
୫ ବର୍ଷ ପୂର୍ବେ ଚୀନରୁ ବାହାରିଥିବା କରୋନା ଭାଇରାସ ସାରା ଦୁନିଆରେ ଆତଙ୍କ ଖେଳାଇଦେଇଥିଲା। ଏବେ ପୁଣି ଥରେ ସେହି ଚୀନରୁ ଏକ ନୂଆ ଭାଇରସ ବ୍ୟାପିଥିବା ଦାବି କରାଯାଉଛି । ହ୍ୟୁମନ ମେଟାନ୍ୟୁମୋଭାଇରସ (HMPV) ନାମକ ଏହି ଭାଇରସରେ କୋଭିଡ୍-୧୯ ପରି ଲକ୍ଷଣ ଦେଖାଯାଏ, ଯାହାକି ମୁଖ୍ୟତଃ ଛୋଟ ପିଲାଙ୍କ ମଧ୍ୟରେ ।
ବିଶ୍ଵରେ ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ଥିବା ଚୀନ ମହାମାରୀର ପ୍ରକୋପର କେନ୍ଦ୍ର ହୋଇସାରିଛି । କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଚୀନରେ ହିଁ କାହିଁକି ସବୁବେଳେ ଏପରି ହେଉଛି ? ଚୀନରୁ କାହିଁକି ମାରାତ୍ମକ ଭୂତାଣୁ ସବୁ ସାମନାକୁ ଆସୁଛି ?
ସାର୍ସ- ୨୦୦୨ ନଭେମ୍ୱର
ରେ ଚୀନରୁ ସାର୍ସ ଭାଇରସ ଅର୍ଥାତ୍ ସିଭିୟର ଏକ୍ୟୁଟ ରେସ୍ପିରେଟରୀ ସିଣ୍ଡ୍ରୋମ ଆରମ୍ଭ ହୋଇଥିଲା । ଦାବି କରାଯାଉଛି ଏହା ସମ୍ଭବତଃ ବାଦୁଡ଼ିଙ୍କ ଠାରୁ ଆରମ୍ଭ ହୋଇଥିଲା । ପରେ ବିଲେଇକୁ ବ୍ୟାପିଥିଲା ଏବଂ ଏହାପରେ ମଣିଷଙ୍କୁ ସଂକ୍ରମିତ କରିଥିଲା । ଏହି ଭୂତାଣୁ ୨୬ ଦେଶକୁ ବ୍ୟାପିଥିଲା ଏବଂ ୮ ହଜାରରୁ ଅଧିକ ସଂକ୍ରମିତ ହୋଇଥିଲେ ଏବଂ ୭୭୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୦୩ ଜୁଲାଇ ଯାଏ ଏହି ଭାଇରସକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ପ୍ରକୋପ ଆରମ୍ଭରେ ଭାଇରସ ବିଷୟରେ ସୂଚନା ଲୁଚାଇବାକୁ ଉଦ୍ୟମ କରିଥିବାରୁ ଚୀନକୁ ସମାଲୋଚନା କରାଯାଇଥିଲା । ନୂଆ କରୋନା ଭାଇରସ ବି ସାର୍ସ ପରିବାରର ସଦସ୍ୟ ଥିଲା ।
ବାର୍ଡ ଫ୍ଲୁ- ଏଭିଆନ ଫ୍ଲୁ ତଥା ବାର୍ଡ ଫ୍ଲୁ ଏକ ଭାଇରାଲ ସଂକ୍ରମଣ, ଯାହା ପକ୍ଷୀଙ୍କଠାରୁ ପକ୍ଷୀଙ୍କୁ ବ୍ୟାପିଥାଏ । ଏହି ରୋଗ ସଂକ୍ରମିତ କୁକୁଡା କିମ୍ୱା ଅନ୍ୟ ପକ୍ଷୀଙ୍କ ସଂସ୍ପର୍ଶରେ ରହିଲେ ବ୍ୟାପିଥାଏ । ମୁଖ୍ୟତଃ କୁକୁଡାଙ୍କ ଭିନ୍ନ ଭିନ୍ନ ପ୍ରଜାତି ସହ ସିଧା ସଂସ୍ପର୍ଶରେ ଆସିବା ପରେ ରୋଗ ବ୍ୟାପିଥାଏ । ମଣିଷଙ୍କ ଶରୀରକୁ ଏହି ଭୂତାଣୁ ମୁହଁ, ଆଖି ଏବଂ ନାକ ଜରିଆରେ ପ୍ରବେଶ କରିଥାଏ । ଏହି ମହାମାରୀର ଅନେକ ସ୍ୱରୂପ ଦୁନିଆ ସାମନାକୁ ଆସିସାରିଛି, କିନ୍ତୁ ବର୍ତ୍ତମାନ ସମୟରେ ସକ୍ରିୟ ଏଚ୍ ୫ ଏନ୍ ୧ , ୧୯୯୬ ମସିହାରେ ଚୀନରୁ ସାମନାକୁ ଆସିଥିଲା । ଏହାକୁ ହାଇ ପ୍ୟାଥୋଜିନେସିଟିର ଭାଇରସ ବୋଲି କୁହାଯାଏ । ଏହାର ମୃତ୍ୟୁ ହାର ପ୍ରାୟ ୬୦ ପ୍ରତିଶତ, ଅର୍ଥାତରେ ଏଥିରେ ସଂକ୍ରମିତ ୧୦ ବ୍ୟକ୍ତିଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।
ପ୍ରଶ୍ନ ହେଉଛି ଯେ ସବୁବେଳେ ଚୀନରୁ କାହିଁକି ସମଗ୍ର ବିଶ୍ବକୁ ବ୍ୟାପୁଛି ଭାଇରସ। ଚୀନ ମହାମାରୀର କେନ୍ଦ୍ର ହେବା ପଛରେ ଅନେକ ଭୌତିକ ଏବଂ ସାଂସ୍କୃତିକ କାରଣ ରହିଛି । ଏଥିରେ ଜନସଂଖ୍ୟାର ଘନତ୍ୱ, ଜଙ୍ଗଲ ଜୀବଜନ୍ତୁଙ୍କୁ ଖାଦ୍ୟ ରୂପେ ଗ୍ରହଣ ଏବଂ ଅତ୍ୟଧିକ ସହରୀକରଣ ପରି ଦିଗ ସାମିଲ ରହିଛି । ବିଶେଷଜ୍ଞଙ୍କ ମତେ ସାରା ଦୁନିଆରେ ମାଂସର କାରବାର ବଢୁଛି । ଜଙ୍ଗଲ ହ୍ରାସ ପାଇବାରେ ଲାଗିଛି ଏବଂ ଫାର୍ମିଙ୍ଗ୍ ତଥା କୃଷି କାର୍ଯ୍ୟ ବଢିବାରେ ଲାଗିଛି । ଏହି କାରଣରୁ ଜଙ୍ଗଲୀ ଜୀବଜନ୍ତୁଙ୍କଠାରୁ ଭୂତାଣୁ ଫାର୍ମିଙ୍ଗ୍ କରାଯାଉଥିବା ଜୀବଙ୍କ ନିକଟକୁ ଆସିଥାଏ । ଏହାପରେ ମଣିଷଙ୍କ ଶରୀରକୁ ଯାଇଥାଏ ।
ଜନସଂଖ୍ୟାର ଘନତ୍ୱ ମଧ୍ୟ ଏକ କାରଣ। ଚୀନର ଜନସଂଖ୍ୟା ଶହେ ଚାଳିଶ କୋଟି। ଏହାର ସହରାଞ୍ଚଳରେ ଅତ୍ୟଧିକ ଘନତ୍ୱ ରହିଛି । ତେଣୁ ରୋଗ ସଂକ୍ରମଣ ତୀବ୍ର ବେଗରେ ବ୍ୟାପିଥାଏ । ଜଙ୍ଗଲୀ ଜୀବଜନ୍ତୁଙ୍କ ସହ ସମ୍ପର୍କ - ଚୀନର ଲୋକେ ଅଧିକାଂଶ ସମୟରେ ଜଙ୍ଗଲୀ ଜୀବଜନ୍ତୁଙ୍କୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି । ଏହି ଜୀବଜନ୍ତୁ ଅନେକ ଭାଇରସ ନିଜ ସହ ଧରି ଆସିଥାଆନ୍ତି । କରୋନା ଭାଇରସର ଉତ୍ପତ୍ତି ବାଦୁଡ଼ି ପରି ଜୀବଠାରୁ ହୋଇଥିବା ଦାବି କରାଯାଇଛି ।
ଆଦ୍ର ମାର୍କେଟ୍: ଚୀନର ଆଦ୍ର ତଥା ଓଦା ମାର୍କେଟରେ ଅନେକ ପ୍ରକାରର ଜଙ୍ଗଲୀ ଜୀବଜନ୍ତୁଙ୍କୁ ବିକ୍ରି କରାଯାଏ । ଏହିଠାରୁ ସଂକ୍ରମଣ ବ୍ୟାପିବାର ବିପଦ ସବୁଠୁ ଅଧିକ । ମାଂସ ମାର୍କେଟରେ ଜୀବଜନ୍ତୁଙ୍କ ମାଂସ ଏବଂ ରକ୍ତ ମଣିଷ ସଂସ୍ପର୍ଶରେ ଆସିଥାଏ । ଯାହା ଭାଇରାସ ବ୍ୟାପିବାର ଏକ ବଡ଼ କାରଣ ।
ଏହି ପରି ବିଭିନ୍ନ ବିପଦଜନକ କାରଣ ସବୁର ଘାଟୀ ହେବା କାରଣରୁ ଚୀନରୁ ସମସ୍ତ ସଂକ୍ରାମକ ରୋଗର ଉତ୍ପତ୍ତି ହୋଇ ସମଗ୍ର ବିଶ୍ବକୁ ବ୍ୟାପୁଛି।ଯେତେ ଦିନ ଯାଏ ଏହି ସବୁ କାରଣର ନିରାକରଣ ନ ହୋଇଛି,ସେତେ ଦିନ ଯାଏ ଚୀନରୁ ବିଭିନ୍ନ ସଂକ୍ରାମକ ରୋଗ ସମଗ୍ର ବିଶ୍ବରେ ଏହି ପରି ଆତଙ୍କରାଜ ଚଳାଇଥିବ। ଏଣୁ ଏହାର ନିରାକରଣ ଲାଗି ଚୀନ ସରକାର ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଗୁରୁ ଦାୟୀତ୍ବ ରହିଛି।