

ଗ୍ରେଟର ଭୁବନେଶ୍ୱର ପାଇଁ ଟ୍ୱିନ ସିଟି-ଭୁବନେଶ୍ୱର ଓ କଟକ ଏବଂ ପୁରୀ ଓ ପାରାଦୀପକୁ ନେଇ ଅର୍ଥନୈତିକ ଅଞ୍ଚଳ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ଲୋକସେବା ଭବନରେ ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ଯୋଜନାଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେବା ଅବସରରେ କହିଛନ୍ତି ଯେ ୨୦୩୬ ରେ ବିକଶିତ ଓଡିଶା ଗଠନ ପାଇଁ ଉଭୟ ସହରୀକରଣ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଏହାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମୁଦାୟ ୮୫୦୦ ବର୍ଗ କିଲୋମିଟର ଅଞ୍ଚଳକୁ ସମାବେଶୀ, ବାସପଯୋଗୀ ଏବଂ ଦୀର୍ଘସ୍ଥାୟୀ ଅର୍ଥନୈତିକ ରିଜିଅନ ଭାବେ ବିକଶିତ କରିବା ପାଇଁ ଯୋଜନା ରହିଛି । ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ଆବଶ୍ୟକସ୍ଥଳେ ଆଉ ଅଧିକ ଅଞ୍ଚଳ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥି ସହିତ ଏହି ପ୍ରକଳ୍ପ ନିର୍ମାଣ ପୂର୍ବରୁ ଅନ୍ୟ ରାଜ୍ୟ ମାନଙ୍କୁ ଯାଇ, ସେମାନଙ୍କ ଯୋଜନାକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ଆଉ ଏକ ନୂତନ ସହର ନିର୍ମାଣ ଏବଂ ମେଟ୍ରୋ ରେଳ ଚଳାଚଳ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟର ସହରାଞ୍ଚଳ ବିକାଶ ପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ
।
କଟକ ଭୁବନେଶ୍ବର ଲାଗି ୧୦ ହଜାର କୋଟି
……………………………………………………………………
ରାଜଧାନୀ ଭୁବନେଶ୍ଵର ସହିତ କଟକ ଏବଂ ପୁରୀ ସହରକୁ ଭିଡ଼ମୁକ୍ତ କରାଯିବ। ଏଥିପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଆଇନ ତଥା ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଭୁବନେଶ୍ଵର ସହରକୁ ଭିଡ଼ମୁକ୍ତ କରିବା ଲାଗି ୭ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି କଟକରେ ୩ ହଜାର ୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହି ୩ ସହର କିପରି ‘ଏ’ ଶ୍ରେଣୀର ସହର ଭାବେ ପରିଚିତ ହେବେ ସେ ଦିଗରେ ଉଦ୍ୟମ କରାଯିବ। ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ଥିବା ସବୁ ରାସ୍ତାଘାଟକୁ ସମତୁଲ କରାଯିବ ବୋଲି ମନ୍ତ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ଵର, ପୁରୀ ଏବଂ କଟକ ସହରରେ ପ୍ରତ୍ୟହ ଭିଡ଼ ଲାଗି ରହୁଛି। ବିଶେଷକରି ସକାଳ ୯ଟାରୁ ୧୨ଟା ଏବଂ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଜାମ ରହୁଥିବାରୁ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭିଡ଼ ଭିତରେ ଅନେକ ସମୟରେ ଆମ୍ବୁଲାନ୍ସ ଫଶି ରହୁଛି। ଭୁବନେଶ୍ଵର ଏବଂ କଟକରେ ଏହି ସମସ୍ୟା ସର୍ବାଧିକ ଲାଗି ରହୁଛି।