
ଆଉ ସେ ପୂର୍ବ କାର୍ଯ୍ୟଧାରା ଚଳିବ ନାହିଁ। ଏବେ ବଦଳିଛି ସରକାର ଏବଂ ବଦଳୁଛି ନିୟମ, ଆଉ ଦୃଢ଼ ହେଉଛି କାର୍ଯ୍ୟାନୁଷ୍ଠାନ। ଠିକ୍ ସେହିପରି ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଏବଂ ପୋଲିସଙ୍କୁ ମଧ୍ୟ କଡ଼ା ତାଗିଦ କରିଛନ୍ତି। କୌଣସି ଥାନାରେ ଯଦି ଜିରୋ FIR ନ ରଖାଯାଏ, ତାହାଲେ ସେଠିକାର ପୋଲିସଙ୍କୁ ସସପେଣ୍ଡ କରାଯିବ ବୋଲି ରୋକଠୋକ ସେ ଶୁଣାଇ ଦେଇଛନ୍ତି।
ଗତକାଲି ୧୪ଟି କୋଠା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ପୋଲିସମାନଙ୍କୁ କଡ଼ା ତାଗିଦ କରିଛନ୍ତି ଆଉ କହିଛନ୍ତି ଯେଉଁ ସାଧାରଣ ଲୋକ ଥାନାକୁ ଆସୁଛନ୍ତି, ସେମାନଙ୍କ ସହ ଭଲ ବ୍ୟବହାର କର। ସେମାନଙ୍କ ସହ ଭଲରେ କଥା ହୁଅ। ଏପରିକି ଚା’ ପାଣିର ମଧ୍ୟ ବନ୍ଦୋବସ୍ତ କର। ଯଦ୍ୱାରା ଆଇନଶୃଙ୍ଖଳା ଉପରେ ସାଧାରଣ ଲୋକଙ୍କ ଭରଷା ରହିପାରିବ। ଏହାସହ କେହି ଯଦି ଜିରୋ FIR ଦେବାକୁ ଥାନାକୁ ଆସେ ତାହାଲେ ସେ ଜିରୋ FIR ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଯେପରି ଆଉ ଶୁଣିବାକୁ ନ ମିଳେ କି ଥାନାରେ FIR ରଖାଗଲାନି। ଆଉ ଯଦି ଏପରି କିଛି ଶୁଣିବାକୁ ମିଳେ ତାହାଲେ ସେହି ପୋଲିସ ଅଫିସରମାନଙ୍କୁ ସସପେଣ୍ଡ କରାଯିବ ବୋଲି କହିଛନ୍ତି ମୋହନ। କେବଳ ଏତିକି ନୁହେଁ ଥାନା ଅଭ୍ୟର୍ଥନା କେନ୍ଦ୍ରରେ ଏସି ଲଗାଇବାକୁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ। ଯେହେତୁ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି। ଜିରୋ FIR ପୋଲିସ ନରଖିବା କାରଣରୁ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି। ଯାହାର ମୁଖ୍ୟମନ୍ତ୍ରୀ ୨ଥର ଭୁକ୍ତଭୋଗୀ ବୋଲି କହିଛନ୍ତି। ଥାନାରେ କିଭଳି ପୋଲିସ ଶୁଣେନି, ତାର ମୁଁ ଭୁକ୍ତଭୋଗୀ କହିଲେ ମୁଖ୍ୟମନ୍ତ୍ରୀ। ଗତ ୨୪ ବର୍ଷର ସରକାରରେ ଥାନାରେ କିଛି ଶୁଣାଯାଉନଥିଲା। ମୁଁ ଏଭଳି ଘଟଣାର ୨ଥର ଭୁକ୍ତଭୋଗୀ।
କେନ୍ଦୁଝର ସଦର ଥାନାରେ ମୋତେ ଏଭଳି ୨ ଥର ସାମ୍ନା କରିବାକୁ ପଡିଛି। ଥରେ କେନ୍ଦୁଝର ସଦର ଥାନା ଆଇଆଇସି ଦୁର୍ବ୍ୟବହାର କରିଥିଲେ। ଏକଥା ପ୍ରାୟ ସମସ୍ତେ ଜାଣିଛନ୍ତି। ଆଉଥରେ ସେହି ସଦର ଥାନାରେ ମଧ୍ୟ ମୋ କଥା ଆଇଆଇସି ଶୁଣିନଥିଲେ। ମୋ ଅଞ୍ଚଳରେ ଜଣେ ଲୋକଙ୍କୁ ସାଲିଆସାହିରେ ହତ୍ୟା କରାଯାଇଥିଲା।
ତାଙ୍କ ପତ୍ନୀ ଏବଂ ଆଉ ଜଣେ ତାଙ୍କୁ ହତ୍ୟା କରିଥିଲେ। ଏ ସମ୍ପର୍କରେ ସଦର ଥାନା ପୋଲିସ ଏତଲା ରଖିବାକୁ ମନା କରିଦେଲା। ଘଟଣା ଯେଉଁଠି ଘଟିଛି, ସେଇଠି ଏତଲା କରିବାକୁ ରୋକଠୋକ କହିଥିଲା ପୋଲିସ। ତେଣୁ ଏହି ସମସ୍ୟାର ସମ୍ମୁଖୀନ ଯେପରି ଆଉ କେହି ନହୁଅନ୍ତି ସେଥିପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ।