

.ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇଚାଲିଛି। ପ୍ରଥମ ଥର ପାଇଁ ଡଲାର ତୁଳନାରେ ଟଙ୍କା ୮୭ ଅତିକ୍ରମ କରିଛି। ଗତକାଲି ମୁଦ୍ରା ବଜାର ଖୋଲିବା ମାତ୍ରେ ଟଙ୍କା ୪୨ ପଇସା ହ୍ରାସ ପାଇ ୮୭.୦୬ରେ ଖୋଲିଛି। ଯେତେବେଳେ ବ୍ୟବସାୟ ଆରମ୍ଭ ହେବାର ୧୦ ମିନିଟ୍ ମଧ୍ୟରେ ଏହା ୫୫ ପଇସା ହ୍ରାସ ପାଇଥିଲା ଏବଂ ଭାରତୀୟ ଟଙ୍କା ୧ ଡଲାର ତୁଳନାରେ ୮୭.୧୨ଟଙ୍କା ପ୍ରତି ଡଲାର ହୋଇଯାଇଛି।
ଏବେ ପ୍ରଶ୍ନ ଉଠୁଛି ଯେ ଟଙ୍କାର ମୂଲ୍ୟ ହ୍ରାସ ସାଧାରଣ ଭାରତୀୟଙ୍କ ପକେଟ ଉପରେ କଣ ପ୍ରଭାବ ପକାଇବ। ସେମାନଙ୍କ ପାଇଁ କଣ ସବୁ ମହଙ୍ଗା ହୋଇଯିବ? ବିଷୟରେ ବିସ୍ତାର ଭାବରେ ଆଲୋଚନା କରିବାର ଆବଶ୍ୟକତା ରହିଛି।
ଟଙ୍କାର ଦୁର୍ବଳତାର ପ୍ରଭାବ ଅନେକ କ୍ଷେତ୍ରରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ଟଙ୍କା ଦୁର୍ବଳ ହେବା ଯୋଗୁ ଆମଦାନୀ ହେଉଥିବା ସାମଗ୍ରୀ ଅର୍ଥାତ୍ ବିଦେଶରୁ ଭାରତକୁ ଆସୁଥିବା ଜିନିଷଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବ। ଏଥିରେ ଖାଦ୍ୟ ତେଲ, ଡାଲି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅନ୍ତର୍ଭୁକ୍ତ। ଆମଦାନୀ ଖର୍ଚ୍ଚ ବୃଦ୍ଧି ପାଇବା ସହିତ, ଏହି ସାମଗ୍ରୀଗୁଡ଼ିକର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ, ଯାହା ଫଳରେ ଘରୋଇ ବଜାରରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ।
ଅଶୋଧିତ ତେଲ ଏବଂ ଶକ୍ତି ମଧ୍ୟ ମହଙ୍ଗା ହୋଇଯିବ। ପ୍ରକୃତରେ, ଭାରତ ଅଶୋଧିତ ତୈଳର ସବୁଠାରୁ ବଡ଼ ଆମଦାନୀକାରୀ ଦେଶ। ଟଙ୍କା ଦୁର୍ବଳ ହେବା ଯୋଗୁ ଅଶୋଧିତ ତେଲ ଆମଦାନୀ ମହଙ୍ଗା ହୋଇଯିବ, ଯାହା ଫଳରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇପାରେ। ଏହା ପରିବହନ ଖର୍ଚ୍ଚ ମଧ୍ୟ ବୃଦ୍ଧି କରିବ, ଯାହା ଶେଷରେ ସମସ୍ତ ସାମଗ୍ରୀର ମୂଲ୍ୟକୁ ପ୍ରଭାବିତ କରିବ।
ଇଲେକ୍ଟ୍ରୋନିକ ଏବଂ ପୁଞ୍ଜିଗତ ସାମଗ୍ରୀ ମଧ୍ୟ ମହଙ୍ଗା ହେବ। ପ୍ରକୃତରେ, ଇଲେକ୍ଟ୍ରୋନିକ ସାମଗ୍ରୀ ଏବଂ ଯନ୍ତ୍ରପାତିର ଅଧିକାଂଶ ଅଂଶ ବିଦେଶରୁ ଆମଦାନି କରାଯାଏ। ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ସେମାନଙ୍କର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ, ଯାହା ଯୋଗୁ ଗ୍ରାହକମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ।
ଏହା ବ୍ୟତୀତ ପାଠପଢ଼ୁଥିବା କିମ୍ବା ବିଦେଶ ଯାତ୍ରା କରୁଥିବା ଛାତ୍ର ଏବଂ ଯାତ୍ରୀମାନଙ୍କୁ ମଧ୍ୟ ଏବେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଡଲାର ତୁଳନାରେ ଟଙ୍କାର ଦୁର୍ବଳତା ସେମାନଙ୍କର ଶିକ୍ଷା ଏବଂ ଯାତ୍ରା ଖର୍ଚ୍ଚ ବୃଦ୍ଧି କରିବ।
ଭାରତରେ ଅଧିକାଂଶ ଔଷଧ ବିଦେଶରୁ ଅଣାଯାଇଥାଏ, ଅର୍ଥାତ୍ ଆମଦାନୀ କରାଯାଇଥାଏ। ଏପରି ପରିସ୍ଥିତିରେ, ଯେତେବେଳେ ଟଙ୍କାରେ ହ୍ରାସ ଦେଖାଯାଇଛି, ଏହା ସେମାନଙ୍କର ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ। ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଦେଶରେ ଔଷଧ ମଧ୍ୟ ମହଙ୍ଗା ହୋଇପାରେ।
ଭାରତୀୟ ଟଙ୍କାର ଏହି ହ୍ରାସ ପଛରେ ଅନେକ କାରଣ ଅଛି। ସବୁଠାରୁ ବଡ଼ କାରଣ ହେଉଛି ଆମେରିକା ଦ୍ୱାରା ଲାଗୁ ହେଉଥିବା ଶୁଳ୍କ। ଏହା ଡଲାର ପ୍ରତି ଆକର୍ଷଣ ବୃଦ୍ଧି କରିଛି। ଏହି କାରଣରୁ ଡଲାର ତୁଳନାରେ ଅନ୍ୟାନ୍ୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି। ଏହା ବ୍ୟତୀତ ଆମେରିକାରେ ନିଯୁକ୍ତି ବୃଦ୍ଧି ଯୋଗୁ ଡଲାରର ଚାହିଦା ବୃଦ୍ଧି ପାଇଛି, ଯାହା ଟଙ୍କା ଉପରେ ଚାପ ପକାଇଛି।
ଭାରତ ପକ୍ଷେ ଏହି ସମସ୍ୟାର ସମାଧାନ ଏତେ ସହଜ ନୁହେଁ। ତଥାପି ଏଥିଲାଗି କିଛି ଉପାୟ ଅଛି। ତାହା ହେଉଛି ଭାରତକୁ ଆମଦାନୀ ତୁଳନାରେ ରପ୍ତାନୀ ପରିମାଣ ଯଥେଷ୍ଟ ବୃଦ୍ଧି କରିବାକୁପଡିବ। ବିଦେଶରୁ ଭାରତର ଆମଦାନୀ ପରିମାଣ ଅଧିକ ରହୁଛି। ଯଦିଓ ମୋଦି ସରକାର ଆସିବା ପରଠାରୁ ଭାରତର ରପ୍ତାନୀ ପରିମାଣ ବୃଦ୍ଧି ପାଇଛି, ତଥାପି ଏହା ଉଦ୍ଦେଶ୍ୟ ପୂରଣ ଲାଗି ପର୍ଯ୍ୟାପ୍ତ ନୁହେଁ। ଆମଦାନୀ ତୁଳନାରେ ରପ୍ତାନୀ ପରିମାଣ ତିନି ଗୁଣ କିମ୍ବା ଅତି କମ୍ ରେ ଦୁଇ ଗୁଣ ଅଧିକ ହେବା ଆବଶ୍ୟକ। ଏଥିଲାଗି କୃଷିକୁ ନେଇ ବିଭିନ୍ନ ପ୍ରକାର ଛୋଟ ବଡ଼ ଶିଳ୍ପ ସାମଗ୍ରୀ, ପୋଷାକ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ଅଧିକରୁ ଅଧିକ ବୃଦ୍ଧି କରାଯିବା ଆବଶ୍ୟକ। ଏଥିଲାଗି ସରକାର ଏକ ସ୍ଵତନ୍ତ୍ର ମନ୍ତ୍ରଣାଳୟ ଗଠନ କରିବା ନିହାତି ଆବଶ୍ୟକ ଅଟେ। ନଚେତ୍ ଆଗାମୀ ଦିନରେ ଭାରତ ବିଶ୍ଵର ତୃତୀୟ ବୃହତ୍ତମ ଅର୍ଥନୀତି ବନିବା ଦିବା ସ୍ବପ୍ନରେ ପରିଣତ ହେବା ସାର ହେବ।