
କିଟ୍ ବିଶ୍ୱବିଦ୍ୟାଳୟର ଜଣେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ପରେ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସବୁଆଡୁ ତୀବ୍ର ବିରୋଧ କରାଯାଉଥିବାବେଳେ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡିଛି। ଘଟଣା ଦିନକୁ ଦିନ ବିବାଦକୁ ଠେଲି ହେଇ ପଡୁଥିବାବେଳେ ବର୍ତ୍ତମାନ ନେପାଳ ସରକାର ଘଟଣାକୁ ନେଇ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି।
ନେପାଳ ସରକାରଙ୍କ ଦ୍ୱାରା କୁହାଯାଉଛି ଯେ, ଉପୁଜିଥିବା ପରିସ୍ଥିତିକୁ ନ୍ୟାୟ ଏବଂ ଆଇନଗତ ଉପାୟରେ ପରିଚାଳନା ନକଲେ, ଓଡ଼ିଶା ଶିକ୍ଷାନୁଷ୍ଠାନଗୁଡ଼ିକରେ ପଢ଼ିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କୁ ଏନ୍,ଓ,ସି, ପ୍ରମାଣପତ୍ର ତଥା ନୋ-ଅବଜେକ୍ସନ ସାର୍ଟିଫିକେଟ ଦେବା ବନ୍ଦ କରିଦେବୁ।
ଏ ସମ୍ପର୍କରେ ନେପାଳ କାଉନସେଲରଙ୍କ ସହ ଫୋନ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଶିକ୍ଷାନୁଷ୍ଠାନକୁ ଫେରିଆସିବାକୁ ଛାତ୍ରଛାତ୍ରୀଙ୍କୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏନେଇ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପଟେ କିଟ୍ ବିଶ୍ବ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲାରେ ବିଶ୍ୱବିଦ୍ୟାଳୟ ମାମଲାରେ ଗଠନ ହୋଇଥିବା କମିଟିର ଆଜି ବୈଠକ ଅନୁଷ୍ଠିତ ହୋଇଛି, ମୋଡାଲିଟି ଫିକ୍ସ ହୋଇଛି । ଏହି କମିଟି କିଟ ବିଶ୍ୱବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ ରହିଛି। ନେପାଳ ସରକାରଙ୍କ ୨ଜଣ ପ୍ରତିନିଧି ଓଡିଶା ଆସିଛନ୍ତି ।
ସେମାନଙ୍କ ସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତରେ ଲୋକସେବା ଭବନରେ ବୈଠକ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ, ଗୃହ ସଚିବ, ଉଚ୍ଚଶିକ୍ଷାଙ୍କ ସହ ନେପାଳ ପ୍ରତିନିଧି ଆଲୋଚନା କରିଛନ୍ତି ।
ଘଟଣା ବାବଦରେ ଉଭୟ ପକ୍ଷଙ୍କ ମଧ୍ୟରେ ବିଷଦ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଆଜି ସନ୍ଧ୍ୟା ସୁଦ୍ଧା ଛାତ୍ରଛାତ୍ରୀଙ୍କ ଏକ ହେଲ୍ପ ଲାଇନ ନମ୍ବର ଜାରୀ କରାଯିବ । ହେଲ୍ପ ଡେସ୍କ ଜରିଆରେ ସରକାରଙ୍କ ସହ ସିଧାସଳଖ ସମ୍ପର୍କ ହେବା ଦ୍ୱାରା ନେପାଳର ଛାତ୍ରଛାତ୍ରୀଙ୍କୁ ସାହସ ମିଳିବ ବୋଲି ସେ କହିଛନ୍ତି ।
କିଟ୍ ଛାତ୍ରୀ ମୃତ୍ୟୁ ମାମଲା ନେଇ ଏମ୍ସରେ ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ହସ୍ତାନ୍ତର ପରେ ପରିବାର ଲୋକ କିଟ୍ ମୃତ ଛାତ୍ରୀ ଲାମସାଲଙ୍କ ମୃତଦେହକୁ ନେପାଳ ନେଇ ଯାଇଛନ୍ତି ।
ଅନ୍ୟପଟେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବଢୁଛି କିଟ୍ ବିଶ୍ୱବିଦ୍ୟାଳୟର ଚିନ୍ତା । ମୃତଛାତ୍ରୀଙ୍କୁ ନ୍ୟାୟ ଦାବିରେ ତେଜୁଛି ପ୍ରତିବାଦ । ନବ ନିର୍ମାଣ ଛାତ୍ର ସଂଗଠନ ସଦସ୍ୟଙ୍କ ପ୍ରତିବାଦ । ଅନଶନରେ ବସିଥିବା ନବ ନିର୍ମାଣ ଛାତ୍ର ସଂଗଠନକୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯାଇ ଭେଟିଛନ୍ତି। ଅନଶନକାରୀଙ୍କ ସହ ସେ ଆଲୋଚନା କରି ଦାବିପତ୍ର ମଧ୍ୟ ନେଲେ । ହେଲେ କିଟ୍ ପ୍ରସଙ୍ଗରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।