

୨୦୨୫ ମହାକୁମ୍ଭର ମୌନୀ ଅମାବାସ୍ୟା ଦିନ ସଙ୍ଗମ ସହର ପ୍ରୟାଗରାଜରେ ଘଟିଥିବା ଦଳାଚକଟା ଘଟଣା ପ୍ରଶାସନକୁ ଦ୍ୱନ୍ଦ୍ୱରେ ପକାଇଥିଲା। ଏହି ଦଳାଚକଟା ପରେ ଏବେ ଆଉ ଏକ ରହସ୍ୟମୟ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରୟାଗରାଜର ପାର୍କିଂ ସ୍ଥାନରେ କିଛି ଦିନ ଧରି ଅବାଧରେ ପାର୍କିଂ କରାଯାଇଥିବା ବିଳାସପୂର୍ଣ୍ଣ ଯାନବାହାନଗୁଡିକ ସୁରକ୍ଷା ଏଜେନ୍ସି ଏବଂ ପ୍ରଶାସନର ନିଦ ହଜାଇ ଦେଇଛି। ଏହି ଯାନଗୁଡ଼ିକ ବିଷୟରେ କୌଣସି ସୂଚନା ଉପଲବ୍ଧ ନାହିଁ, ଏବଂ ଏବେ ପ୍ରଶ୍ନ ଉଠାଯାଉଛି ଯେ ଏହି ଯାନଗୁଡ଼ିକ ଦଳାଚକଟାରେ ସାମିଲ ଥିବା କୌଣସି ଗୋଷ୍ଠୀର ହୋଇପାରେ କିମ୍ବା ସେମାନଙ୍କର ଅନ୍ୟ କୌଣସି ଅପରାଧ ସହିତ ସମ୍ପର୍କ ଥାଇପାରେ।
ପାର୍କିଂ ସ୍ଥାନରେ ପରିତ୍ୟକ୍ତ ଯାନବାହନର ରହସ୍ୟମୟ ଉପସ୍ଥିତି ଦେଖିବାକୁ ମିଳିଥିଲା। ମୌନୀ ଅମାବାସ୍ୟା ଦିନ ପ୍ରବଳ ଭିଡ଼ ହେତୁ, ପାର୍କିଂ ସ୍ଥାନରେ ଯାନବାହାନର ରେକର୍ଡ ଠିକ୍ ଭାବରେ ରକ୍ଷଣାବେକ୍ଷଣ କରାଯାଇ ପାରିଲା ନାହିଁ। ଫଳସ୍ୱରୂପ, ଏବେ ଅନେକ ପାର୍କିଂ ସ୍ଥାନରେ ଏପରି ଗାଡ଼ି ପାର୍କିଂ ହୋଇଥିବା ଦେଖିବାକୁ ମିଳୁଛି , ଯାହାକୁ ଅନେକ ଦିନ ହେଲା କେହି ନେବାକୁ ଆସି ନାହାଁନ୍ତି। ଏହି ଯାନଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ମହାରାଷ୍ଟ୍ର, ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ବିଳାସପୂର୍ଣ୍ଣ ଯାନ। ଯମୁନାନଗରର ତେଣ୍ଡୁଆବନ ପାର୍କିଂ, ସିଓଡି ପାର୍କିଂ, ଗଙ୍ଗାନଗର ଚକ୍ର ପାର୍କିଂ ଏବଂ ପ୍ରେସର ପାର୍କିଂରେ ଅନେକ ଦାବିହୀନ ତଥା ମାଲିକ ବିହୀନ ଯାନ ପାର୍କିଂ ହୋଇରହିଥିବା ଦେଖିବାକୁ ମିଳିଛି, ଯାହା ବିଷୟରେ ପାର୍କିଂ ଅପରେଟରମାନଙ୍କ ପାଖରେ କୌଣସି ସୂଚନା ନାହିଁ।
ଏହି ଗାଡ଼ିଗୁଡ଼ିକ ବିଷୟରେ ପୋଲିସ ମଧ୍ୟ କିଛି ଜାଣି ନାହିଁ। ପାର୍କିଂ ଅପରେଟର ଉମାକାନ୍ତ ଯାଦବ କହିଛନ୍ତି ଯେ ତାଙ୍କ ପାର୍କିଂ ସ୍ଥାନରେ ଗତ କିଛି ଦିନ ଧରି ଏକ ଧଳା ରଙ୍ଗର କାର ପାର୍କିଂ କରାଯାଇଛି ଏବଂ କୌଣସି ମାଲିକ ଏହାକୁ ନେବାକୁ ଆସି ନାହାଁନ୍ତି। ପ୍ରଶାସନ ଏଥିନେଇ ସକ୍ରିୟ ହେବା ସହ ତଦନ୍ତ ଆରମ୍ଭ କରିଛି। କେହି ଦାବିଦାର୍ ନଥିବା ଗାଡ଼ି ସଂଖ୍ୟା ବୃଦ୍ଧି ପାଉଥିବାରୁ, ପ୍ରଶାସନ ଘଟଣାର ଗମ୍ଭୀରତାକୁ ବୁଝି ତଦନ୍ତ ଆରମ୍ଭ କରିଛି। ଗାଡି ମାଲିକମାନଙ୍କୁ ଖୋଜିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି।
ଏହି ପରିତ୍ୟକ୍ତ ଯାନଗୁଡ଼ିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର ଭୟ ଏବଂ ପ୍ରଶ୍ନ ଉଠୁଛି ଯେ ଏହି ଗାଡିଗୁଡ଼ିକ କାହାର ଏବଂ କେଉଁମାନେ ଏଗୁଡ଼ିକୁ ଏଠାରେ ଛାଡି ଯାଇଛନ୍ତି ?
ଏହି ଗାଡ଼ିଗୁଡ଼ିକ କ’ଣ ଦଳାଚକଟାରେ ସାମିଲ ଥିବା କୌଣସି ସମୂହର ଥିଲା କି ?
କଣ ଏହି ଯାନଗୁଡ଼ିକ ଅପରାଧିକ କାର୍ଯ୍ୟ ସହିତ ଜଡିତ ହୋଇପାରେ କି ?
ପ୍ରଶାସନ ଏହି ସମସ୍ତ ଦିଗଗୁଡ଼ିକ ଉପରେ ତଦନ୍ତ କରୁଛି, ଯାହା ଦ୍ଵାରା ଯେକୌଣସି ଅପ୍ରୀତିକର ଘଟଣା କିମ୍ବା ଷଡ଼ଯନ୍ତ୍ରର ସମ୍ଭାବନାର ସମାଧାନ ହୋଇପାରିବ ଏବଂ ପରିବେଶକୁ ଶାନ୍ତ କରାଯାଇପାରିବ।
ଉଲ୍ଲେଖନୀୟ ଯେ କୁମ୍ଭମେଳାରେ ହୋଇଥିବା ଦଳାଚକଟାରେ ସହସ୍ରାଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବିରୋଧୀ ଦଳ ସଦସ୍ୟମାନେ ସଂସଦରେ ଦାବି କରିଥିଲେ। ଏହାର ଜବାବରେ ଶାସକ ଦଳ ସଭ୍ୟ ରବିଶଙ୍କର ପ୍ରସାଦ କହିଥିଲେ ଯେ ଉତ୍ତର ପ୍ରଦେଶ ସରକାର ଏହି ଘଟଣାର ଏସ୍,ଟି, ଏଫ୍, ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିଲେ ଏହି ଦଳାଚକଟା ଷଡ଼ଯନ୍ତ୍ର ପଛରେ କେଉଁମାନେ ଅଛନ୍ତି, ତାହା ଜଣାପଡିଯିବ। ସୂଚନାଯୋଗ୍ୟ ଯେ ସେଠାରେ ପାର୍କିଙ୍ଗ୍ ସ୍ଥଳରେ ପୋଲିସ ଏକ ଅଜଣା ପରିତ୍ୟକ୍ତ ଗାଡି ଉଦ୍ଧାର କରିଛି। ଦଳଚକଟା ଷଡ଼ଯନ୍ତ୍ର ସହିତ ଏହି ଗାଡିର କାଳେ ସମ୍ପର୍କ ଥାଇପାରେ କି ବୋଲି ପୋଲିସ ସନ୍ଦେହ କରୁଛି। ଏପରି ସନ୍ଦେହ କରିବାର କାରଣ ହେଉଛି ଯେ କୁମ୍ଭମେଳାକୁ ପ୍ରାୟ ୧୨୦ ଜଣ ଅଜଣା ବ୍ୟକ୍ତି ଏକ ବସ୍ ରେ ବସି ଆସିଥିଲେ, ଯାହାକି ଏ,ଆଇ, କ୍ୟାମେରାରେ ଉତ୍ତୋଳିତ ହୋଇଛି।