
ବିଶ୍ଳେଷଣ – ବିକ୍ରମ ଦାଶ
ସଂସଦର ଆଗତ ବଜେଟରେ କେନ୍ଦ୍ର ସରକାର ପୁଣିଥରେ ଓଡ଼ିଶାକୁ ଅଣଦେଖା କରିଛନ୍ତି ବୋଲି ବିଭିନ୍ନ ମହଲରୁ ଅସନ୍ତୋଷଜନିତ ସ୍ଵର ଉଠିଲାଣି। ଓଡ଼ିଶାରେ ବିଜେପି ସରକାର ଆସିଲେ ବଜେଟ୍ରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ନେଇ ଓଡ଼ିଶାବାସୀଙ୍କର ଯେଉଁ ଧାରଣା ଥିଲା, ତାହା ଭୁଲ ପ୍ରମାଣିତ ହୋଇଛି ବୋଲି କୁହାଯାଉଛି। ବିଭିନ୍ନ ଗଣମାଧ୍ୟମ, ରାଜନେତା ଏବଂ ଅର୍ଥନୀତି ବିଶାରଦ ଏପରି ଏପରି ମତ ବ୍ୟକ୍ତ କରିଛନ୍ତି। ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଥିଲା ଯେ କ୍ଷମତାକୁ ଆସିଲେ ଓଡ଼ିଶାକୁ ସ୍ୱତନ୍ତ୍ର ବର୍ଗର ରାଜ୍ୟ ମାନ୍ୟତା ସୁନିଶ୍ଚିତ କରିବ। କିନ୍ତୁ ସେ ପ୍ରତିଶ୍ରୁତି ପାଣିରେ ଗାର ହୋଇ କୁଆଡେ ଉଭେଇଗଲା।
ତେବେ ସେ ଯାହା ହେଉ ବିଜେପି ଓଡ଼ିଶାରେ ଏକାଙ୍ଗୀ ସରକାର ଗଠନ କରିବାର ଯେଉଁ ସ୍ବପ୍ନ ଦେଖୁଥିଲା, ତାହା ୨୦୨୪ରେ ପୂରଣ ହେଲା। ହେଲେ ଓଡ଼ିଶାବାସୀ ପାଇଲେ କଣ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି। ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ ଯେପରି ଭାବେ ଏନଡିଏ ସରକାରରେ ମୁଖ୍ୟ ସହଯୋଗୀ ସାଜିଥିବା ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ବତନ୍ତ୍ର ଅନୁଦାନ ମିଳିଥିଲା, ଏଥର ୨୦୨୫-୨୬ ବର୍ଷର ବଜେଟ୍ରେ ବିହାର, ଆସାମ, ଉତ୍ତର ପୂର୍ବାଞ୍ଚଳ, ଗୁଜୁରାଟ ଏବଂ ଆଣ୍ଡାମାନ ନିକୋବରକୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ହେଲେ ଓଡ଼ିଶାକୁ ପୁଣି ଅଣଦେଖା କରାଯାଇଛି।
ଗତଥର ଭଳି ଚଳିତ ଥର ମଧ୍ୟ କେନ୍ଦ୍ର ବଜେଟରେ ଓଡିଶା ପାଇଁ କିଛି ନାହିଁ। ୨୦୨୫-୨୬ରେ ରାଜ୍ୟ ପାଇଁ କୌଣସି ସ୍ୱତନ୍ତ୍ର ଯୋଜନା ଘୋଷଣା କରାଯାଇନାହିଁ। ୨୦୨୪ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ବହୁ ପ୍ରତିଶ୍ରୁତି ଦେଇ ବିଜେପି ଓଡ଼ିଶାରେ ସରକାରକୁ ଆସିଲା। ଆଉ ରାଜ୍ୟର ବିଜେପି ନେତା କହିଲେ ଏବେ ମୋଦୀ ସରକାର ଓଡ଼ିଶାର ଭାଗ୍ୟ ବଦଳାଇଦେବେ। ହେଲେ କେନ୍ଦ୍ରର ବିଜେପି ସରକାର ଆଜିଯାଏ ବଜେଟରେ ଓଡ଼ିଶାକୁ ଆଡ଼ ଆଖିରେ ମଧ୍ୟ ଚାହିଁ ନାହାନ୍ତି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହେଉଥିବା ଓଡ଼ିଶା ପୂର୍ବରୁ ବହୁବାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ଦାବି କରିଆସୁଛି। କିନ୍ତୁ କେନ୍ଦ୍ର ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି।
ଚଳିତ ଥର ବିଜେପି ଓଡ଼ିଶାରେ ସରକାର କରିବା ପରେ ଲୋକ ଭାବୁଥିଲେ, ରାଜ୍ୟ ପାଇଁ କେନ୍ଦ୍ର ସରକାର କିଛି ଭଲ ଘୋଷଣା କରିବେ। କିନ୍ତୁ ତାହା ହେଲା ନାହିଁ। ଖାଲି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନୁହେଁ, ପୋଲାଭରମ୍ ଏବଂ ମହାନଦୀ ବିବାଦ, କେନ୍ଦୁପତ୍ର ଉପରୁ ଜିଏସ୍ଟି ପ୍ରତ୍ୟାହାର ପ୍ରସଙ୍ଗ, ଦ୍ବିତୀୟ ଏମସ୍, କୋଷ୍ଟାଲ୍ ହାଇୱେ, ପ୍ରତି ପଞ୍ଚାୟତକୁ ମୋବାଇଲ୍ ଏବଂ ଡିଜିଟାଲ୍ ସଂଯୋଗ ପରି ଅନେକ ପ୍ରସଙ୍ଗରେ ଓଡ଼ିଶାକୁ ଅବହେଳା କରାଯାଇ ଆସୁଛି।
ସେପଟେ ବିଜେପିର ସହଯୋଗୀ ଦଳଭାବେ ସରକାରରେ ସହଯୋଗ କରୁଥିବା ନୀତିଶ କୁମାରଙ୍କ ବିହାର ପାଇଁ ମୋଦି ସରକାର ମନଖୋଲା ପ୍ୟାକେଜ୍ ଦେଇଛନ୍ତି । ଗତ ଥର ବଜେଟରେ ଆନ୍ଧ୍ର ଓ ବିହାର ସ୍ବତନ୍ତ୍ର ଅତିରିକ୍ତ ସହାୟତା ପାଇଥିବା ବେଳେ ଏଥର ବିହାର ପାଇଁ ଯୋଜନାର ପେଡି ଖୋଲିଦେଇଛନ୍ତି ମୋଦୀ ସରକାର। ହେଲେ ଓଡ଼ିଶା ପାଇଁ ବାରମ୍ବାର ଦାବି କରାଯାଉଥିଲେ ବି ମୋଦୀ ସରକାରଙ୍କୁ କିଛି ଫରକ ପଡୁନି। କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶାକୁ ଅବହେଳା କରୁଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ୍ ୨୦୨୫-୨୬କୁ ନେଇ ବର୍ଷିଥିବା ବେଳେ ଓଡ଼ିଶା ପାଇଁ ଏ ବଜେଟ ନିରାଶଜନକ ବୋଲି କହିଛନ୍ତି।