

ଆଲେଖ୍ୟ – ଜବାହର ମିଶ୍ର
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ-ରୁଷ ଯୁଦ୍ଧ ସମ୍ପର୍କରେ ନିରନ୍ତର ବୟାନ ଦେଉଛନ୍ତି। ଟ୍ରମ୍ପଙ୍କ ବକ୍ତବ୍ୟର ଲକ୍ଷ୍ୟ କେବଳ ଯୁଦ୍ଧ ସମାପ୍ତ କରିବା ନୁହେଁ, ବରଂ ଏହା ଏକ ବୃହତ୍ତର ରଣନୈତିକ ଖେଳର ଅଂଶ। ଟ୍ରମ୍ପଙ୍କ ଏହି ଯୋଜନାକୁ ‘ରିଭର୍ସ ନିକ୍ସନ’ କୁହାଯାଉଛି। ଏହା ହେଉଛି ସମାନ ରଣନୀତି ଯାହା ଆମେରିକା ୧୯୭୦ ଦଶକରେ ସୋଭିଏତ୍ ୟୁନିଅନକୁ ଦୁର୍ବଳ କରିବା ପାଇଁ ବ୍ୟବହାର କରିଥିଲା। ଏବେ ଟ୍ରମ୍ପ ପ୍ରଶାସନ ରୁଷର ନିକଟତର ହେବାକୁ ଚେଷ୍ଟା କରୁଛି।
ଆମେରିକାର ଏହି ପଦକ୍ଷେପ କେବଳ ଏହାର ୟୁରୋପୀୟ ସହଯୋଗୀମାନଙ୍କୁ ଚିନ୍ତିତ କରିନାହିଁ, ବରଂ ଚୀନରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ଚୀନ୍ ଏବଂ ରୁଷ ମଧ୍ୟରେ ବୃଦ୍ଧି ପାଉଥିବା ସହଭାଗୀତାକୁ ଦୁର୍ବଳ କରିବା ପାଇଁ ଟ୍ରମ୍ପଙ୍କ ପ୍ରୟାସ ଦର୍ଶାଉଛି ଯେ ୱାଶିଂଟନ୍ ଏବେ ଚୀନ୍କୁ ସବୁଠାରୁ ବଡ଼ ବିପଦ ଭାବରେ ଦେଖୁଛି। ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ଯଦି ଟ୍ରମ୍ପ ତାଙ୍କ ମିଶନରେ ଆଂଶିକ ଭାବରେ ବି ସଫଳ ହୁଅନ୍ତି, ତେବେ ଏହା ଚୀନ୍ ପାଇଁ ଏକ ବଡ଼ କୂଟନୈତିକ ପରାଜୟ ହେବ।
ଆମେରିକା-ରୁଷ ଶାନ୍ତି ଆଲୋଚନାକୁ ଚୀନ୍ ଇଚ୍ଛା ନ ଥିଲେ ବି ଭଲ ଲୋକି ଦେଖାଇହେବା ଲାଗି ସାର୍ବଜନୀନ ଭାବରେ ତଥା ଖୋଲାଖୋଲି ଭାବେ ସମର୍ଥନ କରିଛି, କିନ୍ତୁ ଆଭ୍ୟନ୍ତରୀଣ ଭାବରେ ଚୀନ ନିଜକୁ ବଡ଼ ଅସହଜ ଅନୁଭବ କରୁଛି। ଚୀନ୍ ଅଧିକାରୀମାନେ ଭୟ କରୁଛନ୍ତି ଯେ ଆମେରିକା ଏବଂ ରୁଷ ମଧ୍ୟରେ ଘନିଷ୍ଠତା ବିଶ୍ୱ ରାଜନୀତିରେ ଚୀନ୍କୁ ଅଲଗା କରିପାରେ। ଚୀନ୍ ବୈଦେଶିକ ନୀତି ବିଶେଷଜ୍ଞ ୟୁ ବିନ୍ ସିଏନଏନକୁ କହିଛନ୍ତି, ‘ଯଦି ଆମେରିକା ଏବଂ ରୁଷ ଏକତ୍ର ହୁଅନ୍ତି, ତେବେ ଟ୍ରମ୍ପ ପ୍ରଶାସନ ତାର ସମସ୍ତ ଶକ୍ତି ଚୀନ୍ ଉପରେ କେନ୍ଦ୍ରିତ କରିପାରିବ।
‘ ରିଭର୍ସ ନିକ୍ସନ’ କ’ଣ ?
ଟ୍ରମ୍ପଙ୍କ ଏହି ରଣନୀତିକୁ ଅନେକ ବିଶେଷଜ୍ଞ ‘ରିଭର୍ସ ନିକ୍ସନ’ ତଥା ବିପରୀତ ନିକ୍ସନ ଯୋଜନା ବୋଲି କହୁଛନ୍ତି। ଏହି ରଣନୀତିକୁ ୧୯୭୦ ଦଶକରେ ଆମେରିକାର ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନୀତିର ଏକ ବିପରୀତ ସଂସ୍କରଣ ବୋଲି ବିବେଚନା କରାଯାଏ। ୧୯୭୨ ମସିହାରେ, ନିକ୍ସନ ଚୀନକୁ ଏକ ଐତିହାସିକ ଗସ୍ତ କରିଥିଲେ। ଏହାର ଲକ୍ଷ୍ୟ ଥିଲା ସୋଭିଏତ୍ ୟୁନିଅନ୍ (USSR) ଠାରୁ ଚୀନକୁ ଅଲଗା କରିବା ଏବଂ ଶୀତଳ ଯୁଦ୍ଧ ସମୟରେ ଆମେରିକାକୁ ଏକ କୂଟନୈତିକ ଅଗ୍ରଣୀ ପ୍ରଦାନ କରିବା। ଏହି ରଣନୀତି ସଫଳ ହୋଇଥିଲା ଏବଂ ଚୀନ-ଆମେରିକା ସମ୍ପର୍କରେ ଉନ୍ନତି ହୋଇଥିଲା, ଯାହା ଫଳରେ କି ସୋଭିଏତ୍ ୟୁନିଅନକୁ ଏକୁଟିଆ କରିଦିଆଯାଇଥିଲା। ଏବେ ଟ୍ରମ୍ପ ଏହି ପୂର୍ବ ଯୋଜନାର ବିପରୀତ ପକ୍ଷ କରିବାକୁ ଚାହୁଁଛନ୍ତି, ଅର୍ଥାତ୍ ରୁଷର ନିକଟତର ହୋଇ ଚୀନକୁ ଋଷ ଠାରୁ ଅଲଗା କରିବା ଚାହୁଁଛନ୍ତି।
ଏହି ରଣନୀତି କାହିଁକି ଚୀନ୍ ପାଇଁ ବିପଦ ହୋଇପାରେ?
ଗତ କିଛି ବର୍ଷ ମଧ୍ୟରେ ଚୀନ ଏବଂ ଋଷ ମଧ୍ୟରେ ସମ୍ପର୍କ ମଜଭୁତ ହୋଇଛି। ରୁଷ ଚୀନ୍ ପାଇଁ ଶକ୍ତିର ଏକ ପ୍ରମୁଖ ଉତ୍ସ ହେବା ସହ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ଟ୍ରମ୍ପଙ୍କ ‘ବିପରୀତ ନିକ୍ସନ’ ନୀତି ଏହି ସମ୍ପର୍କଗୁଡ଼ିକୁ ପ୍ରଭାବିତ କରିପାରେ। ଯଦି ଆମେରିକା ରୁଷକୁ ଚୀନ୍ ଠାରୁ ଅଲଗା କରିବାରେ ସଫଳ ହୁଏ, ତେବେ ଚୀନ୍ କେବଳ ଭୂରାଜନୈତିକ ଦୃଷ୍ଟିରୁ ଦୁର୍ବଳ ହେବ ନାହିଁ, ବରଂ ପଶ୍ଚିମ ଦେଶମାନଙ୍କଠାରୁ ଅଧିକ ଚାପର ସମ୍ମୁଖୀନ ହେବ।
ଚୀନ୍ ବଡ଼ କ୍ଷତି ସହିପାରେ
ଆମେରିକାର ଧ୍ୟାନ ସମ୍ପୂର୍ଣ୍ଣ ଭାବରେ ଚୀନ୍ ଉପରେ ରହିବ: ଯଦି ରୁଷ ଏବଂ ଆମେରିକା ମଧ୍ୟରେ ଏକ ଶାନ୍ତି ଚୁକ୍ତି ହୁଏ, ତେବେ ଆମେରିକା ଚୀନ୍କୁ ରୋକିବା ପାଇଁ ତାର ସମସ୍ତ ଶକ୍ତି କେନ୍ଦ୍ରିତ କରିପାରିବ। ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଚୀନ୍ ରୁଷକୁ ସମର୍ଥନ କରିଥିଲା, ଯାହା ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଚୀନ୍ ପ୍ରତି ଅବିଶ୍ୱାସ ବୃଦ୍ଧି କରିଥିଲା। ଯଦି ରୁଷ ପାଶ୍ଚାତ୍ୟ ଦେଶଗୁଡ଼ିକର ନିକଟତର ହୁଏ, ତେବେ ଚୀନ୍ ଆହୁରି ଅଧିକ ଏକାକୀ ହୋଇଯାଇପାରେ। ଚୀନ୍ର ଅର୍ଥନୀତି ପୂର୍ବରୁ ଚାପରେ ଅଛି। ଯଦି ରୁଷ ଆମେରିକା ଆଡକୁ ଢଳେ, ତେବେ ଚୀନକୁ ଶସ୍ତା ତେଲ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇପାରେ।
ରୁଷ ପାଇଁ ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହୋଇଆସିଛି। ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ରୁଷକୁ ଚୀନର ଆବଶ୍ୟକତା ଅଛି। ଏପରି ପରିସ୍ଥିତିରେ, ରୁଷ ଆମେରିକା ସହିତ କେତେ ଦୂର ଯିବ ତାହା ଦେଖିବା ଆକର୍ଷଣୀୟ ହେବ। ତଥାପି, କିଛି ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ପୁଟିନଙ୍କ ପାଇଁ ଚୀନ୍ ସହିତ ‘ସାନ ଭାଇ’ ଭୂମିକା ଗ୍ରହଣ କରିବା କଷ୍ଟକର ହୋଇପାରେ। ଯଦି ଆମେରିକା ରୁଷକୁ ଏକ ଭଲ ଚୁକ୍ତି ପ୍ରଦାନ କରେ, ତେବେ ପୁଟିନ ବେଜିଂଠାରୁ ନିଜକୁ ଦୂରେଇ ରଖିପାରନ୍ତି।
ଟ୍ରମ୍ପଙ୍କ ଯୋଜନା କେତେ ସଫଳ ହେବ?
ଅନେକ ବିଶେଷଜ୍ଞ ସନ୍ଦେହ କରୁଛନ୍ତି ଯେ ଟ୍ରମ୍ପ ରୁଷ ଏବଂ ଚୀନ୍ ମଧ୍ୟରେ ଫାଟ ସୃଷ୍ଟି କରିବାରେ ସମ୍ପୂର୍ଣ୍ଣ ସଫଳ ହେବେ। ରୁଷ ଏବଂ ଚୀନ୍ ମଧ୍ୟରେ ସହଭାଗୀତା କେବଳ ରଣନୈତିକ ଦୃଷ୍ଟିରୁ ନୁହେଁ ବରଂ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଦୃଢ଼। ଚୀନ୍ ହେଉଛି ରୁଷିଆର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ଏବଂ ପାଶ୍ଚାତ୍ୟ ପ୍ରତିବନ୍ଧକ ମଧ୍ୟରେ ରୁଷକୁ ଚୀନ୍ ର ଆବଶ୍ୟକତା ରହିବ।
ତେବେ ସେ ଯାହା ହେଉ, ଟ୍ରମ୍ପ ତାଙ୍କ ଯୋଜନାରେ ସଫଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଟ୍ରମ୍ପ ଯଦି ୟୁକ୍ରେନ ସହିତ ଋଷର ଯୁଦ୍ଧ ବନ୍ଦ କରାନ୍ତି, ତେବେ ଏଥିରେ ଋଷର ବଡ ଫାଇଦା ହେବ। ଋଷ ଭଲ ଭାବରେ ଜାଣିଛି ଯେ ଋଷ ସହିତ ଲଢିବା ଲାଗି ୟୁକ୍ରେନର ଏତେ ଖାସ୍ ତାକତ ନାହିଁ। କେବଳ ଆମେରିକାର ବାଇଡେନ ସରକାର ଠାରୁ ବିପୁଳ ମାତ୍ରାରେ ଉଭୟ ଆର୍ଥିକ ଆଉ ସାମରିକ ସହାୟତା ପାଇଚାଲିଥିବାରୁ ତିନି ବର୍ଷ ହେଲା ଋଷ ପରି ଶକ୍ତିଶାଳୀ ରାଷ୍ଟ୍ର ସହିତ ଲଢେଇ ଜାରି ରଖିପାରିଛି। ନଚେତ୍ କେବେ ଠାରୁ ହାରିସାରନ୍ତାଣି। ଏଣୁ ଟ୍ରମ୍ପ ଚାହିଁଲେ ୟୁକ୍ରେନକୁ ଆର୍ଥିକ ଆଉ ସାମରିକ ସହାୟତା ବନ୍ଦ କରିପାରିବେ ଆଉ ତାକୁ ଯୁଦ୍ଧ ବନ୍ଦ ଲାଗି ବାଧ୍ୟ କରିପାରିବେ। ଏପରି ହେଲେ ଋଷ ଉପରୁ ସମସ୍ତ ଆନ୍ତର୍ଜାତିକ କଟକଣା ଉଠିଯିବ ଆଉ ଋଷର ଆର୍ଥିକ ସ୍ଥିତି ପୁଣି ସୁଦୃଢ ହୋଇପାରିବ।
କେବଳ ଏତିକି ନୁହେଁ, ୟୁକ୍ରେନ ସହିତ ଯୁଦ୍ଧ ଆଉ ଆନ୍ତର୍ଜାତିକ କଟକଣା ଯୋଗୁ ଋଷ ବାଧ୍ୟ ହୋଇ ଚୀନର ଶରଣ ପଶିଛି। ଏପଟେ ସହାୟତା ଦେଇ ସେପଟେ ଋଷକୁ ଚୀନ ଖୁବ୍ ଶୋଷୁଛି। ରାଷ୍ଟ୍ରପତି ପୁଟିନ ସବୁ ଜାଣିଥିଲେ ବି ପରିସ୍ଥିତିର ଚାପରେ ପଡି କିଛି କରିପାରୁନାହିଁ ଆଉ ଅନିଚ୍ଛା ସତ୍ତ୍ଵେ ଚୀନର ଆଶ୍ରିତ ହୋଇରହିଛନ୍ତି । ଚୀନ୍ ମଉକାରେ ଅଛି ଯେ ସୁବିଧା ପାଇଲେ ଦିନେ ଋଷ ଉପରେ ପୁରା ଆଧିପତ୍ୟ ବିସ୍ତାର କରି ତାକୁ ଗୋଟାପଣେ ଗିଳିଦେବ।
ଏଣୁ ଏହି ସବୁ କାରଣରୁ ପୁଟିନ ଟ୍ରମ୍ପଙ୍କ ସହିତ ହାତ ମିଳାଇବା ଲାଗି ରାଜି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରି ହେଲେ ଫାଇଦାରେ ଋଷ ଏବଂ ଆମେରିକା ରହିବେ ଆଉ ଚୀନର ପତ୍ତା ସାଫ୍ ହେଇଯିବ।