
ଜଗତର ନାଥ ପରମେଶ୍ଵର ମହାପ୍ରଭୁ କାଳିଆ ସାଆନ୍ତଙ୍କ ଉଦ୍ଦେଶ୍ୟରେ ନବ ବର୍ଷର କ୍ୟାଲେଣ୍ଡର ଉନ୍ମୋଚିତ ହୋଇଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇଂରାଜୀ ବର୍ଷ-୨୦୨୫ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ଉଭୟ ୱାଲ୍ ଏବଂ ଡେସ୍କ୍ ସୁଦୃଶ୍ୟ କ୍ୟାଲେଣ୍ଡର ପ୍ରକାଶ ପାଇଛିl କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି। ଏହି ଦେବାର୍ପଣ ପରେ ଗତକାଲି ଉଭୟ କ୍ୟାଲେଣ୍ଡରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି।
ଡେସ୍କ୍ କ୍ୟାଲେଣ୍ଡରରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ ହୋଇଛି। ସେହିପରି ୭ ପୃଷ୍ଠା ବିଶିଷ୍ଟ ୱାଲ୍ କ୍ୟାଲେଣ୍ଡରରେ ରଥାରୂଢ଼ ମହାପ୍ରଭୁଙ୍କ ଭବ୍ୟ ଚିତ୍ରମାନ ସ୍ଥାନିତ ହୋଇଛି। ଇଂରାଜୀ ନୂଆ ବର୍ଷରେ ପୁରୀ ଓ ଭୁବନେଶ୍ୱର ସ୍ଥିତ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଗୁଡିକରେ ଏହି କ୍ୟାଲେଣ୍ଡର ଶ୍ରଦ୍ଧାଳୁମାନଙ୍କୁ ବିକ୍ରୟ ସକାଶେ ଉପଲବ୍ଧ ହେବ।
ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏବଂ ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।
ଆଉ ମାତ୍ର ୪ ଦିନ ପରେ ବର୍ଷ-୨୦୨୪ ଇତିହାସ ହୋଇଯିବ। ଏହାରି ସ୍ଥାନ ନେବ ୨୦୨୫। ସମଗ୍ର ବିଶ୍ବବାସୀ ନୂଆବର୍ଷକୁ ଅପେକ୍ଷା କରିଛନ୍ତି। ନୂଆବର୍ଷ ପାଇଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏକ ନୂତନ ଆଶା ସଞ୍ଚାର ହୋଇଛି। ନୂଆବର୍ଷ ପାଇଁ ଧର୍ମାନୁଷ୍ଠାନ ଠାରୁ ବଣ, ପାହାଡ଼, ଝରଣା, ପର୍ଯ୍ୟଟନସ୍ଥଳଗୁଡ଼ିକରେ ପୂର୍ବ ପ୍ରସ୍ତୁତି ଜାରି ରହିଛି। ଏଥିରୁ ବାଦ୍ ପଡ଼ିନାହିଁ ଶ୍ରୀମନ୍ଦିର। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଡେକ୍ସ ୱାଲ୍ କ୍ୟାଲେଣ୍ଡର ଉନ୍ମୋଚିତ କରିଛନ୍ତି।