
ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ଉଦ୍ୟୋଗକୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର କ୍ଷତି ପହଞ୍ଚାଇଥିବା ହିଣ୍ଡେନବର୍ଗ ରିପୋର୍ଟ ଏକ ବଡ଼ ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା। ଏହି ଷଡ଼ଯନ୍ତ୍ରରେ ଜଣେ ବଡ଼ ନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ପ୍ରକାଶ କରିଛି। ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ମୋସାଦ୍ ଏକ ଗୁପ୍ତ ଅପରେସନ ମାଧ୍ୟମରେ ତଥ୍ୟ ସଂଗ୍ରହ କରି ଏହା ପ୍ରକାଶ କରିଛି। ମୋସାଦ ସ୍ପଷ୍ଟ ଭାବରେ କହିଛି ଯେ ଏହି ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୁର୍ବଳ କରିବା ପାଇଁ ରଚିତ ହୋଇଥିଲା।
ସ୍ପୁଟନିକ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟ ମୋସାଦ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ (ଆଇ,ଓ,ସି,) ତଥା ଭାରତୀୟ ଦରିଆପାରି କଂଗ୍ରେସର ମୁଖ୍ୟ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ସାମ୍ ପିଟ୍ରୋଡାଙ୍କ ଘରେ ଥିବା ସର୍ଭରଗୁଡ଼ିକୁ ଟାର୍ଗେଟ କରି ଏକ ଗୁପ୍ତ ଅପରେସନ୍ କରିଥିଲା। ମୋସାଦ କହିଛି ଯେ ଭାରତର ବିରୋଧୀ ଦଳ ଏବଂ ହିଣ୍ଡେନବର୍ଗ ରିସର୍ଚ୍ଚ ମଧ୍ୟରେ ସମ୍ପର୍କର ପ୍ରମାଣ ମିଳିଛି। ୨୦୨୩ ମସିହାରେ, ହିଣ୍ଡେନବର୍ଗ ଆଦାନୀ ଗ୍ରୁପ୍ ଉପରେ ହେରଫେର ଏବଂ ଠକେଇର ଅଭିଯୋଗ ଆଣିଥିଲେ। ଯଦିଓ ହିଣ୍ଡେନବର୍ଗ ରିସର୍ଚ୍ଚର କାର୍ଯ୍ୟକଳାପ ଏବେ ବନ୍ଦ ହୋଇଯାଇଛି, ଏହା ଦ୍ୱାରା ଲଗାଯାଇଥିବା ଅଭିଯୋଗ ଆଦାନୀ ଗ୍ରୁପର ସେୟାରରେ ଏକ ବଡ଼ ହ୍ରାସ ଆଣିଥିଲା।
ମୋସାଦ କାହାର ନାମ ନେଇଛି ?
ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ଏହାର କାର୍ଯ୍ୟରେ ଏନକ୍ରିପ୍ଟେଡ୍ ଚାଟ୍ ରୁମ୍ ଏବଂ ଅଘୋଷିତ ବ୍ୟାକ୍ ଚାନେଲ୍ ଯୋଗାଯୋଗର ପର୍ଦ୍ଦାଫାସ କରିଛି। ଏହି ତଦନ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ହିଣ୍ଡେନବର୍ଗ ରିସର୍ଚ୍ଚ ଟିମ୍ ମଧ୍ୟରେ ସମ୍ପର୍କ ଥିବା ବିଷୟ ସ୍ପଷ୍ଟ ଭାବରେ ସାମ୍ନାକୁ ଆସିଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହାର ଲକ୍ଷ୍ୟ ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁର୍ବଳ କରିବା ଥିଲା। ଏହି ରିପୋର୍ଟ ଯୋଗୁଁ, ଷ୍ଟ କ୍ ବଜାରକୁ ୧୫୦ ବିଲିୟନ ଡଲାରରୁ ଅଧିକ କ୍ଷତି ସହିବାକୁ ପଡିଥିଲା।
ମୋସାଦ କାହିଁକି ଏହି ମାମଲାରେ ପଶିଲା?
ଯେତେବେଳେ ଆଦାନୀଙ୍କ କମ୍ପାନୀ ଆଦାନୀ ପୋର୍ଟ ଏବଂ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଇସ୍ରାଏଲର ସବୁଠାରୁ ବଡ଼ ବନ୍ଦର ହାଇଫାକୁ ୧.୨ବିଲିୟନ ଡଲାରରେ ନେବା ପାଇଁ ଏକ ଚୁକ୍ତି କଲେ, ସେତେବେଳେ ଏହି ଅବସରରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଗୌତମ ଆଦାନୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଚୁକ୍ତି ପରେ ତୁରନ୍ତ ହିଣ୍ଡେନବର୍ଗ ଆଦାନୀ ଗ୍ରୁପ୍ ବିରୋଧରେ ଅଭିଯୋଗ ଆଣିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମୋସାଦକୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ମୋସାଦ ଅପରେସନ ଜେପେଲିନ୍ ଆରମ୍ଭ କଲା
ନେତାନ୍ୟାହୁ ହିଣ୍ଡେନବର୍ଗ ରିପୋର୍ଟକୁ ଭାରତକୁ ଦୁର୍ବଳ କରିବାର ଏକ ଷଡ଼ଯନ୍ତ୍ର ବୋଲି ବିବେଚନା କରିଥିଲେ ଏବଂ ତାଙ୍କ ଗୁପ୍ତଚର ସଂସ୍ଥାକୁ ତୁରନ୍ତ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମୋସାଦ ‘ଅପରେସନ୍ ଜେପେଲିନ୍’ ଆରମ୍ଭ କରିଥିଲା, ଯାହା ଅଧୀନରେ ଏଜେନ୍ସି ହିଣ୍ଡେନବର୍ଗର ବିଶ୍ୱବ୍ୟାପୀ ନେଟୱାର୍କର ତଦନ୍ତ ଆରମ୍ଭ କରିଥିଲା। ମୋସାଦ ହିଣ୍ଡେନବର୍ଗର ନ୍ୟୁୟର୍କ କାର୍ଯ୍ୟାଳୟ ଏବଂ କମ୍ପାନୀର ପ୍ରତିଷ୍ଠାତା ନାଥନ ଆଣ୍ଡରସନଙ୍କ ଉପରେ ନଜର ରଖିବା ଆରମ୍ଭ କଲା। ଫଳସ୍ଵରୂପ ମୋସାଦ ଗୁଇନ୍ଦା ସଂସ୍ଥା ସମ୍ପୂର୍ଣ୍ଣ ମାମଲାଟିର ପର୍ଦ୍ଦାଫାସ କରିଥିଲା ଏବଂ ଏଥିରେ ଅନେକ ସାମାଜିକ କର୍ମୀ, ଓକିଲ, ସାମ୍ବାଦିକ, ମୁଖ୍ୟ ପାଣ୍ଠି ଏବଂ ଜର୍ଜ ସୋରେସଙ୍କ ସମ୍ପୃକ୍ତି ମଧ୍ୟ ପ୍ରକାଶ ପାଇଲା।
ମୋସାଦ ସିଧାସଳଖ ରାହୁଲଙ୍କ ନାମ ନେଲା
ସୂତ୍ର ଅନୁସାରେ ମୋସାଦ ଏହାର ତଦନ୍ତରେ ରାହୁଲ ଗାନ୍ଧୀଙ୍କ ନାମ ନେଇଥିଲା। ରାହୁଲ ୨୦୨୩ ମସିହା ମେ ମାସରେ କାଲିଫର୍ନିଆର ପାଲୋ ଆଲ୍ଟୋରେ ହିଣ୍ଡେନବର୍ଗଙ୍କ ସହଯୋଗୀମାନଙ୍କୁ କୁଆଡେ ଭେଟିଥିଲେ ବୋଲି ରିପୋର୍ଟରେ ଦାବି କରାଯାଇଛି। ମୋସାଦ ଏହାର ରିପୋର୍ଟରେ ଗାନ୍ଧୀଙ୍କୁ ‘କଟୂ ବଂଶଜ’ ଭାବରେ ବର୍ଣ୍ଣନା କରିଛି ଏବଂ କହିଛି ଯେ ରାହୁଲ ଗାନ୍ଧୀ ହିଣ୍ଡେନବର୍ଗ ପ୍ରତିଷ୍ଠାତା ଆଣ୍ଡରସନଙ୍କ ଦଳ ସହିତ ମିଶି ଆଦାନୀ ଏବଂ ମୋଦୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଯୋଜନା କରୁଥିଲେ। ଆମେରିକାରେ ଥିବା ସାମ ପିଟ୍ରୋଡାଙ୍କ ଘରର ତଦନ୍ତରୁ ମଧ୍ୟ ଏହି ବିଷୟ ଜଣାପଡ଼ିଛି ବୋଲି ଏଥିରେ କୁହାଯାଇଛି ।