
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୂର୍ବବର୍ତ୍ତୀ ଜୋ ବାଇଡେନଙ୍କ ପ୍ରଶାସନ ବିରୋଧରେ ଭାରତରେ ନିର୍ବାଚନୀ ହସ୍ତକ୍ଷେପ ନେଇ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଭାରତରେ କ୍ଷମତାରେ ଥିବା ସରକାରକୁ ହଟାଇବା ଉଦ୍ଦେଶ୍ୟରେ ଆମେରିକାର ଅନୁଦାନ ବ୍ୟବହାର ହୋଇଥିଲା ବୋଲି ଟ୍ରମ୍ପ ବିସ୍ଫୋରକ ବୟାନ ଦେଇଥିବାରୁ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।
‘ମତଦାନ’ ବୃଦ୍ଧି ଉଦ୍ଦେଶ୍ୟରେ ଭାରତକୁ ୨୧ ନିୟୁତ ଡଲାର ଅନୁଦାନ ବନ୍ଦ କରିବାକୁ ଏଲନ୍ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ର ନିଷ୍ପତ୍ତିକୁ ଟ୍ରମ୍ପ ପୁନଃ ସମର୍ଥନ କରିଛନ୍ତି। ଟ୍ରମ୍ପ ତାଙ୍କ ବୟାନରେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ ଭାରତରେ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳକୁ ହରାଇବା ପାଇଁ ବାଇଡେନ ପ୍ରଶାସନ ବିପୁଳ ପାଣ୍ଠି ମତଦାନ ହାର ବୃଦ୍ଧି ନାଁରେ ଯୋଗାଉଥିଲା।
ବୁଧବାର ରାତିରେ ମିଆମିରେ ସାଉଦି ଆରବ ସରକାରଙ୍କ ସମର୍ଥିତ ଏଫ୍ଆଇଆଇ ପ୍ରାଥମିକତା ଶିଖର ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ଭାରତରେ ମତଦାନ ପାଇଁ ଆମେ କାହିଁକି ୨୧ ନିୟୁତ ଡଲାର ଖର୍ଚ୍ଚ କରିବୁ? ମୁଁ ଭାବୁଛି ସେମାନେ (ବାଇଡେନ୍ ପ୍ରଶାସନ) ନରେନ୍ଦ୍ର ମୋଦୀଙ୍କ ବଦଳରେ ଅନ୍ୟ କାହାକୁ ନିର୍ବାଚିତ କରିବାକୁ ଚେଷ୍ଟା କରୁଥିଲେ। ଆମେ ଭାରତ ସରକାରଙ୍କୁ ଜଣାଇବା ଦରକାର। ଏହା ଏକ ସମ୍ପୂର୍ଣ୍ଣ ସଫଳତା। ମଙ୍ଗଳବାର ମାର୍-ଏ-ଲାଗୋରେ ଟ୍ରମ୍ପ ସମାନ ମନ୍ତବ୍ୟ ଦେଇଥିଲେ।
ଷଡ଼ଯନ୍ତ୍ରକାରୀ ଗୋଷ୍ଠୀ ଭାରତରେ ସରକାର ବଦଳାଇବାକୁ ଚାହୁଥିଲେ। ଫେବ୍ରୁଆରି ୧୬ ତାରିଖରେ ଟ୍ରମ୍ପ ୨.୦ ପ୍ରଶାସନ ଅଧୀନରେ ସରକାରୀ ଖର୍ଚ୍ଚ ତଦାରଖ ଓ ହ୍ରାସ ପାଇଁ ଗଠିତ ଡିଓଜିଇ ଏହାର ବ୍ୟାପକ ବଜେଟ୍ ସଂଶୋଧନ ଯୋଜନାର ଅଂଶ ଭାବରେ ୭୨୩ ନିୟୁତ ଡଲାର ବିଦେଶୀ ସହାୟତା ପାଣ୍ଠି ହ୍ରାସ କରିବାକୁ ନିଷ୍ପତ୍ତି ଘୋଷଣା କରିଥିଲା। ଏହି ପାଣ୍ଠି ମଧ୍ୟରେ ଭାରତକୁ ୨୧ ନିୟୁତ ଡଲାର ଅନୁଦାନ ଏବଂ ବାଂଲାଦେଶର ରାଜନୈତିକ ଦୃଶ୍ୟପଟକୁ ସୁଦୃଢ଼ କରିବା ପାଇଁ ୨୯ ନିୟୁତ ଡଲାରର କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ହ୍ୱାଇଟ୍ ହାଉସ୍କୁ ଫେରିବାର କିଛି ଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ୍ ସମସ୍ତ ବିଦେଶୀ ସହାୟତା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଜାନୁଆରୀରେ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଡିଓଜିଇ ଫେଡେରାଲ ଖର୍ଚ୍ଚରେ ୮.୫ ବିଲିୟନ ଡଲାର ହ୍ରାସ କରିଛି ଏବଂ ହାରାହାରି ପ୍ରାୟ ୭.୭ ନିୟୁତ ଡଲାରର ବ୍ୟକ୍ତିଗତ ଚୁକ୍ତି ବାତିଲ କରିଛି।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ଅର୍ଥନୀତିଜ୍ଞ ସଞ୍ଜୀବ ସାନ୍ୟାଲ୍ ଡିଓଜିଇର ବିବାଦୀୟ ପଦକ୍ଷେପ ଉପରେ ଏକ ବିତର୍କରେ ଯୋଗ ଦେଇ ୟୁଏସ୍ଏଡ୍କୁ ‘ମାନବ ଇତିହାସର ସବୁଠାରୁ ବଡ଼ ଦୁର୍ନୀତି’ ବୋଲି କହିଛନ୍ତି। ଭାରତରେ ଖର୍ଚ୍ଚ ହୋଇଥିବା ୨୧ ନିୟୁତ ଆମେରିକୀୟ ଡଲାର କିଏ ପାଇଛି , ତାହାକୁ ନେଇ ବ୍ୟାପକ ଖୋଳତାଡ଼ ଆରମ୍ଭ ହେବ ବୋଲି ବିଜେପି ମଧ୍ୟ ସଙ୍କେତ ଦେଇଛି।
ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଅମିତ ମାଲବ୍ୟ ପ୍ରଶ୍ନ କରିଛନ୍ତି ଯେ, ଏତେ ପରିମାଣର ଟଙ୍କାରୁ କିଏ ଲାଭ ପାଇଛି, ଏହା ନିଶ୍ଚିତ ଯେ ଶାସକ ଦଳ ଏଥିରୁ ଲାଭ ପାଇ ନାହିଁ । ସେ ଏହାକୁ ବିଦେଶୀ ସଂସ୍ଥାଗୁଡ଼ିକ ଭାରତୀୟ ପ୍ରତିଷ୍ଠାନଗୁଡ଼ିକରେ ହସ୍ତକ୍ଷେପ ବୋଲି କହିଛନ୍ତି ।ମାଲବ୍ୟ ଏହି ପାଣ୍ଠି ପଦକ୍ଷେପ ପଛରେ ଆମେରିକୀୟ କୋଟିପତି ନିବେଶକ ଜର୍ଜ ସୋରୋସଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ବିଦେଶୀ ପାଣ୍ଠି ଦ୍ୱାରା ପରିଚାଳିତ ପଦକ୍ଷେପଗୁଡ଼ିକରେ ଜର୍ଜ ସୋରୋସଙ୍କ ପ୍ରଭାବ ପୂର୍ବରୁ ଦେଖିବା ପାଇଁ ମିଳିଛି ।
ଟ୍ରମ୍ପ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା କିଛି ମାମୁଲି ଅଭିଯୋଗ ନୁହେଁ। ଏହି ଅଭିଯୋଗ ଭିତରେ ଯେଉଁ ମନ୍ଦ ଉଦ୍ଦେଶ୍ୟ ନିହିତ ରହିଛି, ତାହା ଅତି ମାରାତ୍ମକ। ଭାରତରେ ସରକାର ପରିବର୍ତ୍ତନ ଲାଗି ଏହି ଥରକ ଉଦ୍ୟମ ହୋଇଥିଲା ନା ଏହା ଆଗରୁ ବି ଏପରି ଉଦ୍ୟମ ହୋଇଥିଲା, ତାହା ଅନୁସନ୍ଧାନ ସାପେକ୍ଷ। ଗୋଟିଏ ସ୍ଵାଧୀନ ଦେଶର ନିର୍ବାଚନ ପ୍ରକ୍ରିୟାରେ ଆର୍ଥିକ ଦାନ ମାଧ୍ୟମରେ ଏପରି ହସ୍ତକ୍ଷେପ ସେ ଦେଶର ସାର୍ବଭୌମତ୍ଵ ଉପରେ ହସ୍ତକ୍ଷେପ ସହିତ ସମାନ। ଯଦି ଭାରତ ପରି ଏକ ବିଶାଳ ଆଉ ଶକ୍ତିଶାଳୀ ରାଷ୍ଟ୍ରର ନିର୍ବାଚନ ପ୍ରକ୍ରିୟାରେ ଏପରି ହସ୍ତକ୍ଷେପ ହୋଇପାରୁଛି, ତେବେ ଦୁର୍ବଳ ରାଷ୍ଟ୍ରଙ୍କ ଉପରେ କଣ ସାଂଘାତିକ ହସ୍ତକ୍ଷେପ ହେଉନଥିବ ଏହି ସୁପର୍ ପାଓ୍ଵାର୍ ରାଷ୍ଟ୍ର ତରଫରୁ। ଏହାର ଜ୍ଵଳନ୍ତ ଉଦାହରଣ ତ ହେଉଛି ବଙ୍ଗଳାଦେଶ। ସେଠାରେ ଯେ ଭଳି ଭାବେ ସରକାର ପରିବର୍ତ୍ତନ କରାଗଲା ଏବଂ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ୍ଵାଜେଦଙ୍କୁ ଦେଶ ଛାଡି ଭାରତରେ ଆସି ଆଶ୍ରୟ ନେବାକୁ ପଡିଲା, ସେ ସବୁର ପଛରେ ଆମେରିକା ବୋଲି ନିଜେ ହସିନା ଗୁରୁତର ଅଭିଯୋଗ କରି ଆମେରିକାର ତତ୍କାଳୀନ ବାଇଡେନ ସରକାରର ମୁଖା ଖୋଲିଦେଇଥିଲେ । ଋଷ ଆଉ ୟୁକ୍ରେନ ଯୁଦ୍ଧ ପଛରେ ବି ଏହି ବାଇଡେନ ସରକାର ବୋଲି ଆହୁରି ଅଭିଯୋଗ ହେଉଛି। ସେଠାରେ ଯେଉଁ ଦଳର ସରକାର ଥାଉ, ସେମାନଙ୍କର ଉଦ୍ଦେଶ୍ୟ ଏକ ସମାନ। ଟ୍ରମ୍ପଙ୍କ ଦଳ ରିପବ୍ଲିକାନ ଦଳ ୨୦୦୦ ରୁ ୨୦୦୮ ଯାଏ କ୍ଷମତାସୀନ ଥିବାବେଳେ ଜର୍ଜ ଡବ୍ଲ୍ୟୁ ବୁଶଙ୍କ ସମୟରେ ବିନା କାରଣରେ ଇରାକ ଉପରେ ଆକ୍ରମଣ କରି ସେ ରାଷ୍ଟ୍ରକୁ ଏମିତି ପୁରା ବରବାଦ କରିଦିଆଗଲା ଯେ ଆଜି ଯାଏ ସେ ରାଷ୍ଟ୍ର ଆଉ ଉଠି ଛିଡାହୋଇପାରିଲାନାହି। ଅତୀତରେ ଏପରି ଅନେକ ଦେଶ ଆମେରିକାର ଡିପ୍ ଷ୍ଟେଟ୍ ର ପ୍ରତ୍ୟକ୍ଷ ବା ପରୋକ୍ଷ ଆକ୍ରମଣର ଶିକାର ହୋଇଛନ୍ତି। ତେବେ ସେ ଯାହା ହେଉ, କେନ୍ଦ୍ରରେ ମୋଦିଙ୍କ ସରକାର ଥିବାରୁ ନିର୍ବାଚନରେ ସେ ଦଳ ଭଲ ପ୍ରଦର୍ଶନ କରିନପାରିଲେ ବି ନିଜର ତାକତ ବଳରେ କ୍ଷମତାଚ୍ୟୁତ ହେଲାନାହିଁ। ଭାରତରେ ଏପରି କିଛି ବିରୋଧୀ ତତ୍ତ୍ଵ ଅଛନ୍ତି, ଯେଉଁମାନଙ୍କ ଯୋଗୁ ସୋରସଙ୍କ ପରି ଦେଶ ବିରୋଧୀ ତତ୍ତ୍ଵ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ବଳ ପାଉଛନ୍ତି। ଚୀନ୍ କି ଉତ୍ତର କୋରିଆ ପରି ରାଷ୍ଟ୍ରରେ ସୋରସଙ୍କ ଦାନ୍ତ ଗଳୁନାହି। ଭାରତରେ ବି ସେପରି ଦୃଢ଼ତା ରହିଲେ କୈାଣସି ବିଦେଶୀ ତାକତ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ସାହସ କରିବେ ନାହିଁ।