

ଜଗନ୍ନାଥ ଧାମ ଘୋଷଣା ପଛରେ କି ରାଜନୀତି ?
……………………………………………………………………
ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଯୋଜନାରେ ଉକ୍ତ ରାଜ୍ୟର ଦୀଘା ଠାରେ ସଦ୍ୟ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମରେ ନାମିତ କରିବା ଘଟଣା ଏବେ ପ୍ରଚଣ୍ଡ ରାଜନୀତିର ବିବାଦୀୟ ସ୍ବରୂପ ଧାରଣ କରିବା ଅବସ୍ଥାକୁ ଆସିଛି।
ଏହାକୁ ଜଗନ୍ନାଥ ଧାମ କୁହାଯାଉଥିବାରୁ ସମଗ୍ର ଓଡିଶାରେ ଏପରିକି ପଶ୍ଚିମ ବଙ୍ଗ ସମେତ ଜାତୀୟ ସ୍ତରରେ ମଧ୍ୟ ବିରୋଧାଭାସ ପ୍ରକାଶ ପାଇଛି। ଏବେ ଖୋଦ୍ ମମତା ବାନାର୍ଜୀ ଏହା ଉପରେ ତାଙ୍କର ଚିରାଚରିତ ଶାଣିତ ପ୍ରତିକ୍ରିୟା ପ୍ରକାଶ କରି ଘଟଣାଟିକୁ ଅଧିକ ଉତ୍ତେଜନାତ୍ମକ କରିଦେଇଛନ୍ତି। ଯାହା ଫଳରେ ଓଡ଼ିଶା ସରକାର ଏପରିକି ପଶ୍ଚିମ ବଙ୍ଗର ବିରୋଧୀ ଦଳ ନେତା ଏବଂ ବିଜେପିର ଜାତୀୟ ସ୍ତରର ନେତା ଏହି ବିବାଦ ମଧ୍ୟକୁ କୁଦିଛନ୍ତି
ଦୀଘାରେ ଜଗନ୍ନାଥ ଧାମକୁ ନେଇ ବିବାଦ ଥମୁନି। ଏନେଇ ମୁହଁ ଖୋଲଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ପୁରୀ ମନ୍ଦିର ଓ ଜଗନ୍ନାଥଙ୍କୁ ଆମେ ସମ୍ମାନ କରୁ ସାରା ଦେଶରେ କାଳୀ ମନ୍ଦିର ଓ ଗୁରୁଦ୍ୱାର ରହିଛି। ମାତ୍ର ଦୀଘା ମନ୍ଦିରକୁ ନେଇ ଏତେ ରାଗ କାହିଁକି ବୋଲି ଓଡ଼ିଶା ସରକାରଙ୍କୁ ମମତା ପ୍ରଶ୍ନ କରିଛନ୍ତି।
ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ଉପକୂଳବର୍ତ୍ତୀ ସହର ‘ଦୀଘା’ ଠାରେ ଜଗନ୍ନାଥ ମନ୍ଦିରକୁ ଧାମ କରାଯାଇଥିବା ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ମନ୍ଦିରକୁ ପଶ୍ଚିମବଙ୍ଗ ସରକାର ଜଗନ୍ନାଥ ଧାମ ଘୋଷଣା କରିଥିବା ବେଳେ ସନାତନ ଧର୍ମ ଉପରେ ବିଶ୍ବାସ କରୁଥିବା ବ୍ୟକ୍ତି ବିଶେଷ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ତାହାରି ଉପରେ ପ୍ରତିକ୍ରିୟା ରଖି ମମତା କହିଛନ୍ତି ଯେ ଆମେ ଜଗନ୍ନାଥ ଧାମକୁ ସମ୍ମାନ କରୁ। ପୁରୀ ପ୍ରତି ଆମ ମନରେ ଭକ୍ତିଭାବ ରହିଛି। ହେଲେ ବିଜେପିର ଏତେ ରାଗ କାହିଁକି ?
ଦୀଘା ଜଗନ୍ନାଥ ଧାମକୁ ନେଇ ତେଜିଲା ରାଜନୀତି । ହୁଲସ୍ତୁଲ୍ ହେଲାଣି ପଶ୍ଚିମବଙ୍ଗରୁ ଓଡ଼ିଶା। ସବୁଠି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧ । ମମତାଙ୍କୁ ଟାର୍ଗେଟ୍ କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁ କହିଛନ୍ତି ମମତାଙ୍କ ଇଶାରାରେ ଦାରୁ ଚୋରି ହୋଇଛି । ଏପଟେ ଓଡ଼ିଶାରେ ମଧ୍ୟ ମମତାଙ୍କ ଏଭଳି କାର୍ଯ୍ୟକୁ ଉଭୟ ବିଜେଡି ଓ ବିଜେପି ନେତା ବିରୋଧ କରିଥିବା ବେଳେ ପରସ୍ପରକୁ ତେରାଛା ବାଣ ବି ମାରିଛନ୍ତି ।
ଗତକାଲି ବିଜେପି ନେତ୍ରୀ ନାଜିଆ ଇଲାହୀ ଖାନ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିବା ବେଳେ ଆଜି ମମତାଙ୍କୁ ନିଶାନା କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଦୀଘାରେ ଜଗନ୍ନାଥ ମନ୍ଦିର କରି ଏହାକୁ ଜଗନ୍ନାଥ ଧାମ ବୋଲି ଆଖ୍ୟା ଦେବା ଏବଂ ପୁରୀର ଦଇତାପତିଙ୍କ ଦ୍ବାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦାରୁ ବିଗ୍ରହ ନିର୍ମାଣ କରି ମଗାଇବା ପଛରେ ମମତା ବାନାର୍ଜୀଙ୍କ ବଡ଼ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ।
ଶୁଭେନ୍ଦୁ ଅଧିକାରୀ ଏମିତି ବି କହିଛନ୍ତି ଯେ, ମମତାଙ୍କ ଇଶାରାରେ ଦାରୁ ଚୋରି ହୋଇଛି । ରାଜେଶ ଦଇତାପତି କିଏ ? ଯିଏ ମମତାଙ୍କ ଇଶାରାରେ ଏସବୁ କାମ କରିଛନ୍ତି । ତେଣୁ ରାଜେଶ ଦଇତାପତିଙ୍କୁ ତଦନ୍ତ ପରିସରକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଗତକାଲି ବିଜେପି ନେତ୍ରୀ ନାଜିଆ ଇଲାହୀ ଖାନ୍ କହିଥିଲେ ଯେ, ଦୀଘାକୁ ଜଗନ୍ନାଥ ଧାମ ଆଖ୍ୟା ଦେବା ପଛରେ ମମତାଙ୍କ ମନ୍ଦ ଉଦେଶ୍ୟ ରହିଛି । ମମତା ଭୋଟ୍ ବ୍ୟାଙ୍କ ରାଜନୀତି କରିବାକୁ ଯାଇ ଏଭଳି ଷଡ଼ଯନ୍ତ୍ର କରିଛନ୍ତି ବୋଲି ସେ କହିଥିଲେ ।
ତେବେ ଶୁଭେନ୍ଦୁ ଅଧିକାରୀଙ୍କ କହିବା ଅନୁସାରେ ଏ ରାଜେଶ ଦଇତାପତି କିଏ ? ଏବେ ଘଟଣାର ତଦନ୍ତ କରୁଥିବା ଶ୍ରୀମନ୍ଦିର ପ୍ରଶାସନ ଏହି ରାଜେଶ ଦଇତାପତିଙ୍କୁ ନେଇ ତଦନ୍ତ କରିବ କି ? ପଶ୍ଚିମବଙ୍ଗ ଠାରୁ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ରାଜନୈତିକ ସ୍ତରରେ ମମତାଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରାଯାଇଛି । ମମତା ଓ ଦଇତାପତିଙ୍କ ବିରୋଧରେ ଆକ୍ସନକୁ ନେଇ ଓଡ଼ିଶାରେ ଏକାଠି ହୋଇଛନ୍ତି ଶାସକ ଓ ବିରୋଧୀ ନେତା । ବିଜେଡି କହିଛି ଆଇନ୍ ମନ୍ତ୍ରୀ ଖାଲି ତଦନ୍ତ କରିବା କଥା କହିଦେଲେ ଚଳିବନି ।
ଯଦି ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ଦୋଷ କରିଛନ୍ତି, ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । କାରଣ ଜଗନ୍ନାଥଙ୍କ ଉର୍ଦ୍ଧ୍ବରେ କେହି ନୁହନ୍ତି । ଜବାବରେ ଆଇନ୍ ମନ୍ତ୍ରୀ କହିଛନ୍ତି ୨୪ବର୍ଷ ଭିତରେ ବିଜେଡି ସରକାର କିଛି କରିନାହାନ୍ତି । ତାଙ୍କ ସରକାର ସମୟରେ ବ୍ରହ୍ମ ବିଭ୍ରାଟରୁ ଆରମ୍ଭ କରି କ’ଣ କ’ଣ କରାଯାଉଥିଲା ଓଡ଼ିଶାବାସୀ ସବୁ ଜାଣିଛନ୍ତି । ଆମ ସରକାର ଏ ଦିଗରେ ଯାହା ପଦକ୍ଷେପ ନେବା କଥା ନେଉଛନ୍ତି ।
ପୁରୀ ଜଗନ୍ନାଥ ଧାମ ସହ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ବାସ ଯୋଡ଼ି ହୋଇ ରହିଛି । ଏମିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କିଛି ଦଇତାଙ୍କୁ ଧରି ଯେଭଳି କୁତ୍ସିତ ଖେଳ ଖେଳିବାକୁ ପ୍ରୟାସ କରିଛନ୍ତି ତାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
ମମତା ବାନାର୍ଜୀ ଯାହା କହିଛନ୍ତି , ସେଥିରେ ରାଜନୀତିର ବାସ୍ନା ଖୁବ୍ ରହିଛି। ଆସନ୍ତା ବର୍ଷ ପଶ୍ଚିମ ବଙ୍ଗରେ ବିଧାନସଭା ନିର୍ବାଚନ ହେବ। ମମତା ନିଜର ହିନ୍ଦୁ ବିରୋଧୀ ମନୋଭାବ ନେଇ ତାଙ୍କ ରାଜ୍ୟ ସମେତ ସମଗ୍ର ଦେଶରେ ସମାଲୋଚିତ। ନିକଟରେ ଓ୍ଵାକଫ୍ ବିଲ୍ କୁ ନେଇ ରାଜ୍ୟର କେତେକ ସ୍ଥାନରେ ଯେ ପ୍ରକାର ହିନ୍ଦୁ ବିରୋଧୀ ଅତ୍ୟାଚାର ହେଲା, ତାହା ସମସ୍ତେ ଜାଣନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ପଶ୍ଚିମ ବଙ୍ଗର ହିନ୍ଦୁମାନଙ୍କର ପ୍ରଚଣ୍ଡ ଭକ୍ତିଭାବ ଥିବାରୁ ପୁରୀ ମନ୍ଦିରର ଢାଞ୍ଚାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରି ମମତା ଦିଦି ରାଜନୈତିକ ଫାଇଦା ନେବାର ପ୍ରୟାସ କରିଛନ୍ତି।
ତେବେ ସେ ଯାହା କରନ୍ତୁ, ତାହା ତାଙ୍କ ରାଜ୍ୟର ବ୍ୟାପାର। ସେଥିରେ କାହାରି ପଶିବାରନାହିଁ । ସାରା ବିଶ୍ୱରେ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ହେଉଛି, ଏଣୁ ପଶ୍ଚିମ ବଙ୍ଗରେ ହେଲେ ବେଦ ଅଶୁଦ୍ଧ ହେବନାହିଁ। ମନ୍ଦିର ନିର୍ମାଣକୁ କେହି ବିରୋଧ କରୁନାହିଁ, ବିରୋଧ କରାଯାଉଛି ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ଆଖ୍ୟାୟିତ କରିବା କଣ ଜଗନ୍ନାଥ ଧାମ କହି ଏଥିରୁ ବି କଣ ମମତା କିଛି ରାଜନୈତିକ ଫାଇଦା ଉଠାଇବା ମନସ୍କତାରେ ଅଛନ୍ତି।
ପୁରୀ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ଶ୍ରୀ ଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କ ମୂଳ ଆଉ ଆଦ୍ୟ ପୀଠ, ଏପରି କି ତାଙ୍କର ଜନ୍ମସ୍ଥାନ। ତାହା ଛଡ଼ା ସେଠାରେ ମହାପ୍ରଭୁ ସମ୍ପୂର୍ଣ୍ଣ ଅବତାରିତ ହୋଇ ଦିବ୍ୟ ଲୀଳାଖେଳା କରୁଛନ୍ତି, ଯାହାକି ଅନ୍ୟତ୍ର କେଉଁଠି ନାହିଁ। ଏପରି ସ୍ଥଳେ ଦେଶ ବିଦେଶରେ ଯେତେ ଜଗନ୍ନାଥ ମନ୍ଦିର ହୋଇଛି , କେହି ଜଗନ୍ନାଥ ଧାମ ଘୋଷଣା କରିଥିବାବେଳେ ମମତାଙ୍କ ତୃଣମୂଳ ସରକାର କାହିଁକି ଏହାକୁ ଜଗନ୍ନାଥ ଧାମ ଘୋଷଣା କଲେ ? କୋଲକାତା ହେଉଛି ପଶ୍ଚିମ ବଙ୍ଗର ରାଜଧାନୀ। ଯଦି କେହି କୋଲକାତା ବଦଳରେ ଅନ୍ୟ କୈାଣସି ସ୍ଥାନକୁ ରାଜ୍ୟର ରାଜଧାନୀ ବୋଲି ଘୋଷଣା କରେ, ତାହା ମାନ୍ୟ ହେବ କି ? କଦାଚନ ନୁହେଁ। ଏହା କୈାଣସି ମତେ ଗ୍ରହଣୀୟ ନୁହେଁ। ସେହିପରି ପୁରୀ ଶ୍ରୀମନ୍ଦିରକୁ ଛାଡି ଅନ୍ୟ ଯେକୌଣସି ସ୍ଥାନରେ ପ୍ରତିଷ୍ଠିତ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ଘୋଷଣା କରିବା ଗ୍ରହଣୀୟ ନୁହେଁ। ମମତା ଦିଦି ଏହା ବୁଝିବା ସହିତ ଜଗନ୍ନାଥ ଧାମ ଘୋଷଣାରୁ ବିରତ ହେବା ଉଚିତ ହେବ। ମମତା ଦିଦିଙ୍କ ଠାରେ ସଦବୁଦ୍ଧିର ଉଦୟ ଆଶା କରାଯାଏ