
(ଆଲେଖ୍ୟ – ଜବାହର ମିଶ୍ର) – ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟ ଉଜାଡି ଦେଇଛି ବିଜେଡିର ଦୀର୍ଘ ୨୪ ବର୍ଷର ହରା ଭରା ଶସ୍ୟଶ୍ୟାମଳା ବିଲକୁ। ଆଉ ତାହା ସହିତ ଏହି ପରାଜୟ ବଦଳାଇଦେଇଛି ନବୀନଙ୍କ ଆଭିମୁଖ୍ୟ ବି ! ଏଣୁ ନିଜ ଦଳର ବିଲକୁ ପୁଣି ଥରେ ଶସ୍ୟଶ୍ୟାମଳା କରିବା ଲାଗି ନବୀନଙ୍କ ପରି ସଫା ସୁତୁରା ଲୋକ ବିଲର କାଦୁଅରେ ପଶି ଗୋଡ କାଦୁଅ କରିବା ବଡ ଆଶ୍ଚର୍ଯ୍ୟର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରାୟତଃ ବାହାରକୁ ଗୋଡ଼ କାଢୁନଥିବା ନବୀନ ଏବେ କ୍ଷେତ ବୁଲିଛନ୍ତି। ତେଣୁ ଏବେ ନବୀନଙ୍କ ଗଞ୍ଜାମ ଗସ୍ତ ଆଉ ବିଲ ବୁଲାକୁ ନେଇ ରାଜନୀତି ତେଜିଛି। କହିବାକୁ ଗଲେ ବିଲରେ ଯାଇ ପହଞ୍ଚିଛି ରାଜନୀତି। ନବୀନ ବିଲରେ ପହଞ୍ଚି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଭେଟି ସମବେଦନା ଜଣାଇବା ସହ ସରକାର ସେମାନଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।
ନବୀନ ବିଲକୁ ଗଲେ ଆଉ ଯାଇ ଚାଷୀଙ୍କୁ ଭେଟିଲେ, ଆଶ୍ବାସନା ବି ଦେଲେ। ସିଧାସଳଖ ଆଲୋଚନା କରି ଅଭିଯୋଗ ପତ୍ର ବି ଗ୍ରହଣ କଲେ। ଆଉ ତାହା ସହିତ ସରକାରକୁ ନିଶାନା କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କଲେ। ନିକଟରେ ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ନବୀନ ହିଞ୍ଜିଳି, ଆସ୍କା, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ୍ ଅଂଚଳର ଚାଷ ଜମି ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ ।
କାହିଁକି ନବୀନ ବିଲକୁ ଯିବାକୁ ବାଧ୍ୟ ହେଲେ ? ଗତ ୨୪ ବର୍ଷରେ ନବୀନଙ୍କୁ ଏଭଳି କ୍ଷେତକୁ ଯାଇ ଉଜୁଡା ଫସଲ ଦେଖିବା ଆଉ ଚାଷୀଙ୍କ ସହ ସିଧାସଳଖ କଥା ହେବା କ୍ବଚିତ୍ ଦେଖିବାକୁ ମିଳିଥିଲା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନବୀନ, ଆକାଶ ମାର୍ଗରୁ ସର୍ଭେ କରୁଥିଲେ। କିନ୍ତୁ ବିରୋଧୀ ସିଟ୍କୁ ଆସିବା ପରେ ନବୀନ ଚାଷୀଙ୍କ କଥା ବୁଝିବାକୁ ମଇଦାନକୁ ଓହ୍ଲାଇବା ରାଜନୈତିକ ମହଲରେ ହଲଚଲ୍ ସୃଷ୍ଟି କରିଛି। ବିଜେପି କହିଛି ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯଦି ନବୀନ ଚାଷୀ ଦରଦି ହୋଇଥାନ୍ତେ, ତାହାଲେ ଆଜି ଗ୍ରାଉଣ୍ଡକୁ ଯିବାକୁ ପଡିନଥାନ୍ତା। ବିଜେଡି କହିଛି ନବୀନ ଗ୍ରାଉଣ୍ଡକୁ ଗଲେ ବୋଲି ସରକାରଙ୍କ ନିଦ ଭାଙ୍ଗିଲା।
ଉଜୁଡା ଚାଷକୁ ବିଜେଡି ଏବେ ମୁଖ୍ୟ ରାଜନୈତିକ ଅସ୍ତ୍ର କରିଛି। ପୂର୍ବରୁ ନବୀନ ନଭେମ୍ବରରେ ଜିଲ୍ଲା ଗସ୍ତ କରି ଜନସମ୍ପର୍କ ଯାତ୍ରା କରିବେ ବୋଲି ଘୋଷଣା କରିଥିଲେ। ମାତ୍ର ଗୋଷ୍ଠୀ କନ୍ଦଳ ପାଇଁ ତାହା ସମ୍ଭବ ହୋଇପାରିନଥିଲା। ସେହିପରି ନବୀନଙ୍କ ଗଡ଼ ଗଞ୍ଜାମରୁ ପଞ୍ଚାୟତ ପ୍ରତିନିଧି ଖସୁ ଥିବାବେଳେ ଗଡ଼ ରଖିବାକୁ ନବୀନଙ୍କ ଏହି ଗସ୍ତ ବୋଲି ଚର୍ଚ୍ଚା ହେଉଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯଦି ଗଡ଼ ରକ୍ଷା ନହୁଏ, ତାହାଲେ ଫଳ ଓଲଟା ଫଳିପାରେ। ସେଥିଲାଗି ଆସନ୍ତାକାଲି ବି କ୍ଷତିଗ୍ରସ୍ତ ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଗସ୍ତ କରିବେ ନବୀନ। ଚାଷ କ୍ଷୟକ୍ଷତିକୁ ଆଧାର କରି ନବୀନ ଜିଲ୍ଲା ବୁଲିବା ଆରମ୍ଭ କରିଛନ୍ତି। ଆଗକୁ ଜିଲ୍ଲା ଗସ୍ତର ପ୍ରଭାବ କଣ ପଡୁଛି, ତା ଉପରେ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କର ନଜର ରହିଛି।