
୭ ମାସ ହେଇଗଲା, ଏ ଯାଏ ମୋହନ ସରକାରର ମନ୍ତ୍ରିମଣ୍ଡଳ ପୁନେଇଁ ଜହ୍ନ ପରି ପୂର୍ଣ୍ଣାଙ୍ଗ ରୂପ ଧାରଣ କରିପାରିଲାନାହିଁ ।ଏ ଯାଏ ଖଣ୍ଡିତ ଜହ୍ନ ପରି ଅପୂର୍ଣ୍ଣାଙ୍ଗ ହୋଇ ପଡ଼ିରହିଛି। ତା ସହିତ ବିଭିନ୍ନ ନିଗମ ଗଠନ ହୋଇପାରିଲାନାହି।ଫଳରେ ଦଳରେ ଅସନ୍ତୋଷର ବହ୍ନି କୁହୁଳିଲାଣି ।
ମନ୍ତ୍ରୀ ପଦ ଆଉ ନିଗମ ଅଧ୍ୟକ୍ଷ ପଦର ଲଡୁ ଲୋଭ ଦେଖାଇ ବିଜେଡିରୁ ଅସନ୍ତୁଷ୍ଟ ବିଧାୟକଙ୍କ ଏକ ବିଶାଳ ଖଣ୍ଡକୁ ଟାଣି ଆଣି ପଦ୍ମ ସାଗରରେ ସମାହିତ କରାଇବା ନେଇ ବିଜେପିର ଉଭୟ କେନ୍ଦ୍ର ଏବଂ ରାଜ୍ୟ ନେତୃତ୍ଵ ଯେଉଁ ଯୋଜନା କରିଥିଲେ, ତାହା ଏ ଯାବତ୍ ସାକାର ରୂପ ଧାରଣ କରିପାରୁନଥିବାରୁ ଦଳରେ ବିଶେଷ କରି ଦଳୀୟ ବିଧାୟକ ମହଲରେ ଅସନ୍ତୋଷଜନିତ ସୁନାମୀ ଲହଡି ଉଠିବା ଆରମ୍ଭ କଲାଣି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳକୁ ନେଇ ବିଜେପି ବିଧାୟକମାନେ ମୁହଁ ଖୋଲିବା ଆରମ୍ଭ କଲେଣି । ମନ୍ତ୍ରିମଣ୍ଡଳରେ ୬ଟି ଆସନ ଖାଲି ଥିବାରୁ ଏସବୁ ମୁଖ୍ୟମନ୍ତ୍ରୀ ପୂରଣ କରିବେ କି ନାହିଁ ତାକୁ ନେଇ ବିଧାୟକଙ୍କ ଭିତରେ ଆରମ୍ଭ ହୋଇଛି ଗୁଞ୍ଜରଣ । କିଛି ଦିନର ନୀରବତା ପରେ ବିଧାୟକମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ କି ନାହିଁ, ସେ ନେଇ ମୁହଁ ଖୋଲିଛନ୍ତି ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ କି ନାହିଁ ସେ ଆଶାରେ ବହୁ ଆଶାୟୀ ବିଧାୟକମାନେ ରଖିଛନ୍ତି ଭିନ୍ନଭିନ୍ନ ବୟାନ । ଯାହାକୁ ନେଇ ଉଷ୍ମ ହୋଇଛି ବିଜେପି ରାଜନୀତି । କାହିଁକି ହୋଇପାରୁନି ମନ୍ତ୍ରିମଣ୍ଡଳ ପୂରଣ ? ଅସହାୟତା ନାଁ ନୂଆ ରଣନୀତି ଯୋଗୁ ? ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅପୂର୍ଣ୍ଣାଙ୍ଗ ମନ୍ତ୍ରୀମଣ୍ଡଳକୁ ନେଇ ମୁହଁ ଖୋଲିଲେଣି ଦଳୀୟ ବିଧାୟକ । ୬ ମନ୍ତ୍ରୀ ପଦ ଖାଲି ପଡ଼ିଥିବା ବେଳେ ବିଧାୟକମାନେ ପଦ ପୂରଣ ନେଇ ମୁହଁ ଖୋଲିଛନ୍ତି । ଆହୁରି ୬ ମନ୍ତ୍ରୀ ପଦ ପୂରଣ କରିବା ଆବଶ୍ୟକତା ଅଛି ବୋଲି କହିଲେଣି । ବରିଷ୍ଠ ବିଧାୟକମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଆବଶ୍ୟକ ବୋଲି କହିଛନ୍ତି ବିଜେପିର ବରିଷ୍ଠ ବିଧାୟକ ପ୍ରକାଶ ସୋରେନ । ସେହିପରି ବିଧାୟକ ଫକୀର ମୋହନ ନାୟକ କହିଛନ୍ତି, ବିଧାୟକମାନଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ସେମାନେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ । ଦଳ ଯଦି ମତେ ଦାୟୀତ୍ବ ଦେବ ତେବେ ମୁଁ ପ୍ରସ୍ତୁତ ଅଛି ।
ତେବେ ମନ୍ତ୍ରିମଣ୍ଡଳର ପୂରଣ ହେବ କି ନାହିଁ ତାହା ଦିଲ୍ଲୀ ଓ ରାଜ୍ୟ ନେତୃତ୍ବ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ମନ୍ତ୍ରୀପଦ ଆଶାରେ ଥିବା ବିଧାୟକମାନେ ଜଣକ ପରେ ଜଣେ ଧୀରେ ଧୀରେ ମୁହଁ ଖୋଲିବା ବିଜେପି ନେତୃତ୍ବ ଉପରେ ଚାପ ପକାଇଛି । ବ୍ୟବସ୍ଥା ଅନୁସାରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଇ ୨୧ ଜଣ ମନ୍ତ୍ରୀ ରହିପାରିବେ । ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି । ଦଳର ବହୁ ବରିଷ୍ଠ ବିଧାୟକ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଆଶାୟୀ ଥିବା ଖୋଲାଖୋଲି ଭାବରେ ମୁହଁ ଖୋଲିଛନ୍ତି । ବିଧାୟକ ସରୋଜ ପାଢୀ ଓ ଲକ୍ଷ୍ମଣ ବାଗ କିନ୍ତୁ ମନ୍ତ୍ରୀମଣ୍ଡଳ ଖାଲି ପଡ଼ିବା ନେଇ ମାପିଚୁପି ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କାହାକୁ ମନ୍ତ୍ରିମଣ୍ଡଳରେ ସାମିଲ କରିବେ କି ନାହିଁ, ତାହା ତାଙ୍କର ଇଚ୍ଛାଧୀନ ବ୍ଯାପାର ବୋଲି ବିଧାୟକ ସରୋଜ ପାଢୀ କହିଛନ୍ତି । ଅନ୍ୟପଟେ ୭ ମାସ ପରେ ବିଜେପି ମନ୍ତ୍ରୀପଦ ପୂରଣ ନକରିବା ଓ ଦାୟିତ୍ବ ବଣ୍ଟନ ନକରିବା ନେଇ ବିଜେପିକୁ କଟାକ୍ଷ କରିଛି ବିଜେଡି । ବିଜେଡି ବିଧାୟକ କହିଛନ୍ତି
ଯେ, ରାଜ୍ୟରେ ଏବେ ଅଧାଗଢ ସରକାର ଚାଲିଛି । ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ । ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ଭାସ୍କର ମଡ଼େଇ, ପ୍ରକାଶ ସୋରେନ, ସନାତନ ବିଜୁଳି, ପଦ୍ମଲୋଚନ ପଣ୍ଡାଙ୍କ ପରି ନେତା ମନ୍ତ୍ରୀମଣ୍ଡଳ ବାହାରେ ଅଛନ୍ତି । ଚର୍ଚ୍ଚା ହେଉଛି ନୂଆବର୍ଷରେ ମୋହନ ପୂର୍ଣ୍ଣାଙ୍ଗ ମନ୍ତ୍ରୀମଣ୍ଡଳ ଗଢିବେ । ଆଉ ଏବେ ବିଜେପି ବିଧାୟକମାନେ ଅପୂର୍ଣ୍ଣାଙ୍ଗ ମନ୍ତ୍ରୀ ପରିଷଦକୁ ନେଇ ମୁହଁ ଖୋଲିବା ପରେ ମୋହନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ କି ନାହିଁ ତାହା କୋଟିଏ ଟଙ୍କାର ଯକ୍ଷ ପ୍ରଶ୍ନ ହୋଇଛି । ତେବେ ସେ ଯାହା ହେଉ, ନିର୍ବାଚନ ପରେ ବିଜେଡି ଭାଙ୍ଗିଯିବ ଆଉ ବିଜେଡି ପୋଖରୀର ଅସନ୍ତୁଷ୍ଟ ଗୋଷ୍ଠୀ ଜାଲରେ ମାଛ ଆସି ଧରାପଡ଼ିଲା ପରି ବିଜେପିରେ ମିଶିବେ ବୋଲି ବିଜେପି ନେତୃତ୍ଵ ଯେଉଁ ସ୍ଵପ୍ନ ଦେଖିଥିଲେ, ତାହା ସାକାର ରୂପ ଧାରଣ କରୁନଥିବାରୁ ଆଉ ବିଜେଡି କ୍ଷମତାରୁ ଯାଇ ବି ଏ ଯାଏ ଏକ ହୋଇ ରହିଥିବାରୁ ତାହା ବିଜେପି ନେତାଙ୍କୁ ବଡ ଅଧୀର କଲାଣି।