

ଆଜି ଅନୁଷ୍ଠିତ ଚମ୍ପିଆନ୍ସ ଟ୍ରଫିର ୨ୟ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ୫୦ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତର ପ୍ରତିଦ୍ବନ୍ଦୀ ଭାବେ ଫାଇନାଲରେ ପ୍ରବେଶ କରିଛି।
ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ହରାଇ ୩୬୨ ରନ ସଂଗ୍ରହ କରିଥିଲା। ୩୬୩ ରନ ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୩୧୨ ରନ କରିବାକୁ ସକ୍ଷମ ହୋଇଥିଲା। ଡେଭିଡ ମିଲରଙ୍କ ଲଢ଼ୁଆ ଶତକ ସତ୍ତ୍ବେ ଦଳ ବିଜୟ ହାସଲ କରିପାରି ନ ଥିଲା।
ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ରଚିନ ରବୀନ୍ଦ୍ର(୧୦୮) ଏବଂ କେନ୍ ୱିଲିୟମସନ(୧୦୨)ଙ୍କ ଶତକ ବଳରେ ୩୬୨ ରନର ବିଶାଳ ସ୍କୋର କରିଥିଲା। ଉଭୟେ ଦ୍ଵିତୀୟ ଉଇକେଟ ଯୋଡିରେ ୧୬୪ ରନ୍ ଯୋଗ କରି ଦଳର ସ୍କୋର୍ ବୋର୍ଡର ଭିତ୍ତିକୁ ପୁରା ମଜଭୁତି ପ୍ରଦାନ କରିଥିଲେ।
ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିଥିଲେ ହେଁ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲା। ମିଲରଙ୍କ ଅପରାଜିତ ଶତକ(୧୦୦), ଅଧିନାୟକ ଟେମ୍ବା ବବୁମା(୫୬) ଏବଂ ରେସି ଭାନ ଡେର ଡସେନ(୬୯)ଙ୍କୁ ଛାଡ଼ିଦେଲ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ। ନ୍ୟୁଜିଲାଣ୍ଡ ତରଫରୁ ମିଚେଲ ସାଣ୍ଟନର ସର୍ବାଧିକ ୩ ଉଇକେଟ ନେଇଥିବାବେଳେ ମ୍ୟାଟ ହେନରୀ ଓ ଗ୍ଲେନ ଫିଲ୍ଲିପ୍ସ ୨ଟି ଲେଖାଏ ଏବଂ ମାଇକେଲ ବ୍ରେସୱେଲ ଓ ରଚିନ ରବୀନ୍ଦ୍ର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।ରଚିନ ରବୀନ୍ଦ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ନ୍ୟୁଜିଲାଣ୍ଡ ଫାଇନାଲରେ ଭାରତକୁ ଭେଟିବ। ଆସନ୍ତା ରବିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।