

ଓଡ଼ିଶାରେ ଏବେ ବି କଣ ଚାଲିଛି ଅଫିସରରାଜ? ୭ ମାସ ପୂର୍ବେ ଓଡ଼ିଶାରେ ଅଫିସରରାଜ ଚାଲିଥିବା କଥା ବିରୋଧୀ ଦଳରେ ଥିବାବେଳେ ଖୋଦ୍ ବିଜେପି ହିଁ କହୁଥିଲା।ଏବେ ବିଜେପି ସରକାରରେ ଅଛି। ତଥାପି କଣ ରାଜ୍ୟରେ ଅଫିସରରାଜର ଅବସାନ ଘଟିନାହିଁ ନା ଅଫିସରମାନଙ୍କ ଠାରୁ ସେ ମାନସିକତା ଦୂର ହୋଇନାହିଁ? ନିକଟରେ ରାଜ୍ୟ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟରେ କଟନୀ ଛଟନୀ ସମ୍ପର୍କିତ ଯେଉଁ ବିବୃତି ଦେଇଛନ୍ତି, ତାହା ଏହା ହିଁ ସିଦ୍ଧ କରିଛି ଯେ ଦଳ ଶାସନ କ୍ଷମତାକୁ ଆସିବାର ୭ ମାସ ମଧ୍ୟରେ ଅଫିସରମାନଙ୍କ ସେହି ପୂର୍ବ ମାନସିକତା ଦୂର କରିପାରିନାହାନ୍ତି କି ଅଫିସର ବାବୁମାନେ ସେ ମାନସିକତା ତ୍ୟାଗ କରିବାକୁ ପ୍ରସ୍ତୁତ ନୁହଁନ୍ତି।
ଏତେ କଥା କହିବାର ଉଦ୍ଦେଶ୍ୟ ହେଉଛି ଯେ କଟନୀ ଛଟନୀ ନେଇ ଗୁମର ଖୋଲିଛନ୍ତି ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କହିଛନ୍ତି ମନ୍ତ୍ରୀଙ୍କ ବାଟ ଓଗାଳୁଛନ୍ତି ଅଫିସର । ଅଫିସରଙ୍କ ମନମାନୀ ଚାଲିଛି । ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର । ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ । ଅନେକ ଜିଲ୍ଲାରେ କଟନୀ ଛଟନୀ ହୋଇନି କିଛି ଜିଲ୍ଲାରେ ମିଲର ମନମାନୀ କରୁଛନ୍ତି ।
ଜିଦ୍ ଧରୁଛନ୍ତି କି ୬ରୁ ୭ କିଲୋ କାଟିବା ପାଇଁ । ମିଲର୍ କହୁଛନ୍ତି ଚାଷୀ ଏତେ ଟଙ୍କା ପାଉଛନ୍ତି , ଆମେ କଣ ପାଇବୁ । ମୋତେ ଆଶ୍ଚଯ୍ୟ ଲାଗିଲା ଏହା ଶୁଣି । ମତେ ଜଣେ ଆଇଏଏସ ଅଫିସର କହିଲେ ଯେ ମାମଲାଟି କୃଷକ ଆଉ ମିଲରଙ୍କ ଭିତରେ ଛାଡିଦିଅନ୍ତୁ , ଆପଣ ମୁଣ୍ଡ ପୁରାନ୍ତୁନି । ସେମାନେ ଆପେ ନେଇଯିବେ । ମୁଁ ଅଫିସରକୁ କହିଲି ତେବେ ପଲିସିର ଲାଭ କଣ । ଏଭଳି ମାନସିକତା ରହିଛି, ସମସ୍ତଙ୍କୁ ପରିବର୍ତ୍ତନ କରିବାକୁ ସମୟ ଲାଗୁଛି । ଯେତେ ବଡ ଅଫିସର ହେଉ କଟନୀ ଛଟନୀ କଲେ ତାଙ୍କ ଉପରେ କାଯ୍ୟାନୁଷ୍ଠାନ ନିଆଯିବ । ଯେଉଁ ମିଲରମାନେ ଏମିତି କରିବେ ତାଙ୍କୁ ବ୍ଲାକ ଲିଷ୍ଟରେ ପକାଯିବ ବୋଲି ମନ୍ତ୍ରୀ ବଡ ବୟାନ ଦେଇଛନ୍ତି ।
ମିଲରମାନଙ୍କୁ କଳା ତାଲିକାଭୁକ୍ତ କରାଯିବା ନେଇ ମନ୍ତ୍ରୀ ଯାହା କହିଲେ, ତାହା ସ୍ଵାଗତନୀୟ। କିନ୍ତୁ ସମାଧାନର କାରଣଟିକୁ ସଜାଡିଲେ ସବୁ ଠିକ୍ ହୋଇଯିବ। ଅର୍ଥାତ୍ ଅଫିସରରାଜ ମାନସିକତା। ପ୍ରଥମେ ସେଠି କାର୍ଯ୍ୟାନୁଷ୍ଠାନ ନିଆଯାଉ। ବିରୋଧୀ ଦଳ ନେତା ଗଣେଶ୍ଵର ବେହେରା ଠିକ୍ ଏହି ମର୍ମରେ ଦାବି କରିଛନ୍ତି।
ତେବେ ସେ ଯାହା ହେଉ, ମନ୍ତ୍ରୀ ଯାହା କହିଲେ, ତାହା ଅଫିସରଙ୍କ ଆଗରେ ତାଙ୍କର ଅସହାୟତାକୁ ଦର୍ଶାଇଲା ପରି ମନେହୁଏ। ଏଥିଲାଗି ତ ବିରୋଧୀ ଏହାକୁ ନେଇ ମୁହଁ ଖୋଲିଛନ୍ତି। ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ ଚିଗଲାଇଲା ପରି ସ୍ଵରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମନ୍ତ୍ରୀ ଏମିତି ସତ କହିବା ଉଚିତ। ଡବଲ ଇଞ୍ଜିନ୍ ସରକାରରେ ଡବଲ କଟନୀ ଛଟନୀ ହେଉଛି । ଚାଷୀଙ୍କୁ ଶୋଷଣ କରି, ମିଲରଙ୍କ ସହ ଡିଲ୍ କରୁଛନ୍ତି ।
ବିଭାଗରେ କଣ ଚାଲୁଛି ମନ୍ତ୍ରୀ ଜାଣିପାରୁ ନାହାନ୍ତି । କୌଣସି ସମସ୍ୟା ନେଇ ମନ୍ତ୍ରୀଙ୍କ ପାଖକୁ ଗଲେ ମନ୍ତ୍ରୀ କହୁଛନ୍ତି ଆମେ ବିଭାଗ ସହ ଆଲୋଚନା କରି କହୁଛି । ସେମାନେ ଜାଣିନାହାନ୍ତି, ମନ୍ତ୍ରୀ ସେହି ବିଭାଗର ହେଡ୍ ବୋଲି । ଯାହା ପଚାରିଲେ ସଚିବଙ୍କଠୁ ବୁଝି କହୁଛନ୍ତି । ଏ ସରକାର କ୍ଷମତାକୁ ଆସିବା ପୂର୍ବରୁ କହିଥିଲେ କଟନୀ ଛଟନୀ କରିବେନି । ଏବେ କେମିତି କଟନୀ ଛଟନୀ ହେଉଛି । ଏହା ଡବଲ ଇଞ୍ଜିନ୍ ସରକାର ନୁହେଁ, ଡବଲ କଟନୀ ଛଟନୀ ସରକାର । ପାଠ ଜଣାନାହିଁ କି ସାଠ ଜଣା ନାହିଁ, କେଉଁଠୁ ଆସି ଗାଦିରେ ବସିପଡିଛନ୍ତି । ସବୁ କିଛି ବାବୁଙ୍କ ହାତରେ ଛାଡି ଦେଇ କେମିତି ଲୁଟିବେ ତାର ବାଟ ଖୋଜୁଛନ୍ତି । ବାବୁଙ୍କ ଆଗରେ ହାତ ଟେକି ଦେଇଛନ୍ତି, ମିଲରଙ୍କ ଆଗରେ ବି ହାତ ଟେକିଦେଇଛନ୍ତି । ତୁରନ୍ତ କଟନୀ ଛଟନୀ ବନ୍ଦ ହେଉ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
ସେହିପରି ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏଥିନେଇ ବୟାନ ରଖି କହିଛନ୍ତି ଯେ, ଯଦି ମନ୍ତ୍ରୀଙ୍କୁ ଅଫିସର ଏଭଳି ବୟାନ ଦେଇଛନ୍ତି, ତାହାହେଲେ ଦୁର୍ଭାଗ୍ୟଜନକ । ମନ୍ତ୍ରୀ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ମନ୍ତ୍ରୀଙ୍କୁ ଅଧିକାରୀ ପରାମର୍ଶ ଦେଇପାରିବେନି କହିଛନ୍ତି ଗଣେଶ୍ୱର ।କେବଳ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇପାରିବେ ।
ଆଗକୁ ଆଉ କଥାରେ ବ୍ୟଥା ପ୍ରକାଶ କରି ଲୋକଙ୍କ ସମ୍ଵେଦନା ନେବାକୁ ଚେଷ୍ଟା ନ କରି ମୁଣ୍ଡ ଟେକି ନିଜର ପାରିବା ପଣିଆ ଦେଖାଇଲେ ଭଲ ଫଳ ମିଳିବ ।