

ଆଲେଖ୍ୟ – ଜବାହର ମିଶ୍ର
…………………………………………………………………….
ଦେଶରେ ବ୍ରିଟିଶ୍ ଅମଳର ଟିକସ ବ୍ୟବସ୍ଥା ଏବେ ପରିବର୍ତ୍ତିତ ସମୟରେ ଅନୁପଯୋଗୀ ଆଉ ଅଦରକାରୀ ହୋଇଗଲାଣି। ସମୟ ବଦଳୁଛି। ପୁରୁଣା ସମୟ ଯାଇ ନୂଆ ସମୟ ଆସେ। ତାହା ସହିତ ତାଳ ଦେଇ ଲୋକଙ୍କ ଆର୍ଥିକ ସ୍ଥିତି ମଧ୍ୟ ବଦଳିଥାଏ । କିନ୍ତୁ ପୁରୁଣା ବ୍ୟବସ୍ଥା ନ ବଦଳିଲେ ଲୋକଙ୍କ ଅବସ୍ଥା କ୍ରମଶଃ ଦୁର୍ବିସହ ହୋଇଥାଏ। ଏଣୁ ମଝିରେ ମଝିରେ ପୁରୁଣା ଆଇନକୁ ହଟାଇବା ବା ଏଥିରେ ସଂଶୋଧନ ଆଣି ନୂଆ ଆଇନ ଆଣିବାର ନିହାତି ଆବଶ୍ୟକତା ରହିଛି। ସମୟ ପରିବର୍ତ୍ତନ ସହିତ ଆଇନରେ ପରିବର୍ତ୍ତନ ନ ହେବା ଫଳରେ ଏହାର ନକାରାତ୍ମକ ପ୍ରଭାବ ଅଯଥାରେ ଲୋକଙ୍କୁ ଭୋଗ କରିବାକୁପଡୁଛି। ଏହା ସତ୍ତ୍ଵେ ଦେଶ ସ୍ଵାଧୀନ ହେବାର ୭୭ ବର୍ଷ ପରେ ବି କୈାଣସି ସରକାର ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେଇନାହାନ୍ତି। ଫଳରେ ଆଜିଯାଏ ମଧ୍ୟମ ବର୍ଗ ଏଥି ସକାଶେ ସବୁ ଠାରୁ ଅଧିକ ପ୍ରଭାବିତ ହୋଇଆସିଛନ୍ତି।
ଟିକସ ମାଡ ଅଧିକ ହେଲେ ବି କୋଟିପତି ଧନୀମାନଙ୍କୁ ତାହା ବିଶେଷ ବାଧିନଥାଏ। ଅନେକ ବିତ୍ତଶାଳୀ ଲୋକ ଏହାର ପ୍ରଭାବରୁ ମୁକ୍ତ ରହିବାର ବାଟ ବି କାଢ଼ି ନିଅନ୍ତି। ଆଉ ରହିଲେ ନିମ୍ନ ବର୍ଗର ଲୋକେ ତଥା ଗରିବ ଶ୍ରେଣୀର ଲୋକ। ସେମାନଙ୍କର ଆୟର ପରିମାଣ ଆୟକର ଦେବାର ସୀମାର ଯଥେଷ୍ଟ ତଳେ ରହୁଥିବାରୁ ସେମାନେ ଆୟକରର ପ୍ରଭାବରୁ ମୁକ୍ତ ରହିଥାଆନ୍ତି। କିନ୍ତୁ ମଧ୍ୟମ ବର୍ଗ ଧନୀ ଆଉ ଦରିଦ୍ରଙ୍କ ମଝିରେ ରହି ବିଶେଷ ପ୍ରଭାବିତ ହୁଅନ୍ତି। ନା ସେମାନେ ଧନୀଙ୍କ ପରି ଆୟକର ଛାଟରୁ ଖସିଯିବାର ଉପାୟ ଜାଣିଛନ୍ତି ନା ଏହି ଛାଟ ମାଡରୁ ରକ୍ଷା ପାଇବା ପାଇଁ ସେମାନଙ୍କ ପାଖରେ “ଗରିବୀ” ନାମକ କବଚ ଅଛି। ଫଳରେ ଏଇମାନଙ୍କୁ ଆୟକରର ଛାଟମାଡର ପୀଡା ବେଶୀ ମାତ୍ରାରେ ସହିବାକୁ ପଡ଼ିଥାଏ। ଏଣୁ ମଧ୍ୟମ ବର୍ଗଙ୍କୁ ଟିକସ ତଥା ଆୟକରର ଛାଟ ଠାରୁ ଯଥେଷ୍ଟ ଦୂରତାରେ ରଖିବା ସହ ଏହାର ଆଧୁନିକୀକରଣ କରିବା ନିହାତି ଆବଶ୍ୟକ ହୋଇପଡିଛି।
ତେବେ ବିଳମ୍ବରେ ହେଲେ ବି ମୋଦି ସରକାର ଏଥିପ୍ରତି ଏବେ ସକାରାତ୍ମକ ଦୃଷ୍ଟି ପକାଇଛନ୍ତି, ଯାହାକି ମୋଦି ସରକାରଙ୍କ ୨୦୨୫ ବଜେଟରେ ପ୍ରତିଫଳିତ ହୋଇଛି। ଯଦିଓ ସରକାର ମଧ୍ୟମ ବର୍ଗଙ୍କୁ ଆୟକରର ଛାଟ ଭୟରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରିନାହାନ୍ତି, ତଥାପି ଅନେକଟା ଭୟମୁକ୍ତ ହୋଇ ହସିବା ଲାଗି ଯଥେଷ୍ଟ ରିହାତି ଆଣିଦେଇଛନ୍ତି।
ସରକାର ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ସମ୍ପୂର୍ଣ୍ଣ ଛାଡ଼ ଦେଇଛନ୍ତି ଏବଂ ଏହା ଉପରେ ଥିବା ସ୍ଲାବଗୁଡ଼ିକୁ ମଧ୍ୟ ସରଳ କରିଛନ୍ତି । ଏହା ସହିତ, ଏକ ନୂଆ ଟ୍ୟାକ୍ସ ଆଇନ ଆଣିବାର ଘୋଷଣା କରାଯାଇଛି । ଏହା ଦେଖାଯାଉଛି ଯେ ଏବେ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ଶେଷ ହେବାକୁ ଯାଉଛି ।
ସରକାର ଯେଉଁଭଳି ଭାବରେ ଏକ ନୂତନ ଟ୍ୟାକ୍ସ ଆଇନ ପ୍ରଣୟନ ଘୋଷଣା କରିଛନ୍ତି ଏବଂ ତା’ସହିତ ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ସମ୍ପୂର୍ଣ୍ଣ ଟିକସ ଛାଡ଼ ଦିଆଯାଇଛି, ତାହା ସୂଚାଇ ଦିଏ ଯେ ସରକାର ଖୁବ୍ ଶୀଘ୍ର ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ଯାଉଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ବଜେଟ ଅଭିଭାଷଣରେ ଏହା ସ୍ପଷ୍ଟ କରିଛନ୍ତି।
ନୂତନ ଟ୍ୟାକ୍ସ ବିଲ୍ କ’ଣ କରିବ – ଆଶା କରାଯାଉଛି ଯେ ନୂଆ ଟ୍ୟାକ୍ସ ବିଲ୍ ପୁରୁଣା ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ପ୍ରସ୍ତାବ ଦେବ, ଯାହାକୁ ସରକାରଙ୍କ ଦ୍ୱାରା ଅନୁମୋଦନ କରାଯିବ । ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ଦୃଷ୍ଟିରୁ ଏହି ଆର୍ଥିକ ବର୍ଷ ଶେଷ ବର୍ଷ ହେବ ବୋଲି କୁହାଯାଇପାରେ ।
ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ଶେଷ ହେଲେ କ’ଣ ହେବ- ପୁରୁଣା ଟିକସ ବ୍ୟବସ୍ଥା ସମାପ୍ତ ହେଲେ, କରଦାତାମାନେ ପିପିଏଫ, ଏନଏସସି ଓ ଏସଏସୱାଇ ଭଳି କ୍ଷୁଦ୍ର ନିବେଶ ଯୋଜନାରେ ନିବେଶ କରିବାକୁ ବହୁତ କମ୍ କିମ୍ବା କୌଣସି ପ୍ରୋତ୍ସାହନ ପାଇବେ ନାହିଁ ।
ନୂତନ ସିଷ୍ଟମରେ କ’ଣ ଅଛି –
ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ଧାରା ୮୦ ସି, ୮୦ ଡି ଇତ୍ୟାଦି ବିଭିନ୍ନ ଛାଡ଼ ଏବଂ କଟାଉଣ୍ଟକୁ ହଟାଇ ଦିଆଯାଇଛି । ଏହି ବ୍ୟବସ୍ଥାକୁ କରଦାତାଙ୍କ ପାଇଁ ସରଳ ଏବଂ ବୁଝିବା ସହଜ କରାଯାଇଛି ।
ନୂତନ ଟ୍ୟାକ୍ସ ବ୍ୟବସ୍ଥାର ଲାଭ – କମ ହାରରେ ଟ୍ୟାକ୍ସ ଆଦାୟ କରି କରଦାତାମାନେ ଆର୍ଥିକ ଲାଭ ପାଆନ୍ତି ।
ଟିକସ ରିଟର୍ଣ୍ଣ ଫାଇଲ୍ କରିବା ସହଜ ହୋଇଯାଏ, ଛାଡ଼ ଏବଂ କଟ୍ ଚିନ୍ତାରୁ ମୁକ୍ତି ମିଳିଥାଏ । ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି ପାଏ, ଯାହା କରଦାତାଙ୍କ ବିଶ୍ୱାସକୁ ଦୃଢ଼ କରେ ।
ନୂତନ ଟ୍ୟାକ୍ସ ବ୍ୟବସ୍ଥାର ସମସ୍ୟା- ଯେଉଁ କରଦାତାମାନେ ପୂର୍ବରୁ ବିଭିନ୍ନ ଛାଡ଼ ଏବଂ ରିହାତି ପାଉଥିଲେ, ସେମାନେ ଏହି ବ୍ୟବସ୍ଥାରେ କ୍ଷତି ସହିପାରନ୍ତି । ଉଚ୍ଚ ଆୟ ଗୋଷ୍ଠୀ କରଦାତାଙ୍କ ପାଇଁ ଏହି ବ୍ୟବସ୍ଥା ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ତୁଳନାରେ କମ୍ ଲାଭଦାୟକ ହୋଇପାରେ ।
ଭାରତରେ କେତେ ଜଣ ଲୋକ ନୂଆ ଏବଂ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାରେ ଅଛନ୍ତି- ଭାରତରେ ନୂଆ ଆୟ କର ବ୍ୟବସ୍ଥା ଗ୍ରହଣ କରୁଥିବା କରଦାତାଙ୍କ ସଂଖ୍ୟା ମୋଟ କରଦାତାଙ୍କ ମଧ୍ୟରୁ ୭୨ ପ୍ରତିଶତ । ଯେତେବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଆୟକର ଦାଖଲ କରାଯାଇଥିଲା, ୭୨% ଲୋକ ନୂତନ ଟିକସ ବ୍ୟବସ୍ଥାକୁ ବାଛିଥିଲେ, ଯେତେବେଳେ ପୁରୁଣା ଟିକସ ବ୍ୟବସ୍ଥା ପ୍ରତି ଭ୍ରମ ଦେଖାଯାଇଥିଲା । ଏହାର ଅର୍ଥ ହେଉଛି ଯେ ବାକି ଲୋକମାନେ ମଧ୍ୟ ନୂତନ ଟିକସ ବ୍ୟବସ୍ଥା ଆଡ଼କୁ ମୁହାଁଇବେ ।
ନୂଆ ଟ୍ୟାକ୍ସ ଆଇନ କ’ଣ କରିବ – ଭାରତ ସରକାରଙ୍କ ନୂଆ ଟ୍ୟାକ୍ସ ଆଇନ ଅନେକ ପରିବର୍ତ୍ତନ ଆଣିପାରେ । ୨୦୨୫ ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଘୋଷଣା କରିଥିଲେ । ଏହି ନୂଆ ଆଇନ ୧୯୬୧ ମସିହାର ପୁରୁଣା ଆୟକର ଆଇନକୁ ବଦଳାଇବ । ଲକ୍ଷ୍ୟ ହେଉଛି ଏହାକୁ ସରଳ ଏବଂ ବୁଝିବା ସହଜ କରିବା। ନୂତନ ଆଇନ ଜଟିଳତା ହ୍ରାସ କରିବା ଏବଂ ଅନାବଶ୍ୟକ ବ୍ୟବସ୍ଥା ଦୂର କରିବା ଉପରେ ଧ୍ୟାନ ଦେବ । ଏହା କରଦାତାଙ୍କ ପାଇଁ ପ୍ରକ୍ରିୟାକୁ ସରଳ କରିବା ପାଇଁ ଲକ୍ଷ୍ୟ ରଖିଛି । ନୂଆ ଆଇନ “ନ୍ୟାୟ” ପ୍ରଦାନ କରିବ । ଏହା ଏବେକାର ବିଲ୍ ଅପେକ୍ଷା ସରଳ ହେବ, ଯାହା ଆଇନଗତ ବିବାଦର ସଂଖ୍ୟା ହ୍ରାସ କରିବ ।
-କରଦାତା ଏବଂ ବିଶେଷଜ୍ଞଙ୍କଠାରୁ ମତାମତ ନେବା ଏବଂ ଆବଶ୍ୟକୀୟ ସଂଶୋଧନ କରିବା ପାଇଁ ଆଇନର ଡ୍ରାଫ୍ଟ ସାଧାରଣ ମତାମତ ପାଇଁ ପ୍ରକାଶ କରାଯିବ ।
– ଏହି ନୂଆ ଟ୍ୟାକ୍ସ ଆଇନର ଲକ୍ଷ୍ୟ କେବଳ କରଦାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ନୁହେଁ ବରଂ ଭାରତର ଟିକସ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ।
– ତେବେ ସେ ଯାହା ହେଉ ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ନ୍ୟାୟରେ ମଧ୍ୟମ ବର୍ଗଙ୍କୁ ଯଥେଷ୍ଟ ଟିକସ ରିହାତି ପ୍ରଦାନ କରି ସେମାନଙ୍କୁ ଟିକିଏ ଭଲ କରି ହସିବାର ସୁଯୋଗ ଆଣିଦେବ