
ଆଲେଖ୍ୟ – ଓମକାର ମିଶ୍ର
…………………………………………………………………….. ଟିମ୍ ଇଣ୍ଡିଆରେ “ସବ୍ ଗୋଲମାଲ୍ ହେଁ ଭାଇ ସବ୍ ଗୋଲମାଲ୍”
……………………………………………………………………
ସମ୍ପ୍ରତି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଏବେ ଘୋର ଦୁର୍ଗତି ମଧ୍ୟରେ ଗତି କରୁଛି। ଦଳ ଏବେ ବଳହୀନ , ନେତୃତ୍ଵବିହୀନ ଏବଂ ଅସଂଗଠିତ ଅବସ୍ଥାରେ ଥିବା ଲକ୍ଷଣୀୟ ହୋଇଛି। ୨୦୦୬ ମସିହା ପରେ ଦଳ ପ୍ରଥମ ଥର ଲାଗି ଏପରି ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିଛି। ୨୦୦୬ରେ ଗ୍ରେଗ ଚ୍ୟାପେଲ ଦଳର କୋଚ୍ ଥିବାବେଳେ ଦଳ ଏ ପ୍ରକାର ଅବସ୍ଥାରେ ପଡିଥିଲା। ତେବେ ଧୋନୀ ଅଧିନାୟକ ହେବା ପରେ ଅବସ୍ଥା ସୁଧୁରି ଦଳ ଖୁବ୍ ଶକ୍ତିଶାଳୀ ହୋଇଥିଲା ।୧୯ ବର୍ଷ ପରେ ପୁଣି ସେହି ଦୁର୍ଦ୍ଦଶା ଦଳକୁ ଗ୍ରାସ କରିବା ବଡ ଚିନ୍ତାର ବିଷୟ ହୋଇଛି। ଦଳର କୋଚଙ୍କ ଦିଶାହୀନ କୋଚିଙ୍ଗ, ଅଧିନାୟକ ରୋହିତ ଶର୍ମାଙ୍କ ତ୍ରୁଟିଯୁକ୍ତ ଅଧିନାୟକତ୍ଵ ଆଉ ତାଙ୍କର ଦୁର୍ବଳ ପ୍ରଦର୍ଶନ ଏବଂ ଦଳ ମଧ୍ୟରେ ବିବାଦ ଦଳର ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିଛି। ତାହାରି ମଧ୍ୟରେ ଦଳର ଅଧିନାୟକ ପଦ ହାତେଇବା ଲାଗି କିଛି ବରିଷ୍ଠ ଖେଳାଳୀଙ୍କ ଷଡ଼ଯନ୍ତ୍ର ଦଳର ପ୍ରଦର୍ଶନକୁ ଆହୁରି ଅସୁବିଧାରେ ପକାଇଛି। ଏହାରି ଉପରେ ଏଠାରେ ଏକ ସ୍ବତନ୍ତ୍ର ଆଲେଖ୍ୟର ଉପସ୍ଥାପନ କରାଯାଇଛି।
ମିଷ୍ଟର୍ ଫିକ୍ସ୍ ଇଟ୍ କିଏ ?
…………………………………………………………………….
ଟିମ୍ ଇଣ୍ଡିଆରେ ଚାଲିଛି କଣ? କାହିଁକି ଦଳ କଙ୍ଗାରୁ ମାଟିରେ ବାରମ୍ବାର ହାରୁଛି? ଦଳର ବରିଷ୍ଠ ଖେଳାଳିମାନେ କରୁଛନ୍ତି କଣ? କାହିଁକି ସେମାନଙ୍କର ବ୍ୟାଟ ଧିମେଇ ଯାଇଛି? ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୨-୧ରେ ପଛୁଆ ରହିବା ପଛର କାରଣ କ’ଣ? ଏଭଳି ଅନେକ ପ୍ରଶ୍ନ ଏବେ ଭାରତୀୟ ଦଳର ମୁଣ୍ଡବ୍ୟଥାର କାରଣ ପାଲଟିଛି ।
ଏହା ମଧ୍ୟରେ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର କରିଛନ୍ତି ଏକ ବଡ଼ ଖୁଲାସା । ଟିମ୍ ଇଣ୍ଡିଆରେ ଯେ କିଛି ଗଡ଼ବଡ଼ ଚାଲିଛି, ଏହା ଗମ୍ଭୀରଙ୍କ ବୟାନରୁ ମିଳୁଛି ସ୍ପଷ୍ଟ ସଙ୍କେତ । ଡ୍ରେସିଂ ରୁମର ‘ବିବାଦ’ ସାବର୍ଜନିକ ହେବା ଅନୁଚିତ ବୋଲି କହିଛନ୍ତି କୋଚ । ତେଣୁ ଡ୍ରେସିଂ ରୁମରେ କ’ଣ ବିବାଦ ହୋଇଥିଲା, ତାହାକୁ ନେଇ ଏବେ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ ।
ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆକୁ ପରାଜୟ ଆଶଙ୍କା ଘାରିବାରେ ଲାଗିଛି । ଏହା ମଧ୍ୟରେ ଡ୍ରେସିଂ ରୁମର ମାହୋଲ ଠିକ୍ ନଥିବାର ମିଳିଛି ଆଭାସ । ଟେଷ୍ଟ କ୍ରିକେଟରେ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀଙ୍କୁ ନେଇ ମାହୋଲ ହୋଇଉଠିଛି ସରଗରମ୍ । ସିଡନୀ ଟେଷ୍ଟ ପରେ ରୋହିତ ନେଇପାରନ୍ତି ବଡ଼ ନିଷ୍ପତ୍ତି । ଟିମ୍ ଇଣ୍ଡିଆର ଜଣେ ଖେଳାଳି ଅଧିନାୟକ ହେବା ପାଇଁ ନିଜର ନାମ ପ୍ରସ୍ତାବ ରଖିଛନ୍ତି । ଏନେଇ ସାମ୍ନାକୁ ଆସିଛି କିଛି ରିପୋର୍ଟ ।
ତେବେ ଅଧିନାୟକ ହେବାକୁ ଚାହୁଁଥିବା ଏହି ଖେଳାଳିଙ୍କ ନାମ ରିପୋର୍ଟର ଖୁଲାସା କରାଯାଇ ନାହିଁ । ସେ ଜଣେ ସିନିୟର ଖେଳାଳି ବୋଲି କୁହାଯାଇଛି । ଟିମକୁ ବର୍ତ୍ତମାନର ସ୍ଥିତିରୁ ସୁଧାରିବାକୁ ସେ ନିଜକୁ ‘Mr. Fix It’ ବୋଲି ମଧ୍ୟ କହିଛନ୍ତି । କୌଣସି ଯୁବ ଖେଳାଳି ଅଧିନାୟକ ପଦ ସମ୍ଭାଳିବା ଠିକ୍ ହେବ ନାହିଁ । କାରଣ ସେମାନଙ୍କ ନିକଟରେ ଏକ ଲମ୍ବା ରାସ୍ତା ପଡ଼ିଛି ବୋଲି ଏହି ଖେଳାଳି ଜଣଙ୍କ ମଧ୍ୟ କହିଛନ୍ତି । ଯଶସ୍ବୀ ଜୟସ୍ବାଲ, ନୀତୀଶ ରେଡ୍ଡୀ, ଓ୍ବାଶିଂଟନ ସୁନ୍ଦର, ହର୍ଷିତ ରାଣା, ଆକାଶ ଦୀପ, ମହମ୍ମଦ ସିରାଜ ବହୁତ ଯୁବ ଖେଳାଳି । ଅନ୍ତର୍ଜାତୀୟ କ୍ରିକେଟରେ ସେମାନଙ୍କର ଯଥେଷ୍ଟ ଅଭିଜ୍ଞତା ହୋଇନାହିଁ । ତେଣୁ ସେମାନେ ଟିମ୍ ଇଣ୍ଡିଆର ଦାୟିତ୍ବ ସମ୍ଭାଳିବାକୁ କେବେ ବି ଭାବିବେ ନାହିଁ । ସିରିୟର ଖେଳାଳିଙ୍କ ମଧ୍ୟରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ଆସୁଛନ୍ତି ।
ଅନ୍ୟପକ୍ଷରେ ରୋହିତ ଏବେ ଟେଷ୍ଟ କ୍ୟାପ୍ଟେନ ଥିବାବେଳେ ବିରାଟ ପୁନର୍ବାର ଦାୟିତ୍ବ ନେବା ସପକ୍ଷରେ ଯାଇ ନ ପାରନ୍ତି । କାରଣ ଅତୀତରେ ସେ ଟେଷ୍ଟ ଅଧିନାୟକ ପଦ ଛାଡ଼ିଥିଲେ । ବୁମରାହା ଏବେ ଟେଷ୍ଟରେ ଉପ-ଅଧିନାୟକ । ରାହୁଲ ଓ ପନ୍ତଙ୍କର ଆଇପିଏଲରେ ଅଧିନାୟକ ଭାବେ ଅଭିଜ୍ଞତା ରହିଛି । ଜାଡେଜା ମଧ୍ୟ ଚେନ୍ନାଇ ପାଇଁ କିଛି ମ୍ୟାଚରେ କ୍ୟାପ୍ଟେନ ଦାୟିତ୍ବ ସମ୍ଭାଳିଥିଲେ । ଏଭଳି ସ୍ଥିତିରେ କ୍ରିକେଟର ବଡ଼ ଫର୍ମାଟ ପାଇଁ ବୁମରାହା ହୋଇପାରନ୍ତି ପ୍ରଥମ ପସନ୍ଦ । ବୁମରାହାଙ୍କ ନେତୃତ୍ବରେ ଭାରତ ପର୍ଥ ଟେଷ୍ଟ ଜିତିଥିଲା । ତେଣୁ ରୋହିତଙ୍କ ସ୍ଥାନ ନେବା ପାଇଁ ବୁମରାହା ହିଁ ଏକନମ୍ବର ପ୍ରାର୍ଥୀ। ରାହୁଲ ଓ ପନ୍ତ ଉପ ଅଧିନାୟିକ ପଦ ପାଇଁ ଦାବିଦାର ହୋଇପାରନ୍ତି ।
ସବୁ କେଁ ଡ୍ରେସିଙ୍ଗ ରୁମ୍ ଭିତରେ
………………………………..
ଡ୍ରେସିଂ ରୁମ ସଚ୍ଚୋଟ ଲୋକଙ୍କ ହାତରେ ରହିଲେ ଭାରତୀୟ କ୍ରିକେଟ ସୁରକ୍ଷିତ ରହିବ, ଏପରି କହିଛନ୍ତି କୋଚ ଗମ୍ଭୀର । ଡ୍ରେସିଂ ରୁମର ଆଲୋଚନା ଡ୍ରେସିଂ ରୁମରେ ହିଁ ରହିବା ଉଚିତ ବୋଲି ସେ କହିଛନ୍ତି । ଟିମ୍ ଇଣ୍ଡିଆର ଦୁଇ ଜଣ ଖେଳାଳି ଅଧିନାୟକ ପଦ ପାଇଁ ଆଶାୟୀ ଥିବା ଏକ ରିପୋର୍ଟରେ କୁହାଯାଇଛି । ଅଷ୍ଟ୍ରେଲିଆ ମାଟିରେ କିଛି ଖାସ୍ କରିପାରିବେ ବୋଲି ଏହି ଦୁଇ ଖେଳାଳି କରିଛନ୍ତି ବଡ଼ ଦାବି । ତେବେ ରିପୋର୍ଟକୁ ବିଶ୍ବାସକୁ ନେବା ସହଜ କଥା ନୁହେଁ । ସିଡିନ ଟେଷ୍ଟ ପରେ ପୂରା ମାମଲାର ସତ୍ୟାସତ୍ୟ ସାମ୍ନାକୁ ଆସିପାରେ ।
ରୋହିତ ଶର୍ମା ଦଳରୁ ପୁରା ବିଦା ହେବେ ?
,……………………………………………………………………
ଟିମ୍ ଇଣ୍ଡିଆ ଫ୍ୟାନ୍ସକୁ ଲାଗିଛି ବଡ଼ ଝଟକା । ରୋହିତ ଶର୍ମାଙ୍କୁ ସିଡନୀ ଟେଷ୍ଟରୁ ବାଦ୍ ଦିଆଯାଇଛି। ତାଙ୍କ ଖରାପ ପ୍ରଦର୍ଶନ ପାଇଁ ଟିମ୍ ମ୍ୟାନେଜମେଣ୍ଟ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ନିକଟରେ ଭାରତୀୟ ଡ୍ରେସିଂ ରୁମ୍ ବିଷୟରେ ଆଲୋଚନା ଲିକ୍ ହୋଇଥିଲା, ସେବେଠାରୁ ବିଶ୍ୱାସ କରାଯାଉଥିଲା ଯେ ଟିମ୍ ଇଣ୍ଡିଆ ଭିତରେ ସବୁକିଛି ଠିକ୍ ଠାକ୍ ନାହିଁ।
ଏଥି ସହିତ ରୋହିତଙ୍କ ଫର୍ମକୁ ଦେଖି ସିଡନୀ ଟେଷ୍ଟ ତାଙ୍କ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ ହୋଇପାରେ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ଶେଷ ମ୍ୟାଚରୁ ଭାରତୀୟ ଅଧିନାୟକଙ୍କୁ ଛାଡି ଦିଆଯାଇଥିଲା।
ଏଭଳି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ରୋହିତ ଟିମ୍ ଇଣ୍ଡିଆ ପାଇଁ ଖେଳି ପାରିବେ କି? ସେ ଟିମ୍ ଇଣ୍ଡିଆ ପାଇଁ ଖେଳିବା ଜାରି ରଖିବେ ନା ଅବସର ଘୋଷଣା କରିବେ? ତାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ।
ରୋହିତ ଶର୍ମା ଟେଷ୍ଟରେ ରନ୍ ସ୍କୋର କରିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନର ସିରିଜରେ ସେ ୩, ୬, ୧୦, ୨ ଏବଂ ୯ ରନ୍ ସ୍କୋର କରିଛନ୍ତି । ଏହାର ଅର୍ଥ ହେଉଛି ଭାରତୀୟ ଅଧିନାୟକ ହାରାହାରି ୬.୨୦ ରେ ୫ ଇନିଂସରେ ମୋଟ ୩୧ ରନ୍ ସଂଗ୍ରହ କରିଛନ୍ତି।
ଏହା ସହିତ ତାଙ୍କ ଅଧିନାୟକତ୍ୱ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା, କାରଣ ଟିମ୍ ଇଣ୍ଡିଆ କ୍ରମାଗତ ପରାଜୟର ସମ୍ମୁଖୀନ ହେଉଥିଲା । ମେଲବୋର୍ଣ୍ଣ ଟେଷ୍ଟ ପରେ ଖବର ଆସିଥିଲା ଯେ ସେ ବର୍ତ୍ତମାନ ଟେଷ୍ଟରୁ ଅବସର ନେବାକୁ ଯାଉଛନ୍ତି ଏବଂ ଶେଷ ଥର ପାଇଁ ସିଡନୀରେ ଟେଷ୍ଟ ଖେଳିବେ। କିନ୍ତୁ ରୋହିତଙ୍କୁ ସୁଯୋଗ ନ ଦେବା ହେଉଛି ମ୍ୟାନେଜମେଣ୍ଟର ଏକ ବଡ଼ ନିଷ୍ପତ୍ତି ।
ଉଲ୍ଲେଖଯୋଗ୍ୟ ଯେ ରୋହିତ ଟି -୨୦ ଫର୍ମାଟ ଛାଡି ସାରିଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଟେଷ୍ଟ କ୍ୟାରିୟର ମଧ୍ୟ ସମାପ୍ତ ହୋଇଛି। ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ସେ ଶୀଘ୍ର ଅବସର ଘୋଷଣା କରିପାରନ୍ତି। କିନ୍ତୁ ଗତ କିଛି ଦିନ ମଧ୍ୟରେ ଯାହା ଘଟିଛି, ସେ କେବଳ ଟେଷ୍ଟରୁ ଅବସର ନେବେ ନା ODI ରୁ ମଧ୍ୟ ଏକ ବଡ଼ ପ୍ରଶ୍ନ।
ସୂଚନାଯୋଗ୍ୟ ଯେ, ଚାମ୍ପିଅନ୍ସ ଟ୍ରଫି ଆସନ୍ତା ମାସରୁ ଖେଳାଯିବ, ଏପରି ପରିସ୍ଥିତିରେ ଯଦି ରୋହିତ ODI ଫର୍ମାଟ ଛାଡିଦିଅନ୍ତି ତେବେ ଏହା ଟିମ୍ ଇଣ୍ଡିଆ ପାଇଁ ଏକ ବଡ ଝଟକା ହୋଇପାରେ।
ପ୍ରତ୍ୟେକ ଦଳ ବଡ଼ ଟୁର୍ନାମେଣ୍ଟରେ ଅଭିଜ୍ଞତା ଆବଶ୍ୟକ କରନ୍ତି । ରୋହିତ ଶର୍ମା ଏପର୍ଯ୍ୟନ୍ତ ୨ ଟି ଚାମ୍ପିଅନ୍ସ ଟ୍ରଫି ଖେଳିଛନ୍ତି। ୨୦୧୩ ରେ, ସେ ଭାରତୀୟ ଦଳର ଏକ ଅଂଶ ଯିଏକି ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ । ଏହା ବ୍ୟତୀତ ତାଙ୍କ ବ୍ୟାଟ୍ ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ବହୁତ ଭଲ ଖେଳିଥିଲା ଏଥି ସହିତ ସେ ତାଙ୍କର ଶେଷ ଏକ ଦିବସୀୟ ସିରିଜରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ।
ଶ୍ରୀଲଙ୍କା ଗସ୍ତରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜରେ ସେ ହାରାହାରି ୫୨.୩୩ ଏବଂ ୨ ଟିଅର୍ଦ୍ଧଶତକ ହାସଲ କରି ୧୫୭ ରନ୍ ସ୍କୋର କରିଥିଲେ। ନିକଟ ଅତୀତରେ ସେ ହ୍ୱାଇଟ ବଲ୍ କ୍ରିକେଟ୍ ରେ ମଧ୍ୟ ବହୁତ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି।
ରୋହିତଙ୍କୁ କାହିଁକି ବାଦ୍ ଦିଆଗଲା ?
…………………………………………………………………..
ରିପୋର୍ଟ ଅନୁସାରେ, ୫ମ ଟେଷ୍ଟର ଶେଷ ଟ୍ରେନିଂ ସେସନରେ ସମସ୍ତେ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଉପସ୍ଥିତ ଥିଲେ। ଏହି ସମୟରେ ରୋହିତ ଓ ମୁଖ୍ୟକୋଚ୍ ଗୌତମ ଗମ୍ଭୀରଙ୍କ ମଧ୍ୟରେ କୌଣସି ପ୍ରକାରର ତାଳମେଳ ନଥିବା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ବରୁ ରୋହିତ ୫ମ ଟେଷ୍ଟ ଖେଳିବେ ନାହିଁ ବୋଲି ସଙ୍କେତ ମିଳିଥିଲା। କିନ୍ତୁ ଗୁରୁବାର ଅଭ୍ୟାସ ବେଳେ ସବୁ କିଛିର ନିଷ୍ପତ୍ତି ହୋଇଥିଲା।
ରୋହିତ ୮ଟି ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ କରିଛନ୍ତି। ତେଣୁ ଗମ୍ଭୀର ତାଙ୍କ ରଣନୀତିରେ ରୋହିତଙ୍କୁ ଆଉ ସାମିଲ କରିବା ମୁଡରେ ନାହାନ୍ତି। ରୋହିତ ମଧ୍ୟ ଅଭ୍ୟାସ ସେସନରେ ବଲକୁ ଠିକ ଭାବେ କନେକ୍ଟ କରିବାରେ ବିଫଳ ହୋଇଥିଲେ। ଟି ଦିଲ୍ଲୀପଙ୍କ ଥ୍ରୋ ଡାଉନକୁ ମିସ କରି ସେ ବୋଲ୍ଡ ମଧ୍ୟ ହୋଇଥିଲେ। ସେ ବଲକୁ ବ୍ୟାଟରେ ଠିକ୍ ଭାବେ ମିଡଲିଙ୍ଗ୍ କରିବାରେ ବିଳମ୍ବ କରୁଥିବା ତାଙ୍କ ବ୍ୟାଟିଙ୍ଗରୁ ସ୍ପଷ୍ଟ ଭାବେ ଦେଖିବାକୁମିଳିଥିଲା।
ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ରୋହିତଙ୍କ ସାଇଡ ନେଟ୍ସରେ ନୀତୀଶ କୁମାର ରେଡ୍ଡୀ ଅଭ୍ୟାସ କରୁଥିଲେ। ସେ ବଲକୁ ବ୍ୟାଟରେ ମିଡଲ କରୁଥିବାବେଳେ ରୋହିତ ବଲକୁ ମିସ୍ କରୁଥିଲେ। ମୁଖ୍ୟ କୋଚ ଗମ୍ଭୀର ଯୁବ ତାରକା ନୀତୀଶ କୁମାରଙ୍କ ନେଟ୍ସ ପାଖରେ ଛିଡ଼ା ହୋଇ ତାଙ୍କୁ ସବୁ କିଛି କହୁଥିଲେ।
ରୋହିତ ଅଭ୍ୟାସ କରିସାରିବା ପରେ ବୁମରାହା ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ସେଠାରୁ ଚାଲି ଯାଇଥିଲେ। କିନ୍ତୁ ଗମ୍ଭର ନେଟ୍ସରେ ଉପସ୍ଥିତ ରହିଥିଲେ। ଏହି ମିଟିଙ୍ଗ୍ ସମୟରେ ରୋହିତ ୫ମ ଟେଷ୍ଟରେ ବିଶ୍ରାମ ନେବେ ବୋଲି ନିଷ୍ପତ୍ତି ହୋଇଥିବା କୁହାଯାଉଛି।
ମିଟିଙ୍ଗର ୪୫ ମିନିଟରୁ ରୁ ୧ ଘଣ୍ଟା ପରେ ଅଧିକାଂଶ ଖେଳାଳୀ ନେଟ ଅଞ୍ଚଳରେ ଲାଗିଥିବା ପ୍ରସ୍ଥାନ ଦ୍ୱାର ଦେଇ ବସ୍ ପାଖକୁ ଆସିଥିଲେ। କିନ୍ତୁ ରୋହିତ ଟିମ୍ ସହ ଆସି ନଥିଲେ। ସେ ଅନ୍ୟ ଏକ ଗେଟ୍ ପଟେ ବାହାରକୁ ଆସିବା ସହ ବସରେ ବସିଥିଲେ।
ଗମ୍ଭୀର କୋଚ୍ ପଦରୁ ବିଦା ହେବେ !
…………………………………………………………………….
ବଡ ବିପଦରେ ପଡ଼ି ଟଳମଳ ହେଉଛି ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଚେୟାର । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପରେ ଗୌତମ ଗମ୍ଭୀରଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ହଟାଇ ଦିଆଯାଇପାରେ । ରିପୋର୍ଟରେ ଦର୍ଶାଯାଇଛି ଯେ ଗୌତମ ଗମ୍ଭୀରଙ୍କ ସ୍ଥାନରେ ଭି,ଭି,ଏସ୍, ଲକ୍ଷ୍ମଣ ଦଳର କୋଚିଙ୍ଗ ଦାୟୀତ୍ବ ଗ୍ରହଣ କରିବେ।
ଭିଭିଏସ୍ ଲକ୍ଷ୍ମଣ ଇଂଲଣ୍ଡ ଗସ୍ତରେ ଦଳର ମୁଖ୍ୟ ପ୍ରଶିକ୍ଷକ ହେବେ। ଖବର ଅନୁଯାୟୀ ଗୌତମ ଗମ୍ଭୀରଙ୍କୁ କେବଳ ଟେଷ୍ଟ ଦଳର କୋଚିଂରୁ ହଟାଇ ଦିଆଯିବ ଏବଂ ସେ ସୀମିତ ଓଭର ଫର୍ମାଟରେ ଦଳ ସହ ରହିବେ ।
ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଦଳରେ ଯୋଗଦେବା ପରଠାରୁ ବିବାଦ ଲାଗି ରହିଛି । ତାଙ୍କ କୋଚିଂ ଅଧୀନରେ ଦଳର ପ୍ରଦର୍ଶନ ଉନ୍ନତି ପରିବର୍ତ୍ତେ ଖରାପ ହୋଇଯାଇଛି । ପ୍ରଥମେ ତାଙ୍କ କୋଚିଂ ଅଧୀନରେ ଦଳ ଶ୍ରୀଲଙ୍କାକୁ ODI ସିରିଜ୍ ହାରିଲା । ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ମାଟିରେ 0-3 ପରାଜୟ ବରଣ କରିଲା । ବର୍ତ୍ତମାନ ଭାରତ ଗାଭାସ୍କର ଟ୍ରଫି ମଧ୍ୟ ହାରିବାକୁ ଯାଉଛି । କେବଳ ଏତିକି ନୁହେଁ ଗୌତମ ଗମ୍ଭୀର ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କିଛି ଠିକ ନାହିଁ । ଭଉୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଛି । ଦୁଇଜଣଙ୍କ ଭିତରେ ମନମତାନ୍ତର ଯୋଗୁ ନିଷ୍ପତ୍ତି ଠିକ ଭାବରେ ନିଆଯାଇପାରେ ନାହିଁ । ଅନେକ ଖେଳାଳି ଗୌତମ ଗମ୍ଭୀରଙ୍କ କୋଚିଂ ଶୈଳୀକୁ ପସନ୍ଦ କରନ୍ତି ନାହିଁ, ଯାହାର ପ୍ରଭାବ ବର୍ତ୍ତମାନ ଗ୍ରାଉଣ୍ଡରେ ଦେଖିବାକୁ ମିଳୁଛି ।