

ରାଜ୍ୟରେ ବିରୋଧୀ ଦଳ ରୂପେ ଥିବାବେଳେ ବିଜେପି ସବୁଠାରୁ ଶୃଙ୍ଖଳିତ ଦଳ ବୋଲି କୁହାଯାଉଥଲା। କିନ୍ତୁ କ୍ଷମତାକୁ ଆସି ଶାସକ ଦଳର ଷ୍ଟାମ୍ପ୍ ବାଜିବାର ୮ ମାସ ଭିତରେ ବିଜେପି ସବୁଠାରୁ ବିଶୃଙ୍ଖଳିତ ଦଳ ହୋଇଯାଇଛି ବୋଲି କୁହାଯାଉଛି। ସାଂଗଠନିକ ନିର୍ବାଚନ ବିଶେଷ କରି ସଭାପତି ପଦ ଲାଗି ନିର୍ବାଚନରେ ଅହେତୁକ ବିଳମ୍ବ ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳ ତଥା କ୍ଷମତା ଯୁଦ୍ଧକୁ ଉଜାଗର କରିଛି। ଜାନୁଆରୀ ୧୫ ସୁଦ୍ଧା ସଭାପତି ନିର୍ବାଚନ ସମ୍ପନ୍ନ ହେବାର ନିଧାର୍ଯ୍ୟ ହୋଇଥିଲେ ବି ଗୋଷ୍ଠୀ କନ୍ଦଳ ଯୋଗୁ ଏହା ହୋଇପାରି ଘୁଞ୍ଚି ଘୁଞ୍ଚି ଚାଲିଛି।
ସବୁ ଦଳ ଭଳି ବିଜେପିରେ ପଦ ପଦବୀ ପତିଆରାର ଲଢେ଼ଇ ଲାଗିବା ସ୍ୱାଭାବିକ କଥା । କିନ୍ତୁ ଦଳ କ୍ଷମତାକୁ ଆସିବା ପରେ କଂଗ୍ରେସ ଭଳି ଦଳରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆଗରୁ ଚୁଟ୍ କିନା ଦଳର ସଭାପତି ନିର୍ବାଚନ ହେଉଥିବାବେଳେ ଏବେ ଛକାପଞ୍ଝା ଦେଖିବାକୁ ମିଳୁଛି ।
ବିଜେପି ସରକାର ଗଢ଼ା ହେବାପରେ ନେତା ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ପତିଆରା ଲଢେ଼ଇ । ସ୍ଥିତି ଏମିତି ହୋଇଛିଯେ, ଏଯାଏଁ ମନ୍ତ୍ରୀମଣ୍ଡଳ ବି ସମ୍ପୂର୍ଣ୍ଣ ହୋଇପାରିନାହିଁ । ରାଜ୍ୟ ସରକାରରେ ୨୨ ମନ୍ତ୍ରୀ ରହିପାରିବେ । କିନ୍ତୁ ଗତ ୮ ମାସ ହେଲା ୧୬ ଜଣ ମନ୍ତ୍ରୀ ଅଛନ୍ତି । ସେହିପରି ଯୋଜନା ବୋଡର଼୍ଠାରୁ ନେଇ ଅନେକ କମିଶନ ପଦବୀ ବି ପୂରଣ କରାଯାଇପାରିନାହିଁ । ଦଳର ଡଜନ ଡଜନ ନେତା ନିଗମ ପାଇବା ପାଇଁ ଅନେଇ ବସିଛନ୍ତି । କିନ୍ତୁ କ୍ଷମତାର ଅଙ୍କ ଛିଣ୍ଡୁନଥିବାରୁ ସବୁ କିଛି ଠପ୍ ହୋଇଯାଇଛି।
ସମସ୍ତଙ୍କର ଅପେକ୍ଷା କେବେ ରାଜ୍ୟ ବିଜେପିର ନୂଆ ଟିମ୍ ଗଢ଼ା ହେବେ ? କିଏ ହେବେ ବିଜେପି ସଭାପତି ? ଦଳର ଲକି ସଭାପତି ମନମୋହନ ସାମଲ ରିପିଟ୍ ହେବେ ନା ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ମଙ୍ଗ ଧରିବେ ? ଏହାକୁ ନେଇ ରାଜ୍ୟ ବିଜେପିରେ ଗତ ତିନି ମାସ ଧରି ଅଙ୍କକଷା ଚାଲିଛି । ସଭାପତି ରେସ୍ରେ ଏବେ ସାତ ଆଠ ଜଣ ନେତା ଅଛନ୍ତି । ମନମୋହନଙ୍କ ବ୍ୟତୀତ ସମୀର ମହାନ୍ତି, ଗୋଲକ ମହାପାତ୍ର, ଯତୀନ୍ ମହାନ୍ତି, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଠାରୁ ନେଇ ଅନେକଙ୍କ ନାଁ ଶୁଣିବାକୁ ମିଳୁଛି । ଆରଏସଏସ ସରସଂଘଚାଳକ ମୋହନ ଭାଗବତ ଓଡ଼ିଶା ଆସିବାର ଅଛି, ସେ ହିଁ ସମାଧାନର ସୂତ୍ର ବାହାର କରିବେ ବୋଲି କୁହାଯାଉଛି । ଉଭୟ ସଂଘ ଓ ଦଳ ଭିତରେ ଯିଏ ସମନ୍ୱୟ ରକ୍ଷା କରିବେ ସେ ହିଁ ଧରିବେ ବିଜେପି ମଙ୍ଗ । ଫେବୃଆରୀ ହିଁ ବିଜେପିର ସାଂଗଠନିକ ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ସେ ଯେତେ ଘଣ୍ଟାଚକଟା ଚାଲୁ ପଛେ, ସବୁ ନିଷ୍ପତ୍ତି ମୋଦି ଓ ଶାହ ନେବେ ବୋଲି କୁହାଯାଉଛି । ତେଣୁ ଦିଲ୍ଲୀ ନିର୍ବାଚନ ସରି ଫଳାଫଳ ଘୋଷଣା ପରେ ହିଁ ବିଜେପିର ନବକଳେବର ହେବ ବୋଲି କୁହାଯାଉଛି ।