରାତି ସମୟରେ ଆସିଥିଲା। ଗଙ୍ଗା ଘାଟରେ ସୂର୍ଯ୍ୟ ଅସ୍ତ ହେଉଥିବା ବେଳେ ଲାଉଡ ସ୍ପିକରରେ ଘୋଷଣା କରାଯାଇଥିଲା ଯେ ମୌନି ଅମାବାସ୍ୟା ତିଥି ଆରମ୍ଭ ହୋଇଗଲା। ବାସ୍ ଏହା ଶୁଣି ଶ୍ରଦ୍ଧାଳୁମାନେ ଗଙ୍ଗା, ଯମୁନା ଓ ସରସ୍ୱତୀର ମିଶ୍ରଣ ହୋଇଥିବା ସଙ୍ଗମ ଆଡ଼କୁ ଦୌଡ଼ି ଥିଲେ। ଅଧିକାଂଶ ଶ୍ରଦ୍ଧାଳୁ ଜାଣିଥିଲେ ଯେ ଅମୃତ ସ୍ନାନର ମୁହୂର୍ତ୍ତ ଭୋର ସମୟରେ ଆସିବ। ଏହା ଭାବି ହଜାର ହଜାର ଶ୍ରଦ୍ଧାଳୁ ଘାଟ ନିକଟରେ ହିଁ ଶୋଇ ପଡ଼ିଥିଲେ। ସେମାନେ ଏଠାରେ ରହି ଭୋରରୁ ବେଶ ସହଜରେ ଅମୃତ ସ୍ନାନ କରିବେ ବୋଲି ଆଶା ରଖିଥିଲେ। କିନ୍ତୁ ରାତି ପ୍ରାୟ ୧.୩୦ ବେଳେ ନୂଆ ଶ୍ରଦ୍ଧାଳୁଙ୍କ ଲହର ନଦୀ ମୁହାଁ ହୋଇଥିଲା। ଏହାକୁ ନଦୀ ଆଡ଼କୁ ଯାଇଥିବା ଗୋଟିଏ ଛୋଟ ରାସ୍ତାରେ ପୁଲିସ୍ ବଳପୂର୍ବକ ଅଟାଇବାକୁ ଉଦ୍ୟମ କରିଥିଲା। ୨୮ ଭାସମାନ ପୋଲ ଓ ଅନେକ ରାସ୍ତା ଭିଆଇପିଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଛୋଟ ଗଳିରେ ସାଧାରଣ ଶ୍ରଦ୍ଧାଳୁ ଅମୃତ ସ୍ନାନ ପାଇଁ ଯିବାକୁ ଉଦ୍ୟମ କରିଥିଲେ। ଯଦି ସବୁ ରାସ୍ତା ଖୋଲା ରହିଥାଆନ୍ତା, ତା’ହେଲେ ସମ୍ଭବତଃ ଭିଡ଼ ଜଣାପଡ଼ି ନଥାଆନ୍ତା। ସଙ୍ଗମ ସ୍ଥଳକୁ କାହିଁକି ଗୋଟିଏ ରାସ୍ତା ଖୋଲା ରହିଥିଲା, ତା’ର କାରଣ କେହି ବି କହୁ ନାହାନ୍ତି। ରାସ୍ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବାରୁ ଶ୍ରଦ୍ଧାଳୁମାନେ ଗୋଟିଏ ରାସ୍ତାରେ ଫସି ଯାଇଥିଲେ। ପ୍ରବଳ ଭିଡ଼ ଜମିବାରୁ ଲୋକମାନେ ଆତଙ୍କିତ ହୋଇଯାଇଥିଲେ। ସେମାନେ ଚିତ୍କାର ବି କରିଥିଲେ। ପୂର୍ବରୁ ଘାଟ ନିକଟରେ ଶୋଇଥିବା ଲୋକମାନେ ଭିଡ଼କୁ ଦେଖି ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। କିଛି ଲୋକ ନିକଟସ୍ଥ ଖମ୍ବ ଉପରେ ଚଢ଼ିବାକୁ ଚେଷ୍ଟା କରିବାରୁ ସ୍ଥିତି ଆହୁରି ଭୟଙ୍କର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଦଳାଚକଟା ସ୍ଥିତି ଦେଖିବାକୁ ମିଳିଥିଲା।
ଭିଆଇପି ସଂସ୍କୃତି ଲାଗି ପରିଚାଳନାରେ ତ୍ରୁଟି
………………………………………………………………
ଘଟଣା ସ୍ଥଳରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନେ ଭୟଙ୍କର ଦଳଚକଟା ପାଇଁ ସରକାର ଓ ପ୍ରଶାସନର ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି। ସେମାନଙ୍କ କହିବା କଥା ଯେ ଭିଆଇପି ସଂସ୍କୃତିକୁ ଏଡ଼ଇଥିଲେ ଦଳାଚକଟରାକୁ ଏଡ଼ା ଯାଇପାରି ଥାଆନ୍ତା। ତିନି ଦିନ ହେଲା ତ୍ରିବେଣୀ ସଙ୍ଗମକୁ ଯିବାକୁ ଚେଷ୍ଟା କରୁଥିବା ହରିୟାଣାର କିଛି ଯୁବ ଶ୍ରଦ୍ଧାଳୁ ନିଜର ହତାଶା ଭାବ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, “ଆମେ ବେଶ କିଛି ଦିନ ହେଲା ସ୍ନାନ କରିବାକୁ ପବିତ୍ର ସ୍ଥାନ ଖୋଜୁଥିଲୁ। ଏବେ ଆମେ ସେଠାରେ ପହଞ୍ଚିବା ପୂର୍ବରୁ ବିପର୍ଯ୍ୟୟ ଘଟିଛି। ଆମେ ଏବେ ଘରକୁ ଯାଉଛୁ। ଏହା ଏକ ଖରାପ ସଙ୍କେତ।”
ମହାରାଷ୍ଟ୍ରର ଜଣେ ମହିଳା ଦାବି କରିଛନ୍ତି ଯେ ପ୍ରଶାସନ ଜାଣିଶୁଣି ଲୋକମାନଙ୍କୁ ଏପରି ସ୍ଥିତିକୁ ଠେଲି ଦେଇଛି। ସେମାନେ ଚାହୁଁଥିଲେ ଯେ ଏଆଇ କ୍ୟାମେରା ଏହି ଭିଡକୁ କ୍ୟାପଚର କରୁ। ଏହାଦ୍ୱାରା ସେମାନେ ୪୪ କୋଟି ଲୋକ ଓ ମୌନି ଅମାବାସ୍ୟାରେ ୧୦ କୋଟି ଲୋକ ହୋଇଥିଲେ ବୋଲି ମିଥ୍ୟା ତଥ୍ୟ ଦେଇପାରିବେ। କିନ୍ତୁ ଏହାର ମୂଲ୍ୟ କ’ଣ?”
ମହାକୁମ୍ଭ ମେଳାରେ ଭିଆଇପିଙ୍କ ଫଟୋ ସୁଟ୍, ପ୍ରଚାର ଓ ବିଦେଶୀ ବ୍ୟକ୍ତିବିଶେଷଙ୍କ ଉପରେ ଫୋକସ କରାଯାଇଛି। ସାଧାରଣ ଶ୍ରଦ୍ଧାଳୁଙ୍କୁ ସତେ ଯେମିତି ସମସ୍ତେ ଭୁଲି ଯାଇଛନ୍ତି। ପର୍ଯ୍ୟଟନର ବିକାଶ ସ୍ୱାଗତଯୋଗ୍ୟ। କିନ୍ତୁ ଆସ୍ଥାକୁ ଯେତେବେଳେ ଗୋଟିଏ ମାର୍କେଟିଙ୍ଗ୍ ସୁଯୋଗ ଭାବେ ବ୍ୟବହାର କରାଯାଏ, ସେତେବେଳେ ବିପର୍ଯ୍ୟୟ ଆସିବା ନିଶ୍ଚିତ। ପ୍ରଶାସନିକ ବିଫଳତା ଯୋଗୁ ଏପରି ଘଟିଥିବା ବିରୋଧୀ ଦଳ ବି ଅଭିଯୋଗ କରିଛନ୍ତି। ସେମାନେ ଏପରି ଅଭିଯୋଗ କରିବା ସ୍ବଭାବିକ। ଏଥିଲାଗି ପ୍ରଶାସନ ସେମାନଙ୍କୁ ଏପରି ଅଭିଯୋଗ କରିବାକୁ ସୁଯୋଗ ଦେଇଛି।ମହାକୁମ୍ଭ ମେଳା ପ୍ରତି ୧୪୪ ବର୍ଷରେ ଥରେ ଆସେ। ଶାହି ସ୍ନାନ ବା ଅମୃତ ସ୍ନାନ ଅତ୍ୟନ୍ତ ବିରଳ ଓ ପବିତ୍ର। ତେଣୁ ଏଥପାଇଁ ପ୍ରଶାସନ ସେହି ଅନୁସାରେ ପଦକ୍ଷେପ ନେବାର ଥିଲା।
ଯଦି ପ୍ରଶାସନ ଲାଗି ଭିଆଇପି ଶ୍ରଦ୍ଧାଳୁମାନେ ଏତେ ମୂଲ୍ୟବାନ ଆଉ ଗୁରୁତ୍ଵପୂର୍ଣ୍ଣ, ତେବେ ସେମାନଙ୍କ ଲାଗି ଅନ୍ୟ ବ୍ୟବସ୍ଥା କରାଯାଇପାରିଥାଆନ୍ତା , ଯେପରିକି ସାଧାରଣ ଶ୍ରଦ୍ଧାଳୁ ଏପରି ଅଘଟଣର ସମ୍ମୁଖୀନ ହୋଇଥାଆନ୍ତେ। ଆମ ଦେଶରେ ସବୁବେଳେ ସାଧାରଣ ଜନତାଙ୍କୁ ଉପେକ୍ଷା କରାଯାଇ ଭିଆଇପି ମାନଙ୍କୁ ମାତ୍ରାଧିକ ସୁବିଧା ସୁଯୋଗ ଯୋଗାଇଦେବା ସମସ୍ତ ଅବ୍ୟବସ୍ଥା ଆଉ ଅଘଟଣର କାରଣ ବନୁଛି। ପ୍ରଶାସନ ଏ କଥା ଭୁଲିଯିବା ଉଚିତ ନୁହେଁ ଯେ ଏହି ସାଧାରଣ ଜନତାଙ୍କ ଭୋଟରେ ହିଁ ଏମାନେ ଭିଆଇପି ବନିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷାରେ ଭିଭିଆଇପି ଆଉ ଭିଆଇପିମାନେ ସାଧାରଣ ଜନତାଙ୍କ ପ୍ରଧାନ ସେବକ ଏବଂ ସେବକ ଅଟନ୍ତି। ଏ ନୀତି ବାକ୍ୟ ଆମ ନେତା ଆଉ ପ୍ରଶାସନ ଏତେ ଶୀଘ୍ର କିପରି ଭୁଲିଯାଉଛନ୍ତି