
ଗତକାଲି ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠୁଥିବା ବେଳେ ଅଘଟଣ ଘଟିଥିଲା । ମହାଦୀପ ନେଇ ମନ୍ଦିର ଉପରକୁ ଉଠୁଥିବା ବେଳେ ଖସିପଡିଲେ ସେବାୟତ ।ଅନ୍ୟ ଜଣେ ସେବାୟତ ମହାଦୀପକୁ ନେଇ ମନ୍ଦିର ଚୂଡ଼ାକୁ ଗଲେ । ଅଘଟଣକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗୁରୁତର ଅବସ୍ଥାରେ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
“ମହାଦୀପ ଧରି ଚୂଡ଼ାକୁ ଉଠିବା ବେଳେ ସେବାୟତ ଖସି ପଡ଼ିବା ଘଟଣାରେ ମନ୍ଦିର ପ୍ରଶାସନ ଅବହେଳାକୁ ଦାୟୀ କଲେ ଆହତ ସେବାୟତଙ୍କ ପୁଅ । ଆହତ ହୋଇଥିବା ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱିନୀ ସମର୍ଥା କହିଛନ୍ତି, ବାପା ଏବେ ସୁସ୍ଥ ଅଛନ୍ତି । କଥା ହେଉଛନ୍ତି । ତାଙ୍କର ସିଟି ସ୍କାନ ହେବ । ମହାଦୀପରେ ଘିଅ ଅଧିକ ଥିଲା । ହାତରେ ଘିଅ ପଡିଯିବାରୁ ସେ ଖସି ପଡ଼ିଲେ। ବାପା ଖସି ପଡ଼ିଲା ପରେ, ବଡ ବାପାଙ୍କ ପୁଅ ମହାଦୀପ ନେଇ ଉପରକୁ ଗଲେ। ଗତ ୨୫ରୁ ୩୦ ବର୍ଷ ହେଲେ ବାପା ମହାଦୀପ ଉଠାଉଛନ୍ତି ବୋଲି କହିଛନ୍ତି ଯୋଗେନ୍ଦ୍ରଙ୍କ ପୁଅ । ତେବେ ଏଭଳି ଘଟଣା କେବେ ଘଟି ନଥିଲା ବୋଲି ସେ କହିଛନ୍ତି। ଏଥିପାଇଁ ସେ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି । ମହାଦୀପରେ ଘିଅର ପରିମାଣ କେତେ ରହିବ ପ୍ରଶାସନ ଦେଖିବା କଥା । ସମର୍ଥା ସେବାୟତଙ୍କ ଉପରେ ପ୍ରଶାସନ ଧ୍ୟାନ ଦିଅନ୍ତୁ । ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଆହତ ସେବାୟତଙ୍କ ପୁଅ । ସମର୍ଥା ନିଯୋଗ ସଂପାଦକ ପ୍ରଶାନ୍ତ ସମର୍ଥା ମଧ୍ୟ ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ଏବଂ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
ଲିଙ୍ଗରାଜ ମହାଦୀପ ଉଠିଲା ବେଳେ ଆହତ ହୋଇଥିବା ସେବାୟତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟିଛନ୍ତି ବିଏମସି ମେୟର ସୁଲୋଚନା ଦାଶ ଓ ସ୍ଥାନୀୟ କର୍ପୋରେଟର । ସେବାୟତଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଦୁର୍ଘଟଣା ସମ୍ପର୍କରେ ବୁଝିଥିଲେ । ବର୍ଷ ବର୍ଷ ଧରି ସମର୍ଥା ସେବାୟତ ଜୀବନକୁ ବାଜି ଲଗାଇ ଦେଉଳ ଉପରକୁ ଯାଆନ୍ତି । ହେଲେ ତାଙ୍କ ପାଇଁ ବୀମା ମଧ୍ୟ ନାହିଁ । ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ସୁଲୋଚନା ଦାଶ । ଯୋଗେନ୍ଦ୍ର କହିଛନ୍ତି ଯେ ୧୯୯୬ ମସିହାରୁ ମାସକୁ ୨ ଥର ଚତୁର୍ଦ୍ଦଶୀ ଓ ମହାଶିବରାତ୍ରୀରେ ସେ ଦେଉଳ ଉପରକୁ ଦୀପ ନେଇ ଯାଆନ୍ତି । ମନ୍ଦିର ଉପରକୁ ଯିବା ବେଳେ ସେଠି ଯେମିତି ଗୋଡ଼ ନଖସିବ ସେଥିପାଇଁ ବାଲି ପଡ଼େ। ହେଲେ ବାଲି ଏଥର ପ୍ରଶାସନ ପକାଇବାକୁ ଭୁଲି ଯାଇଛି । ଗୋଡ଼ରେ ଘିଅ ଲାଗିବା କାରଣରୁ ଉପରକୁ ଚଢ଼ିବା ବେଳେ ହଠାତ୍ ଗୋଡ଼ ଖସିଗଲା । ଫଳରେ ସେ ଡେଇଁ ପଡ଼ିଲେ । ଯଦି ଖସି ଯାଇଥାନ୍ତେ ତେବେ ଆହୁରି ବଡ ଅଘଟଣ ହେଇଥାନ୍ତା । ସେ ଡେଇଁବା ବେଳେ ବାଲି ନଥିବାରୁ ଗଭୀର ଆଘାତ ଲାଗିଲା। ଯାହାର ତଦନ୍ତ ଆବଶ୍ୟକତା ରହିଛି ବୋଲି ମେୟର କହିଛନ୍ତି।
ଲିଙ୍ଗରାଜମନ୍ଦିରରେ ସେବାୟତ ଖସି ପଡ଼ିବା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଲିଙ୍ଗରାଜ ଅଘଟଣର ଶ୍ୱେତପତ୍ର ଜାରି କରନ୍ତୁ ସରକାର । ସରକାର ଭଗବାନଙ୍କ ନାଁରେ ଭୋଟ୍ ନେଉଛନ୍ତି । ହେଲେ ଭଗବାନ ପ୍ରତି ତାଙ୍କର ଭକ୍ତି ନାହିଁ । ପ୍ରଥମେ ବଡ଼ ଠାକୁର ପଡ଼ିଗଲେ । ହେଲେ ଆଜି ଯାଏ ତାହା କେଉଁଠି ପାଇଁ ଘଟିଲା ତାହା ଜଣାପଡ଼ିଲା ନାହିଁ । ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ପଡ଼ିଗଲା । କେଉଁ ଅଭାବରୁ ଏପରି ଅଘଟଣ ଘଟିଲା । ସରକାର କାହିଁକି ଯତ୍ନବାନ ହେଲେ ନାହିଁ । କାହିଁକି ଅବହେଳା କଲେ ସରକାର ? ଏ ଘଟଣାରେ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦାବି କରିଛନ୍ତି ଭକ୍ତ ଚରଣ ଦାସ । ଓଡ଼ିଶା ଲୋକଙ୍କ ଭାବାବେଗ ସହ ଜଡ଼ିତ ଏହି ଘଟଣା । ସରକାର ଏପରି ଚୁପ୍ ହୋଇ ବସିଗଲେ ଚଳିବ ନାହିଁ । ମୁଖ୍ୟମନ୍ତ୍ରୀ ଏସବୁର ସମୀକ୍ଷା କଲେ କି ? ଓଡ଼ିଶାର ଦୁଇଟି ବଡ ମନ୍ଦିରରେ ଏପରି ଘଟଣା ଘଟିଲା । ସରକାର ଯତ୍ନବାନ ହେବା କଥା । ଭିଆଇପି ଭିଡ଼ କାହିଁକି ଏତେ ହେଲା । ସରକାର ଏତେ ଭିଆଇପି ସୃଷ୍ଟି କରୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ।”