
ଜାନୁଆରୀ ୬ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁଭ ଜନ୍ମଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତ ନେତା ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମୋହନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇ ତାଙ୍କର ଢେର ପ୍ରଶଂସା କରିଛନ୍ତି।
ମୋଦି ସୋସିଆଲ ମିଡ଼ିଆ ପ୍ଳାର୍ଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଓଡିଶାର ପରିଶ୍ରମୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା। ସେ ଜଣେ ତୃଣମୂଳ ସ୍ତରର ନେତା ହୋଇ ଜନସେବା ସହିତ ଗରିବ ଲୋକଙ୍କୁ ସଶକ୍ତ କରିବାରେ ଆଗରେ ରହିଛନ୍ତି। ସେ ଓଡିଶାର ଅଗ୍ରଗତି ପାଇଁ ଉଲ୍ଲେଖନୀୟ ପ୍ରୟାସ କରୁଛନ୍ତି। ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି।’
ଏହାର ପ୍ରତ୍ୟୁତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି, ‘ସମ୍ମାନିତ ପ୍ରଧାନମନ୍ତ୍ରୀ, ଆପଣଙ୍କର ଶୁଭେଚ୍ଛା ପାଇଁ ମୁଁ ଗଭୀର କୃତଜ୍ଞ। ଆମେ ଓଡିଶାର ଅଗ୍ରଗତି ଏବଂ ଏହାର ଲୋକଙ୍କ କଲ୍ୟାଣ ପାଇଁ ସମର୍ପିତ। ଆପଣଙ୍କର ମାର୍ଗଦର୍ଶନ ଆମ ଜନସେବା ଯାତ୍ରାରେ ଆମକୁ ପ୍ରେରଣା ଯୋଗାଉଛି।’
ସୂଚନାଯୋଗ୍ୟ ଯେ ନିକଟରେ ଓଡ଼ିଶାର ହୋଇଥିବା ଅଦିନିଆ ବର୍ଷା କାରଣରୁ ବିଭିନ୍ନ ଜିଲାରେ ଧାନ ଚାଷୀ ମାନଙ୍କର ଅନେକ କ୍ଷତି ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଯାଇ କ୍ଷେତ୍ର ପରିଦର୍ଶନ କରିବାକୁ କହିବା ସହିତ ନିଜେ ମଧ୍ୟ କିଛି ଜିଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀ ସିଧାସଳଖ ବିଲମାନଙ୍କୁ ଯାଇ ଚାଷୀଙ୍କ ଫସଲହାନୀର ସମୀକ୍ଷା କରିବା ସହିତ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଯାହାକୁ ସାଧାରଣରେ ଅନେକ ପ୍ରଶଂସା କରାଯାଇଥିଲା।
ଏହା ବ୍ୟତୀତ ପ୍ରତ୍ୟେକ ସୋମବାର ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ଅଭିଯୋଗ ମଧ୍ୟ ଶୁଣୁଛନ୍ତି। ଫଳରେ ଜଣେ ସାଧାରଣ ଲୋକ ନିଜର ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରୁଛି। ଯାହା ପୂର୍ବ ସରକାର ସମୟରେ ଦଶନ୍ଧି ଧରି ବନ୍ଦ ରହିଥିଲା।