
ଦେଶର ବିଭିନ୍ନ ସ୍ଥାନରେ ଟୋଲ୍ ଟ୍ୟାକ୍ସ କେନ୍ଦ୍ରଗୁଡ଼ିକରେ ହେଉଥିବା ଗୁଣ୍ଡାଗିରି ଏବେ ଖୁବ୍ ଭୟ ଆଉ ଚିନ୍ତାର ବିଷୟ ହୋଇଛି। ଯାନବାହନରୁ ଜୋର୍ ଜବରଦସ୍ତ ଅଧିକ ଟଙ୍କା ଆଦାୟ କରୁଥିବା ଏହି ଟୋଲ୍ ଟ୍ୟାକ୍ସ କମ୍ପାନୀଗୁଡ଼ିକ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ, ଯାହା ଶୁଣି ପୀଡିତମାନଙ୍କୁ କିଛି ଆଶ୍ୱସ୍ତି ମିଳନ୍ତା ।
ନିକଟରେ ହାପୁଡରେ ଏହିପରି ଏକ ମାମଲା ସାମ୍ନାକୁ ଆସିଥିଲା। ଏଠାରେ ଫାଷ୍ଟେଗ୍ ରୁ ଟଙ୍କା ନ କାଟିବାରୁ ଟୋଲ୍ ଟ୍ୟାକ୍ସ କମ୍ପାନୀ କର୍ମଚାରୀ କାର୍ ଡ୍ରାଇଭରଙ୍କ ଆଙ୍ଗୁଠିରୁ ସୁନା ମୁଦି ବଳପୂର୍ବକ କାଢ଼ି ନେଇଥିଲେ। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ମାମଲା ଗମ୍ଭୀର ଥିଲା, ଫଳରେ ଏଥିରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏହି ମାମଲାରେ ନ୍ୟାୟ କରିଛି।ଏନ୍,ଏଚ୍,ଏ,ଆଇ, ଏହି ଟୋଲ୍ ଟ୍ୟାକ୍ସ କମ୍ପାନୀ ଉପରେ ଏକ ବଡ଼ ଜୋରିମାନା ଲଗାଇଛି।
ଏହି ସମ୍ପୂର୍ଣ୍ଣ ମାମଲା ଦିଲ୍ଲୀ-ହାପୁଡ-ମିରଟ ଏକ୍ସପ୍ରେସ ୱେରେ ଅବସ୍ଥିତ ଛିଜାରସି ଟୋଲ୍ ପ୍ଲାଜାର ଥିଲା। NHAI ଏହି ଟୋଲ୍ ପ୍ଲାଜା ଉପରେ ଲଗାତାର ମିଳୁଥିବା ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଟୋଲ୍ ଅପରେଟର କମ୍ପାନୀ M/s ଦିଲ୍ଲୀ-ହାପୁର ମିରଟ ଏକ୍ସପ୍ରେସୱେ ପ୍ରାଇଭେଟ୍ ଲିମିଟେଡ୍ ଉପରେ ୭ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି।
ଆଡଭୋକେଟ୍ ଦୀପକ ସିଂହ ଚୌହାନଙ୍କ ଦ୍ୱାରା NHAIକୁ ଦୁଇଟି ପୃଥକ ଚିଠି ମାଧ୍ୟମରେ ଟୋଲ୍ କର୍ମଚାରୀଙ୍କ ଦୁର୍ବ୍ୟବହାର ଏବଂ ଟ୍ରାଫିକରେ ବାଧା ସୃଷ୍ଟି କରିବାର ଅଭିଯୋଗ ଦିଆଯାଇଥିଲା। ଏହା ପରେ NHAI ଏହି ଘଟଣାର ତଦନ୍ତ କରି ଟୋଲ୍ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ବଡ଼ ଜୋରିମାନା ଲଗାଇଛି।
ଦୁଇଟି ଦଫାରେ ମୋଟା ଜରିମାନା ଲଗାଯାଇଛି
NHAI ଏହି ଜରିମାନା ଲଗାଇଛି। ଯାତ୍ରୀମାନଙ୍କ ସହିତ ଟୋଲ୍ ପ୍ଲାଜା କର୍ମଚାରୀଙ୍କ ବାରମ୍ବାର ଦୁର୍ବ୍ୟବହାର ଯୋଗୁ ପ୍ରଥମେ ୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି। ଟୋଲ୍ ପ୍ଲାଜାରେ ବାରମ୍ବାର ଟ୍ରାଫିକ୍ ଜାମ୍, ବାରମ୍ବାର ହିଂସାତ୍ମକ ଘଟଣା, ବିନା ନୋଟିସରେ ଲେନ୍ ବନ୍ଦ କରିବା, ଟ୍ରାଫିକ୍ କର୍ମଚାରୀଙ୍କ ଅବହେଳା ଏବଂ ଭୁଲ ପରିଚାଳନା ପାଇଁ ଦ୍ୱିତୀୟ ଦଫାରେ ୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଯାତ୍ରୀମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଥିବାରୁ ଏହି ଜୋରିମାନା ଲଗାଯାଇଛି ।
ଏହା ସହିତ NHAI ଚେତାବନୀ ଦେଇଛି ଯେ ଯଦି ଜରିମାନା ୭ ଦିନ ମଧ୍ୟରେ ସମ୍ପୃକ୍ତ ଆକାଉଣ୍ଟରେ ଜମା ନକରାଯାଏ, ତେବେ କମ୍ପାନୀର କାର୍ଯ୍ୟଦକ୍ଷତା ସୁରକ୍ଷାକୁ ବାତିଲ କରାଯିବ। ସେହିପରି ଯଦି ଭବିଷ୍ୟତରେ ଏପରି କୌଣସି ମାମଲା ସାମ୍ନାକୁ ଆସେ, ତେବେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।