

ଏଣେ ସ୍ମାର୍ଟ ମିଟର ଲଗାଇବାକୁ ଲୋକେ ଅମଙ୍ଗ, ସେଣେ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ବୋଲି ଉପମୁଖ୍ୟମନ୍ତ୍ରୀ କହୁଛନ୍ତି। ଫଳରେ ରାଜ୍ୟରେ ସ୍ମାର୍ଟ ମିଟର ଲଗାଇବା ନେଇ ଏକ ସ୍ମାର୍ଟ ସମସ୍ୟା ଦେଖାଦେଇଛି।
ସୂଚନାଯୋଗ୍ୟ ଯେ ସ୍ମାର୍ଟ ମିଟରର ଚଢ଼ା ବିଲକୁ ନେଇ ସାରା ରାଜ୍ୟରେ ବିଦ୍ୟୁତ ଗ୍ରାହକଙ୍କ ମଧ୍ୟରେ ଜାରି ରହିଛି ଅସନ୍ତୋଷ। କିଛି ଗ୍ରାହକ କହିଛନ୍ତି ଯେ, ଯେଉଁଠି ମାସକୁ ପୂର୍ବରୁ ୧୦୦ ଟଙ୍କା ବିଲ୍ ଆସୁଥିଲା ଏବେ ୧୩୦ରୁ ୧୫୦ଟଙ୍କା ଆସୁଛି। ତେବେ ବଢ଼ିଥିବା ମିଟର ଚାର୍ଜ ହିଁ ଅସନ୍ତୋଷର ମୂଳ କାରଣ ବୋଲି ସ୍ପଷ୍ଟ ହୋଇଛି। ତେବେ ପ୍ରଶ୍ନ ଉଠୁଛି, ମିଟର ଚାର୍ଜ କିଏ ଦେବେ- ଗ୍ରାହକ ନା କମ୍ପାନୀ ?
ଅନ୍ୟପଟରେ ସ୍ମାର୍ଟ ମିଟରର ପାଗଳ ସମାନ ରିଡିଙ୍ଗ୍ ନେଇ ବି ସନ୍ଦେହ ରହୁଛି ଗ୍ରାହକଙ୍କ ଭିତରେ। କେତେକ ସ୍ଥାନରେ ସ୍ମାର୍ଟ ମିଟରକୁ ଲୋକେ ଟାଟା ପାଓ୍ବାର ଅଫିସରେ ଆଣି ଜମା ଦେଉଥିବା ବେଳେ ମିଟରରେ କିଛି ତ୍ରୁଟି ନାହିଁ ବୋଲି କହି ଚାଲିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ଓ ବିଭାଗୀୟ ମନ୍ତ୍ରୀ।
ଏ ସମ୍ପର୍କରେ କଟକର ଜୟକୃଷ୍ଣ ଆଚାର୍ଯ୍ୟ କହିଛନ୍ତି ଯେ, ଆମର ପୁରୁଣା ଡିଜିଟାଲ ମିଟର ଠିକ ଥିଲା। ଟାଟା ପାୱାର ଜବରଦସ୍ତ ସ୍ମାର୍ଟ ମିଟର ଲଗାଇଲା। ୬୦ ଟଙ୍କା ଅଧିକ ମାସିକ ମିଟର ଚାର୍ଜ ନେବା ସହ ବିଲ୍ ବି ପ୍ରାୟ ୩୦ ଟଙ୍କା ବଢ଼ିଯାଇଛି। ରାଣୀହାଟ ଅଫିସରେ କହିଲେ ବି ସେମାନେ କହୁଛନ୍ତି- ମିଟର ଠିକ ଅଛି। ସେହିଭଳି କଟକର ଶୁଭାଶିଷ ଆଚାର୍ଯ୍ୟ କହିଛନ୍ତି- ସେମାନେ କହିଲ ଯେ, ସ୍ମାର୍ଟ ମିଟର ନ ଲଗାଇଲେ ଆମେ ରିପୋର୍ଟ କରିବୁ ଓ ଆପଣଙ୍କ ବିଦ୍ୟୁତ ସଂଯୋଗ କଟିଯିବ। ମାସିକ ଯେଉଁଠି ୧୦୦ ଟଙ୍କା ବିଲ୍ ଆସୁଥିଲା , ତାହା ଦେଢ଼ ଶହ ଟଙ୍କା ହୋଇଛି। ବ୍ରହ୍ମପୁରର ଟୁଟୁ ଗୌଡ଼ ମଧ୍ୟ କହିଛନ୍ତି- ସ୍ମାର୍ଟ ମିଟର ଯୋଗୁଁ ମାସିକ ବିଦ୍ୟୁତ୍ ବିଲ୍ ବଢ଼ିଯାଇଛି। ବିଦ୍ୟୁତ ବିଶ୍ଲେଷକ ଆନନ୍ଦ ମହାପାତ୍ରଙ୍କ କହିବା ଅନୁସାରେ ପୂର୍ବରୁ ଡିଜିଟାଲ ମିଟରରେ ଗ୍ରାହକଙ୍କଠାରୁ ମାସିକ ୪୦ ଟଙ୍କା ମିଟର ଚାର୍ଜ ଆଦାୟ କରାଯାଉଥିଲା। ସ୍ମାର୍ଟ ମିଟରରେ ଏହା ୬୦ ଟଙ୍କା ହୋଇଯାଇଛି। ପୂର୍ବରୁ ମିଟରର ମୂଲ୍ୟ ବାବଦରେ ଡିଜିଟାଲ ମିଟରରେ ମାସିକ ୪୦ ଟଙ୍କା ହିସାବରେ ୫ ବର୍ଷ ପାଇଁ ୨୪୦୦ ଟଙ୍କା ଗ୍ରାହକଙ୍କଠାରୁ ଆଦାୟ କରାଯାଉଥିଲା। ସ୍ମାର୍ଟ ମିଟର ଆସିବା ପରେ ମିଟରର ମୂଲ୍ୟ ବାବଦରେ ମାସିକ ୬୦ ଟଙ୍କା ମିଟର ଚାର୍ଜ ଆଦାୟ କରାଯାଉଛି। ୮ ବର୍ଷ ପର୍ଯ୍ୟନ୍ତ ଏହା ଆଦାୟ ହେବାକୁ ଥିବାରୁ ମିଟର ବାବଦରେ ଗ୍ରାହକଙ୍କଠାରୁ କମ୍ପାନୀ ୫୭୬୦ ବା ପ୍ରାୟ ୬ ହଜାର ଟଙ୍କା ଆଦାୟ କରିବାକୁ ଯାଉଛି।
ମିଟର ଚାର୍ଜ ଗ୍ରାହକଙ୍କଠାରୁ ନେବା ବେଆଇନ। ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଦିଲ୍ଲୀ, ଗୋଆ ଭଳି ଆଠଟି ରାଜ୍ୟରେ ମିଟର ଚାର୍ଜ ହଟାଇ ନିଆଗଲାଣି। ଗତ କିଛି ମାସ ତଳେ ବରଗଡ ଜିଲ୍ଲାରେ ସ୍ମାର୍ଟ ମିଟରକୁ ନେଇ ତାତି ଥିଲେ ଗାଁ ଲୋକେ । ବରଗଡ ଗ୍ରିଡ୍ ଅଫିସ ସମ୍ମୁଖରେ ପୁଳା ପୁଳା ସ୍ମାର୍ଟ ମିଟର ଆଣି ଭାଙ୍ଗିଥିଲେ ଚାଷୀ ଓ ସାଧାରଣ ଉପଭୋକ୍ତା । ଅଭିଯୋଗ ଥିଲା ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁଛି । ଏହି ଆଧାରରେ ବରଗଡ ଗ୍ରିଡ୍ ଅଫିସ ଘେରିବା ସହ ଗେଟ୍ ସମ୍ନାରେ ସ୍ମାର୍ଟ ମିଟର ଭାଙ୍ଗିଥିଲେ ଲୋକେ । ସେହିପରି ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ବି ସ୍ମାର୍ଟ ମିଟରକୁ ନେଇ ପ୍ରବଳ ଜନ ଅସନ୍ତୋଷ ରହିଛି। ସ୍ଥାନୀୟ ବାସୀନ୍ଦାଙ୍କ ଅନୁଯାୟୀ ସ୍ମାର୍ଟ ମିଟର ଯୋଗୁ ପୂର୍ବାପେକ୍ଷା ୩ ରୁ ୪ ଗୁଣ ଅଧିକ ବିଲ୍ ଆସୁଛି। ଏଥିନେଇ ଗଣମାଧ୍ୟମ ତରଫରୁ ଭୁବନେଶ୍ବରରେ ଥିବା ଟାଟା ପାଓ୍ବାରର ମୁଖ୍ୟାଳୟକୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେମାନେ ପ୍ରତିକ୍ରିୟା ଦେଇନଥିଲେ।
ବିଦ୍ୟୁତ କମ୍ପାନୀଗୁଡ଼ିକର ମିଟର ଚାର୍ଜ ଆଦାୟକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ମଧ୍ୟ ବର୍ଷ ବର୍ଷ ଧରି ସମର୍ଥନ ଦେଇଆସିଛି। ବିଦ୍ୟୁତ ନିୟାମକ ଆୟୋଗର ନିର୍ଦ୍ଦେଶକ ପଦରେ ଅର୍ଥ ବିଶେଷଜ୍ଞ ନ ଥିବାବେଳେ ଓଡ଼ିଶାର ବିଦ୍ୟୁତ ଗ୍ରାହକ ଶୋଷିତ ହେଉଥିବା ବିଶେଷଜ୍ଞମାନେ ଅଭିଯୋଗ କରିଛନ୍ତି।
ସେଣେ ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ଯେ ଏଣିକି ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାଣାମୂଳକ ହେବ ।ମିଟର ଭୁଲ ଥିଲେ ତା ପାଖରେ ଅନ୍ୟ ମିଟର ଲଗାଇ ଚେକ୍ କରାଯିବ ବୋଲି କହିଛନ୍ତି ଶକ୍ତି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଟେକ୍ନୋଲଜି ସହ ଯୋଡିହେବାକୁ ହେଲେ ସ୍ମାର୍ଟ ମିଟର ଲଗାଇବାକୁ ହିଁ ପଡିବ । ଏହା ଭାରତ ସରକାରଙ୍କ ଗାଇଡଲାଇନରେ ଅଛି । ଏହା ସହିତ ସେ ଆହୁରି କହିଛନ୍ତି ଯେ ସ୍ମାର୍ଟ ମିଟର ନେଇ ଯାହାର ଅଭିଯୋଗ ଅଛି ସେମାନେ ଲିଖିତ ଭାବେ ଜଣାନ୍ତୁ । ସାଧାରଣ ମିଟର ନେଇ ଟେଷ୍ଟ କରି ଦେଖାଇଦିଆଯିବ । ଏ ଯାଏ ଲୋକଙ୍କର ସୁଇଚ ବନ୍ଦ କରିବାର ଅଭ୍ୟାସ ଯାଇନି । ତେଣୁ ଆବଶ୍ୟକ ନଥିଲେ ଲୋକେ ସୁଇଚ ବନ୍ଦ କରନ୍ତୁ । ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁନି । ତେଣୁ ସ୍ମାର୍ଟ ମିଟର ଲାଗିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ।
ଗତ କିଛି ମାସ ତଳେ ବରଗଡ ଜିଲ୍ଲାରେ ସ୍ମାର୍ଟ ମିଟରକୁ ନେଇ ତାତି ଥିଲେ ଗାଁ ଲୋକେ । ବରଗଡ ଗ୍ରିଡ୍ ଅଫିସ ସମ୍ମୁଖରେ ପୁଳା ପୁଳା ସ୍ମାର୍ଟ ମିଟର ଆଣି ଭାଙ୍ଗିଥିଲେ ଚାଷୀ ଓ ସାଧାରଣ ଉପଭୋକ୍ତା । ଅଭିଯୋଗ ଥିଲା ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁଛି । ଏହି ଆଧାରରେ ବରଗଡ ଗ୍ରିଡ୍ ଅଫିସ ଘେରିବା ସହ ଗେଟ୍ ସମ୍ନାରେ ସ୍ମାର୍ଟ ମିଟର ଭାଙ୍ଗିଥିଲେ ଲୋକେ । ଏବେ ପୁଣି ସେହି ସ୍ମାର୍ଟ ମିଟରକୁ ନେଇ ବିବା ଦେଖାଦେଇଥିବା ବେଳେ ସ୍ମାର୍ଟ ମିଟର ବାଧ୍ୟତାମୂଳକ ବୋଲି ସଫା ସଫା କହିଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ।
। ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ଯଦି ଟେକ୍ନୋଲୋଜି ସହିତ ଯୋଡିହେବାକୁ ହେଲେ ସ୍ମାର୍ଟ ମିଟର ଲଗାଇବା ଉଚିତ , ତେବେ ଏଥିରେ କିଛି ଆପତ୍ତି ନାହିଁ। ଟେକ୍ନୋଲୋଜିର ଯୁଗରେ ଯଦି ଲୋକେ ଟେକ୍ନୋଲୋଜି ସହିତ ଯୋଡି ହେବେନାହିଁ , ତେବେ ପଛରେ ପଡି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ। ଏଣୁ ଟେକ୍ନୋଲୋଜିକୁ ଆପଣାଇବା ଆବଶ୍ୟକ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଟେକ୍ନୋଲୋଜି ଲୋକଙ୍କ ଆର୍ଥିକ ଶୋଷଣ କରିବ। ଜଣେ ଅଧେ ଏପରି କହିଥିଲେ ଅଲଗା କଥା ଥିଲା। କିନ୍ତୁ ଚାରିଆଡୁ ଏହାକୁ ନେଇ ଆପତ୍ତି ଅଭିଯୋଗ ଯେତେବେଳେ ଆସୁଛି ଆଉ ଲୋକେ ପ୍ରତିବାଦରେ ଗ୍ରୀଡ ଅଫିସ ଘେରାଉ କରି ସ୍ମାର୍ଟ ମିଟର ଭାଙ୍ଗୁଛନ୍ତି, ସେତେବେଳେ ଏହାକୁ ଉପେକ୍ଷା କରାଯାଇପାରିବନାହିଁ। ଯେତେବେଳେ ବିଦ୍ୟୁତ ବିଭାଗ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅଧୀନରେ ଥିଲା, ସେତେବେଳେ କାହାରି କିଛି ଆପତ୍ତି ଅଭିଯୋଗ ନଥିଲା। କିନ୍ତୁ ରାଜ୍ୟରେ ବିଦ୍ୟୁତ ବିଭାଗର ଘରୋଇକରଣ ହୋଇ ଘରୋଇ କମ୍ପାନୀମାନେ ଏହାର ଦାୟୀତ୍ୱ ନେବା ପରଠାରୁ ଯେତେ ସବୁ ଆପତ୍ତି ଅଭିଯୋଗ ସବୁ ଆସୁଛି।ବିଶେଷ କରି ବିଦ୍ୟୁତ ଦର ବୃଦ୍ଧି ନେଇ ସବୁଠାରୁ ବେଶୀ ଜନ ଅସନ୍ତୋଷ ରହିଛି। ଘରୋଇ କମ୍ପାନୀମାନେ ମୈଳିକ ସମସ୍ୟାଗୁଡିକର ସମାଧାନ ନ କରି ଅତି ମାତ୍ରାରେ ଶୋଷଣ ନୀତି ଚଳାଇଆସିଥିବା ଅଭିଯୋଗ ହୋଇଆସୁଛି।
ଯଦି ଟେକ୍ନୋଲୋଜି ଆପଣାଇବା ଯୁକ୍ତିସଙ୍ଗତ ତ ସେହିପରି ଲୋକେ ଶୋଷଣମୁକ୍ତ ହେବା ବି ସମାନ ଭାବେ ଯୁକ୍ତିସଙ୍ଗତ। ଏଣୁ ସ୍ମାର୍ଟ ମିଟର ଲଗାଯାଉ, ତାହା ସହିତ ଲୋକଙ୍କୁ ଶୋଷଣମୁକ୍ତ ବି କରାଯାଉ। ଏଣୁ ପ୍ରଥମେ ମିଟର ପାଖରେ ଅନ୍ୟ ଚେକିଙ୍ଗ ମିଟର ଲଗାଯାଇ ସମସ୍ୟାର ସମାଧାନ କରାଯାଉ ଏବଂ ମିଟର ଚାର୍ଜ ନେବା ବନ୍ଦ କରାଯାଉ।ତା’ପରେ ସ୍ମାର୍ଟ ମିଟର ଲଗାଇଲେ ଆଉ କୈାଣସି ସମସ୍ୟା ରହିବନାହିଁ