
ପେଣ୍ଡୁକୁ ତଳେ ଯେତେ ଜୋରେ ଛାଟିବ, ପେଣ୍ଡୁଟି ସେତେ ଉପରକୁ ଉଠିବ। ନବ ଦାସ ହତ୍ୟା ମାମଲା ନେଇ ଏବେ ଯେତେ ରାଜନୀତି ଆଉ ବୟାନବାଜୀ ଚାଲିଛି, ସେତିକି ବିସ୍ଫୋରକ ତଥ୍ୟ ପ୍ରଘଟ ହେଉଛି।ସେ ସବୁ ତଥ୍ୟରେ ସତ୍ୟାସତ୍ୟ କେତେ ଅଛି କି ନାହିଁ, ସେ କଥା ସେହି ତଥ୍ୟ ପ୍ରଘଟକାରୀମାନେ କହିପାରିବେ। ଏ ସବୁ ତଥ୍ୟ ସତ୍ୟାଧାରିତ ହେଉ କି ନ ହେଉ, କିନ୍ତୁ ଏହା ରାଜ୍ୟର ରାଜନୈତିକ ବାତାବରଣକୁ ସରଗରମ କରି ଲୋକ ଚର୍ଚ୍ଚା ଲାଗି ବେଶ୍ ଖୋରାକ ଯୋଗାଇଛି।
ଏହି କ୍ରମରେ ନବ ଦାସଙ୍କ ହତ୍ୟା ମାମଲା ଏବଂ ଏହାର ସିବିଆଇ ତଦନ୍ତ ଦାବି ପରିପ୍ରେକ୍ଷୀରେ ବିଜେପିର ପ୍ରଦୀପ ପୁରୋହିତ, ଜୟନାରାୟଣ ମିଶ୍ର, କଂଗ୍ରେସର ନରସିଂହ ମିଶ୍ର ପ୍ରମୁଖ ବିଭିନ୍ନ ବିସ୍ଫୋରକ ବୟାନ ଦେବାପରେ ଏବେ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂହ ସାଲୁଜା ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ ବାତାବରଣକୁ ଅଧିକ ସରଗରମ କରିଦେଇଛନ୍ତି। ସାଲୁଜା କହିଛନ୍ତି ଯେ, ହତ୍ୟା ପୂର୍ବରୁ ନବଙ୍କୁ କୋଇଲା ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା । ସେତେବେଳର ଏସ୍ପି ଓ ଜିଲାପାଳ ଦୂରେଇ ରହିବାକୁ କହିଥିଲେ। ଷଡ଼ଯନ୍ତ୍ର ପଛରେ କିଏ, ତାହାର ସିବିଆଇ ତଦନ୍ତ ହେଲେ ସେହି ଦୁଇ ଅଫିସର କହିପାରିବେ। ଏବେ ବି ମୁଁ ସିବିଆଇ ତଦନ୍ତ ହେଲେ ଷଡ଼ଯନ୍ତ୍ର ପଦାକୁ ଆସିପାରିବ ବୋଲି କହୁଛି। ଗୋପାଳ ହତ୍ୟା କରିଥିଲା ନା କରାଯାଇଥିଲା , ତାହା ଜଣାପଡ଼ିବ। ସାଲୁଜା ଆହୁରି କହିଛନ୍ତି ଯେ କୋଲ ବ୍ଲକରୁ ନବଙ୍କ ହତ୍ୟା ମାମଲାର ରହସ୍ୟ ଖୋଲିପାରେ।
ସୂଚନା ଅନୁସାରେ ନବଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଆଉ ମାତ୍ର ଅଳ୍ପ ଦିନ ଥିବାବେଳେ ତାଙ୍କ ହତ୍ୟା ପଛର କାରଣ ଏବେବି ଅସ୍ପଷ୍ଟ ରହିଛି । ପରିବାର ସଦସ୍ୟଙ୍କ ଦ୍ୱାରା ସିବିଆଇ ତଦନ୍ତ ପାଇଁ ଦାବି କରାଯିବା ଓ ଏହାକୁ ନେଇ ରାଜନୀତିକ ବୟାନବାଜି ମଧ୍ୟରେ ଗଣମାଧ୍ୟମ ଜରିଆରେ କ୍ରାଇମବ୍ରାଞ୍ଚ ତଦନ୍ତରେ ହୋଇଥିବା ନାନାଦି ତ୍ରୁଟି ପଦାକୁ ଆସିବାରେ ଲାଗିଛି।
ଅନ୍ୟପଟେ ନବ ଦାସଙ୍କ ପୋଷାକକୁ ନେଇ ଏବେ ସାମନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ନବ ଦାସଙ୍କୁ ଗୁଳିମାଡ ସମୟର ପୋଷାକ ଜବତ ତାଲିକାରେ ନ ଥିବା କଥା ଅଭିଯୁକ୍ତ ଗୋପାଳଙ୍କ ଓକିଲ କହିଛନ୍ତି। ଓକିଲଙ୍କ କହିବାନୁସାରେ ଭୁବନେଶ୍ବରର ଯେଉଁ ଘରୋଇ ମେଡିକାଲରେ ନବଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ସେଠାରୁ ନବ ଦାସଙ୍କ ପିନ୍ଧା ପୋଷାକ ଗାଏବ ହୋଇଛି।