
ଆଲେଖ୍ୟ – ଜବାହର ମିଶ୍ର
ନିର୍ବାଚନରେ ପରାଜୟ ପରେ ବିଜେଡି ଲାଗି କିଛି ବି ଭଲ ଚାଲିନାହି। ଗୋଟିଏ ପରେ ଗୋଟିଏ ସଙ୍କଟର ଶୋଭାଯାତ୍ରା ବାହାରି ଦଳକୁ ବ୍ୟତିବ୍ୟସ୍ତ କରିବା ସହ ଆଖି ତରାଟି କରି ଚାହୁଁଛନ୍ତି, ଯେମିତି ସତେ କି ଅଜଗର ପରି ଗିଳିଦେବେ । ଯଦିଓ ବିଜେଡିକୁ ଗିଳିବା ଏତେ ସହଜ ନୁହେଁ, ତଥାପି ସଙ୍କଟଜନିତ ପୀଡ଼ା ଦଳକୁ ଆଉ ଦଳର ନେତୃତ୍ୱକୁ ଖୁବ୍ ଆଉଟୁ ପାଉଟୁ କରିଦେଲାଣି।ତା ସହିତ ନିର୍ବାଚନରେ ପରାଜୟ କାରଣରୁ ଦଳ ଆଉ ଦଳର ନେତା ହୀନବଳ ହେବାରୁ ଦଳ ଭିତରେ ବାହାରେ ଥିବା ଅସନ୍ତୁଷ୍ଟମାନେ ପୁରା ଦାନ୍ତ ଦେଖାଇଲେଣି।ଯିଏ ପାରୁଛି ସିଏ ତାର ପୁଞ୍ଜିଭୂତ ଭଡାସ୍ ତକ ଫୁଲ୍ ଓଜସ୍ଵନୀ ବାଣୀରେ ଭାଇରାଲ୍ କରି ଶୁଣାଉଛି।
ନିକଟରେ ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ଗୋଟାଏ ଜବରଦସ୍ତ ” ଧରିତ୍ରୀ ” ବାଣ ଛାଡିଛନ୍ତି। ଏ ବାଣ ନବୀନଙ୍କୁ କେତେ ଘାଇଲା କଲା କି ନାହିଁ , ତାହା ଜଣାପଡିନଥିଲେ ବି ବାଣର ଆକାର ଦେଖି ଆଉ ତାହାର ଗର୍ଜନ ଶୁଣି ଲାଗୁଛି ଯେ ତାହା ନିଶ୍ଚିତ ପୀଡ଼ା ଦେବାର ସାମର୍ଥ୍ୟ ରଖିଛି। କାରଣ ସେଥିରେ ଯେଉଁ କଡକଚୁର୍ ଗୁଣ୍ଡି- ଜର୍ଦ୍ଦା ମସାଲା ଦିଆଯାଇଛି, ତାହା ନେତୃତ୍ଵକୁ ନିଶ୍ଚିତ ରୂପେ ଘାଇଁ ଘାଇଁ କରିଥିବ ।
ତଥାଗତ ତାଙ୍କ ସମ୍ପାଦିତ ଦୈନିକ ଖବରକାଗଜ ଧରିତ୍ରୀର ସମ୍ପାଦକୀୟରେ ଖୁବ୍ କଡା ଭାଷାରେ ନବୀନଙ୍କୁ ଟାର୍ଗେଟ କରି ଲେଖିଛନ୍ତି ଯେ ଯଦି ବିଜେଡି କେବଳ ନବୀନଙ୍କ ନାଁରେ ୫ ଥର ଜିତିଥିଲା, ତେବେ ଷଷ୍ଠ ଥରରେ ପରାଜୟ ପାଇଁ ସେହି ନେତା ହିଁ ସଂପୂର୍ଣ୍ଣ ଦାୟୀ । ପାଣ୍ଡିଆନ କି ବିଜେପି ନୁହେଁ, ବିଜେଡି ପରାଜୟ ପାଇଁ ନବୀନ ହିଁ ଦାୟୀ ।
ସେ ତାଙ୍କ ସଂପାଦକୀୟରେ ସେ ଆହୁରି ଲେଖିଛନ୍ତି ଯେ, ନବୀନ ଓଡ଼ିଶାକୁ ତାଙ୍କର ଜାଗିର ବୋଲି ଭାବିଥିଲେ ।ପାଣ୍ଡିଆନଙ୍କୁ ଦଳର ମଙ୍ଗ ଧରାଇ ସେ ଭାବିଥିଲେ ଯେ ଛେଳି, ମେଣ୍ଢାଙ୍କୁ ସେ ଛିଡ଼ା କରାଇଲେ ବି ସେମାନେ ତାଙ୍କ ନାମରେ ଜିତିଯିବେ। । ଅନ୍ୟପଟେ ନିଜ ଲେଖାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପିକୁ ତଥାଗତ ଭାରି ପ୍ରଂଶସା କରିଛନ୍ତିି, ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ବି ବଢିଛି । ତେବେ ତଥାଗତଙ୍କ ଲେଖା ନେଇ ନବୀନ କିମ୍ବା ବିଜେଡିର କିଛି ପ୍ରତିକ୍ରିୟା ମିଳିପାରିନାହିଁ ।
ନୂଆବର୍ଷରେ ନବୀନଙ୍କ ଉପରେ ତଥାଗତ ତୀରମାଡ କରିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ପୁଷ୍ପ ବର୍ଷା କରିଛନ୍ତି । ବିଜେଡି ପରାଜୟ ପଛରେ ପାଣ୍ଡିଆନ ନୁହଁନ୍ତି, ନବୀନ ଦାୟୀ । ଓଡ଼ିଆ ଲୋକଙ୍କୁ ନବୀନ ତାଚ୍ଛଲ୍ୟ କରିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ, ବିଜେଡିର କିଛି ଗୋଷ୍ଠୀ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦୋଷ ଦେଉଥିବା ବେଳେ ନବୀନ ବିଜେପିକୁ ଦୋଷ ଦେଉଛନ୍ତି । କିନ୍ତୁ ଏହି ପରାଜୟ ପାଇଁ ପାଣ୍ଡିଆନ ନୁହନ୍ତି କି ବିଜେପି ନୁହେଁ, ନିଜେ ନବୀନ ଦାୟୀ । ପାଣ୍ଡିଆନଙ୍କୁ ଦଳର ମଙ୍ଗ ଧରାଇ ନବୀନ ନିଜେ ଓଡ଼ିଆ ଲୋକଙ୍କୁ ତାଚ୍ଛଲ୍ୟ କରିଥିଲେ । ନବୀନ ଭାବୁଥିଲେ ଯେ ସେ ଛେଳି, ମେଣ୍ଢା, ବଳଦ, ବିଲୁଆ ଯାହାକୁ ନାହିଁ ତାକୁ ଛିଡ଼ା କରିଦେଲେ ସେ ଜିତିଯିବ । କେବଳ ନବୀନଙ୍କ ନାମରେ ବିଜେଡି ଯଦି ୫ ଥର ଜିତିଥିଲା, ତେବେ ଷଷ୍ଠ ଥରରେ ପରାଜୟ ପାଇଁ ମଧ୍ୟ ସେହି ନେତା ସମ୍ପୂର୍ଣ୍ଣ ଦାୟୀ ହେବେ ।
ବିଜେଡି ପଦଯାତ୍ରାକୁ ସେ ଟାର୍ଗେଟ କରି କହିଛନ୍ତି ଯେ, ଜନସମ୍ପର୍କ ଯାତ୍ରା କିଭଳି ଚାଳିଥିଲା ତାହା ଆମେ ଦେଖିଛୁ । 'ନୂଆ-ଓ' ଏବଂ ନବୀନ ଓଡ଼ିଶା ଭଳି କାର୍ଯ୍ୟକ୍ରମ ବିଜେତିକୁ କ୍ଷତି ପହଞ୍ଚାଇଲା । ସେପଟେ ଓଟିଭିକୁ ବିଶେଷ ପ୍ରତିକ୍ରିୟା ଦେଇ ତଥାଗତ କହିଛନ୍ତି ଯେ ଓଡ଼ିଆ ଲୋକେ ଏତେ ବୋକା ନୁହନ୍ତି । ପୋଷ୍ଟ ପିଅନକୁ କାହିଁକି ସମର୍ଥନ ଦେବେ, ପୋଷ୍ଟମାଷ୍ଟରଙ୍କୁ ଦେଇଦେବେ । ସେଇୟା ହୋଇଛି, ବିଜେଡି ହାତରୁ ୨୦ଟି ଲୋକସଭା ଆସନ ପଳାଇଲା । ନବୀନ ଏବେ ଚାରିଆଡ଼େ ବୁଲୁଛନ୍ତି। ନିର୍ବାଚନ ପୂର୍ବରୁ ବୁଲିଥିଲେ ଭଲ ହୋଇଥାଆନ୍ତା ।
ତଥାଗତ ସଂପାଦକୀୟରେ ପୁଣି ଲେଖିଛନ୍ତି ଯେ, ୧୯୯୭ରେ ବିଜେଡି ପ୍ରତିଷ୍ଠା ସମୟରେ ନବୀନଙ୍କ ଭୂମିକା ଅତି ନଗଣ୍ୟ ଥିଲା । ଯେଉଁମାନେ ଦଳ ଗଢ଼ିଥିଲେ ଧୀରେ ଧୀରେ ସେମାନଙ୍କୁ ଅଣଦେଖା କରାଗଲା ଆଉ ମୁଷ୍ଟିମେୟ ଗୋଷ୍ଠୀଙ୍କୁ ଧରି ନବୀନ ଶାସନ ଚଳାଇଥିଲେ । ବିଜେପି ସମର୍ଥନରେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି କ୍ଷମତା ଧରି ରଖିବାରେ ସକ୍ଷମ ହୋଇଥିଲା । ଆଉ ୨୦୦୯ରେ ପ୍ୟାରୀଙ୍କ ପାଇଁ ଜିତିଲେ । ପ୍ୟାରୀଙ୍କ ଭଳି ଦଳର ଆହୁରି ଅନେକ ସଦସ୍ୟ କଳସରେ ଆଞ୍ଜୁଳେ ପାଣି ଢାଳିବା ହେତୁ ବିଜୁ ଜନତା ଦଳ ୨୪ ବର୍ଷ ତିଷ୍ଠିଲା । ୨୦୧୯ ପରେ ପାଗଳାମୀ ଆରମ୍ଭ ହୋଇଥିଲା । ପ୍ରତିଷ୍ଠା ଦିବସରେ ପରାଜୟ ପଛରେ ବିଜେପିକୁ ଦାୟୀ କରିଥିଲେ ନବୀନ। ସେ କହିଥିଲେ ସେସିଆଲ ମିଡିଆରେ ମିଛ ଅପପ୍ରଚାରକୁ କାଉଣ୍ଟର ନକରିବାରୁ ବିଜେଡି ହାରିଥିଲା । ସଂପାଦକୀୟରେ ସଂପୂର୍ଣ୍ଣ ଭାବେ ନବୀନଙ୍କ ଏହି କଥାକୁ କାଉଣ୍ଟର କରିଛନ୍ତି ତଥାଗତ ।
ଗୋଟେ ପଟେ ନବୀନଙ୍କୁ ଟାର୍ଗେଟ କରିବା ସହ ଅନ୍ୟପଟେ ରାଜ୍ୟର ବିଜେପି ସରକାର ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କରିଛନ୍ତି ତଥାଗତ । କହିଛନ୍ତି ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟର କୋଣ ଅନୁକୋଣକୁ ନିଜେ ବୁଲି ଲୋକଙ୍କ ଅଭିଯୋଗ ଓ ସମସ୍ୟା ବୁଝୁଛନ୍ତି । ଏହିଭଳି ଆଭିମୁଖ୍ୟ ଭବିଷ୍ୟତରେ ରହିଲେ ସେହି ଦଳ ଓ ତା'ର ନେତୃବୃନ୍ଦଙ୍କୁ ଦୀର୍ଘମିଆଦୀ ରାଜନୈତିକ ଲାଭ ଆଣିଦେଇ ପାରିବ । ତେବେ ତଥାଗତଙ୍କ ମୁହଁରେ ବିଜେପି ଏବଂ ମୋହନଙ୍କ ପ୍ରଂଶସାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି । ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରୁ ଦୂରରେ ଥିବା ତଥାଗତ କଣ ବିଜେପି ମୁହାଁ ହେଉଛନ୍ତି କି ?
ତଥାଗତ ଯାହା କହିଛନ୍ତି, ତାହାକୁ ସ୍ଥୂଳ ଦୃଷ୍ଟିରେ ଦେଖିଲେ ତାହା ଶତ ପ୍ରତିଶତ ଠିକ୍ ବୋଲି ବୁଝାପଡେ। ନବୀନ ଯଦି ପାଣ୍ଡିଆନଙ୍କୁ ମୁଣ୍ଡରେ ନ ବସାଇଥାଆନ୍ତେ, ତେବେ ବିଜେଡିର ଏ ଦୁର୍ଦ୍ଦଶା ହୋଇନଥାଆନ୍ତା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ବିଚାର କଲେ ଜଣାଯାଏ ଯେ ପାଣ୍ଡିଆନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରି ତାଙ୍କୁ ସବୁ କିଛି ସମ୍ଭାଳିବା ଲାଗି ନବୀନଙ୍କୁ କିଏ ବାଧ୍ୟ କଲା। ଯିଏ ବାଧ୍ୟ କରି ସବୁ ଦାୟୀତ୍ୱତକ ମୁଣ୍ଡେଇଲା, ସେ ବି ବ୍ୟବହାରିକ ଦୃଷ୍ଟିରୁ ଦାୟୀ ରହିବା ଉଚିତ। ଉଭୟେ ସମାନ ସମାନ ଭାବେ ଦାୟୀ। ଏ ସବୁ ପଛ କଥା। ଏ ସବୁକୁ ଘାଣ୍ଟିଲେ ଦୁର୍ଗନ୍ଧ କେବଳ ବାହାରିବ। ଏଣୁ ପଛ କଥାକୁ ଭୁଲି ଦଳକୁ କିପରି ଆଗ ପରି ସଶକ୍ତ କରାଯିବ, ସେଥିପ୍ରତି ପ୍ରଥମେ ଧ୍ୟାନ କେନ୍ଦ୍ରିତ କରାଯାଉ। ତଥାଗତ ଶତପଥୀ ଏବେ ଅମର ଶତପଥୀଙ୍କ ଭାଷାକୁ ଦୋହରାଇଛନ୍ତି।ଅମର ଠିକ୍ ଏହି ଭାଷା ବ୍ୟକ୍ତ କରି ଶଙ୍ଖଶ୍ରୀକୁ ଛାଡି ପଦ୍ମଶ୍ରୀର ଶରଣାପନ୍ନ ହୋଇଛନ୍ତି। ଏଣୁ ଅମରଙ୍କ ବାଟରେ ଯାଇ ତଥାଗତ ଯଦି ପଦ୍ମଶ୍ରୀ ଉପାଧି ଧାରଣ କରନ୍ତି, ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କ୍ଷମତା ରାଜନୀତିରେ ଏପରି ଆଶ୍ଚର୍ଯ୍ୟ କିଛି ନୂଆ କଥା ନୁହେଁ। କ୍ଷମତା ରାଜନୀତିରେ ଏ ସବୁ ମାମୁଲି କଥା।