
ରାଜନୈତିକ ସନ୍ନ୍ୟାସ ନେବା ପରଠାରୁ ପାଣ୍ଡିଆନଙ୍କ ଠିକଣା କଣ ଏବଂ ସେ କେଉଁଠି ତାଙ୍କର ବସତି ସ୍ଥାପନ କରିଛନ୍ତି , ତାହା ସହିତ ନବୀନ ନିବାସରେ କଣ ସବୁ ଚାଲିଛି, ତାହା ଜାଣିବା ଲାଗି ସାଧାରଣରେ ଏକ ଉତ୍ସୁକତା ଉଙ୍କିମାରିଚାଲିଛି। କିନ୍ତୁ ଅନ୍ଦର ମହଲରୁ କିଛି ତଥ୍ୟ ପଦାକୁ ଲିକ୍ ହେଉନଥିବା କାରଣରୁ ସବୁ ଅନ୍ଧାରରେ ରହିଯାଉଥିଲା। କିନ୍ତୁ ମନ୍ମଥ ରାଉତରାୟ ନବୀନ ନିବାସର ଗୂଢ ରହସ୍ୟ ଖୋଲିଦେବା ଫଳରେ ସବୁ କିଛି ଜଣାପଡିଯାଇଛି।
ନବୀନ ନିବାସରେ ପାଣ୍ଡିଆନ ନିବାସ କରୁଛନ୍ତି କି ନାହିଁ, ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା କଣ ତାହା ଜଣାପଡିଛି। ତାହା ସହିତ ଜଣାପଡିଛି ଯେ ବିଜେଡିରେ ଏବେ କଣ ସବୁ ଚାଲିଛି ଆଉ ପାଣ୍ଡିଆନ ନବୀନ ନିବାସକୁ ତାଙ୍କର ଅଫିସ କରି ସେଠାରୁ ଦଳକୁ ନିୟନ୍ତ୍ରଣ କରୁଛନ୍ତି ନା ନାହିଁ । ତେବେ ସେ ଯାହା ହେଉ, କିଛି ନ ହେଲେ ପାଣ୍ଡିଆନ ନବୀନ ନିବାସରେ ରହି ନବୀନଙ୍କ ସ୍ବାସ୍ଥ୍ୟବସ୍ଥା କଥା ଏବେ ବି ବୁଝୁଛନ୍ତି ବୋଲି ଜଣାପଡ଼ିଲା ମନ୍ମଥଙ୍କ ବୟାନରୁ।
ପ୍ରକୃତରେ କଣ ନବୀନ ଅସସ୍ଥ କି ? କିଛି ଏମିତି ବି ଅସମାହିତ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ମନ୍ମଥଙ୍କ ଗଣମାଧ୍ୟମରେ ଏହି ରହସ୍ୟ ଉପରୁ ପରଦା ଉଠା ବୟାନ ଚର୍ଚ୍ଚାକୁୃ ଆହୁରି ଖୋରାକ ଯୋଗାଇଛି ।
ନିର୍ବାଚନ ପୂର୍ବରୁ ନବୀନଙ୍କ ପାଖେ ପାଖେ ରହୁଥିଲେ ପାଣ୍ଡିଆନ । ଏମିତିକି କରୋନା କାଳରେ ନବୀନଙ୍କୁ ନିଜେ ଡ୍ରାଇଭ କରି ନେଉଥିଲେ । ଯାହାର ଦୃଶ୍ୟ ବେଶ ଚର୍ଚ୍ଚିତ ହୋଇଥିଲା । ଏହାସହ ନିର୍ବାଚନ ପ୍ରଚାର ସମୟରେ ନବୀନଙ୍କ ପାଖେ ପାଖେ ରହିବା ସହିତ ନବୀନଙ୍କ ହାତକୁ କାଗଜ ବଢାଇ ଦେବାଠୁ ଆରମ୍ଭ କରି ବିଭିନ୍ନ କାମରେ ସାମିଲ ହେଉଥିଲେ । ଏହାସହ ସକ୍ରିୟ ରାଜନୀତିରେ ଆସିବା ପୂର୍ବରୁ ପ୍ରଶାସନିକ ସ୍ତରରେ ସବୁ ନିଷ୍ପତ୍ତି ସେ ନେଉଥିଲେ । ଏହାକୁ ନେଇ ବିବାଦ ହେବା ପରେ ଚାକିରୀ ଛାଡ଼ି ପାଣ୍ଡିଆନ କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ସାମିଲ ହୋଇଥିଲେ । ଆଉ ବିଜେଡିରେ ଖୋଲାଖୋଲି ଆଧିପତ୍ୟ ବିସ୍ତାର କରିଥିଲେ । ଟିକଟ ଦେବାଠୁ ଆରମ୍ଭ କରି ଟିକଟ କାଟିବା ଆଦି ନିଷ୍ପତ୍ତି କୁଆଡ଼େ ପାଣ୍ଡିଆନ ନେଉଥିଲେ । ସ୍ଥିତି ଏମିତି ହେଲା ଯେ ଅନେକ ନେତା ପାଣ୍ଡିଆନଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ । ଶେଷରେ ଭୁଲ ନିଷ୍ପତ୍ତି ଲାଗି ବିଜେଡି ହାରିଥିବା ନେତା କହିଲେ । ପରେ ପରେ ନବୀନ ନିବାସଠୁ ଆରମ୍ଭ କରି ବିଜେଡିଠୁ ଲୋକ ଦେଖାଣିଆ ଦୂରେଇ ରହୁଥିଲେ ପାଣ୍ଡିଆନ ।
ହେଲେ ମନ୍ମଥଙ୍କ ବୟାନ ଏବେ ସବୁ ଘଟଣା ଉପରୁ ପରଦା ଉଠାଇବା ସହିତ ଏବେ ବି ନବୀନ ନିବାସରେ କେମିତି ପାଣ୍ଡିଆନ ସକ୍ରିୟ ଥିଲେ ତାହା ଜଣାପଡିଛି। ଏପଟେ ମନ୍ମଥ କହିଛନ୍ତି, ବିଜେଡି ଓ ନବୀନ ପଟ୍ଟନାୟକଙ୍କର ନିର୍ବାଚନୀ ପରର ସ୍ଥିତି ଲାଗି ପାଣ୍ଡିଆନ ନିଜକୁ ଦାୟୀ କରିଛନ୍ତି । ଆଗରୁ ପାଣ୍ଡିଆନ ନବୀନଙ୍କ କଥା ବୁଝୁଥିଲେ ଏବେ ବି ବୁଝୁଛନ୍ତି, ଏପରିକି୍ ନବୀନଙ୍କ ମେଡ଼ିସିନ ଖାଇବା ଆଉ ଯୋଗ କରିବା ବିଷୟ ମଧ୍ୟ ବୁଝୁଛନ୍ତି ବୋଲି ମନ୍ମଥ କହିଛନ୍ତି। ନିଜ ଗୁରୁଙ୍କୁ ବାପା ଭଳି ସେବା କରୁଛନ୍ତି ପାଣ୍ଡିଆନ । ସଂସ୍କାରରେ ଅଛି ଗୁରୁଙ୍କ ସେବା କରିବା ପୁଣ୍ୟର କାମ । ପାଣ୍ଡିଆନ ସେଇୟା କରୁଛନ୍ତି ।