
ରାଜ୍ୟରେ ଏବେ ବି ଆଳୁ ସଙ୍କଟ ଅବ୍ୟାହତ ରହିଛି। ଏହା ସୁଧୁରିବାର ନାଁ ନେଉନାହିଁ। ଆଳୁର ଅଭାବ ଆଉ ତା ସହିତ ଅହେତୁକ ଦର ବୃଦ୍ଧି ଖାଉଟୀଙ୍କୁ ବଡ ଦହଗଞ୍ଜ କଲାଣି।
ଏପରି ସ୍ଥିତିରେ ରାଜ୍ୟରେ ଆଳୁ ସଂକଟ ପାଇଁ ସରକାର ଓ ବିରୋଧୀ ଦଳ ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଛନ୍ତି । କିନ୍ତୁ ସରକାର ଓ ବିରୋଧୀଙ୍କ ବୟାନବାଜି ଭିତରେ ପୁଣି ଥରେ ଆଳୁ ଦର ଉପରମୁହାଁ ହୋଇଛି । ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ପଶ୍ଚିମ ବଙ୍ଗରୁ ଆସୁନି ଆଳୁ ଗାଡି । ସେଥିରେ ପୁଣି ବଢ଼ିଚାଲିଛି ଦର । କଟକରେ ଆଳୁ କିଲୋ ୪୦ ଟଙ୍କା ଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ଆଳୁ କିଲୋ ୪୦ ଟଙ୍କା ରହିଛି ।ସେହିପରି ବ୍ରହ୍ମପୁରରେ ଆଳୁ କିଲୋ ୩୫ ଟଙ୍କା ଥିବା ବେଳେ ରାଉରକେଲାରେ ଆଳୁ କିଲୋ ୩୫ ଟଙ୍କା ରହିଛି ।ରାଜ୍ୟର ପ୍ରମୁଖ ଅଞ୍ଚଳରେ ଏ ହେଉଛି ଆଜିର ଆଳୁଦର । ଏହି ଦରକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ପୁଣି ଥରେ କେମିତି ଦାମ୍ ବଢ଼ିଯାଇଛି । ଦୁଇ ଦିନ ତଳେ ଆଳୁ କିଲୋପିଛା ୩୦ ଟଙ୍କା ଦାମରେ ବିକ୍ରି ହେଉଥିବାବେଳେ ଏବେ ହଠାତ୍ ପୁଣି ଥରେ ୪୦ଟଙ୍କାରେ ପହଁଚିଛି । ପୁଣି ଥରେ ଆଳୁ ଦର ବୃଦ୍ଧି ପାଇବାରୁ ଗ୍ରାହକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଗ୍ରାହକଙ୍କ ଭିତରେ ଅସନ୍ତୋଷ ବଢୁଥିବାବେଳେ ଦୁଇ ଦିନ ହେଲା ଆଳୁ ଗାଡି ଆସିନଥିବାରୁ ଦର ବଢ଼ିଛି ବୋଲି କହିଛନ୍ତି ବ୍ରହ୍ମପୁର ବ୍ୟବସାୟୀ । ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି କହିଛନ୍ତି, ୟୁପିରୁ ଯେଉଁ ଆଳୁ ଆସୁଥିଲା କ୍ଷତି ହେଉଥିବାରୁ ତାହା ଆଉ ଆସୁନାହିଁ । ପଶ୍ଚିମବଙ୍ଗ ଆଳୁ ଗାଡି ଛାଡୁନାହିଁ । ଯାହାଫଳରେ ଏମିତି ସମସ୍ୟା ଦେଖାଦେଇଛି । ଦୋକାନୀ ବି ଚିନ୍ତାରେ ପଡିଛି ।
ଗୋଟିଏ ପଟେ ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣରେ ଅଛି ବୋଲି ସରକାର କହୁଛନ୍ତି । ଅନ୍ୟପଟେ ମାତ୍ର ଦୁଇ ଦିନରେ କିଲୋପିଛା ଦର ୫ରୁ ୧୦ଟଙ୍କା ବଢିବା, ଖାଉଟିଙ୍କୁ ଚିନ୍ତାରେ ପକାଇଛି । ପ୍ରଶ୍ନ ଉଠୁଛି, ଆଉ କେତେ ଦିନ ଆଳୁ ଦର ବୃଦ୍ଧି ଯୋଗୁଁ କ୍ଷତି ସହିବେ ଖାଉଟି ? ସରକାର ଏ ବିଷୟରେ ଅବଗତ ଅଛନ୍ତି ନାଁ ସବୁ ଜାଣିଶୁଣି ଚୁପ୍ ବସିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି