
ଆଲେଖ୍ୟ – ଜବାହରମିଶ୍ର, ମୁଖ୍ୟ ସମ୍ପାଦକ
………………………………….
ବିଜେଡିରେ ଘଡିକେ ଘୋଡ଼ା ଛୁଟିଲା ପରି ପରିଦୃଶ୍ୟ ସବୁବେଳେ ଲାଗିରହିଛି। ଦଳୀୟ ରାଜନୀତି କେତେବେଳେ କେଉଁ ଦିଗକୁ ଲମ୍ଫ ମାରିବ, ତାହାର ପୂର୍ବାନୁମାନ କେହି କରିପାରିବନାହିଁ। ଏହି କ୍ରମରେ ଏବେ ବିଜେଡିରେ ଏକ କମ୍ପନ ଉଠିଛି। ତାହା ହେଲା ନିର୍ବାଚନ ପରେ ପାଣ୍ଡିଆନ ପଛ ସିଟ୍ କୁ ଚାଲିଯାଇଥିଲେ ଆଉ ଦଳର ସଭପତି ନବୀନ ପଟ୍ଟନାୟକ ଆଗ ସିଟ୍ ରେ ଆସି ବସିଥିଲେ ଏବଂ ସମସ୍ତ ଦଳୀୟ ନେତା କର୍ମୀଙ୍କୁ ଭେଟୁଥିଲେ। କିନ୍ତୁ ୭ ମାସ ପରେ ଦଳରେ ପୁଣି ପୂର୍ବାବସ୍ଥା ଫେରିଆସିଛି। ଯାହା ଫଳରେ ନିର୍ବାଚନୀ ପରାଭବ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ସନ୍ନ୍ୟାସକୁ ଏବେ ଦୟା ନଦୀରେ ବିସର୍ଜନ କରି ପୁଣି ଆଗପରି କଲର୍ ଟେକି ସମ୍ମୁଖ ରାଜନୀତିକୁ ଫେରି ଆସିଛନ୍ତି। କ୍ରିକେଟୀୟ ଅର୍ଥରେ ଏହା କୁହାଯାଇପାରେ ଯେ ପାଣ୍ଡିଆନ ଏବେ ପୁରୁଣା ଫର୍ମକୁ ଫେରିଆସିଛନ୍ତି ଆଉ ନବୀନ ଏକ୍ସଟ୍ରା ପ୍ଲେୟାର ଙ୍କ ପରି ପୁଣି ପଛ ସିଟ୍ ରେ ଯାଇବସିଛନ୍ତି ।
ଏହାର ପାର୍ଶ୍ବ ପ୍ରତିକ୍ରିୟା ଦଳରେ ଥିବା ପାଣ୍ଡିଆନ ବିରୋଧୀ ଗୋଷ୍ଠୀରେ ଦେଖିବାକୁ ମିଳିଛି। ଯାହା ଫଳରେ ନିକଟରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବାସଭବନ ପାଣ୍ଡିଆନ ବିରୋଧୀ ନେତାମାନଙ୍କ ମେଳିରେ ମହ ମହ ବାସିଉଠିଲା।
କିଛି ମାସର ବ୍ୟବଧାନ ପରେ ବିଜେଡି ପୁରୁଣା ଧାରାକୁ ଫେରିଛି। ନବୀନ ନିବାସରେ ଆଉ ନବୀନଙ୍କ ଦରବାର ଚାଲୁନି। ପୂର୍ବପରି ଭି କେ ପାଣ୍ଡିଆନ ଦରବାର କଲେଣି। ବିଜେଡିର ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ସେ ହିଁ ନେତାମାନଙ୍କ ସହ ଆଲୋଚନା କରୁଛନ୍ତି। ନେତାମାନଙ୍କର ଲିଖିତ ପ୍ରସ୍ତାବ ରଖୁଛନ୍ତି। ଏପରିକି ପାଣ୍ଡିଆନ ଆଗ ପରି ଦଳର ନେତାମାନଙ୍କୁ ସବୁ କଥାରେ ପରାମର୍ଶ ଦେବା ଆରମ୍ଭ କଲେଣି। ବିଜେଡିର ଅନେକ ନେତା ଏହା ବାହାରେ କହୁଥିଲେ ବି ଗଣମାଧ୍ୟମ ଆଗରେ କହିବାକୁ ସାହସ କରୁନାହାନ୍ତି। କିନ୍ତୁ ଏହାକୁ ସେମାନେ ସ୍ଵୀକାର କରୁଛନ୍ତି।
ଏ ସବୁ ଲୁଚାଛପାରେ କରାଯାଉନାହିଁ, ବରଂ ସବୁକିଛି ସମସ୍ତଙ୍କ ଆଗରେ ଚାଲିଛି। ଏକଥା ଦେଖି ଏବେ ଛାମୁଆ ନେତା ଓ କର୍ମୀ ଚିନ୍ତିତ। ସ୍ଥିତି ଧୀରେ ଧୀରେ ଗମ୍ଭୀର ରୂପ ନେବାକୁଯାଉଛି। ଆଗକୁ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଦଳ ଭିତରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ନିର୍ବାଚନରେ ବିଜେଡିର ପରାଜୟ ପାଇଁ ଗୋଟିଏ ବର୍ଗ ପାଣ୍ଡିଆନଙ୍କ ଉପରକୁ ଆଙ୍ଗୁଠି ଉଠାଇଥିଲେ। ପାଣ୍ଡିଆନ ମଧ୍ୟ ନିଜେ ସାମାଜିକ ଗଣମାଧ୍ୟମ ସାମ୍ନାକୁ ଆସି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏହାପରେ ନବୀନ ଗଣମାଧ୍ୟମରେ ବାରମ୍ବାର ପାଣ୍ଡିଆନଙ୍କୁ ସାବାସ୍ ବେଟା’ ର ସାର୍ଟିଫିକେଟ୍ ଦେଇଛନ୍ତି। ଅବଶ୍ୟ ସେବେଠାରୁ ନବୀନ ନିବାସରେ ନବୀନଙ୍କ ପାଖରେ ଆଉ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଲାନାହିଁ। କିଛି ଦିନ ଧରି ଦେଖାଗଲା ଯେ ଦଳୀୟ ନେତାମାନେ ନବୀନଙ୍କ ପାଖରେ ଆଲୋଚନା କରୁଥିଲା ବେଳେ ପାଣ୍ଡିଆନ ସେଠାରେ ବସୁ ନଥିଲେ। ନବୀନ ସିଧା ନେତାମାନଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରୁଥିଲେ। କିନ୍ତୁ ଏଇ କିଛି ଦିନ ହେବ
ବିଜେଡି ଶିବିରରେ ଗୋଟିଏ ବଡ଼ ପରିବର୍ତ୍ତନ
ର ଚର୍ଚ୍ଚା ଚାଲିଛି।
‘ମହାଦେବ’ ନବୀନଙ୍କୁ ଦେଖା କରିବାକୁ ଯାଉଥିବା
ଚେଲା ଚାମୁଣ୍ଡା ନେତାଙ୍କୁ କୁଆଡେ
‘ନନ୍ଦୀ’ ପାଣ୍ଡିଆନଙ୍କୁ ଭେଟିବା ପାଇଁ କୁହାଯାଉଛି। ବିଭିନ୍ନ ଜିଲ୍ଲାର ନେତା ପାଣ୍ଡିଆନଙ୍କୁ ଭେଟି ସଂଗଠନ ସମ୍ପର୍କରେ ଆଲୋଚନା କରୁଛନ୍ତି। ଦଳର ଦୈନନ୍ଦିନ ପରିଚାଳନା କାମ ବି ତାଙ୍କ ମାର୍ଫତରେ ହେଉଛି। କିଏ ସାମ୍ବାଦିକ ସମ୍ମିଳନୀରେ ବସିବେ, ଦଳ କେଉଁ ପ୍ରସଙ୍ଗରେ କେଉଁ ଆଭିମୁଖ୍ୟ ଗ୍ରହଣ କରିବ, ସେସବୁ ନିଷ୍ପତ୍ତି ପାଣ୍ଡିଆନ ନେଉଛନ୍ତି। ନିର୍ବାଚନ ପୂର୍ବରୁ ସେ ଯେଉଁ ନିର୍ଦ୍ଦିଷ୍ଟ ନେତାମାନଙ୍କୁ ନେଇ ଦଳର ପରିଚାଳନା କରୁଥିଲେ, ଏବେ ଠିକ୍ ସେହି ଧାରା
ପୁଣି ଆରମ୍ଭ ହୋଇଛି। ବିଜେଡି ସରକାର ସମୟରେ ବିପୁଳ କ୍ଷମତା ଉପଭୋଗ କରିଥିବା ପୂରା ଗୋଷ୍ଠୀ ନିର୍ବାଚନୀ ବିପର୍ଯ୍ୟୟର ନୈତିକ ଦାୟିତ୍ବ ମୁଣ୍ଡାଇବା ପରିବର୍ତ୍ତେ ପୁଣିଥରେ ଦଳକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ପ୍ରାୟତଃ ସକ୍ଷମ ହୋଇଛନ୍ତି
ବୋଲି ଦଳ ଭିତରେ ଟୁପୁର ଟାପୁର ଆଲୋଚନା ହେଉଛି। କଥାଟି ସେତିକିରେ ଅଟକି ନାହିଁ। ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନଙ୍କର ଭାବମୂର୍ତ୍ତି
ରେ ରଙ୍ଗ ମାରି ଚକାଚକ୍ ବନାଇବା ପାଇଁ ଉଦ୍ୟମ ଚାଲିଛି। ବିଜେଡିର ଗୋଟିଏ ଟିମ୍ ଏହି କାମରେ ନିୟୋଜିତ ହୋଇଛନ୍ତି। ଭି କେ ପାଣ୍ଡିଆନ୍ ଫ୍ୟାନ୍ କ୍ଲବ୍ ନାମରେ ଏକ ଆକାଉଣ୍ଟ୍ ସାମାଜିକ ଗଣମାଧ୍ୟମରେ ରହିଛି। ପୂର୍ବ ସରକାର ସମୟରେ ହୋଇଥିବା କିଛି ବଡ଼ ପ୍ରକଳ୍ପ ଓ କିଛି ସଫଳ କାହାଣୀର ଫଟୋ ଓ ଭିଡିଓ ଏଥିରେ ପୋଷ୍ଟ କରାଯାଉଛି। ‘ନବୀନ-ପାଣ୍ଡିଆନ୍ ଯୁଗ’ରେ ଏସବୁ ସମ୍ଭବ ହୋଇଥିଲା ବୋଲି ଦର୍ଶାଯାଉଛି। ଅର୍ଥାତ୍ ପୂର୍ବ ସରକାରର କୌଣସି ସଫଳତାର ଶ୍ରେୟ କେବଳ ନବୀନଙ୍କୁ ଦେବାକୁ ଏହି ଗୋଷ୍ଠୀ ନାରାଜ। ପୁଣି ଥରେ ପାଣ୍ଡିଆନଙ୍କୁ ମହାନାୟକ ଭାବେ ଉପସ୍ଥାପିତ କରିବାକୁ ଏହି ଗୋଷ୍ଠୀ ବେଶ୍ ସକ୍ରିୟ ହୋଇପଡ଼ିଛନ୍ତି। ବିଜେଡିର ବହୁ ଯୁବ ଓ ଛାତ୍ର ନେତା ଏହାକୁ ସେୟାର କରୁଥିବା ଦେଖିବାକୁ ମିଳୁଛି।
ଏହାକୁ ନେଇ ଦଳ ଭିତରେ କିନ୍ତୁ ଅସନ୍ତୋଷ ବଢ଼ିବାରେ ଲାଗିଛି। କିଛି ନେତା ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଗତ ନିର୍ବାଚନରେ ଏସବୁ କାର୍ଯ୍ୟର ପରାଭବ ଭୋଗିବାକୁ ପଡ଼ିଲା। ବିଜେଡି ମାଟି କାମୁଡ଼ିଲା। ନବୀନଙ୍କ ନାମରେ ଭୋଟ୍ ଅଛି ବୋଲି ସମସ୍ତେ ଜାଣୁଥିଲେ ହେଁ ଜବରଦସ୍ତ ପାଣ୍ଡିଆନଙ୍କୁ ତାଙ୍କ ସହ ଯୋଡ଼ି ସବୁ କାମର ଶ୍ରେୟ ଦେବାକୁ ସେତେବେଳେ ଉଦ୍ୟମ କରାଗଲା। ସେଥି ପାଇଁ ହିଁ ବିଜେଡି ବିରୋଧରେ ବିଜେପିର ଓଡ଼ିଆ ଅସ୍ମିତା ନାରା ଲୋକଙ୍କୁ ଛୁଇଁଗଲା। ଏମିତିରେ ବି ଯେତେବେଳେ ରାଜ୍ୟରେ ଯେଉଁ ଭଲ କାମ ହୁଏ, ତାହାର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଯିବା ସ୍ବାଭାବିକ। କିନ୍ତୁ ସେଥିରେ ପାଣ୍ଡିଆନଙ୍କ ନାମ ଯୋଡ଼ି ବିଜେଡିର ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦଳକୁ ତଳିତଳାନ୍ତ କରିଦେଲେ। ଏବେ ପୁଣି ସେହି ଧାରା ଆରମ୍ଭ ହୋଇଛି। ନବୀନ-ପାଣ୍ଡିଆନ ଯୁଗର ସଫଳତାକୁ ବଖାଣି ନବୀନଙ୍କ ଗୁରୁତ୍ବ କମାଇବାକୁ ହୀନ ପ୍ରୟାସ କରାଯାଉଛି ବୋଲି ମତପ୍ରକାଶ ପାଉଛି। ତାଙ୍କ ନାମରେ ଫ୍ୟାନ୍ କ୍ଲବ ଚାଲିଛି। ବେଶ୍ ଯୋଜନାବଦ୍ଧ ଭାବେ ବିଭିନ୍ନ ଫଟୋ ଓ ଭିଡିଓଗୁଡ଼ିକୁ ନିୟମିତ ଭାବେ ଏଥିରେ ପୋଷ୍ଟ କରାଯାଉଛି। ହେଲେ କମେଣ୍ଟ ବକ୍ସରେ ଲୋକଙ୍କ ପ୍ରତିକ୍ରିୟାର ଧାରା ଭିନ୍ନ।
ଅନ୍ୟପଟରେ ପୁଣି ଥରେ ପାଣ୍ଡିଆନଙ୍କୁ ସବୁ ସମର୍ପି ଦେଇ ନବୀନ କି ବାର୍ତ୍ତା ଦେବାକୁ ଚାହୁଛନ୍ତି, ତାହା ବି ଦଳୀୟ ନେତାଙ୍କ ପାଇଁ ଅବୁଝା ରହିଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ହେଉଛି ଯେ, ଏହା ସମସ୍ତେ ଭଲ ଭାବେ ଜାଣନ୍ତି କି ସର୍ବସାଧାରଣରେ ପାଣ୍ଡିଆନଙ୍କୁ ନେତା ଭାବେ କେହି ଗ୍ରହଣ କରିନାହାନ୍ତି। ତାଙ୍କରି ଯୋଗୁ ହିଁ ବିଜେଡି ଅପ୍ରତ୍ୟାଶିତ ପରାଜୟର ସାମ୍ନା କଲା। ପରବର୍ତ୍ତୀ ସମୟରେ ପାଣ୍ଡିଆନଙ୍କ ଦୁଇ ଘନିଷ୍ଠ ସହଯୋଗୀ କେନ୍ଦ୍ରୀୟ ଡେପୁଟେସନରେ ଯିବା ଏବଂ ଦୁଇ ଜଣ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ବିଜେପିକୁ ଯିବା; ଉଭୟ ଘଟଣା ସନ୍ଦେହମୁକ୍ତ ନୁହେଁ। କେନ୍ଦ୍ର ସହିତ ସଂପର୍କ ପ୍ରସଙ୍ଗକୁ ନେଇ ଆଲୋଚନା ଥମିନି। ଠିକ୍ ଏମିତି ସମୟରେ ଦଳରେ ପାଣ୍ଡିଆନଙ୍କ ଦବଦବା ବୃଦ୍ଧି ବିଜେଡିକୁ ସଶକ୍ତ କରିବ ନା ବିଜେପିକୁ କ୍ଷେତ୍ର ପ୍ରସାର ପାଇଁ ସୁଯୋଗ ଦେବ, ତାହା ଉପରେ ନଜର ରହିଛି।
ଏପରି ସମୟରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ଦଳର ବରିଷ୍ଠ ନେତାମାନଙ୍କ ବୈଠକକୁ ନେଇ ରାଜନୀତି ଜୋର୍ ଧରିଛି। ପୂର୍ବତନ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ସାମଲ, ଭୂପିନ୍ଦର ସିଂହ ଏବଂ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ବୈଠକରେ ସାମିଲ ଥିଲେ। ତେବେ ବରିଷ୍ଠ ନେତାମାନଙ୍କ ଏହି ମେଳିକୁ ନେଇ ବିଜେଡି ଭିତରେ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି।
ଉଲ୍ଲେଖନୀୟ ଯେ ଭିକେ ପାଣ୍ଡିଆନ ରାଜନୈତିକ ସନ୍ନ୍ୟାସ ତ୍ୟାଗ କରି ପୁଣି ବିଜେଡି ରାଜନୀତିର ମଙ୍ଗ ଧରିବା ଦଳର ଏହି ବରିଷ୍ଠ ନେତାମାନଙ୍କୁ ସେମାନଙ୍କ ରାଜନୈତିକ ଭବିଷ୍ୟତ ନେଇ ଚିନ୍ତିତ କରିଛି, ଯାହା କି ସେମାନଙ୍କୁ ପ୍ରସନ୍ନଙ୍କ ଘରେ ଏକ ମନ ଏକ ପ୍ରାଣ ହେବାକୁ ବାଧ୍ୟ କରିିଛି। ଏହି ବୈଠକ ନେଇ ଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ମଧ୍ୟ କାର୍ତ୍ତିକ ପାଣ୍ଡିଆନ୍ଙ୍କୁ ପାଖରେ ରଖିବା ଆଉ ନବୀନ ନିବାସରେ ରହି ପାଣ୍ଡିଆନ୍ ସବୁ କଥା କରାଇବା ବିଷୟକୁ ବିରୋଧକରି ଏହି ବୈଠକ ବସିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ସେହିପରି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ଏହି ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିବା ବିଷୟ ମଧ୍ୟ ଶୁଣିବାକୁ ମିଳିଛି। ଯଦିଓ ପ୍ରସନ୍ନଙ୍କ ଅସୁସ୍ଥତା ଖବର ପାଇ ଏହି ସମସ୍ତ ନେତା ତାଙ୍କ ଘରକୁ ଆସିଥିବା କଥା କହିଛନ୍ତି, ଅନ୍ୟପଟେ ରାଜନୀତି ଉପରେ ଏବଂ ସଙ୍ଗଠନ ମଜଭୁତ ବିଷୟରେ ଆଲୋଚନା ବିଷୟକୁ ମଧ୍ୟ ଅସ୍ବୀକାର କରିନାହାନ୍ତି। ତେବେ ସେ ଯାହା ହେଉ, ପାଣ୍ଡିଆନ ପୁଣି ବ୍ୟାଟ୍ ଧରି କ୍ରିଜ୍ କୁ ଫେରିବା ଦଳର ଏହି ବରିଷ୍ଠ , ଗରିଷ୍ଠ ନେତାମାନଙ୍କୁ ଚିନ୍ତିତ କରିଛି। ଯାହାର ପରିଣାମ ପ୍ରସନ୍ନ ଆଚାର୍ଯ୍ୟଙ୍କ ବାସଭବନରେ ଏହା ମେଳି ଆକାରରେ ଦେଖାଦେଇଥିବା କୁହାଯାଉଛି।