


ଆଲେଖ୍ୟ – ଜବାହର ମିଶ୍ର
………………………………………………………………
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମନ୍ଦ ବୁଦ୍ଧିରେ ପ୍ରେରିତ ହୋଇ ଅନ୍ୟାୟମୂଳକ ଭାବେ ଭାରତ ଉପରେ ମୋଟ ୫୦% ଶୁଳ୍କ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶରେ ସ୍ୱାକ୍ଷର କରିବା ସମୟରେ ଟ୍ରମ୍ପ କହିଛନ୍ତି ଯେ ନିରନ୍ତର ରୁଷୀୟ ତୈଳ କ୍ରୟ ଯୋଗୁ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ସହ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି। ଟ୍ରମ୍ପଙ୍କ ଏହି ଏକପାଖିଆ ଶୁଳ୍କ ଘୋଷଣା ପରେ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଭାରତ ପାଖରେ ଏବେ ଏହାର ମୁକାବିଲା ଲାଗି କ’ଣ ବିକଳ୍ପ ଅଛି।
ଏହାପରେ ଟ୍ରମ୍ଫଙ୍କ ଶୁଳ୍କର ଜବାବ ଭାରତ ଦେଇଛି। ଭାରତ ମୋଟ ୫୦% ଶୁଳ୍କକୁ ଏକ ଅନୁଚିତ ପଦକ୍ଷେପ ବୋଲି କହିଛି। ଭାରତ ଏହା ମଧ୍ୟ କହିଛି ଯେ ଏହାର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଏହି ଶୁଳ୍କ ଲାଗୁ ହେବା ସହିତ ଭାରତୀୟ ରପ୍ତାନିକାରୀ, ବିଶେଷକରି କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପ୍ରଭାବିତ ହୋଇପାରେ। କିନ୍ତୁ ଶୁଳ୍କ ମାଡର ମୁକାବିଲା କରିବା ପାଇଁ ଭାରତ ପାଖରେ କୂଟନୈତିକ ଆଲୋଚନା, ଶକ୍ତି ଆମଦାନୀ ବିବିଧତା, ପ୍ରତିଶୋଧମୂଳକ ଶୁଳ୍କ ଲାଗୁ ଏବଂ ଘରୋଇ ଆର୍ଥିକ ଉପାୟ
, ଏହିପରି ୭ ପ୍ରକାରର ବିକଳ୍ପ ଅଛି।
ପ୍ରଥମ ବିକଳ୍ପ – ୨୧ ଦିନ ସମୟ ଅଛି
ସୂଚନାଯୋଗ୍ୟ ଯେ , ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ୨୧ ଦିନ ପରେ କାର୍ଯ୍ୟକାରୀ ହେବ। ଏହାର ଅର୍ଥ ହେଉଛି ଭାରତ ପାଖରେ ୨୧ ଦିନ ସମୟ ଅଛି ଏବଂ ଏହି ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଆଲୋଚନା ମାଧ୍ୟମରେ ଏକ ସମାଧାନ ଖୋଜାଯାଇପାରିବ। ଏହା ବ୍ୟତୀତ ଆମେରିକାର ଶୁଳ୍କର ଜବାବରେ ଭାରତ ପାଖରେ ରଣନୈତିକ, ଅର୍ଥନୈତିକ ଏବଂ କୂଟନୈତିକ ବିକଳ୍ପ ଅଛି। ରୁଷ ଠାରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ତୈଳ ଆମଦାନୀ ଯୋଗୁ ଏହି ଶୁଳ୍କ ଲାଗୁ କରାଯାଇଛି। ପ୍ରଶ୍ନ ଏହା ମଧ୍ୟ ଯେ ଭାରତ ଏବେ ରୁଷ ଠାରୁ ତୈଳ କିଣିବା ବନ୍ଦ କରିବ କି ?
ଦ୍ୱିତୀୟ ବିକଳ୍ପ – ଆମେରିକା ସହିତ ଆଲୋଚନା
ଭାରତ ଶୁଳ୍କ ସମ୍ପର୍କରେ ଆମେରିକା ସହିତ କୂଟନୈତିକ ସ୍ତରୀୟ ଆଲୋଚନା କରିପାରିବ, ଯାହା ଦ୍ଵାରା ଶୁଳ୍କର ପ୍ରଭାବ ହ୍ରାସ କରାଯାଇପାରିବ କିମ୍ବା ଛାଡ ମିଳିପାରିବ। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶର ଧାରା ୪(ଗ) ରେ ଉଲ୍ଲେଖ ଅଛି ଯେ ଭାରତ ରୁଷ ଠାରୁ ତୈଳ ଆମଦାନୀ ହ୍ରାସ କରି ଆମେରିକା ଠାରୁ ଶୁଳ୍କ ସଂଶୋଧିତ କରିପାରିବ। ବର୍ତ୍ତମାନ ଭାରତ ଏହାର ତୈଳ ଆବଶ୍ୟକତାର ପ୍ରାୟ ୮୫% ଆମଦାନୀ କରେ, ବର୍ତ୍ତମାନ ଏହା ରୁଷ ଠାରୁ ପ୍ରାୟ ୪୦% ତେଲ ଆମଦାନୀ କରୁଛି। ଆମେରିକାର ଅସନ୍ତୋଷ ଦୂର କରିବା ପାଇଁ ଭାରତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ଇରାକ ଏବଂ ନାଇଜେରିଆ ଭଳି ଅନ୍ୟାନ୍ୟ ତୈଳ ରପ୍ତାନିକାରୀ ଦେଶଗୁଡ଼ିକରୁ ଆମଦାନୀ ବୃଦ୍ଧି କରିପାରିବ। ତଥାପି ଏହି ବିକଳ୍ପଗୁଡ଼ିକ ରୁଷୀୟ ତୈଳ ତୁଳନାରେ ମହଙ୍ଗା ହୋଇପାରେ, ଯାହା ଭାରତରେ ମୂଲ୍ୟ ବୃଦ୍ଧି କରିପାରେ।
ତୃତୀୟ ବିକଳ୍ପ – ଅନ୍ୟାୟ ବିରୁଦ୍ଧରେ ସ୍ୱରୋତ୍ତଳନ
ଭାରତ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ଭଳି ଫୋରମରେ ଏହି ପ୍ରସଙ୍ଗ ଉଠାଇପାରେ ଏବଂ ସେଠାରେ ଯୁକ୍ତି ଉପସ୍ଥାପନ କରିପାରେ ଯେ ଏହି ଶୁଳ୍କ ପକ୍ଷପାତପୂର୍ଣ୍ଣ ଏବଂ ବିଶ୍ଵ ବାଣିଜ୍ୟ ସଂଗଠନର ନୀତି (ସର୍ବାଧିକ ଅନୁକୂଳ-ରାଷ୍ଟ୍ରର ବ୍ୟବହାର) ର ସିଧାସଳଖ ଉଲ୍ଲଂଘନ କରେ। ଭାରତ ଜି - ୨୦ କିମ୍ବା ବ୍ରିକ୍ସ ଭଳି ଫୋରମରେ ମଧ୍ୟ ସମର୍ଥନ ପାଇପାରିବ। ଶୁଳ୍କର ପ୍ରଭାବକୁ ସନ୍ତୁଳିତ କରିବା ପାଇଁ ଭାରତ ବ୍ରିକ୍ସ, ଏସ୍,ସି,ଓ, ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଫୋରମ ମାଧ୍ୟମରେ ରୁଷ, ଚୀନ୍ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହିତ ସମ୍ପର୍କକୁ ମଜବୁତ କରିପାରିବ।
ଚତୁର୍ଥ ବିକଳ୍ପ – ରୁଷ ସହିତ ନୂତନ ରଣନୀତି
ଯେହେତୁ ସମ୍ପୂର୍ଣ୍ଣ ପ୍ରସଙ୍ଗ ରୁଷରୁ ତେଲ କିଣିବା ବିଷୟ ଉପରେ କେନ୍ଦ୍ରିତ, ତେଣୁ ଭାରତ ଆମେରିକାର ପ୍ରତିବନ୍ଧକ ଦ୍ୱାରା କମ୍ ପ୍ରଭାବିତ ହେଉଥିବା ବିକଳ୍ପ ବାଣିଜ୍ୟ ବ୍ୟବସ୍ଥା (ଯେପରିକି ଟଙ୍କା-ରୁବଲ୍ ଦେୟ ବ୍ୟବସ୍ଥାକୁ ମଜବୁତ କରିବା) ସୃଷ୍ଟି କରିବା ପାଇଁ ରୁଷ ସହିତ ଆଲୋଚନା କରିପାରିବ। ଯଦି ଆମେରିକା ରାଜି ନହୁଏ, ତେବେ ଭାରତ ଦକ୍ଷିଣ ଆମେରିକା (ଯେପରିକି ଭେନେଜୁଏଲା) କିମ୍ବା ଆଫ୍ରିକାର ଅନ୍ୟ ଦେଶଗୁଡ଼ିକରୁ ତୈଳ ଆମଦାନୀର ନୂତନ ଉତ୍ସ ଖୋଜିପାରିବ, ଯଦିଓ ଏହା ଲଜିଷ୍ଟିକ୍ସ ଏବଂ ମୂଲ୍ୟ ଦୃଷ୍ଟିରୁ ଚ୍ୟାଲେଞ୍ଜିଂ ହୋଇପାରେ। ଭାରତ ନବୀକରଣୀୟ ଶକ୍ତି (ସୌର, ପବନ) ଏବଂ ଘରୋଇ ତୈଳ ଏବଂ ଗ୍ୟାସ ଉତ୍ପାଦନକୁ ପ୍ରୋତ୍ସାହିତ କରିପାରିବ।
ପଞ୍ଚମ ବିକଳ୍ପ – ଭାରତ ମଧ୍ୟ ପ୍ରତିବଦଳରେ ଶୁଳ୍କ ବୃଦ୍ଧି କରିପାରିବ
ଯଦି ଆଲୋଚନାରୁ ସମାଧାନର ରାସ୍ତା ନ ବାହାରେ, ତେବେ ଭାରତ ମଧ୍ୟ ବଦଲା ନେଇପାରେ, ଯଥା ଭାରତ କିଛି ଆମେରିକୀୟ ସାମଗ୍ରୀ (ଯେପରିକି କୃଷି ଉତ୍ପାଦ, ଔଷଧ, କିମ୍ବା ବୈଷୟିକ ଉପକରଣ) ଉପରେ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ କରିପାରିବ। ଉଦାହରଣ ସ୍ୱରୂପ ଭାରତ ୨୦୧୯ ରେ ଆମେରିକୀୟ ବାଦାମ, ସେଓ ଏବଂ ଇସ୍ପାତ ଉପରେ ଶୁଳ୍କ ଲାଗୁ କରିସାରିଛି।
ଷଷ୍ଠ ବିକଳ୍ପ – ଘରୋଇ ଶିଳ୍ପକୁ ସବସିଡି
ଆମେରିକୀୟ ଶୁଳ୍କ ଦ୍ୱାରା ପ୍ରଭାବିତ ଭାରତ ଏହାର ଘରୋଇ ଶିଳ୍ପ (ଯେପରିକି ବୟନଶିଳ୍ପ, ଔଷଧ ଏବଂ ଆଇଟି) କୁ ପ୍ରୋତ୍ସାହିତ କରିବା ପାଇଁ ସବସିଡି କିମ୍ବା ପ୍ରୋତ୍ସାହନ ପ୍ରଦାନ କରିପାରିବ, ଯାହା ଦ୍ଵାରା ଶୁଳ୍କର ପ୍ରଭାବ ହ୍ରାସ ପାଇବ
।
ସପ୍ତମ ବିକଳ୍ପ – ଆମେରିକା ସହିତ ବାଣିଜ୍ୟ ହ୍ରାସ ଆଉ ନୂଆ ରାଷ୍ଟ୍ରର ସନ୍ଧାନ
ଭାରତ ରପ୍ତାନୀ ପାଇଁ ଆମେରିକୀୟ ବଜାରର ବିକଳ୍ପ ଅନ୍ୟ ଦେଶମାନଙ୍କରେ ଖୋଜିପାରିବ। ବିଶେଷକରି ୟୁରୋପ, ଦକ୍ଷିଣ ପୂର୍ବ ଏସିଆ ଏବଂ ଆଫ୍ରିକା ଭଳି ଦେଶ ସହିତ ବାଣିଜ୍ୟ ବୃଦ୍ଧି କରିବାକୁ ପ୍ରୟାସ କରାଯାଇପାରିବ। ଏହା ଆମେରିକା ଉପରେ ନିର୍ଭରଶୀଳତା ହ୍ରାସ କରି ଆମେରିକକୁ ଉପଯୁକ୍ତ ଜବାବ ଦେବ। ୨୦୨୪ ରେ ଆମେରିକା ସହିତ ଭାରତର ବାଣିଜ୍ୟ ନିଅଣ୍ଟ ପରିମାଣ ୪୫.୮ ବିଲିୟନ ଡଲାର ଥିଲା, ଏବେ ଶୁଳ୍କ ଲାଗୁ ଫଳରେ ଏହା ଆହୁରି ବୃଦ୍ଧି ପାଇବ। ତେବେ ସେ ଯାହା ହେଉ, ଆମେରିକାର ଶୁଳ୍କ ମାଡ଼ର ଠିକଣା ଜବାବ ଦେବା ଲାଗି ଭାରତ ହାତରେ ଏତେ ଗୁଡିଏ ବିକଳ୍ପ ଥିବାରୁ ଭାରତ ଆଉ ବସି ନ ରହି ଯେଉଁ ବିକଳ୍ପଗୁଡିକ ଖୁବ୍ ସ୍ଵାର୍ଥପୂରକ ହେଉଛି, ସେଗୁଡିକ ଗ୍ରହଣ କରି ନିଜର ଅର୍ଥନୀତିର ସୁରକ୍ଷା କରିବା ଉଚିତ ହେବ। ଏ ଭଳି ସମୟରେ ଭାରତର ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଋଷରେ ପହଞ୍ଚି ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କୁ ଭେଟିବା, ଏହାପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଋଷ୍ ଯିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଚୀନ୍ ଗସ୍ତରେ ଯିବା ଯଥେଷ୍ଟ ଗୁରୁତ୍ୱ ବହନ କରୁଛି