
ନାକ୍ ରେଟିଙ୍ଗ୍ ପାଇଁ ଲାଞ୍ଚ ମାମଲା ନେଇ ଓଡ଼ିଶା ସମେତ ଦେଶର ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ସିବିଆଇ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ୩୭ ଲକ୍ଷ ନଗଦ ଟଙ୍କା, ୬ଟି ଲାପଟପ୍ ଏବଂ ଆଇ-ଫୋନ ଜବତ ହୋଇଛି । ଶିକ୍ଷାନୁଷ୍ଠାନର ଅଧିକାରୀ ଓ ନାକ୍ ଟିମ୍ ସଦସ୍ୟଙ୍କ ନାମରେ ମାମଲା ରୁଜୁ ହୋଇଛି । ଓଡ଼ିଶା ସମେତ ଚେନ୍ନାଇ, ବାଙ୍ଗାଲୋର, ବିଜୟ ୱାଡା, ପାଲମୁ, ଭୋପାଳ ଦିଲ୍ଲୀ ଆଦି ଅଞ୍ଚଳରେ ଚଢାଉ ହୋଇଛି ।
ଏହି ଚଢ଼ାଉ ସମୟରେ ସମ୍ବଲରପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସରଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ। ଏହି ଗିରଫ ତାଲିକାରେ ନାକ୍ ଟିମ୍ ସଦସ୍ୟ ମଧ୍ୟ ରହିଛନ୍ତି। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଏକ ୱାଦେଶ୍ୱରମ୍ ନାମକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ସେହି ଅଭିଯୋଗ ଆଧାରରେ ଗତକାଲି ଦେଶର ୧୦ଟି ବିଶ୍ୱ ବିଦ୍ୟାଳୟରେ ଛାନ୍ଭିନ୍ କରିଥିଲେ ସିବିଆଇ। ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ପହଞ୍ଚି ଖୋଳତାଡ଼ କରିଥିଲେ । ଦୀର୍ଘ ସମୟ ଧରି ଯାଂଚ ପରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ଡକ୍ଟର ବୁଲୁ ମହାରଣାଙ୍କୁ ଗିରଫ କରିଛନ୍ତି ସିବିଆଇ ଅଧିକାରୀ । ସେ ନାକ୍ ଟିମ୍ର ସଦସ୍ୟ ଅଛନ୍ତି । ସୂତ୍ରରୁ ଆହୁରି ପ୍ରକାଶ ଯେ ଏହି ଦୁର୍ନୀତି ମାମଲାରେ ସିବିଆଇ ଜେଏନୟୁର ଜଣେ ପ୍ରଫେସରଙ୍କ ସମେତ ଜାତୀୟ ମୂଲ୍ୟାଙ୍କନ ଏବଂ ମାନ୍ୟତା ପରିଷଦ (NAAC) ଯାଞ୍ଚ କମିଟିର ଅଧ୍ୟକ୍ଷ ଏବଂ ୬ ଜଣ ସଦସ୍ୟଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ ଯେ ଜାତୀୟ ମୂଲ୍ୟାଙ୍କନ ଏବଂ ମାନ୍ୟତା ପରିଷଦ (NAAC) ହେଉଛି ଭାରତର ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ସେମାନଙ୍କର କାର୍ଯ୍ୟଦକ୍ଷତା ଆଧାରରେ ପ୍ରଦାନ କରାଯାଇଥିବା ଏକ ଗ୍ରେଡ୍। NAAC ହେଉଛି ଏକ ସ୍ୱୟଂଶାସିତ ସାର୍ବଜନୀନ ସଂସ୍ଥା ଯାହା ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପ୍ରଦାନ କରେ।