
ଚାରି ଦିନର ଅପରେସନ ସିନ୍ଦୂର ପରେ ଗତ ୧୨ ତାରିଖ ରାତି ୮ଟାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ଦେଶକୁ ସମ୍ବୋଧିତ କରିବାକୁଗଲେ। ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ଉଦବୋଧନ ଦେବା ପୂର୍ବରୁ ଚଳଚ୍ଚିତ୍ର ସମୀକ୍ଷକ କମଲ ରସିଦ ଖାନ X ରେ ଏକ ବିବାଦୀୟ ବୟାନ ଦେଲେ। ସେ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନକୁ ବିପଦଜନକ ବୋଲି ବର୍ଣ୍ଣନା କଲେ ।
KRK X ରେ ପୋଷ୍ଟ କରି କମଲ ରସିଦ ଖାନ୍ ମନ୍ତବ୍ୟ ଦେଲେ ଯେ, ‘ପୁଣି ୮ ଟାରେ?’ ଏହି ୮ ଟା ବିପଦପୂର୍ଣ୍ଣ।” KRK ଙ୍କ ଏହି ପୋଷ୍ଟ ଉପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କଡା ପ୍ରତିକ୍ରିୟା ଦେଲେ। ଜଣେ ବ୍ୟବହାରକାରୀ କମଲ ରସିଦ ମାନଙ୍କୁ ଉଦ୍ଦେଶ୍ୟ କରି ଲେଖିଲେ ଯେ, ”ଅନ୍ତତଃପକ୍ଷେ ଦେଶର ମଜା କରନ୍ତୁ ନାହିଁ, ସେ ଦେଶର ପ୍ରଧାନମନ୍ତ୍ରୀ।’ ଆଉ ଜଣେ ଲେଖିଲେ ଯେ, ମୋଦିଜୀଙ୍କ ଶୁଭ ସଂଖ୍ୟା ହେଉଛି ୮।” କମଲ ରସିଦ ଖାନ୍ କଣ ମନରେ ଭାବି ଏହି ୮ ଟା ଭୟାବହ ବୋଲି ଲେଖିଲେ, ତାହା ସେ ଜାଣିଥିବେ।
ତେବେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ପ୍ରତି ତାଙ୍କର ସମସ୍ତ ଉଦବୋଧନ ରାତି ୮ ଟାରେ ଦେବା ଯଥେଷ୍ଟ ଯୁକ୍ତିଯୁକ୍ତ କାରଣ ରହିଛି, ଯାହା ଫଳରେ ସେ ରାତି ୮ ଟାକୁ ତାଙ୍କ ଉଦବୋଧନର ସହି ସମୟ ରୂପେ ଚୟନ କରି ସମସ୍ତ ଉଦବୋଧନ ସେହି ରାତି ୮ ଟାରେ ଦେଇଆସୁଛନ୍ତି। ପ୍ରଧାନମନ୍ତ୍ରୀ ରାତି ୮ ଟାକୁ କାହିଁକି ତାଙ୍କ ଉଦବୋଧନର ଲକି ନମ୍ବର ଭାବେ ଚୟନ କରିଛନ୍ତି, ତାହାରି ଉପରେ ଏହି ସମୀକ୍ଷା ଉଦ୍ଦିଷ୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେ ବି ରାତି ୮ଟାରେ ଦେଶବାସୀଙ୍କୁ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ସମ୍ବୋଧିତ କରନ୍ତି, ସେତେବେଳେ ସମଗ୍ର ଦେଶବାସୀଙ୍କ କାନ ଛିଡ଼ାହୋଇଯାଏ ଏହା ଜାଣିବା ଲାଗି ଯେ ପ୍ରଧାନମନ୍ତ୍ରୀ କଣ ବଡ ଗୁରୁତ୍ଵପୂର୍ଣ୍ଣ ବାର୍ତ୍ତା ଦେବେ । ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ଦେଶକୁ ସମ୍ବୋଧିତ କଲେ।
ତେବେ ସେ ଯାହା ହେଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେ ବି ଦେଶବାସୀଙ୍କୁ ସମ୍ବୋଧିତ କରନ୍ତି, ତାହା ଠିକ୍ ରାତି ୮ଟାରେ କାହିଁକି କରନ୍ତି ଏବଂ ଭଗବାନ ଶନିଦେବଙ୍କ ସହିତ ରାତି ୮ଟାର କ’ଣ ଆଧ୍ୟାତ୍ମିକ ସମ୍ପର୍କ ଅଛି…. ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରନ୍ତି, ଦେଶବାସୀଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସୁକତା ପରିଲକ୍ଷିତ ହୁଏ । ପ୍ରଧାନମନ୍ତ୍ରୀ ମୋଦୀ ୨୦୧୬ ମସିହାରୁ ଏପର୍ଯ୍ୟନ୍ତ ଯାହା ବି ବଡ଼ ନିଷ୍ପତ୍ତି ନେଇଛନ୍ତି, ସେ ସେହି ସମସ୍ତ ନିଷ୍ପତ୍ତି ଦେଶବାସୀଙ୍କୁ ରାତି ୮ଟାରେ ସୂଚିତ କରିଆସିଛନ୍ତି। ବିମୁଦ୍ରୀକରଣ ବିଷୟରେ ସୂଚନା ହେଉ କିମ୍ବା ଲକ୍ ଡାଉନର ଘୋଷଣା ହେଉ, ପ୍ରଧାନମନ୍ତ୍ରୀ ମୋଦି ରାତି ୮ଟାରେ ଏହି ସମସ୍ତ ସୂଚନା ଦେଇଛନ୍ତି। ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ରାତି ୮ଟାରେ ବିମୁଦ୍ରୀକରଣ ତଥା ନୋଟ୍ ବନ୍ଦୀ ବିଷୟରେ ସୂଚନା ଦେଇଥିଲେ। ଏହା ପରେ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ରାତି ୮ଟାରେ ମିଶନ ଶକ୍ତି ବିଷୟରେ ସୂଚନା ଦେଇଥିଲେ। ୨୦୧୯ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ରାତି ୮ଟାରେ ପୁଣି ଥରେ ଆସିଥିଲେ, ଯେତେବେଳେ ସେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ବିଷୟରେ ସୂଚନା ଦେଇଥିଲେ। ୨୦୨୦ ମସିହାରେ ୧୯ ମାର୍ଚ୍ଚରେ ସେ ଦେଶବାସୀଙ୍କୁ କରୋନା ଭାଇରସ ସମ୍ପର୍କରେ ସମ୍ବୋଧିତ କରିଥିଲେ ଏବଂ ଜନତା କର୍ଫ୍ୟୁ ଘୋଷଣା କରିଥିଲେ। ସେହି ବର୍ଷ ମାର୍ଚ୍ଚ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ରାତି ୮ଟାରେ ପୁଣି ଥରେ ଆସିଥିଲେ ଏବଂ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ। ତା'ପରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ୧୪ ଏପ୍ରିଲରେ ଦେଶକୁ ସମ୍ବୋଧିତ କଲେ ଏବଂ ଲକଡାଉନକୁ ୩ ମଇ ପର୍ଯ୍ୟନ୍ତ ବୃଦ୍ଧି କଲେ।
ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଗତ ୧୨ ତାରିଖ ରାତି ୮ଟାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ତେବେ ଏଥର ସେ ପୂର୍ବଥର ଗୁଡିକ ପରି ସେପରି କିଛି ଗୁରୁତର ଘୋଷଣା କରିନଥିଲେ। ଏଥର ସେ ତାଙ୍କ ଉଦବୋଧନରେ ଅପରେସନ୍ ସିନ୍ଦୁରର ସଫଳତା, ପାକିସ୍ଥାନ ଭୂଭାଗରେ ପଶି ଭାରତୀୟ ସେନା ପ୍ରଚଣ୍ଡ ଆକ୍ରମଣ କରି ଶୌର୍ଯ୍ୟର ଯେଉଁ ପତାକା ଉଡ଼ାଇଲେ, ତାହା ସେ ବଖାଣିଲେ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଯେ ଯୁଦ୍ଧ ବିରତି ହେଲେ ବି ଅପରେସନ୍ ସିନ୍ଦୁର ବନ୍ଦ ହୋଇନାହିଁ। ଏହା ଏବେ ବି ବଳବତ୍ତର ରହିଛି। ପାକିସ୍ତାନ ଯଦି ଯୁଦ୍ଧ ବିରତି ଉଲଂଘନ କରେ କିମ୍ଵା ପାକିସ୍ତାନ ପ୍ରେରିତ ଆତଙ୍କବାଦୀ ପୁଣି ଭାରତ ଭୂଖୂଣ୍ଡରେ କୁକୃତ୍ୟ କରନ୍ତି, ତେବେ ଏଥର ପୁରା ନିର୍ଣ୍ଣାୟକ ଆକ୍ରମଣ ହେବ। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ ପାକିସ୍ତାନର ବନ୍ଧୁ ରାଷ୍ଟ୍ର ଚୀନ୍ ଆଉ ତୁର୍କ
କୁ ସିଧାସଳଖ ଭାଷାରେ ଶୁଣାଇଦେଲେ ଯେ ଆତଙ୍କବାଦ ଆଉ ବାର୍ତ୍ତାଳାପ ଏବଂ ଆତଙ୍କବାଦ ଆଉ ବାଣିଜ୍ୟ ଏକ ସାଥୀରେ ଚାଲିପାରିବନାହି। ଏପରି କହି ପ୍ରଧାନମନ୍ତ୍ରୀ ଚୀନ୍ ଆଉ ତୁର୍କୀକୁ ସାବଧାନ କରିଦେଲେ ଯେ ତୁମେମାନେ ଯଦି ଆତଙ୍କବାଦ ଆଉ ଆତଙ୍କବାଦୀଙ୍କ ପୃଷ୍ଠପୋଷକ ପାକିସ୍ଥାନକୁ ଭାରତ ବିରୋଧରେ ଅସ୍ତ୍ରଶସ୍ତ୍ର ସହାୟତା କର, ତେବେ ତୁମମାନଙ୍କ ସହିତ ଆଗକୁ ଆମେ ଆଉ ବ୍ୟବସାୟ ବାଣିଜ୍ୟ କରିବୁନାହିଁ । ତୁମେମାନେ ଆମ ସହିତ ବ୍ୟବସାୟ ବାଣିଜ୍ୟ କରି ପ୍ରଭୂତ ଲାଭ ଅର୍ଜନ କରିବ ଆଉ ଆମରି ବିରୋଧରେ ଆମ ସହିତ ଶତ୍ରୁତା ଆଚରଣ କରୁଥିବା ଦେଶକୁ ଅସ୍ତ୍ରଶସ୍ତ୍ର ସହାୟତା କରିବ, ତାହା ଆଉ ଚଳିବନାହିଁ ସେପରି କଲେ ଆଗକୁ ତୁମମାନଙ୍କ ସହିତ ବ୍ୟବସାୟ ବାଣିଜ୍ୟ ବନ୍ଦ କରାଯିବ।
ତେବେ ସେ ଯାହା ହେଉ, ପ୍ରଧାନମନ୍ତ୍ରୀ ମୋଦି ପ୍ରତି ଥର ରାତ୍ରି ୮ ଘଟିକାରେ ରାଷ୍ଟ୍ର ବାସୀଙ୍କୁ ଉଦବୋଧନ କରିବାର ମୁଖ୍ୟତଃ ଦୁଇଟି ବଡ କାରଣ ରହିଛି। ଗୋଟିଏ ହେଉଛି ଜ୍ୟୋତିଷ ଶାସ୍ତ୍ର ଆଧାରିତ ଆଧ୍ୟାତ୍ମିକ କାରଣ ଏବଂ ଅପରଟି ହେଉଛି ସାଧାରଣ।
ଏଠାରେ ପ୍ରଥମେ ପ୍ରଥମ କାରଣ ସମ୍ପର୍କରେ ଆଲୋଚନା କରାଯାଉଛି। ଏହା ଭଲଭାବେ ଜଣାଶୁଣା କଥା ଯେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଜୀବନରେ ଆଧ୍ୟାତ୍ମିକତାକୁ ବଡ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଦେଇଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନରେ ୮ ସଂଖ୍ୟାର ଏକ ବିଶେଷ ମହତ୍ତ୍ୱ ରହିଛି। ଏହାର ଜ୍ୟୋତିଷ ପକ୍ଷୀୟ ଦିଗ ସମ୍ପର୍କରେ ଏଠାରେ ଆଲୋଚନା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ୧୭ ସେପ୍ଟେମ୍ବରରେ ହୋଇଥିଲା। ଅଙ୍କ ଜ୍ୟୋତିଷ ଅନୁସାରେ ୧+୭ = ମିଶିଲେ ଯୋଗଫଳ ୮ ହେଉଛି ଏବଂ ୮ ସଂଖ୍ୟାର ଅଧିପତି ହେଉଛନ୍ତି ଭଗବାନ ଶନିଦେବ, ଯିଏ ନ୍ୟାୟର ଦେବତା ଏବଂ କର୍ମର କାରକ ଗ୍ରହ । ଆଜି ଯାଏ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ସମଷ୍ଟି ସଂଖ୍ୟା ହେଉଛି ୮। ବିଶେଷ ଦ୍ରଷ୍ଟବ୍ୟର ବିଷୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଅଧିକାଂଶ କାର୍ଯ୍ୟକ୍ରମରେ ସଫେଇ କର୍ମଚାରୀ, ଗରିବ ଲୋକ କିମ୍ବା ଶ୍ରମିକଙ୍କୁ ନିମନ୍ତ୍ରଣ କରନ୍ତି। ଏହା ସହିତ ସଫେଇ କର୍ମଚାରୀଙ୍କ ଉପରେ ପୁଷ୍ପ ବର୍ଷା କରାଯିବା ହେଉ କି ସେମାନଙ୍କୁ ସ୍ଵାଗତ କରିବା ହେଉ, ଏ ସବୁର ସମ୍ଵନ୍ଧ ଭଗବାନ ଶନି ଦେବଙ୍କ ସହିତ ରହିଛି। କାରଣ ଶନିଦେବ ଗରିବ, ଅସହାୟ, ବୃଦ୍ଧ, ଶ୍ରମିକ ଇତ୍ୟାଦିଙ୍କ ପ୍ରତିନିଧିତ୍ୱ କରନ୍ତି। ୨୦୧୯ କୁମ୍ଭମେଳାରେ ପ୍ରଧାନମନ୍ତ୍ରୀ ମୋଦୀ ସଫେଇ କର୍ମଚାରୀଙ୍କ ପାଦ ପ୍ରଖ୍ୟାତ କରିଥିଲେ ତଥା ପାଦ ଧୋଇଥିଲେ ଏବଂ ସେମାନଙ୍କୁ ପୋଷାକ ମଧ୍ୟ ଦାନ କରିଥିଲେ। ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦି ଲଗାତାର ତିନି ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଆଜି ମଧ୍ୟ ତାଙ୍କୁ ହରାଇଲାବାଲା କେହି ନାହିଁ।
ଦ୍ୱିତୀୟ କାରଣ
ଦ୍ୱିତୀୟ କାରଣଟି ବହୁତ ସରଳ ଅଟେ । କାରଣ ରାତି ୮ଟା ହେଉଛି ପ୍ରାଇମ୍ ଟାଇମ୍, ଯାହାର ଅର୍ଥ ହେଉଛି ଯେ ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ଘରେ ପ୍ରାୟତଃ ଏକାଠି ଥାଆନ୍ତି। ଏହି ସମୟରେ କିଛି ଲୋକ ରାତ୍ରୀ ଭୋଜନ ଖାଉଥାଆନ୍ତି ତ ଆଉ କିଛି ଲୋକ ଟି,ଭି,ରେ ଖବର ଶୁଣୁଥାଆନ୍ତି । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ରାତି ୮ଟାରେ ଦେଶକୁ ସମ୍ବୋଧିତ କରନ୍ତି, ସେତେବେଳେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ତାହାକୁ ଧ୍ୟାନର ସହିତ ଶୁଣିଥାଆନ୍ତି। ରାତି ୮ଟାରେ ପ୍ରଧାନମନ୍ତ୍ରୀ ମୋଦି ଯାହା କୁହନ୍ତି, ତାହା ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିଥାଏ।
ଏହି ସମସ୍ତ କାରଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ରାତି ୮ ଟାରେ ଦେଶକୁ ସମ୍ବୋଧିତ କରିଥାଆନ୍ତି।