
କିଟ୍ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କ୍ୟାମ୍ପସରେ ସୃଷ୍ଟି ହୋଇଥିବା ଅଶାନ୍ତି ଥମିନାହିଁ। ଚାରିଆଡେ ଚାପା ଉତ୍ତେଜନା ଲାଗି ରହିଛି। ଘଟଣା ଯେତିକି ଆଗକୁ ବଢୁଛି, ଗୋଟିଏ ପରେ ଗୋଟିଏ ସେତିକି ନୂଆ ମୋଡ ସୃଷ୍ଟି ହେଉଛି। ବର୍ତ୍ତମାନ ନେପାଳୀ ଛାତ୍ରୀଙ୍କର ସୁଇସାଇଡ ନୋଟ ଜବତ ହୋଇଛି।ଯାହାକୁ ନେଇ ସବୁଠି ହଇଚଇ ସୃଷ୍ଟି ହୋଇଛି।
ଏହି ସୁଇସାଇଡ ନୋଟ୍ଟି ନେପାଳୀ ଭାଷାରେ ଲେଖାଯାଇଛି। ନୋଟ୍ରେ ପୁରୁଷ ବନ୍ଧୁ ନିର୍ଯ୍ୟାତନା ଦେଉଥିବା ଲେଖା ଅଛି। ଅଧିକ ସୂଚନା ପାଇଁ ଜବତ ନୋଟ୍କୁ ପୋଲିସ ଫରେନ୍ସିକ ବ୍ୟୁରୋକୁ ପଠାଇଛି। ଏହି ହ୍ୟାଣ୍ଡ ରାଇଟିଂ ନେପାଳୀ ଛାତ୍ରୀଙ୍କର କି ନୁହେଁ ଏନେଇ ପୋଲିସ ତନାଘନା କରୁଛି।
କେବଳ ସେତିକି ନୁହେଁ,ଏବେ ନେପାଳୀ ଛାତ୍ରୀ ଆତ୍ମହତ୍ୟାର ପ୍ରଥମ ଭିଡିଓ ସାମନାକୁ ଆସିଛି। ଏହା ନେପାଳୀ ଛାତ୍ରୀଙ୍କ ହଷ୍ଟେଲ ରୁମ୍ କବାଟ ଭାଙ୍ଗିବା ବେଳର ଭିଡିଓ । ଯାହା ଏବେ ବେଶୀ ଭାଇରାଲ ହେବାରେ ଲାଗିଛ। ପୋଲିସ ଆସିବା ଆଗରୁ ହଷ୍ଟେଲ କର୍ତ୍ତୃପକ୍ଷ କବାଟ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଜୋରଜବରଦସ୍ତ କବାଟ ଭାଙ୍ଗି କଲେଜ ଛାତ୍ରୀ ଏବଂ କର୍ତ୍ତୃପକ୍ଷ ଭିତରକୁ ପଶିଥିଲେ। ରୁମ୍ ଭିତରେ ନେପାଳୀ ଛାତ୍ରୀଙ୍କ ମୃତଦେହ ଝୁଲୁଥିବାର ଭିଡିଓରେ ଦେଖାଯାଇଛି।