


……………………………………………………………………
ନିକଟରେ ଏକ ଡିକ୍ଲାସିଫାଏଡ୍ ସିଆଇଏ ଦଲିଲ ସାମ୍ନାକୁ ଆସିଛି, ଯେଉଁଥିରେ ଦାବି କରାଯାଇଛି ଯେ ଶୀତଳ ଯୁଦ୍ଧ ସମୟରେ ସୋଭିଏତ୍ ସୈନିକ ଏବଂ ଏଲିଅନ୍ ମଧ୍ୟରେ ଏକ ସଂଘର୍ଷ ହୋଇଥିଲା। ଯେଉଁଥିରେ ୨୩ ଜଣ ସୈନିକ ପଥରରେ ପରିଣତ ହୋଇଥିଲେ। ଏହି ଘଟଣା ୧୯୮୯ କିମ୍ବା ୧୯୯୦ ମସିହାରେ ସାଇବେରିଆରେ ଏକ ସାମରିକ ଆକ୍ରମଣ ସମୟରେ ଘଟିଥିବା କୁହାଯାଉଛି।
ଏହି ଦଲିଲ ୨୦୦୦ ମସିହାରେ ଡିକ୍ଲାସିଫାଏଡ୍ ହୋଇଥିଲା ଏବଂ ଏହା ଏକ ୨୫୦ ପୃଷ୍ଠାର କେଜିବି(ସୋଭିଏତ ଗୁଇନ୍ଦା ସଂସ୍ଥା) ରିପୋର୍ଟରୁ ଉଦ୍ଧୃତ। ଯାହା ସୋଭିଏଟ୍ ୟୁନିଅନ୍ ଭାଙ୍ଗିବା ପରେ ସିଆଇଏ ହାତକୁ ଆସିଥିଲା ବୋଲି ଜଣାପଡିଛି।
ଘଟଣାର ବିବରଣୀ:
ରିପୋର୍ଟ ଅନୁସାରେ, ସୋଭିଏଟ୍ ସୈନିକମାନେ ସାଇବେରିଆରେ ସେନା ପ୍ରଶିକ୍ଷଣ କରୁଥିବା ବେଳେ ଏକ ଅଜଣା ଉଡ଼ନ୍ତା ବସ୍ତୁ (ୟୁଏଫ୍ଓ) ଦେଖିଥିଲେ। ଅଜଣା କାରଣରୁ ସୈନିକମାନେ ଏହା ଉପରେ ସର୍ଫେସ୍-ଟୁ-ଏୟାର ମିସାଇଲ୍ ମାଡ଼ କରିଥିଲେ। ଯାହା ଫଳରେ ୟୁଏଫ୍ଓ ଭୂପୃଷ୍ଠରେ ଖସି ପଡ଼ିଥିଲା। ଏହାପରେ ଧ୍ୱଂସସ୍ତୂପରୁ ପାଞ୍ଚଟି ଛୋଟ ଆକୃତିର ମାନବସଦୃଶ ଜୀବ, ଯେଉଁମାନଙ୍କର ବଡ଼ ମୁଣ୍ଡ ଏବଂ ବଡ ବଡ଼ କଳା ଆଖି ଥିଲା, ସେମାନେ ବାହାରି ଥିଲେ। ଏହି ଜୀବମାନେ ଏକାଠି ହୋଇ ଏକ ଗୋଲାକାର ଆକୃତିରେ ପରିଣତ ହୋଇଥିଲେ ଏବଂ ଏକ ପ୍ରବଳ ଆଲୋକ ସହ ବିସ୍ଫୋରଣ ଘଟାଇଥିଲେ। ଏହି ବିସ୍ଫୋରଣରେ ୨୫ ଜଣ ସୈନିକଙ୍କ ମଧ୍ୟରୁ ୨୩ ଜଣ ପଥର ସ୍ତମ୍ଭରେ ପରିଣତ ହୋଇଥିଲେ। କେବଳ ଦୁଇଜଣ ସୈନିକ, ଯେଉଁମାନେ ଲୁଚିଯାଇଥିଲେ, ସେମାନେ ବଞ୍ଚି ଯାଇଥିଲେ।
ବୈଜ୍ଞାନିକ ଅନୁସନ୍ଧାନ:
କେଜିବି ରିପୋର୍ଟ ଅନୁସାରେ, ‘ପଥର’ ହୋଇଯାଇଥିବା ସୈନିକଙ୍କ ଶରୀର ଏବଂ ୟୁଏଫ୍ଓର ଅବଶେଷକୁ ମସ୍କୋ ନିକଟସ୍ଥ ଏକ ଗୁପ୍ତ ବୈଜ୍ଞାନିକ ଗବେଷଣା କେନ୍ଦ୍ରକୁ ନିଆଯାଇଥିଲା। ସୋଭିଏତ୍ ବୈଜ୍ଞାନିକମାନେ ନିଷ୍କର୍ଷ ବାହାର କରିଥିଲେ ଯେ ଏକ ‘ଅଜଣା ଶକ୍ତି ଉତ୍ସ’ ସୈନିକଙ୍କ ଜୈବିକ ଗଠନକୁ ତତକ୍ଷଣାତ୍ ପରିବର୍ତ୍ତନ କରି ସେମାନଙ୍କୁ ଚୂନପଥର ସଦୃଶ ଏକ ପଦାର୍ଥରେ ରୂପାନ୍ତରିତ କରିଥିଲା।
ସିଆଇଏର ମନ୍ତବ୍ୟ:
ସିଆଇଏ ଦଲିଲରେ କୁହାଯାଇଛି, “ଯଦି କେଜିବି ଫାଇଲ୍ ବାସ୍ତବତା ସହ ସଙ୍ଗତି ରଖେ, ତେବେ ଏହା ଏକ ଅତ୍ୟନ୍ତ ଭୟଙ୍କର ମାମଲା। ଏଲିଅନମାନେ ଏଭଳି ଅସ୍ତ୍ରଶସ୍ତ୍ର ଏବଂ ପ୍ରଯୁକ୍ତିବିଦ୍ୟା ରଖିଛନ୍ତି ଯାହା ଆମର ସମସ୍ତ ଅନୁମାନକୁ ଅତିକ୍ରମ କରେ।” ଏକ ସିଆଇଏ ପ୍ରତିନିଧି ଏହି ଘଟଣାକୁ “ଏଲିଅନମାନଙ୍କ ପ୍ରତିଶୋଧର ଏକ ଭୟଙ୍କର ଚିତ୍ର” ବୋଲି ବର୍ଣ୍ଣନା କରିଛନ୍ତି।
ଅନ୍ୟାନ୍ୟ ସୂତ୍ର:
ଏହି ଘଟଣା ପ୍ରଥମେ କାନାଡାର ‘ଉଇକ୍ଲି ଓ୍ଵାର୍ଲ୍ଡ ନ୍ୟୁଜ୍’ ଏବଂ ୟୁକ୍ରେନର ‘ହୋଲୋସ୍ ୟୁକ୍ରେନି’ ଖବରକାଗଜରେ ୧୯୯୩ ମସିହାରେ ପ୍ରକାଶ କରିଥିଲା। ତେବେ ଏହି ଡିକ୍ଲାସିଫାଏଡ ରିପୋର୍ଟରେ ଅନେକ ଫଟୋଗ୍ରାଫ୍, ଚିତ୍ର ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନ୍ତର୍ଭୁକ୍ତ ଥିବା କୁହାଯାଇଛି।
ସନ୍ଦେହ ଏବଂ ଆଲୋଚନା:
ଅନେକ ବିଶେଷଜ୍ଞ ଏହି ରିପୋର୍ଟର ସତ୍ୟତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ପୂର୍ବତନ ସିଆଇଏ ଏଜେଣ୍ଟ ମାଇକ୍ ବେକର କହିଛନ୍ତି ଯେ ଏହି ରିପୋର୍ଟ ବାସ୍ତବତାଠାରୁ ଅଧିକ କାଳ୍ପନିକ ଲାଗୁଛି। କେତେକ ସୂତ୍ର ମଧ୍ୟ ଏହାକୁ ‘ଉଇକ୍ଲି ଓ୍ଵାର୍ଲ୍ଡ ନ୍ୟୁଜ୍’ ପରି ଅଖ୍ୟାତିପ୍ରାପ୍ତ ଖବରକାଗଜରୁ ଉଦ୍ଧୃତ ହୋଇଥିବାରୁ ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ଏହି ଡିକ୍ଲାସିଫାଏଡ୍ ଦଲିଲ ବର୍ତ୍ତମାନ ବିଶ୍ୱବ୍ୟାପୀ ଆଲୋଚନାର ବିଷୟ ହୋଇଛି। ଏହା ଏଲିଅନମାନଙ୍କ ଅସ୍ତିତ୍ୱ ଏବଂ ସେମାନଙ୍କର ଉନ୍ନତ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ନୂଆ ପ୍ରଶ୍ନ ଉଠାଇଛି। ଯଦିଓ ଏହାର ସତ୍ୟତା ଅନିଶ୍ଚିତ ରହିଛି ତେବେ ଏହି ଅବିଶ୍ୱସନୀୟ ଘଟଣା ପ୍ରତି ମାନବ ମନର କୌତୂହଳକୁ ପୁଣି ଥରେ ଜାଗ୍ରତ କରିଛି।
ଅଧ୍ୟାତ୍ମ ବିଜ୍ଞାନୀଙ୍କ ମତ
…………………………………….
ଅନେକ ବିଶେଷଜ୍ଞ ଏହି ରିପୋର୍ଟର ସତ୍ୟତା ଉପରେ ସନ୍ଦେହ ପ୍ରକାଶ କରାଯାଇଥିବା ଯାହା କୁହାଯାଇଛି, ସେ ସମ୍ପର୍କରେ ବିଶିଷ୍ଟ ଅଧ୍ୟାତ୍ମ ବିଜ୍ଞାନୀ ତଥା ବରିଷ୍ଠ ସାମ୍ବାଦିକ ଜବାହର ମିଶ୍ର ସ୍ଵକୀୟ ମତ ପ୍ରଦାନ କରି କହିଛନ୍ତି ଯେ ଆଜିର ଆଧୁନିକ ବିଜ୍ଞାନର ଯୁଗରେ ମଣିଷକୁ ପଥରରେ ରୂପାନ୍ତରିତ କରିଦେବା ବିଷୟକୁ ସନ୍ଦେହ କରିବା ସ୍ଵାଭାବିକ। ଶହେ ଦୁଇ ଶହ ବର୍ଷ ତଳେ ଏ କଥା କହିଥିଲେ ସେତେବେଳେ ଯେ କେହି ଏ କଥାଟିକୁ ସହଜରେ ବିଶ୍ଵାସ କରିନେଇଥାଆନ୍ତେ। ସେତେବେଳେ ଲୋକେ ଚମତ୍କାରୀତାକୁ ଆଇ ମା କାହାଣୀ ପରି ସତ ମନେ କରୁଥିଲେ। ଏବେ ବିଜ୍ଞାନର ଯୁଗରେ ଠୋସ୍ ବୈଜ୍ଞାନିକ ପ୍ରମାଣ ବିନା କୈାଣସି ବିଷୟକୁ ସତ୍ୟ ବୋଲି ସ୍ଵୀକାର କରାଯାଇନଥାଏ।
ଶ୍ରୀ ମିଶ୍ର ପୁଣି କହିଛନ୍ତି ଯେ ତେବେ ଆଜିର ବୈଜ୍ଞାନିକମାନେ ଏ କଥା କିନ୍ତୁ ସ୍ଵୀକାର କରିଛନ୍ତି ଯେ ଅନ୍ୟ ଦୂରଦୂରାନ୍ତ ଗ୍ରହର ବାସୀ ଏଲିଏନମାନେ ବିଜ୍ଞାନ ଆଉ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମ ଠାରୁ ଯଥେଷ୍ଟ ଆଗରେ। ଯଦି ବିଜ୍ଞାନ ଆଉ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମାନେ ଆମ ଠାରୁ ଯଥେଷ୍ଟ ଆଗରେ, ତେବେ ସେମାନେ କାହିଁକି ସେମାନଙ୍କ ସେହି ଅତି ଉନ୍ନତ ବିଜ୍ଞାନ ଆଉ ପ୍ରଯୁକ୍ତିବିଦ୍ୟା ବଳରେ ମଣିଷକୁ ପଥରରେ ପରିବର୍ତ୍ତିତ କରିନଥିବେ। ବିଜ୍ଞାନ ଏହା ସ୍ଵୀକାର କରେ ଯେ କୈାଣସି ପଦାର୍ଥ ଭିତରେ ଥିବା ଇଲେକ୍ଟ୍ରନ ଅନୁପରମାଣବିକ କଣିକାଗୁଡିକର ସଂଖ୍ୟାକୁ ଅନ୍ୟ ଏକ ସଂଖ୍ୟାରେ ପରିବର୍ତ୍ତିତ କଲେ ସେହି ପଦାର୍ଥଟି ଅନ୍ୟ ଏକ ପଦାର୍ଥରେ ପରିଣତ ହୋଇପାରିବ। ଯେପରି କି ଲୁହାରେ ୨୬ଟି ଇଲେକ୍ଟ୍ରନ ଅଛି। ଯଦି ଏହାକୁ କୈାଣସି ପ୍ରକାରେ ୭୯ କରିଦିଆଯାଇପାରେ, ତେବେ ସେହି ଲୁହାଟି ଏକ ସୁନା ଧାତୁ ଖଣ୍ଡରେ ପରିଣତ ହୋଇଯିବ।ଆମର ବୈଜ୍ଞାନିକମାନେ ଯଦିଓ ଏହି ତଥ୍ୟ ଜାଣିପାରିଛନ୍ତି, କିନ୍ତୁ ଗୋଟିଏ ପଦାର୍ଥରେ ଥିବା ଇଲେକ୍ଟ୍ରନ କଣିକା ସଂଖ୍ୟାକୁ ଅନ୍ୟ ଏକ ସଂଖ୍ୟାରେ ପରିବର୍ତ୍ତିତ କରି ତାକୁ ଅନ୍ୟ ଏକ ପଦାର୍ଥରେ ପରିଣତ କରିବାର ବିଦ୍ୟା ଏ ଯାଏ ହସ୍ତଗତ କରିପାରିନାହାନ୍ତି। କିନ୍ତୁ ଏଲିଏନମାନେ ଆମ ଠାରୁ ବିଜ୍ଞାନ ଆଉ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଯଥେଷ୍ଟ ଅଗ୍ରଣୀ ହୋଇଥିବାରୁ ସେମାନେ ହୁଏତ ଏହି ପଦାର୍ଥରେ ଥିବା ଇଲେକ୍ଟ୍ରନ ସଂଖ୍ୟାକୁ ଅନ୍ୟ ଏକ ସଂଖ୍ୟାରେ ପରିବର୍ତ୍ତିତ କରି ତାକୁ ଅନ୍ୟ ଏକ ପଦାର୍ଥରେ ପରିଣତ କରିବାର ଟେକନିକ୍ ଜାଣିଥିବାରୁ ମଣିଷକୁ ପଥରରେ ରୂପାନ୍ତରିତ କରିଥାଇପାରନ୍ତି, ଯଦି ସି,ଆଇ,ଏ, ରିପୋର୍ଟ ସଠିକ ହୋଇଥାଏ। ଏ ସମ୍ପର୍କରେ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ମନୁଷ୍ୟ ଏବଂ ସମସ୍ତ ପଶୁ ପକ୍ଷୀଙ୍କ ଶରୀର ମଧ୍ୟ ଗୋଟିଏ ଗୋଟିଏ ସ୍ଥୂଳ ପଦାର୍ଥ। ଏଣୁ ଶରୀର ଗୁଡିକରେ ଥିବା ଇଲେକ୍ଟ୍ରନ ସଂଖ୍ୟାକୁ ପରିବର୍ତ୍ତନ କରିପାରିଲେ ମନୁଷ୍ୟ ଇତ୍ୟାଦି ସମସ୍ତ ପ୍ରାଣୀଙ୍କ ଶରୀର ଅନ୍ୟ ଏକ ଶରୀରରେ ବି ପରିଣତ ହୋଇପାରିବ। ମନୁଷ୍ୟକୁ ବାଘ, ଭାଲୁରେ ପରିଣତ କରାଯାଇପାରିବ, ବାଘ, ଭାଲୁ ଇତ୍ୟାଦି ପଶୁଙ୍କୁ ମଣିଷରେ କି ଅନ୍ୟ କୈାଣସି ପଶୁ କି ପକ୍ଷୀରେ ପରିବର୍ତ୍ତିତ କରାଯାଇପାରିବ। ପୂର୍ବ କାଳରେ ଭାରତର ଋଷିଗଣ ଏବଂ ଅତି ବିଶିଷ୍ଟ ତନ୍ତ୍ର ସାଧକ ଏହି ଶରୀର ପରିବର୍ତ୍ତନ ବିଦ୍ୟାରେ ଅତି ନିପୁଣ ଥିଲେ। ଅହଲ୍ୟାଙ୍କୁ ତାଙ୍କ ସ୍ଵାମୀ ମହର୍ଷି ଗୌତମ ମନ୍ତ୍ର ବିଦ୍ୟା ବଳରେ ପଥରରେ ପରିଣତ କରିଦେଇଥିଲେ। ସେହିପରି ଆଜି କି ଚାରି ଶହ ବର୍ଷ ତଳେ ଓଡ଼ିଶା ଏବଂ କାମରୂପ ଇତ୍ୟାଦିରେ ବି ମନୁଷ୍ୟକୁ ତନ୍ତ୍ର ବିଦ୍ୟା ବଳରେ ଦିନରେ ମେଣ୍ଢା କରି ରଖାଯାଉଥିଲା ଆଉ ରାତିରେ ପୁଣି ମଣିଷ କରାଯାଉଥିବାର ଲୋକକଥା ପ୍ରଚଳିତ ରହିଛି। ଏବେ ବି ବନାଞ୍ଚଳରେ ଏପରି ତନ୍ତ୍ରସାଧକ ଅଛନ୍ତି, ଯେଉଁମାନେ ରାତିରେ କୁଆଡେ ବାଘ ରୂପ କି ଅନ୍ୟ ପଶୁ ରୂପ ଧାରଣ କରିଥାଆନ୍ତି। ତନ୍ତ୍ର ମନ୍ତ୍ର ବି ଏକ ସୂକ୍ଷ୍ମ ବିଜ୍ଞାନ ଆଧାରିତ ବିଦ୍ୟା। ଏଣୁ ଏଲିଏନମାନେ ବି ସେପରି କୈାଣସି ସୂକ୍ଷ୍ମ ବିଜ୍ଞାନ ବଳରେ ସୈନିକଙ୍କୁ ପଥରରେ ପରିଣତ କରିଥିବା କୈାଣସି ଅସମ୍ଭବ ବ୍ୟାପାର ହୋଇନଥିବ।