
ଫୁଲ ମାଳରେ ଯଦି ଫୁଲଗୁଡିକ ସହିତ କଣ୍ଟା ଗୁନ୍ଥି ହେଇରହିଲା, ତେବେ ତାହା ନିଶ୍ଚିତ ଭାବେ ଆପତ୍ତିଜନକ ବିଷୟ ହେବ। କିନ୍ତୁ ମାଳଟି ଯଦି ଖାଲି ବିଭିନ୍ନ ଫୁଲର ସମାହାରରେ ଗୁନ୍ଥା ହେଲା, ତେବେ ଏଥିରେ କେହି କିଛି ଆପତ୍ତି ଦକରିପାରିବେନାହିଁ। କିନ୍ତୁ ବିଜେଡିରେ ଏମିତି ହିଁ ଚାଲିଛି, ଯାହା ବଡ ବିଚିତ୍ର ଲାଗୁଛି। ଦଳରେ ଫୁଲ ସହିତ ଫୁଲ ମିଶି ମାଳ ଗୁନ୍ଥା ହେଲେ ବି ତାହା ଦଳ ମୁଖିଆଙ୍କ ଆଖିକୁ ଯାଉନାହିଁ। କଥାଟା ଟିକେ ସ୍ପଷ୍ଟ କରି ବୁଝେଇଦିଆଯାଉଛି ।ଫୁଲ ମାଳଟିରେ କିଛି କଣ୍ଟା ଗୁନ୍ଥି ହେଲାପରି ଯଦି ବିଜେଡିର ନେତାମାନେ ବାହାର ଦଳର ନେତାମାନଙ୍କ ସହିତ ମିଳାମିଶା କରୁଥାଆନ୍ତେ, ତେବେ ଦଳର ନେତୃତ୍ୱ ଏଥିଲାଗି ସେମାନଙ୍କୁ ଚେତାବନୀ ଦେଇଥିଲେ କାହାର କିଛି କହିବାର ନ ଥିଲା। କିନ୍ତୁ ଫୁଲରେ ଫୁଲ ମିଶିଲା ପରି ବିଜେଡିର ନେତାମାନେ ଏବେ ପରସ୍ପର ସହିତ ମିଳାମିଶା ଆଉ ବସାଉଠା କରିବା ଦଳର ନେତୃତ୍ୱକୁ ଅପସନ୍ଦ ହେବା ଏବଂ ଆଗକୁ ଏପରି ମିଳାମିଶାରୁ ବିରତ ରହିବା ଲାଗି ପରୋକ୍ଷମୂଳକ ହାଲୁକା ଚେତାବନୀ ଦେବା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ଏପରି କହିବାର କାରଣ ହେଉଛି ଏହି ଯେ କିଛି ଦିନ ତଳେ ଜାନୁଆରୀ ୨୩ ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ ଦିନ ବିଜେଡିର ଆଗ ଧାଡିର ନେତା ତଥା ସାଂସଦ ଋଷି ସାମନ୍ତରାୟଙ୍କ କଟକସ୍ଥିତ ବାସଭବନରେ ଦଳର କିଛି ଚମ୍ପିୟାନ ଯୁବନେତା କୁଆଡେ ଏକାଠି ହୋଇ ଖୁସି ଗପ କଲେ। ଏ କଥା ବସ୍ ଙ୍କ କର୍ଣ୍ଣ ଗୁମ୍ଫାରେ ପଡ଼ିବାରୁ ବସ୍ ଚିହିଁକି ଉଠିଲେ ଆଉ ବୈଠକରେ ଭାଗନେଇଥିବା କିଛି ଯୁବନେତାଙ୍କ ପାଖକୁ ଫୋନ୍ କରି କଟକରେ କଣ ଚାଲିଥିଲା, କାହିଁକି ସେଠାରେ ଏକାଠି ହୋଇଥିଲ ବୋଲି କୁଆଡେ ପଚାରିଲେ ଆଉ ଏପରି ଭେଟଭାଟକୁ ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି ଗଣମାଧ୍ୟମରେ ପ୍ରଚାର ହେଉଥିବାରୁ ଆଗକୁ କଟକ ଆଉ ଭୁବନେଶ୍ବରରେ ଏପରି ମେଳି ନ କରିବାକୁ ଚେତାବନୀ ଦେଲେ ଏବଂ ନିଜ ନିଜ ନିର୍ବାଚନ ମଣ୍ଡଳୀ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶମୂଳକ ପରାମର୍ଶ ଦେଲେ ।
ଏହି ଯୁବ ନେତାମାନେ ବୋଲକରାଙ୍କ ପରି ବସ୍ ଙ୍କୁ ୟେସ୍ ସାର୍ କହିଲେ ମଧ୍ୟ ପରେ ପୁଣି ଅବୋଲକରା ହୋଇପଡିଲେ। ଏହାର ପରିଣାମ ସ୍ୱରୂପ ସେହି ଯୁବନେତାଙ୍କ ସହିତ ଆଉ କିଛି ଅସନ୍ତୁଷ୍ଟ ବରିଷ୍ଠ ନେତା କୁଆଡେ ନିକଟରେ ଆସାମର ରାଜଧାନୀ ଗୁଆହାଟୀରେ ଏକାଠି ହୋଇଥିବା ଏବଂ ଏକ ହୋଟେଲ ପ୍ରକୋଷ୍ଠରେ ସେମାନଙ୍କୁ ଦେଖିବାକୁମିଳିଥିବା ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ପ୍ରଭାତ ତ୍ରିପାଠୀ, ସଞ୍ଜୟ ଦାସବର୍ମା,ବିଜୟ ମହାପାତ୍ର ଏବଂ ସୁଶାନ୍ତ ରାଉତଙ୍କ ପରି ନେତା ସେଠାରେ ଦେଖିବାକୁ ମିଳିଥିବା କୁହାଯାଏ। ବିଶେଷ କରି ଏମାନଙ୍କ ସହିତ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଉପସ୍ଥିତି ବିଶେଷ ଗୁରୁତ୍ୱ ବହନ କରୁଛି।ତେବେ ସେଠାରେ ସେମାନେ କେଉଁ ଉଦ୍ଦେଶ୍ୟରେ ଏକାଠି ହୋଇଥିଲେ ଏବଂ କି ବିଷୟରେ ଆଲୋଚନା କରିଥିଲେ, ତାହା ଜଣାପଡ଼ିନାହିଁ। ତେବେ ପ୍ରଭାତ ତ୍ରିପାଠୀ କହିଛନ୍ତି ଯେ ଏକ ସାମାଜିକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲୁ। ଏହାକୁ ନେଇ କିଏ କଣ ଚର୍ଚ୍ଚାଲୋଚନା କରୁଥାଇପାରନ୍ତି।
ତେବେ ସେ ଯାହା ହେଉ, ମୁଖିଆଙ୍କ ତାଗିଦ୍ ପରେ ବି ଏହି ନେତାମାନେ ଏବେ ସୁଦୂର ଗୁଆହାଟୀରେ ଯାଇ ଏକାଠି ହେବା ବଡ଼ ଗୁରୁତ୍ବ ବହନ କରୁଛି। ଏମାନେ କେବଳ ଏଇ ଥରେ ଦୁଇ ଥର ଏମିତି ମେଲଣ କରିନାହାନ୍ତି। ଏହା ପୂର୍ବରୁ ସେମାନେ ଭୁବନେଶ୍ବର ଆଉ ଗୋପାଳପୁରରେ ମଧ୍ୟ ଏପରି ଏକାଠି ହୋଇଥିଲେ।
ତେବେ ରୋଚକ ବିଷୟ ହେଉଛି ଯେ, ନବୀନଙ୍କ ତାଗିଦ୍ ପରେ ବି ଏମାନେ ପୁଣି ଏକାଠି ହୋଇଥିଲେ। ନବୀନଙ୍କ କଲ୍ ଓ ନେତାମାନଙ୍କ ସାନି ମେଳିକୁ ନେଇ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଚଳଚଞ୍ଚଳ ହୋଇଛି। ନବୀନ ନିଜ ଆଡ଼ୁ କଲ୍ କରିଥିଲେ ନା ତାଙ୍କୁ କଲ୍ କରିବା ପାଇଁ କେହି ପ୍ରବର୍ତ୍ତାଇଥିଲେ, ତାହାକୁ ନେଇ ଗୋଟିଏ ବର୍ଗ ଖୋଳତାଡ଼ ଆରମ୍ଭ କରିଛନ୍ତି।
କିନ୍ତୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେଡିର ପରିଚାଳନା ଧାରା ଠିକ୍ ରାସ୍ତାରେ ଯାଉନାହିଁ ଏବଂ ଦଳରେ ଭବିଷ୍ୟତ ଠିକ୍ ଲାଗୁ ନଥିବାରୁ ନେତାମାନେ କେହି କାହାକୁ ମାନିବା ସ୍ଥିତିରେ ଆଉ ନାହାନ୍ତି।ଏହି ଯୁବ ନେତାମାନଙ୍କର ଏକ ବିଶେଷତ୍ବ ହେଲା ଯେ ଏମାନେ ସମସ୍ତେ ରାଜ୍ୟ ରାଜନୀତିର ପ୍ରଭାବଶାଳୀ ବାପାମାନଙ୍କର ପୁଅ। ଉତ୍ତରାଧିକାରୀ ସୂତ୍ରରେ ରାଜନୀତିକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପରାଜିତ ହୋଇଥିଲା ବେଳେ କିଛି ବିଜୟୀ ହୋଇଛନ୍ତି। ତେବେ ସେମାନଙ୍କର ଏହି ମେଳିର ଉଦ୍ଦେଶ୍ୟ କ’ଣ, ତାହା ସ୍ପଷ୍ଟ ହୋଇପାରୁ ନାହିଁ। କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ସେମାନେ ଏମିତି କରୁଛନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି, ତାହା ଦଳ ଭିତରେ ଚର୍ଚ୍ଚାର ବିଷୟ ହୋଇଛି।
ବିଜେଡି କ୍ଷମତାରୁ ଗଲା ପରେ ସଂଗଠନକୁ ଏକାଠି ରଖିବା କାଠିକର ପାଠ ହୋଇଗଲାଣି। ନବୀନଙ୍କ କାର୍ଯ୍ୟଧାରା ଦେଖିଲେ ନେତାମାନେ ନିଜର ରାଜନୈତିକ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡ଼ୁଛନ୍ତି। ଏମିତିରେ ବି ଗତ କିଛି ବର୍ଷ ହେଲା ନବୀନ ନିଜେ ସାଂଗଠନିକ ବ୍ୟାପାର ବୁଝୁ ନଥିଲେ। ସରକାର ସହ ଦଳକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲେ ଭି କେ ପାଣ୍ଡିଆନ୍। ‘ଦଳର ସଭାପତି ଚାହୁଁଛନ୍ତି’ ବୋଲି କହି ସବୁ ସେ ହିଁ ବୁଝୁଥିଲେ। ଆଉ ତାଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ନେଇଥିଲେ ପ୍ରଣବ ପ୍ରକାଶ ଦାସ। ନିର୍ବାଚନରେ ବିଜେଡିର ପରାଜୟ ପାଇଁ ଏହି ଦୁଇ ଜଣଙ୍କ ଆଚରଣ ଓ ଉଚ୍ଚାରଣକୁ ହିଁ ଅଧିକାଂଶ ନେତା ଦାୟୀ କରୁଛନ୍ତି।
ଏପରି ଅସନ୍ତୋଷ ଆଉ ଲଗାତାର ମେଳି ଆଗକୁ ଆଉ କେଉଁ ବିଶେଷ ରୂପ ଧାରଣ କରି ଦଳରେ ଫାଟ ସୃଷ୍ଟି କରୁଛି କି ନାହିଁ, ତାହା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।
COURTESY -: KANAK NEWS