
ରସୁଲଗଡ ହତ୍ୟାକାଣ୍ଡର ପ୍ରଚ୍ଛଦପଟର କାହାଣୀ ଏବେ ସମ୍ମୁଖକୁ ଆସିଛି। ହତ୍ୟାକାଣ୍ଡ ଉପରୁ ପରଦା ପୁରା ଉଠିବା ଫଳରେ ଏହି ହତ୍ୟାକାଣ୍ଡ କାହିଁକି ହେଲା, କିପରି ହେଲା ଏବଂ ଏଥିଲାଗି କେମିତି ଯୋଜନା ପ୍ରସ୍ତୁତ କରାଯାଇଥିଲା, ତାହାର ରହସ୍ୟ ଉନ୍ମୋଚିତ ହୋଇଛି।
ପ୍ରଥମେ ସମସ୍ତ ୫ ଅପରାଧୀ ଡୁମୁଡୁମାରେ ଏକାଠି ବସି ଯୋଜନା ପ୍ରସ୍ତୁତ କଲେ, ସକାଳୁ ଘର ପାଖରୁ ପିଛା କଲେ, ରସୁଲଗଡ ପାଖରେ ଚୋଟ ପରେ ଚୋଟ ମାରିଲେ । ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଦୟା ନଦୀରେ ଗାଧୋଇ ପ୍ରାୟୋଶ୍ଚିତ କରି ନୟାଗଡ଼ ପଳାଇଲେ । ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାଏକ ହତ୍ୟାକାଣ୍ଡର ଅଭିଯୁକ୍ତମାନେ ଧରାପଡିବା ପରେ ପୋଲିସକୁ ଏଭଳି ବୟାନ ଦେଇଥିଲେ ।
ଅନ୍ୟପକ୍ଷରେ ଏହି ଘଟଣାରେ ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରାକେଶ ନାୟକ ଓରଫ ଅଣ୍ଡା ଓ ପତ୍ନୀ ଲକି ଓରଫ ଲକ୍ଷ୍ମୀ ନାୟକ । ଏହି ଘଟଣାରେ ସୁଶାନ୍ତ ନାଏକ ଫେରାର ଅଛି ।
ପୋଲିସ ସୂଚନା ଅନୁସାରେ, ସହଦେବ ହତ୍ୟା ଘଟଣାରେ ଗୋଟିଏ ଗୋଷ୍ଠୀ ଯୋଜନା ପ୍ରସ୍ତୁତ କରିଥିଲେ । ଗତ ଡିସେମ୍ବର ମାସରୁ ତଥା ଯେତେବେଳେ ବ୍ରାଉନସୁଗର ମାମଲାରେ ମୁଖ୍ୟ ଅଭିଯୁକ୍ତ ଲିପିକା ନାଏକ ଗିରଫ ହେଲା, ସେତେବେଳେ ସହଦେବ ବିରୋଧୀମାନେ ଏକଜୁଟ ହୋଇ ତାଙ୍କୁ ରାସ୍ତାରୁ ହଟାଇବା ଲାଗି ନିଷ୍ପତ୍ତି ନେଇଥିଲେ । ଗତ ୫ ତାରିଖ ଦିନ ଲିପିକା ଜେଲରୁ ବାହାରିବା ପରେ ଏହାକୁ ଚୁଡାନ୍ତ ରୂପରେଖ ଦେବାକୁ ସ୍ଥିର କରାଯାଇଥିଲା । ୭ ତାରିଖ ରାତିରେ ଏନେଇ ଡୁମୁଡୁମାରେ ରହୁଥିବା ଫେରାର ଅଭିଯୁକ୍ତ ସୁଶାନ୍ତ ନାଏକଙ୍କ ଘରେ ଗୁପ୍ତ ବୈଠକ ବସିଥିଲା । ୮ ତାରିଖ ଦିନ ଯୋଜନକୁ ବାସ୍ତବ ରୂପ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଘଟଣାଦିନ ତଥା ୮ ତାରିଖ ଦିନ ଏକ ପଲସର ବାଇକରେ ରକି ନାଏକ ଓ ସୁଶାନ୍ତ ନାଏକ କେଦାରପଲ୍ଲୀ ବସ୍ତି ପାଖରୁ ସହଦେବକୁ ପିଛା କରିଥିଲେ । ସହଦେବା ଝିଅକୁ ରାମ ମନ୍ଦିର ପାଖ ସ୍କୁଲରେ ଝିଅକୁ ଛାଡି ରସୁଲଗଡ ଆଡକୁ ଯିବାରୁ ସେ ଲକ୍ଷ୍ମୀଧର ନାଏକକୁ ଖବର ଦେଇଥିଲେ । ପରେ ତା’ ପଛରେ ଦୁଇଟି ବାଇକରେ ୪ଜଣ ପିଛା କରିଥିଲେ । ରାସ୍ତାରେ ଦୁଇଥର ଆକ୍ରମଣ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ପରେ ରସୁଲଗଡ ଓଭରବ୍ରିଜ ପାଖରେ ତାକୁ ହଠାତ ଅଟକାଇଥିଲେ । ସେ କିଛି ବୁଝିବା ଆଗରୁ ଲକ୍ଷ୍ମୀଧର ଓ ଲକି ଲଗାତର ତାକୁ ଖଣ୍ଡାରେ ହାଣି ଚାଲିଥିଲେ । ପ୍ରାୟ ୧୦/୧୨ ଚୋଟ ମାରିବା ପରେ ତା’ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥିଲା ।
ପୋଲିସ ଘଟଣାର ତଦନ୍ତ କରି ୫ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଦୁଇଟି ବାଇକ, ୪ଟି ମୋବାଇଲ ଓ ଦୁଇଟି ବ୍ୟାଗ ଜବତ କରାଯାଇଛି । ଏହି ଘଟଣାରେ ଫେରାର ଥିବା ସୁଶାନ୍ତ ନାଏକକୁ ଧରିବାକୁ ପୋଲିସ ଉଦ୍ୟମ କରୁଛି ।
କେମିତି ଖସିଗଲେ ଓ ଧରାପଡିଲେ?
ହତ୍ୟାକାଣ୍ଡ ଘଟାଇବା ପରେ ମାରଣାସ୍ତ୍ରକୁ ଗୋଟାଇ ଲିପିକା ଏକ ବ୍ୟାଗରେ ଭର୍ତ୍ତି କରିଥିଲେ । ପରେ ସମସ୍ତେ ଧଉଳି ଅଭିମୁଖେ ପଳାଇଥିଲେ । ସେଠାରେ ଏକ ନିଛାଟିଆ ଜାଗାରେ ମାରଣାସ୍ତ୍ରକୁ ପକାଇଦେଇଥିଲେ ଓ ନଦୀରେ ଗାଧୋଇଥିଲେ । ପିନ୍ଧିଥିବା ଡ୍ରେସକୁ ସେଠାରେ ଛାଡି ନୂଆ ଡ୍ରେସ ପିନ୍ଧି ଫେରାର ହୋଇଯାଇଥିଲେ । ପିପିଲି ଭାୟା ଜଟଣୀ-ଖୋର୍ଦ୍ଧା ଦେଇ ଅଭିଯୁକ୍ତମାନେ ନୟାଗଡ ଶରଣକୂଳକୁ ପଳାଇଯାଇଥିଲେ । ସେଠାରେ ଲକ୍ଷ୍ମୀଧରର ନିଜ ଘର ହୋଇଥିବାରୁ ସେଠାରେ କିଛି ସମୟ ରହି ରାଜ୍ୟ ବାହାରକୁ ଯିବାକୁ ଯୋଜନା କରୁଥିଲେ । ମାତ୍ର ତାହା ସଫଳ ହୋଇନଥିଲା ।
ଇତି ମଧ୍ୟରେ କମିଶନରେଟର ସ୍ପେଶାଲ ସ୍କ୍ୱାଡ ହତ୍ୟାକାରୀଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଥିଲା । ସିସିଟିଭି ଫୁଟେଜରୁ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଗାଡି ନମ୍ବରକୁ ଆଧାର କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲା । ପରେ ସେମାନଙ୍କ ମୋବାଇଲକୁ ଆଧାର କରି ଲୋକେସନ ଯାଞ୍ଚ କରିଥିଲା । ହତ୍ୟାକାରୀମାନେ ସମସ୍ତ ଫୋନ ସୁଇଚ ଅଫ କରିଥିବା ବେଳେ ଗୋଟିଏ ଫୋନକୁ ଅନ୍ ଅଫ୍ କରୁଥିଲେ । ଯାହା ପୋଲିସକୁ ବେଶ ସହାୟକ ହୋଇଥିଲା । ଏହି ମୋବାଇଲ ଫୋନକୁ ଆଧାର କରି ପୋଲିସ ଟିମ ଶରଣକୂଳରେ ପହଞ୍ଚି ପ୍ରଥମେ ୩ ଓ ପରେ ଦୁଇ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ଫେରାର ଥିବା ସୁଶାନ୍ତ ଖସିଯାଇଥିବା ବେଳେ ପୋଲିସ ତାକୁ ଧରିବାକୁ ଉଦ୍ୟମ କରୁଛି ।
ପୋଲିସ ଲାଗି ଚାଲେଞ୍ଜ ଥିଲା
ଆନ୍ତଃଜାର୍ତୀୟ ପ୍ରଭାସୀ ଭାରତୀୟ ସମ୍ମିଳନୀ ଲାଗି ଭୁବନେଶ୍ୱର ସୁରକ୍ଷା ବଳୟରେ ରହିଛି । ପ୍ରାୟ ୬୦ ପ୍ଲାଟୁନ ଫୋର୍ସ ସହ କେନ୍ଦ୍ରୀୟ ଫୋର୍ସ, ଆତଙ୍କବାଦୀ ନିରୋଧୀ ଟିମ, ରାପିଡ ଆକ୍ସନ ଟିମ ସହ ଛକ ଛକରେ ଚେକପୋଷ୍ଟ କରାଯାଇଛି । ଏଭଳି ସୁରକ୍ଷା ବଳୟ ଭିତରେ ଥିବା ରାଜଧାନୀରେ ସକାଳୁ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିବା କମିଶନରେଟ ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଥିଲା । ପୋଲିସ କମିଶନର, ଡିଜି, ମୁଖ୍ୟସଚିବ ଏପରିକି ମୁଖ୍ୟମନ୍ତ୍ରୀ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଡିସିପିଙ୍କ ଉପରେ ଚାପ ପକାଇଥିଲେ । ଏହିପରିପ୍ରେକ୍ଷୀରେ ଡିସିପି ସ୍ପେଶାଲ ସ୍କ୍ୱାଡ ସହ ୩ଟି ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ମାତ୍ର ସବୁ ଚାପ ସ୍ପେଶାଲ ସ୍କ୍ୱାଡ ଏସିପି ହିମାଂଶୁ ସ୍ୱାଇଁଙ୍କ ଉପରେ ରହିଥିଲା । ସେ ଖାଇବା-ପିଇବା ଭୁଲି ହତ୍ୟାକାରୀକୁ ଧରିବା ଲାଗି ନିଜର ସମସ୍ତ ବଳ ଖଟାଇ ଦେଇଥିଲେ । ଶେଷରେ ଅପରାହ୍ଣରେ ୩ ଅଭିଯୁକ୍ତ ଧରାପଡିବା ପରେ ଚାପ କ୍ରମଶଃ ହ୍ରାସ ପାଇଥିଲା । ତେବେ ହିମାଂଶୁଙ୍କ କାର୍ଯ୍ୟକୁ ଡିସିପି ପ୍ରସଂଶା କରିଛନ୍ତି ।