

ଦେଶର ପ୍ରତିଟି ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ପରିଚୟପତ୍ର ଆଧାର କାର୍ଡ ଭଳି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଅଟୋମେଟେଡ୍ ପର୍ମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି ବା ଅପାର ଆଇଡି ପ୍ରସ୍ତୁତ ପାଇଁ ଯୋଜନା କରାଯାଇଛି। ରାଜ୍ୟରେ ନୂତନ ଜାତୀୟ ଶିକ୍ଷାନୀତି (ଏନ୍ଇପି) ଲାଗୁ ହେବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଅପାର ଆଇଡିକୁ ବାଧ୍ୟତାମୂଳକ କରାଯାଇଛି।
କିନ୍ତୁ ଏଥିରେ ପ୍ରମୁଖ ପ୍ରତିବନ୍ଧକ ସାଜିଛି ଆଧାର କାର୍ଡ। ୟୁଡାଇଜ୍ + ରେ ଅପ୍ଲୋଡ୍ ହୋଇଥିବା ନାମ ଓ ଜନ୍ମ ତାରିଖ ସହ ଆଧାର କାର୍ଡ ତଥ୍ୟ ମେଳ ନ ଖାଇଲେ ଏହା ହୋଇପାରୁନାହିଁ। ତେଣୁ ଆଧାରକାର୍ଡରେ ରହିଯାଇଥିବା ନାମ ଓ ଅନ୍ୟାନ୍ୟ ତଥ୍ୟର ତ୍ରୁଟି ସଂଶୋଧନ କରିବାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ଛାତ୍ରଛାତ୍ରୀ। ଏହି ସଂଶୋଧନ ପାଇଁ ୨ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରିକି କିଛି ଅଭିଭାବକ ଅର୍ଥାଭାବରୁ ଆଧାର ସଂଶୋଧନ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ ଅପାର ଆଇଡିକୁ ବାଧ୍ୟତାମୂଳକ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଏକାଧିକବାର ଅପାର ଆଇଡି କାମ ସାରିବାକୁ ବିଦ୍ୟାଳୟଗୁଡ଼ିକୁ ତାଗିଦ କରାଯାଉଛି। ସେହି ଅନୁସାରେ ଶିକ୍ଷକମାନେ ତତ୍ପରତା ପ୍ରକାଶ କଲା ବେଳକୁ ଅଧାର କାର୍ଡ ବାଧକ ସାଜୁଛି। ନାମ ସଂଶୋଧନର ଜଟିଳ ପ୍ରକ୍ରିୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ ପେଷି ହେବା ସହ ଆର୍ଥିକ ବୋଝ ସହୁଛନ୍ତି।
ଆଧାର ସଂଶୋଧନ ପାଇଁ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ପାଖରେ ଆଫିଡେଫିଟ୍ କରିବାକୁ ପଡ଼ୁଛି। ଏଥିପାଇଁ ପ୍ରାୟ ୪୫୦ ଟଙ୍କା ଦେବାକୁ ପଡ଼ୁଛି। ଏହାପରେ କୌଣସି ଏକ ସମ୍ବାଦପତ୍ରରେ ତାହାର ବିଜ୍ଞାପନ ପ୍ରକାଶ ପାଇଁ ୧ ହଜାରରୁ ୩ ହଜାର ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି। ପୁଣି ସରକାରୀ ଫି' ବାବଦକୁ ପ୍ରାୟ ୫୪୦ ଟଙ୍କା ପୈଠ କରିବାକୁ ପଡ଼ୁଛି। ଫଳରେ କେବଳ ଆଧାରକାର୍ଡ ସଂଶୋଧନ କରିବାକୁ ଜଣକୁ ଅତିକମ୍ରେ ଦୁଇ ହଜାରରୁ ୫ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି।
ଅଭିଭାବକଙ୍କ କହିବା କଥା, ପିଲାଙ୍କ ଜନ୍ମ ପ୍ରମାଣପତ୍ର ଦେଇ ସେମାନେ ଆଧାର କାର୍ଡ ଆବେଦନ କରନ୍ତି। ହେଲେ କର୍ମଚାରୀମାନେ ଖାମଖିଆଲି ଭାବେ ଡାଟା ଏଣ୍ଟ୍ରି କରି ବିଭିନ୍ନ ତ୍ରୁଟି କରିଥା'ନ୍ତି। ଯେପରିକି ପ୍ରିୟଙ୍କାକୁ ଇଂରାଜୀ ବନାନରେ ତ୍ରୁଟି କରି ପ୍ରିଙ୍କା, ସୋନାଲିକୁ ସୋମାଲି କରିଦେଉଛନ୍ତି। ଆଧାର କେନ୍ଦ୍ରର ତ୍ରୁଟି ପାଇଁ ସେମାନେ କାହିଁକି ଆର୍ଥିକ କ୍ଷତି ସହିବେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଏପରିକି ଆଉ କିଛି ଅଭିଭାବକ ସିଧାସଳଖ ସରକାରୀ ବ୍ୟବସ୍ଥାକୁ ଦୋଷ ଦେଇ ଆର୍ଥିକ ଶୋଷଣ କରାଯାଉଥିବା ଅଭିଯୋଗ କରିଛନ୍ତି।
ଅପାର ଆଇଡିକୁ ନେଇ ସଂପ୍ରତି ସରକାରୀ ବିଦ୍ୟାଳୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଭାବକମାନେ ଅପାର ଆଇଡି କରିବାକୁ ଆଧାର ସଂଶୋଧନ କରିବାକୁ ମନା କରୁଛନ୍ତି। ଆର୍ଥିକ ଭାବେ ସ୍ୱଚ୍ଛଳ ଥିବା ଅଭିଭାବକ ମଧ୍ୟ ଆଧାର ସଂଶୋଧନ ପାଇଁ ମାସାଧିକ ସମୟ ଲାଗୁଥିବାରୁ ଅମଙ୍ଗ ହେଉଛନ୍ତି। ଶିକ୍ଷକ ତଥା ବିଇଡି ଶିକ୍ଷକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କୁମାର ପଣ୍ଡା କହିଛନ୍ତି, ଅପାର ଆଇଡି କରିବା ସମୟରେ ଆଧାର କାର୍ଡରୁ ପିଲାଙ୍କ ନାମ, ଠିକଣା, ଜନ୍ମ ତାରିଖ, ଫଟୋ ଓ ଅନ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ଏଣୁ ଆଧାର ବାଧ୍ୟତାମୂଳକ ହୋଇଥିବାରୁ ପିଲାଙ୍କ ଆଧାର ସଂଶୋଧନ କରିବା କ୍ଷେତ୍ରରେ ସରକାର ସ୍ୱତନ୍ତ୍ର ପଦକ୍ଷେପ ନିଅନ୍ତୁ। ଯାହାଦ୍ୱାରା ସେମାନେ ଖର୍ଚ୍ଚାନ୍ତ ହେବେନାହିଁ ଓ ବହୁମୂଲ୍ୟ ସମୟ ବଞ୍ଚିପାରିବ। ସୂଚନାଯୋଗ୍ୟ ଯେ, ଅପାର ପରିଚୟପତ୍ରରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ତଥ୍ୟ, କ୍ରୀଡ଼ା କାର୍ଯ୍ୟକଳାପ ଏବଂ ପାଠ୍ୟକ୍ରମ ସହିତ ସମସ୍ତ ଶିକ୍ଷାଗତ କାର୍ଯ୍ୟକଳାପର ତଥ୍ୟ ଏକାଠି ରହିବ। ସେହିପରି ବିଭିନ୍ନ ଛାତ୍ରବୃତ୍ତି, ଶିକ୍ଷା ଋଣ, ପୁରସ୍କାର, ସରକାରୀ ଯୋଜନାରେ ଲାଭାନ୍ୱିତ ହେବାରେ ଏହି ଆଇଡି ବ୍ୟବହାର ହେବ। ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିବର୍ତ୍ତନ କଲେ ମଧ୍ୟ ଏହି ଅପାର ଆଇଡି ପରିବର୍ତ୍ତନ ହେବନାହିଁ। ଦେଶର ଯେକୌଣସି ରାଜ୍ୟର ବିଦ୍ୟାଳୟରେ ନାମ ଲେଖାଇବା ସମୟରେ ଏହି ପରିଚୟପତ୍ର ସମାନ ରହିବ। ପ୍ରାଥମିକ ଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକକ ପରିଚୟପତ୍ର ଭାବେ ବ୍ୟବହୃତ ହେବ।