

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ପରାଜୟବରଣ କରିବା ସହ ନିଜେ ଝାଡୁପତି ( ଝାଡୁ ଦଳର ମୁଖିଆ) ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଗଡ଼ ବଞ୍ଚାଇ ପାରିନଥିଲେ । ତେବେ ଦିଲ୍ଲୀ ହାତରୁ ଖସିବା ପରେ ଏବେ କେଜ୍ରିଓ୍ବାଲଙ୍କ ନଜର ପଞ୍ଜାବ ଉପରେ ରହିଥିବା ଚର୍ଚ୍ଚା ହେଉଛି । ଏହା ମଧ୍ୟରେ କେଜ୍ରିଓ୍ବାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିଲେ । ତେଣୁ କେଜ୍ରିଓ୍ବାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ରାଜେନୖତିକ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି । ତେଣୁ ଏହି ଚର୍ଚ୍ଚା କେତେ ସତ ତାହା ଏକ ବଡ଼ ପ୍ରଶ୍ନ ।
ଦିଲ୍ଲୀ ନିର୍ବାଚନରେ ଝଟକା ଖାଇବା ପରେ ଏବେ କେଜ୍ରିଓ୍ବାଲଙ୍କ ଭରସା ପଞ୍ଜାବ ବୋଲି କୁହାଯାଉଛି । ଏକମାତ୍ର ରାଜ୍ୟ ପଞ୍ଜାବରେ ଆପ ମଜବୁତ ସ୍ଥିତିରେ ରହିବା ସହ ସରକାରରେ ରହିଛି । ଦିଲ୍ଲୀରେ ହାରିବା ପରେ ଏବେ କେଜ୍ରିଓ୍ବାଲ ପଞ୍ଜାବରେ ମଙ୍ଗ ଧରିପାରନ୍ତି ବୋଲି ରାଜନୈତିକ ବିଶାରଦମାନେ ଅନୁମାନ କରୁଛନ୍ତି । ହୋଇପାରେ ପଞ୍ଜାବକୁ ନେଇ କେଜ୍ରିଓ୍ବାଲଙ୍କର ଅନ୍ୟ କିଛି ରଣନୀତି ରହିଥାଇପାରେ । ବର୍ତ୍ତମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ଭଗଓ୍ବନ୍ତ ମାନଙ୍କୁ ହଟାଇ କେଜ୍ରିଓ୍ବାଲ ଉକ୍ତ ଆସନରେ ବସିପାରନ୍ତି । ଏହି ଦାବି କେତେଦୂର ସତ, ତାହା ଅଳ୍ପଦିନ ମଧ୍ୟରେ ସ୍ପଷ୍ଟ ହୋଇପାରେ । ତେଣୁ ଆପକୁ ନେଇ ପୁଣି ଥରେ ହଲଚଲ ଆରମ୍ଭ ହୋଇଯାଇଛି ।
ରାଜନୈତିକ ଅଳିନ୍ଦରେ ଅଲଗା ଅଲଗା ପ୍ରକାରର ଚର୍ଚ୍ଚା ଦେଖିବାକୁ ମିଳିଛି । ୨୦୨୨ରେ ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ ବିଜୟ ହାସଲ କରିଥିଲା । ଦଳ ୧୧୭ରୁ ୯୨ଟି ଆସନରେ ବାଜିମାତ କରି ସରକାର ଗଠନ କରିଥିଲା । ସିଏମ ଦାୟିତ୍ବ ଗ୍ରହଣ କରିବା ପରେ କେଜ୍ରିଓ୍ବାଲ ପଞ୍ଜାବର ରାଜନୀତିରେ ପ୍ରତ୍ୟକ୍ଷ ଭାବେ ବଡ଼ ଭୂମିକା ନିର୍ବାହ କରିପାରିବେ ବୋଲି କୁହାଯାଉଛି । ଲୁଧିଆନା ବିଧାନସଭା ଆସନ ଏବେ ଖାଲି ଥିବାରୁ କେଜ୍ରିଓ୍ବାଲ ଉକ୍ତ ଆସନରେ ଲଢ଼ି ସରକାରରେ ସାମିଲ ହେବାକୁ ଆଶାୟୀ ଥିବା କଥା ମଧ୍ୟ କୁହାଯାଉଛି ।
ଏକଦା ଜାତୀୟ ସ୍ତରରେ ବିକଳ୍ପ ଭାବେ ଉଭା ହେଉଥିବା ଆପ୍ ଦିଲ୍ଲୀରେ ହାରିବା ପରେ ଏବେ ସମସ୍ତଙ୍କ ନଜର ପଞ୍ଜାବ ଉପରେ ରହିଛି। କାରଣ ଦିଲ୍ଲୀ ବ୍ୟତୀତ ଆପ୍ ପଞ୍ଜାବରେ ବି ସରକାରରେ ରହିଥିଲା। ଦିଲ୍ଲୀର କ୍ଷମତା ହାତରୁ ଖସି ଯାଇଥିବାରୁ କୁହାଯାଉଛି ଯେ କେଜ୍ରିୱାଲ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହଟାଇ ସେ ରାଜ୍ୟରେ ଦାୟିତ୍ୱ ନେବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି। ଚର୍ଚ୍ଚା ଅନୁସାରେ, କେଜ୍ରିୱାଲ କିଛି ମାସ ମଧ୍ୟରେ ମାନଙ୍କ ସ୍ଥାନରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ। ଏହାପରେ ସେ ବିଧାନସଭା ଉପ ନିର୍ବାଚନ ଲଢ଼ିବେ। ବର୍ତ୍ତମାନ ଲୁଧିଆନା ୱେଷ୍ଟ ଆସନ ଖାଲି ପଡ଼ିଛି। ୨୦୨୨ରେ ଏଠାରେ ଆପ୍ ଟିକେଟରେ ଗୁରପ୍ରୀତ ବାସି ଗୋଗି ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କ ଦେହାନ୍ତ ଯୋଗୁ ଏହି ଆସନ ଖାଲି ପଡ଼ିଛି। ଖୁବଶୀଘ୍ର ଏଠାରେ ଉପ ନିର୍ବାଚନ ହୋଇପାରେ। ଏହି ଉପ ନିର୍ବାଚନରେ କେଜ୍ରିୱାଲ ଆପ୍ରୁ ଲଢ଼ି ବିଧିବଦ୍ଧ ଭାବେ ପଞ୍ଜାବ ସରକାରରେ ସାମିଲ ହେବେ।
କାହିଁକି ଆପ୍ ପାଇଁ ପଞ୍ଜାବ ଗୁରୁତ୍ୱପୂର୍ଣ୍ଣ?
୨୦୨୨ ବିଧାନସଭା ନିର୍ବାଚନ ବେଳେ ଆପ୍ ପଞ୍ଜାବରେ ବଡ଼ ବିଜୟ ହାସଲ କରିଥିଲା। ରାଜ୍ୟର ୧୧୭ ବିଧାନସଭା ଆସନରୁ ଦଳ ଏକାକୀ ୯୨ଟି ସ୍ଥାନରେ ବାଜିମାତ କରିଥିଲା। କିନ୍ତୁ ଦିଲ୍ଲୀ ବିଧାନସଭାରେ ଆପର ପରାଜୟ ଦଳର ପଞ୍ଜାବ ୟୁନିଟରେ ଅସ୍ଥିରତା ସୃଷ୍ଟି କରିଛି। କିଛି ନେତା ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ନେତୃବୃନ୍ଦ ପଞ୍ଜାବ ସରକାରରେ ହସ୍ତକ୍ଷେପ ଜାରି ରଖିଛନ୍ତି। ଏବେ ଦିଲ୍ଲୀ ହାତରୁ ଖସି ଯିବାରୁ ଏହି ହସ୍ତକ୍ଷେପ ଆହୁରି ବଢ଼ିବ ବୋଲି ସେମାନେ ଆଶଙ୍କା କରିଛନ୍ତି। ପଞ୍ଜାବ ଆପ୍ରେ ଦେଖାଯାଇଥିବା ଅସ୍ଥିରତାରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଆପ୍ ସୁପ୍ରିମୋ କେଜ୍ରିୱାଲ ନିଜେ ସେଠାରେ ସରକାର ଚଳାଇବାକୁ ଚାହୁଁଥିବା ରିପୋର୍ଟ ପ୍ରକାଶ ପାଇଛି। ପଞ୍ଜାବ ବିଧାନସଭାରେ ଆପ୍ ଏକତରଫା ବିଜୟ ହାସଲ କରିଥିଲେ ହେଁ ୨୦୨୪ ଲୋକସଭା ନିର୍ବାଚନରେ ସମସ୍ତଙ୍କୁ ନିରାଶ କରିଥିଲା। ପଞ୍ଜାବର ୧୩ଟି ଲୋକସଭା ଆସନରୁ ଦଳ କେବଳ ଗୋଟିଏରେ ଜିତି ପାରିଥିଲା। ପଞ୍ଜାବ ଆପର ଏକମାତ୍ର ଗଡ଼ ହୋଇ ରହିଥିବାରୁ ଅରବିନ୍ଦ କେଜ୍ରିୱାଲ ଏହାକୁ ଅକ୍ଷତ ରଖିବାକୁ ଚାହୁଁଛନ୍ତି। ଯଦି ପଞ୍ଜାବ ହାତରୁ ଚାଲି ଯିବ, ତା’ହେଲେ ଦେଶରେ ଆଉ ଆପ୍ର କୌଣସି ଅସ୍ଥିତ୍ୱ ରହିବ ନାହିଁ। ତେଣୁ କେଜ୍ରିୱାଲ ରାଜ୍ୟର ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ବୈଠକ କରୁଛନ୍ତି। ଏଠାରେ ଦଳର ଭବିଷ୍ୟତ ରଣନୀତିକୁ ସ୍ଥିର କରାଯିବ ବୋଲି ଜଣାପଡ଼ିଛି।
ବିଜେପି କ’ଣ ଦାବି କରିଛି?
ଗତକାଲି କେଜ୍ରିୱାଲଙ୍କ ନେତୃତ୍ୱରେ ଆପ୍ ପକ୍ଷରୁ କପୁର୍ଥାଲା ହାଉସରେ ବୈଠକ ବସିଥିଲା। ଏହି ବୈଠକରେ କେଜ୍ରିୱାଲଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତ ହେବ ବୋଲି ବିଜେପି ନେତା ମନଜିନ୍ଦର ସିଂହ ସିର୍ସା ଦାବି କରିଥିଲେ। ଦିଲ୍ଲୀର ରଜୌରୀ ଗାର୍ଡେନରୁ ବିଜେପି ଟିକେଟରେ ପ୍ରଥମଥର ପାଇଁ ଜିତିଥିବା ସିର୍ସା ଦାବି କରିଛନ୍ତି ଯେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ମାନଙ୍କୁ ଅଯୋଗ୍ୟ ବିବେଚନା କରି ନିଜେ ପଞ୍ଜାବର ଦାୟିତ୍ୱ ନେବାକୁ ଚାହୁଁଛନ୍ତି। ସେ କହିଛନ୍ତି, “ଦିଲ୍ଲୀ ନିର୍ବାଚନ ହାରିବା ପରେ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ବିଧାୟକଙ୍କ ବୈଠକ ଡାକିଛନ୍ତି। ସେ ଭଗବନ୍ତ ମାନଙ୍କୁ ଅଯୋଗ୍ୟ ବିବେଚନା କରି ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଚାହୁଁଛନ୍ତି। ଭଗବନ୍ତ ମାନ ପ୍ରତିଶ୍ରୁତି ମୁତାବକ ମହିଳାମାନଙ୍କୁ ପଞ୍ଜାବରେ ମାସିକ ୧ ହଜାର ଟଙ୍କା ଲେଖାଏ ଦେଇ ପାରି ନାହାନ୍ତି। ଡ୍ରଗ୍ସ କାରବାର ରୋକି ପାରି ନାହାନ୍ତି ଓ ସେ ପଞ୍ଜାବର ସ୍ଥିତିକୁ ଆହୁରି ବିପର୍ଯ୍ୟୟ କରି ଦେଇଛନ୍ତି। ଏସବୁ ବିଫଳତାର ଦୋଷ ଭଗବନ୍ତ ମାନଙ୍କ ଉପରେ ଲଦିବାକୁ କେଜ୍ରିୱାଲ ଚାହୁଁଛନ୍ତି। ଆପ୍ର ପଞ୍ଜାବ ବିଧାୟକମାନଙ୍କ ମନରେ କେଜ୍ରିୱାଲ ଜଣେ ଭଲ ମଣିଷ ଓ ତାଙ୍କୁ ମାନଙ୍କ ବଦଳରେ ମୁଖ୍ୟମନ୍ତ୍ରୀ କରିବା ଦରକାର ବୋଲି ଗୋଟିଏ ଧାରଣ ସୃଷ୍ଟି କରିବାକୁ ଚେଷ୍ଟା ଚାଲିଛି।”
ବିଜେପିର ଦାବି ଉପରେ କ’ଣ କହିଲେ ଭଗବନ୍ତ ମାନ?
କେଜ୍ରିୱାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ଦାବି ସମ୍ପର୍କରେ ମାନଙ୍କୁ ପଚାରିବୁ ସେ ସ୍ମିତ ହାସ୍ୟ ଦେଇଛନ୍ତି। ବିରୋଧୀ ଯାହା କହିବାର ଅଛି କୁହନ୍ତୁ। ସେହିପରି ପଞ୍ଜାବ ସରକାର ଖୁବଶୀଘ୍ର ପ୍ରତିଶ୍ରୁତି ମୁତାବକ ମହିଳାମାନଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏ ଦେବେ ବୋଲି ମଧ୍ୟ ମାନ ସୂଚନା ଦେଇଛନ୍ତି। ପଞ୍ଜାବର ୨୦ରୁ ଅଧିକ ଆପ୍ ବିଧାୟକ କଂଗ୍ରେସ ଯୋଗାଯୋଗରେ ଥିବା ହେଉଥିବା ଦାବି ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ମାନ ଜବାବ ରଖିଛନ୍ତି। କଂଗ୍ରେସର ପ୍ରତାପ ସିଂହ ବାଜୱା ପ୍ରଥମେ ଆପ୍ର ୨୦ରୁ ଅଧିକ ବିଧାୟକ ତାଙ୍କ ଯୋଗାଯୋଗରେ ଥିବା କହିଥିଲେ। ଏ ସମ୍ପର୍କରେ ମାନ କହିଛନ୍ତି, “ପ୍ରତାପ ବାଜୱା ପ୍ରାୟ ୩ ବର୍ଷ ହେଲାଣି ଏକଥା କହି ଆସୁଛନ୍ତି। ତାଙ୍କୁ ଦିଲ୍ଲୀରେ ତୃତୀୟ ଥର ପାଇଁ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ଗଣିବାକୁ ପ୍ରଶ୍ନ କରାଯାଉ। ସେମାନଙ୍କର ଜଣେ ନେତା ଆପର ପରାଜୟକୁ ଢୋଲ ବଜାଇ ସେଲିବ୍ରେଟ କରିଥିଲେ। ଦିଲ୍ଲୀରେ କଂଗ୍ରେସ ହ୍ୟାଟ୍ରିକ ଶୂନ ପାଇଁ ସେ ଉତ୍ସବ ପାଳିଥିଲେ କି ବୋଲି ତାଙ୍କୁ ପ୍ରଶ୍ନ କରାଯାଉ?”
ବୈଠକରେ କ’ଣ ଆଲୋଚନା ହେଲା?
କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବସିଥିବା ବୈଠକକୁ ନେଇ ଚର୍ଚ୍ଚା ଲାଗି ରହିଛି। ହେଲେ ବୈଠକରେ କ’ଣ ଆଲୋଚନା ହେଲା, ତା’ର ଖବର କାହା ପାଖରେ ନାହିଁ। ତେବେ ବୈଠକ ପରେ ମାନ ଏସମ୍ପର୍କରେ ସମକ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବୈଠକରେ କେଜ୍ରିୱାଲ ଦିଲ୍ଲୀ ପ୍ରଚାର ବେଳେ ଦଳୀୟ କର୍ମୀମାନେ ତୃଣମୂଳସ୍ତରରେ କରିଥିବା କାମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆପ୍ ଦିଲ୍ଲୀ ପାଇଁ ବହୁତ କାମ କରିଛି। କିନ୍ତୁ ନିର୍ବାଚନରେ ଜିତିବା ଓ ହାରିବା ଗୋଟିଏ ଅଂଶ। ଦିଲ୍ଲୀର ଜନାଦେଶକୁ ସମସ୍ତେ ଗ୍ରହଣ କରିଛନ୍ତି। ଏବେ ପଞ୍ଜାବକୁ ଆପ୍ ମଡେଲ ରାଜ୍ୟ ଭାବେ ଗଢ଼ି ତୋଳିବ ବୋଲି କେଜ୍ରିୱାଲ ବୈଠକରେ ସମସ୍ତଙ୍କୁ କହିଥିବା ମାନ ସୂଚନା ଦେଇଛନ୍ତି।