

ଉପସାଗରୀୟ ଦେଶ ସମୂହରୁ ନେଇ ଋଷ ପର୍ଯ୍ୟନ୍ତ ଏ ଧରାପୃଷ୍ଠ ଭୀଷଣ ଯୁଦ୍ଧ ଯୋଗୁ ପ୍ରକମ୍ପିତ। ଏ ସବୁ ଯୁଦ୍ଧ ଲଢ଼ୁଥିବା ଦେଶଗୁଡିକ ତ ସବୁ ଦିଗରୁ ପ୍ରବଳ କ୍ଷତିଗ୍ରସ୍ତ। ଲାଭ କାହାରି କିଛି ନାହି। କିନ୍ତୁ ଲାଭ, ତାହା ବି ପ୍ରଚୁର ମାତ୍ରାରେ ପାଉଛି ମାତ୍ର ଗୋଟିଏ ଦେଶ।ସେ ଦେଶ ହେଉଛି ବିଶ୍ଵର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ନିକଟରେ କ୍ଷମତାରୁ ବିଦାୟ ନେଇଥିବା ପୂର୍ବତନ ରାଷ୍ଟ୍ରପତି ବାଇଡେନଙ୍କ ସରକାର ତାଙ୍କ ଶାସନକାଳର ଶେଷ ବର୍ଷରେ ପ୍ରକାଶିତ ଆମେରିକାର ଅସ୍ତ୍ରଶସ୍ତ୍ର ବିକ୍ରି ପରିସଂଖ୍ୟାନରୁ ଏହା ଜଣାପଡ଼ିଛି।
ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ଦ୍ଵାରା ଜାରି ବୈଶ୍ଵିକ ପ୍ରତିରକ୍ଷା ବ୍ୟବସାୟର ତାଜା ରିପୋର୍ଟ ଅନୁଯାୟୀ ୨୦୨୪ ରେ ଆମେରିକା ୨୭ ଲକ୍ଷ ୫୭ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ବିଭିନ୍ନ ଦେଶକୁ ବିକି ପ୍ରଚୁର ଅର୍ଥ ଉପାର୍ଜନ କରିଛି।୨୦୨୩ ବର୍ଷ ତୁଳନାରେ ୨୦୨୪ ର ଏହି ବିକ୍ରି ୨୯ ପ୍ରତିଶତ ଅଧିକ।
୨୦୨୩ରେ ଆମେରିକା ୧୩.୬୩ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ବିକିଥିଲା । ହେଲେ ୨୦୨୪ରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ଅନୁସାରେ ୧୭.୩୭ ଲକ୍ଷ ଟଙ୍କାର ଅସ୍ତ୍ରଶସ୍ତ୍ର ବିକିଛି । ସେହିପରି ୨୦୨୪ରେ ଆମେରିକା ଓ ଅନ୍ୟ ଦେଶର ସରକାର ମଧ୍ୟରେ ହୋଇଥିବା ଚୁକ୍ତିର ମୂଲ୍ୟ ୧୦.୨୦ ଲକ୍ଷ କୋଟି ଥିଲାବେଳେ ୨୦୨୩ରେ ଏହାର ମୂଲ୍ୟ ଥିଲା ୭ ଲକ୍ଷ କୋଟି ଯାହା ୪୫.୭% ଅଧିକ ଥିଲା । ଆମେରିକା ଏବଂ ଅନ୍ୟ ଦେଶର ସରକାରମାନଙ୍କ ମଧ୍ୟରେ ହୋଇଥିବା ୧୦.୨୦ ଲକ୍ଷ କୋଟି ଟଙ୍କାର ଚୁକ୍ତିରେ ୮.୩୮ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ବିକ୍ରି କାରବାର ରହିଛି । ଏହା ବ୍ୟତୀତ ମିତ୍ର ଦେଶକୁ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ୧.୦୨ ଲକ୍ଷ କୋଟିର ଆର୍ଥିକ ସହାୟତା ଦିଆଯାଇଛି । ସହଭାଗୀ ଦେଶର କ୍ଷମତା ବୃଦ୍ଧି ପାଇଁ ୭୯ ହଜାର କୋଟି ଟଙ୍କାର ସାହାଯ୍ୟ ଦିଆଯାଇଛି ।
ଆମେରିକାର ଫରେନ ମିଲିଟାରୀ ସେଲ୍ସ ଅନୁସାରେ, ୨୦୨୧ରୁ ୨୩ ମଧ୍ୟରେ ସରକାର ପ୍ରାୟ ୪.୮୩ ଲକ୍ଷ କୋଟି ଟଙ୍କାର କାରବାର କରିଥିଲେ। ଏହା ମଧ୍ୟରେ ପ୍ରତିରକ୍ଷା ଉପକରଣ, ଅସ୍ତ୍ରଶସ୍ତ୍ର ବିକ୍ରି କରିବା ସହ ମିଲିଟାରୀ ତାଲିମ ରହିଛି । ହେଲେ ୨୦୨୨ରୁ ୨୪ ମଧ୍ୟରେ ଏହାର ପରିମାଣ ବୃଦ୍ଧି ପାଇ ୭.୨୩ ଲକ୍ଷ କୋଟିରେ ପହଞ୍ଚିଛି । ଯାହା ୪୯.୬% ଅଧିକ । ଆମେରିକା କେଉଁ ପ୍ରମୁଖ ଦେଶ ଗୁଡିକ ସହିତ ପ୍ରତିରକ୍ଷା ବ୍ୟବସାୟ କରିଛି ଓ କେତେ ଟଙ୍କାର ସାମଗ୍ରୀ ବିକିଛି , ତାହାର ପରିସଂଖ୍ୟାନ ନିମ୍ନରେ ପ୍ରଦତ୍ତ ହେଲା-
*ତୁର୍କୀ:୧.୯୯ ଲକ୍ଷ କୋଟିର ଏଫ-୧୬ ଫାଇଟର ଜେଟ
*ଇସ୍ରାଏଲ:୧.୬୨ଲକ୍ଷ କୋଟିର ଏଫ-୧୬ ଫାଇଟର ଜେଟ
*ରୋମାନିଆ:୬୨ ହଜାର କୋଟିର ଏଫ-୩୫ ଫାଇଟର ଜେଟ ଏବଂ ୨୧ ହଜାର କୋଟିର ଏମଆଇଏ୨ ଆବ୍ରାହାମ ଟ୍ୟାଙ୍କ
*ଜର୍ମାନୀ:୪୩ ହଜାର କୋଟିର ଆଧୁନିକ ପେଟ୍ରିୟଟ ଏୟାର ଡିଫେନ୍ସ ମିସାଇଲ
*ଜାପାନ:୩୪ ହଜାର କୋଟିର KC-46A ବାୟୁରେ ଇନ୍ଧନ ଭରୁଥିବା ବିମାନ ଏବଂ ୨୦ ହଜାର କୋଟିର ଟାମହାକ ୱିପନ ସିଷ୍ଟମ
*ଭାରତ:୩୪ ହଜାର କୋଟିର MQ-9B ସ୍କାଏ ଗାର୍ଡିଆନ ଡ୍ରୋନ
*ଦକ୍ଷିଣ କୋରିଆ:୩୦ ହଜାର କୋଟିର ଅପାଚେ ଲଢୁଆ ହେଲିକପ୍ଟର
*ସ୍ପେନ:୨୪ ହଜାର କୋଟିର ଆଧୁନିକ ପେଟ୍ରିୟଟ ଏୟାର ଡିଫେନ୍ସ ସିଷ୍ଟମ
*ସାଉଦିଆରବ:୨୧ ହଜାର କୋଟିର ସିଷ୍ଟମ ଲଜିଷ୍ଟିକ ସପୋର୍ଟ
*ବାହରିନ:୧୯,୦୪୦କୋଟିର M1A2 ଆବ୍ରାହମ ଟ୍ୟାଙ୍କ
*ଗ୍ରୀସ:୧୬,୮୭୬ କୋଟିର UH-60M ବ୍ଲାକ ହକ ହେଲିକପ୍ଟର
*ନରୱେ:୧୬,୭୯୨ କୋଟିର AIM-120C-8 ମଧ୍ୟମ ଦୂରବର୍ତ୍ତୀ ଆକାଶ ମାର୍ଗରୁ ଆକାଶରେ ମାରି ପାରୁଥିବା ମିସାଇଲ
ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି, ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବା ସମୟରେ ଆମେରିକା ବିଭିନ୍ନ ଦୃଷ୍ଟିକୋଣରୁ ବିଚାରକୁ ନେଇଥାଏ । ଅସ୍ତ୍ରଶସ୍ତ୍ର ରପ୍ତାନୀ ଏବଂ ପ୍ରତିରକ୍ଷା ବେପାର ଦେଶର ବୈଦେଶିକ ନୀତର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଯାହା ଆଞ୍ଚଳିକ ଏବଂ ବିଶ୍ୱ ସୁରକ୍ଷାକୁ ବି ପ୍ରଭାବିତ କରିଥାଏ । ସେଥିପାଇଁ ଆମେରିକା ନିଜ ନୀତି ସହିତ ରାଜନୈତିକ, ସାମାଜିକ, ମାନବାଧିକାର, ନାଗରିକ ସୁରକ୍ଷା, ଆର୍ଥିକ, ସୈନ୍ୟ, ପ୍ରଯୁକ୍ତି କୌଶଳର ସୁରକ୍ଷା ଏବଂ ଶେଷରେ ଏହାର ବ୍ୟବହାର ଆଦି ଦିଗ ଉପରେ ଧ୍ୟାନ ଦେଇଥାଏ । ଏହିସବୁ ଆଧାରକୁ ବିଚାର କରି ଆମେରିକା ନିଜ ସହଯୋଗୀ ଦେଶକୁ ସାମରିକ ଉପକରଣ ଏବଂ ପ୍ରତିରକ୍ଷା ସାମଗ୍ରୀ ସିଧାସଳଖ ବିକ୍ରି ପାଇଁ ଅନୁମତି ଦେଇଥାଏ ।
ଅସ୍ତ୍ରଶସ୍ତ୍ର ବିକ୍ରି କରୁଥିବା ବିଶ୍ୱର ପ୍ରମୁଖ ଦେଶ
ଆମେରିକା ବିଶ୍ୱର ସବୁଠାରୁ ବଡ ଅସ୍ତ୍ରଶସ୍ତ୍ର ବିକ୍ରେତା ଦେଶ ଅଟେ । ୨୦୧୪ରୁ ୧୮ ମଧ୍ୟରେ ଏବଂ ୨୦୧୯ରୁ ୨୩ ମଧ୍ୟରେ ଆମେରିକାର ଅସ୍ତ୍ରଶସ୍ତ୍ର ରପ୍ତାନୀ ୧୭ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଋଷର ଅସ୍ତ୍ରଶସ୍ତ୍ର ରପ୍ତାନୀ ୫୩ ପ୍ରତିଶତ ହ୍ରାସ ପାଇଛି । ଏହି ସମୟ ମଧ୍ୟରେ ଫ୍ରାନ୍ସର ଅସ୍ତ୍ରଶସ୍ତ୍ର ରପ୍ତାନୀରେ ୪୭ ପ୍ରତିଶତ ବୃଦ୍ଧି ଘଟିଛି । ଋଷକୁ ପଛରେ ପକାଇ ଫ୍ରାନ୍ସ ଏବେ ବିଶ୍ୱର ଦ୍ୱିତୀୟ ବୃହତ ଅସ୍ତ୍ରଶସ୍ତ୍ର ବିକ୍ରି କରୁଥିବା ଦେଶ ପାଲଟି ଯାଇଛି । ସିଆଇପିଆରଆଇ ( ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ)ରୁ ମିଳିଥିବା ତଥ୍ୟ ଅନୁସାରେ, କେଉଁ ଦେଶ କେତେ ଅସ୍ତ୍ରଶସ୍ତ୍ର ବିକୁଛି ।
-ଆମେରିକା: ୪୧ ପ୍ରତିଶତ
-ଫ୍ରାନ୍ସ: ୧୦.୯ ପ୍ରତିଶତ
-ଋଷ:୧୦.୫ ପ୍ରତିଶତ
-ଚୀନ: ୫.୮ ପ୍ରତିଶତ
-ଜର୍ମାନୀ: ୫.୬ ପ୍ରତିଶତ
-ଇଟାଲି: ୪.୩ ପ୍ରତିଶତ
-ୟୁକେ: ୩.୭ ପ୍ରତିଶତ
-ସ୍ପେନ: ୨.୭ ପ୍ରତିଶତ